ARTICLE AD BOX
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ସେ କାନାଡା ଉପରେ ପୂର୍ବରୁ ଘୋଷଣା କରିଥିବା ୫୦% ଶୁଳ୍କକୁ ତିନି ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଏନେଇ ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ସୂଚନା ଦେଇଛନ୍ତି। ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ ଅନୁଯାୟୀ,କାନାଡାରୁ ପ୍ରାୟ ୨୦ ବିଲିୟନ ଡଲାରର ଆମେରିକୀୟ ଆମଦାନିକୁ ଶୁଳ୍କ ପ୍ରଭାବିତ କରିଥାନ୍ତା । ଉଭୟ ପକ୍ଷ ମଧ୍ୟରେ ଏକ ସପ୍ତାହ ଧରି ଆଲୋଚନା ପରେ ଏହି ସଦ୍ୟତମ ଚୁକ୍ତି ହୋଇଛି। ଏହି ଶୁଳ୍କ ଆମେରିକା ସମୟ ବୁଧବାର ରାତି ୧୨ଟା ୦୧ ରୁ କାର୍ଯ୍ୟକାରୀ ହେବାର ଥିଲା।
କାନାଡ଼ା ୱାସିଂଟନ ଉପରେ ଅଧିକ ନିର୍ଭରଶୀଳ
୨୦୨୫ ମସିହାରେ କାନାଡା ଦ୍ୱାରା ରପ୍ତାନି ହୋଇଥିବା ସମସ୍ତ ସାମଗ୍ରୀର ପ୍ରାୟ ୭୨% ଆମେରିକାକୁ ଯାଇଥିଲା। ନିଜର ଆନ୍ତର୍ଜାତୀୟ ବାଣିଜ୍ୟ ପାଇଁ କାନାଡ଼ା ୱାସିଂଟନ ଉପରେ ଅଧିକ ନିର୍ଭରଶୀଳ। ଏହି ଶୁଳ୍କ ଆମେରିକାକୁ ମଧ୍ୟ ପ୍ରଭାବିତ କରିଥାନ୍ତା, କାରଣ ଆମେରିକୀୟ ଆମଦାନିକାରୀମାନେ ଗ୍ରାହକଙ୍କ ଉପରେ ଶୁଳ୍କ ବୋଝ ଲଦିବା ପୂର୍ବରୁ ନିଜେ ଏହାକୁ ବହନ କରିଥାନ୍ତେ। ଏହା ଆଗାମୀ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ରିପବ୍ଲିକାନ ପାର୍ଟି ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ମଧ୍ୟ କୁହାଯାଉଛି।
ରିପୋର୍ଟ ଅନୁଯାୟୀ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ଟ୍ରମ୍ପଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଯେ, ଗତ ଦୁଇ ଦିନ ମଧ୍ୟରେ ଫୋନ୍ ମାଧ୍ୟମରେ ଦୁଇନେତା ୨ ଥର କଥା ହୋଇଛନ୍ତି। ପୂର୍ବତନ ଆମେରିକୀୟ ବାଣିଜ୍ୟ ଅଧିକାରୀ ସଦ୍ୟତମ ଘୋଷଣା ସମ୍ପର୍କରେ କହିଛନ୍ତି, ଉଭୟ ପକ୍ଷ ଏହି ଶୁଳ୍କ କାର୍ଯ୍ୟକାରୀ ହେଉ ବୋଲି ଚାହୁଁନାହାନ୍ତି।

1 hour ago
1


