ARTICLE AD BOX
କିଭ୍: ଋଷ ସହ ଯୁଦ୍ଧ ଚାଲିଥିବା ସମୟରେ ୟୁକ୍ରେନରେ ନିର୍ବାଚନ ଆୟୋଜନ କରିବା ଅତ୍ୟନ୍ତ ବିପଜ୍ଜନକ ହେବ ବୋଲି ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପ୍ରକାଶ କରିଛନ୍ତି। ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମିଖାଇଲୋ ଫେଡୋରୋଭ ନିର୍ବାଚନ ପାଇଁ ଦାବି କରିବା ପରେ ଜେଲେନସ୍କି ଏହି ପ୍ରତିକ୍ରିୟା ରଖିଛନ୍ତି। ଏପରି ସଙ୍କଟଜନକ ପରିସ୍ଥିତିରେ ନିର୍ବାଚନ କରିବା ଦେଶ ପାଇଁ ଏକ ବଡ଼ ବିପଦ ଏବଂ ଏହା ୟୁକ୍ରେନକୁ ବିଭାଜିତ କରିଦେବ ବୋଲି ସେ ଚେତାଇ ଦେଇଛନ୍ତି। ଦେଶକୁ ନଷ୍ଟ କରିବାର ଉଦ୍ଦେଶ୍ୟ ଥିଲେ ହିଁ ଏହି ଯୁଦ୍ଧ ସମୟରେ ନିର୍ବାଚନ ଆଡ଼କୁ ଗତି କରାଯାଇପାରିବ ବୋଲି ୪୮ ବର୍ଷୀୟ ଏହି ନେତା କହିଛନ୍ତି।
ସାମରିକ ଆଇନ (ମାର୍ଶଲ ଲ'') ବଳବତ୍ତର ଥିବାରୁ ୟୁକ୍ରେନରେ ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି, ଯାହାକୁ ଦେଶର ଜନସାଧାରଣ ବ୍ୟାପକ ସମର୍ଥନ କରୁଛନ୍ତି। ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା ବେଳେ ଜେଲେନସ୍କି ନିଜର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଫେଡୋରୋଭ ଭୁଲ୍ ବାଟରେ ଯାଉଛନ୍ତି କିମ୍ବା ତାଙ୍କୁ ଭୁଲ୍ ଦିଗକୁ ନିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। କିଭ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଓଲୋଜିର ଏକ ସର୍ଭେ ଅନୁଯାୟୀ, ମାତ୍ର ୧୫ ପ୍ରତିଶତ ନାଗରିକ ଯୁଦ୍ଧ ଶେଷ ହେବା ପୂର୍ବରୁ ନିର୍ବାଚନ ଚାହୁଁଥିବା ବେଳେ ବହୁ ସଂଖ୍ୟାକ ଜନସାଧାରଣ ଯୁଦ୍ଧ ଉପରେ ହିଁ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଶ୍ରେୟସ୍କର ମଣୁଛନ୍ତି।
ଆହୁରି ପଢନ୍ତୁ : Heavy Rain: ଲଗାଣ ବର୍ଷାରେ ଜଳମଗ୍ନ ଝରିଗାଁ ବ୍ଲକ
ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଫେଡୋରୋଭଙ୍କୁ ପଦରୁ ହଟାଯିବା ପରେ କିଛି ସଂସ୍କାରମୂଳକ ଦାବିକୁ ନେଇ ଗଣବିକ୍ଷୋଭ ଦେଖାଦେଇଥିଲା, ଯେଉଁଥିରେ ସାମରିକ କମାଣ୍ଡର-ଇନ୍-ଚିଫ୍ ଓଲେକ୍ସାଣ୍ଡର ସିରସ୍କିଙ୍କୁ ବହିଷ୍କାର କରିବାକୁ ଦାବି ହୋଇଥିଲା। ଏହି ଘଟଣାକୁ ନେଇ ଜେଲେନସ୍କି କହିଛନ୍ତି ଯେ ନାଗରିକମାନଙ୍କର ପ୍ରତିବାଦ କରିବାର ଅଧିକାର ରହିଛି, ମାତ୍ର ସେନା ଓ ବଳିଦାନ ଦେଉଥିବା ସୈନିକମାନଙ୍କ ପ୍ରତି ଅସମ୍ମାନଜନକ ମନୋଭାବ ଗ୍ରହଣୀୟ ନୁହେଁ। ଯୁଦ୍ଧ ସମୟରେ ବିଭାଜନ ସୃଷ୍ଟି ହେବାର ଆଶଙ୍କା ରହିଛି ଏବଂ ସମାଜ ଓ ସୈନିକମାନଙ୍କ ମଧ୍ୟରେ କୌଣସି ପ୍ରକାରର ବିଭାଜନ ନହେବା ଉଚିତ୍ ବୋଲି ସେ ଦୃଢ଼ ଭାବେ ପ୍ରକାଶ କରିଛନ୍ତି।

1 hour ago
1


