ARTICLE AD BOX
ଭୁବନେଶ୍ୱର: ନିଦ ହଜାଇଦେଲାଣି ଅପମିଶ୍ରିତ ଛେନା, ପନିର। ରାଜ୍ୟବ୍ୟାପୀ ଚଢ଼ଉ ବେଳେ କ୍ବିଣ୍ଟାଲ କ୍ବିଣ୍ଟାଲ ଅପମିଶ୍ରିତ ଛେନା, ପନିର ମିଳିବା ଦେଖି ଲୋକଙ୍କ ମୁଣ୍ଡ ଚକ୍କର କାଟିଲାଣି। ନିରାମିଷଙ୍କ ମେନୁରୁ ବି ଛେନା, ପନିର କଟିଗଲାଣି। ବିଶେଷଜ୍ଞମାନେ ବି ଯେଉଁ ମତ ଦେଉଛନ୍ତି, ତାହା ହୋସ୍ ଉଡ଼ାଇଦେଲାଣି। ଆଜି ଲୋକେ ହୃଦ୍ଘାତ, ପେଟଜନିତ ରୋଗ, କ୍ୟାନସର ଭଳି ଯେଉଁ ମାରାତ୍ମକ ରୋଗରେ ପଡ଼ୁଛନ୍ତି, ଏହାର ପ୍ରମୁଖ କାରଣ ଏହି ଅପମିଶ୍ରିତ ଛେନା, ପନିର ବୋଲି ମତ ଦେଇଛନ୍ତି। ପାଟିକୁ ସୁଆଦ ଓ ଆଖିକୁ ଧଳା ଦିଶୁଥିବା ଏହି ସାତ୍ତ୍ବିକ ଖାଦ୍ୟ ଯେ ଏତେ ମାରାତ୍ମକ ଜାଣିବା ପରେ ରାଜ୍ୟ ସରକାର ବି ଚିନ୍ତାରେ ପଡ଼ିଲଣି। ପ୍ରଶ୍ନ ଉଠୁଛି, ଏତେ ଅପମିଶ୍ରିତ ଛେନା, ପନିର ଆସୁଛି କେଉଁଠୁ? କେଉଁମାନେ ଏହାର ରୢାକେଟ୍ ଚଳାଉଛନ୍ତି। ଟଙ୍କା ପାଇଁ ଲୋକଙ୍କୁ ବିଷ ବିକ୍ରି କରୁଥିବା ଏହି ବ୍ୟକ୍ତିବିଶେଷମାନେ କିଏ? କାହିଁକି ଏମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉନି?
Education: ‘ଏନ୍ପିସିଆଇଏଲ୍’ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ
ୟୁପି, ଛତିଶଗଡ଼, ରାୟପୁରରୁ ଓଡ଼ିଶା ଆସୁଛି ଶସ୍ତା କ୍ଷୀର ପାଉଡର୍
ମିଶୁଛି ମାରାତ୍ମକ ରସାୟନିୟକ ପଦାର୍ଥ, ଖଦା
କାମ କରୁଛି ବଡ଼ ରୢାକେଟ୍, ଟଙ୍କା ପାଇଁ ବିଷ ବିକୁଛନ୍ତି
ଯେହେତୁ ପୂର୍ବଭଳି ଆଉ ଗୁହାଳ ନାହିଁ କି ଲୋକେ ଘରେ ଦୁଗ୍ଧ ଉତ୍ପାଦନ ପାଇଁ ଗାଈ ରଖିନାହାନ୍ତି, ଦୁଗ୍ଧ ଓ ଦୁଗ୍ନଜାତ ଦ୍ରବ୍ୟ ଉତ୍ପାଦନ ବି କମିଛି। ଏହି ଆବଶ୍ୟକତା ମେଣ୍ଟାଇବା ପାଇଁ ବେପାରୀମାନେ ଅପମିଶ୍ରଣର ବେପାର ମେଲାଇ ଦେଇଛନ୍ତି। ନିମ୍ନମାନର କ୍ଷୀର ପାଉଡର୍ ସାଙ୍ଗକୁ ଭେଜିଟେବଲ୍ ଓ ଆନିମଲ୍ ଫ୍ୟାଟ୍ ମିଶ୍ରଣ କରି ବଜାରକୁ ଛାଡ଼ୁଛନ୍ତି। ଚାଷୀ ଓ ଦୁଗ୍ଧ ସଂଗ୍ରହ ସଂସ୍ଥା ମଧ୍ୟରେ କାମ କରୁଥିବା ମଧ୍ୟସ୍ଥି ତଥା ବେପାରୀମାନେ ଅଧିକ ଲାଭ ଆଶାରେ ଏଭଳି କଳାବଜାରକୁ ଅସ୍ତ୍ର କରିଛନ୍ତି। ଦୁଗ୍ଧଜାତ ଦ୍ରବ୍ୟ ନାଁରେ ଏଭଳି ବିଷ ବିକ୍ରି କରି ଲୋକଙ୍କ ଜୀବନହାନିର କାରଣ ପାଲଟିଛନ୍ତି। ଭୁବନେଶ୍ବର ବଜାରକୁ ବି ଏଭଳି ଅପମିଶ୍ରିତ ଛେନା, ପନିର ବିଭିନ୍ନ ଉପାନ୍ତ ଅଞ୍ଚଳରୁ ଆସୁଥିବା ଅଭିଯୋଗ ଉଠିଛି। ଏହା ପଛରେ ଅନ୍ତଃରାଜ୍ୟ ରୢାକେଟ୍ କାମ କରୁଥିବା ଅଭିଯୋଗ ଉଠିଛି। ୟୁପି, ମଧ୍ୟପ୍ରଦେଶ, ଛତିଶଗଡ଼ରୁ ଭାୟା ରାୟପୁର ଦେଇ ଓଡ଼ିଶା ବଜାରକୁ ଏହା ଆସୁଛି। ୟୁପି, ମଧ୍ୟପ୍ରଦେଶ, ଛତିଶଗଡ଼ରେ ନିମ୍ନମାନର କ୍ଷୀର ପାଉଡର୍ ପ୍ରସ୍ତୁତ କରାଯାଉଛି। ଭଲ କ୍ଷୀର ତଥା ଛେନା, ପନିର ତୁଳନାରେ ଏହାର ପ୍ରସ୍ତୁତି ଶସ୍ତା ଓ ଲାଭଜନକ ହୋଇଥିବାରୁ ଓଡ଼ିଶାର ବେପାରୀମାନେ ଲାଭ ଆଶାରେ ଏହାକୁ କିଣି ଲୋକଙ୍କୁ ରୋଗ ବାଣ୍ଟୁଛନ୍ତି। ଚଢ଼ଉ ଜୋରଦାର ହେଉନଥିବାରୁ ଅପମିଶ୍ରିତ ଦୁଗ୍ଧଜାତ ଦ୍ରବ୍ୟର ବ୍ୟାପକ କଳାବଜାରୀ ଚାଲିଛି।
ଘନତା ପାଇଁ ମିଶୁଛି ଭେଜିଟେବଲ୍ ଓ ଆନିମଲ୍ ଫ୍ୟାଟ୍
ଆନାଲଗ୍ ପନିରରେ ଅଧିକ ଅପମିଶ୍ରଣ ହେଉଛି। ଦୁଗ୍ଧଜାତ ଦ୍ରବ୍ୟରେ ଶସ୍ତା କ୍ଷୀର ପାଉଡର ସାଙ୍ଗକୁ ଘନତା ବୃଦ୍ଧି ପାଇଁ ପାମ ଅଏଲ୍, ସୋୟାବିନ୍ ଅଏଲ୍ ସହ ଭେଟିବେଲ୍ ଫ୍ୟାଟ୍ ମିଶ୍ରଣ କରାଯାଉଛି ବୋଲି ଦୁଗ୍ଧଜାତ ଦ୍ରବ୍ୟ ବିଶେଷଜ୍ଞ ଡା. ଆଲୋକ ଅଗ୍ନିବେଶ କହିଛନ୍ତି। ଡା. ଅଗ୍ନିବେଶ କହିଛନ୍ତି, ଆର୍ଟିଫିସିଆଲ୍ ମିଲ୍କ ପାଉଡର ବଜାରରେ ହାଉଜାଉ ହେଲାଣି। ଯାହା ବହୁ ଶସ୍ତା ଓ ଅତି ନିମ୍ନମାନର। ଯାହାକୁ ସ୍କିମ୍ଡ ମିଲ୍କ ପାଉଡର କହୁଛନ୍ତି। ଏଥିରେ ମିଲ୍କ ଫ୍ୟାଟ୍ ବଦଳରେ ଭେଜିଟେବଲ୍ ଫ୍ୟାଟ୍ ଅଧିକ। ପେପର ସହ ଭେଟିଟେବଲ୍ ଶିଳ୍ପର ଖଦା(ଫଳ, ପନିପରିବା ପ୍ରୋସେସିଂ ପରେ ବଳି ପଡ଼ୁଥିବା ଶେଷ ଅଂଶ)କୁ ବି ମିଶାଯାଉଛି। କ୍ଷୀରରୁ ଛେନା ବାହାର କରିବାକୁ ଭିନେଗାର, ନହେଲେ ସାଇଟ୍ରିକ୍ ଏସିଡ୍ ବ୍ୟବହାର ହୁଏ। ଅପମିଶ୍ରିତ ଛେନା, ପନିର ପ୍ରସ୍ତୁତ ପାଇଁ ନାଇଟ୍ରିକ୍ ଏସିଡ୍ ବ୍ୟବହାର ହେଉଛି। ଏହାର ପ୍ରକ୍ରିୟାରେ ଅଧିକ ଛେନା ବାହାରେ। ଅପମିଶ୍ରିତ ପନିର୍ ରବର ଭଳି ଲାଗିବ। କିନ୍ତୁ ମିଲ୍କ ବେସ୍ଡ ପନିର ହାତରେ ଭାଙ୍ଗିଯିବ। ଦୈନିକ ରାୟପୁରରୁ ପ୍ରାୟ ୨୦ ଟନ୍, ଛତିଶଗଡ଼ରୁ ପ୍ରାୟ ୨୦୦ ଟନ୍ ଏଭଳି ପନିର ଆସୁଛି। ଶସ୍ତା କ୍ଷୀର ପାଉଡର ୟୁପିରୁ ସର୍ବାଧିକ ଆସୁଛି। ହୋଟେଲମାନେ ଏଭଳି ପନିର ଅଧିକ ବ୍ୟବହାର କରୁଛନ୍ତି। ଏଣୁ ଭଲ ପନିର ୩୬୦ରୁ ୪୦୦ ଟଙ୍କା ହେଲା ବେଳକୁ ଅପମିଶ୍ରିତ ପନିରର ଦର ଅଦିବେଶିରେ ୩୨୦ ଟଙ୍କା। ଆୟୋଡିନ୍ ପରୀକ୍ଷା ଦ୍ବାରା ଏହା ସହଜେ ଜାଣି ହେବ। ଅପମିଶ୍ରିତ ହୋଇଥିଲେ କଳା ହୋଇଯିବ।
Land patta distribution: ‘ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ’ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ
କର୍କଟ ରୋଗର କାରଣ
ଅପମିଶ୍ରିତ ଛେନା, ପନିର୍ରେ ପାମ ଅଏଲ୍, କ୍ଷୀର ପାଉଡର, କ୍ଷତିକାରକ ଡିଟରଜେଣ୍ଟ, ୱାସିଂ ସୋଡା ଆଦି ମିଶ୍ରଣ କରାଯାଉଛି। ଛେନା ଓ ପନିର ଅଧିକ ଧଳା ଦିଶିବା ପାଇଁ ଫର୍ମାଲିନ, ହାଇଡ୍ରୋଜେନ ପେରକ୍ସାଇଡ୍, ଇଣ୍ଡଷ୍ଟ୍ରିଆଲ୍ ବ୍ଲିଚ୍ ଆଦି ବି ବ୍ୟବହାର କରାଯାଉଛି। ଯାହା ସ୍ବାସ୍ଥ୍ୟପକ୍ଷେ ହାନିକାରକ। ଏହା ଖାଦ୍ୟନଳୀ ଓ ପାକସ୍ଥଳୀ କ୍ୟାନସର, ଲିଭର କ୍ୟାନସର ଭଳି ମାରାତ୍ମକ ରୋଗର କାରଣ। ଏଭଳି ଖାଦ୍ୟ ହଜମଶକ୍ତି କମାଇଦେବ। ଗ୍ୟାଷ୍ଟ୍ରିକ୍ କରାଇବ। ପେଟ ଭିତରେ ଘା’ ଭଳି ହୋଇଯିବ। ଲୋକେ ସ୍ବାଦ ପଛରେ ଦୌଡ଼ୁଛନ୍ତି, ଅସଲି ଓ ନକଲି ଦେଖୁନାହାନ୍ତି। ସ୍ବାଦ ପଛରେ ଦୌଡ଼ିଲେ, ଏଭଳି ନକଲି ଛେନା ଓ ପନିର ଲୋକଙ୍କ ପାଇଁ ପ୍ରାଣଘାତକ ହୋଇପାରେ।
ଡା. ଅନ୍ତର୍ଯ୍ୟାମୀ ସାହୁ, କର୍କଟ ରୋଗ ବିଶେଷଜ୍ଞ, କ୍ୟାପିଟାଲ୍ ହସ୍ପିଟାଲ
ଚଢ଼ଉ ଜୋରଦାର ହେଉ, ନୋଡାଲ୍ ଅଧିକାରୀ ନିଯୁକ୍ତ ହୁଅନ୍ତୁ
ବ୍ୟବସାୟରେ ଅପମିଶ୍ରଣ ଏକ ଅଭ୍ୟାସଗତ ପ୍ରକ୍ରିୟାରେ ପରିଣତ ହୋଇଗଲାଣି। କେବଳ ଛେନା, ପନିର ନୁହେଁ, ଘିଅ, ଖୁଆରେ ବି ଅପମିଶ୍ରଣ କରାଯାଉଛି। ଏଥିରୁ ପ୍ରସ୍ତୁତ ମିଠାରେ ବି ନାନାଦି ରଙ୍ଗ ଓ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି। ପୂର୍ବରୁ ବି ତେଲ, ଟମାଟୋ ସସ୍, ବିସ୍କୁଟ, ମସଲା ଆଦି ଅପମିଶ୍ରଣ ଖବର ନଜରକୁ ଆସିଛି। ଏଣୁ ଏଠାରେ ବ୍ୟବସ୍ଥାଗତ ତ୍ରୁଟି ରହୁଛି। ଗାଁ ଗହଳିରେ କେବେ ଦୁଗ୍ଧଜାତ ଦ୍ରବ୍ୟରେ ଅପମିଶ୍ରଣ ହୁଏନି। କେବଳ ସହରରେ ଏଭଳି ସମସ୍ୟା ଦେଖାଯାଏ। ଏହାର କାରଣ ଉତ୍ପାଦନଠରୁ ଆବଶ୍ୟକତା ଅଧିକ। ଏଣୁ ବ୍ୟବସାୟୀମାନେ ଆବଶ୍ୟକତା ମେଣ୍ଟାଇବାକୁ ଏଭଳି କଳାବଜାରୀ ଆପଣାଇଛନ୍ତି। କେତେକ କ୍ଷେତ୍ରରେ ବଡ଼ ବଡ଼ ଦୁଗ୍ଧ ଚାଷୀମାନେ ଏଭଳି ଅପମିଶ୍ରଣ କରୁଛନ୍ତି, ବାକି ଦୁଗ୍ଧ ସଂଗ୍ରହ କରି ଏଥିରୁ ଛେନା, ପନିର ଆଦି ପ୍ରସ୍ତୁତ କରୁଥିବା ବ୍ୟବସାୟୀମାନେ ଏଭଳି ଅପମିଶ୍ରଣ କରୁଛନ୍ତି। ଏଣୁ ଏଫ୍ଏସ୍ଏସ୍ଆଇ ପକ୍ଷରୁ ଏ ଉପରେ ଚଢ଼ଉ ଜୋରଦାର ହେଉ। ମାନ ଯାଞ୍ଚ ପ୍ରକ୍ରିୟା ସୁଦୃଢ଼ୀକରଣ ହେଉ। ଏଥିପାଇଁ ନୋଡାଲ ଅଧିକାରୀ ନିଯୁକ୍ତ କରାଯାଉ ଓ ଉତ୍ତରଦାୟିତ୍ବ ନ୍ୟସ୍ତ କରାଯାଉ। ଖାଉଟିଙ୍କ ଅଭିଯୋଗ ପାଇଁ ନିଶୁଳ୍କ ନମ୍ବର ବି ଜାରି କରାଯାଉ। ଏଭଳି ହେଲେ, ଏହି ଅପମିଶ୍ରଣ ବନ୍ଦ ହୋଇପାରିବ।
ରବି ବେହେରା, ସଭାପତି, ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ

1 hour ago
1


