ARTICLE AD BOX
ଶ୍ୟାମସୁନ୍ଦର ଅଗ୍ରୱାଲା
ଭାରତୀୟମାନେ ପ୍ରତ୍ୟହ ଲକ୍ଷ୍ମୀଙ୍କୁ ପୂଜା ଅର୍ଚ୍ଚନା କରୁଛନ୍ତି କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଯେ ସ୍ୱୟଂ ଲକ୍ଷ୍ମୀ ଠାକୁରାଣୀ ଭାରତରେ ନୁହେଁ ବରଂ ଚୀନ, ଜାପାନ ଓ ଆମେରିକାରେ ବସବାସ କରିବାକୁ ପସନ୍ଦ କରୁଛନ୍ତି। ଏହାର କାରଣ ହେଉଛି ଯେ ଭାରତୀୟମାନେ ଲକ୍ଷ୍ମୀଙ୍କୁ ଭୋଗରାଗ ଦେଇ ପୂଜା ତ କରୁଛନ୍ତି କିନ୍ତୁ ତାଙ୍କର ପସନ୍ଦ ଓ ନାପସନ୍ଦକୁ ହେୟ ଜ୍ଞାନ କରୁଛନ୍ତି। ଲକ୍ଷ୍ମୀଙ୍କର ପସନ୍ଦ ନାପସନ୍ଦ ନେଇ ଶାସ୍ତ୍ର କହୁଛି, “ବାଣିଜ୍ୟେ ବସତେ ଲକ୍ଷ୍ମୀ, ତଦର୍ଦ୍ଧଂ କୃଷିକର୍ମାଣି। ତଦର୍ଦ୍ଧଂ ରାଜସେବାୟାଂ, ଭିକ୍ଷାୟାଂ ନୈବ ନୈବ ଚ।।’’ ଅର୍ଥାତ୍ ବାଣିଜ୍ୟରେ ଲକ୍ଷ୍ମୀ ଅତ୍ୟନ୍ତ ଆଗ୍ରହର ସହିତ ବସବାସ କରୁଥିଲାବେଳେ, ତାହାର ଅର୍ଦ୍ଧେକ କୃଷି କର୍ମରେ ଏବଂ କୃଷିକର୍ମର ଅର୍ଦ୍ଧେକ ରାଜକାର୍ଯ୍ୟରେ ରହିଥାନ୍ତି କିନ୍ତୁ ଲକ୍ଷ୍ମୀଠାକୁରାଣୀ ଭିକ୍ଷାବୃତ୍ତିକୁ ଘୃଣା କରିଥାନ୍ତି ଏବଂ ସେଠାରେ ରହିବାକୁ ଆଦୌ ଆଗ୍ରହ ପ୍ରକାଶ କରି ନଥାନ୍ତି।
Sports or Farming? ଖେଳ ହେବ ନା ଚାଷ? କାଦୁଅ ପଡ଼ିଆରେ ସାହାଣୀ କପ୍
ଆମେ ଭାରତୀୟମାନେ ଏହି ଶ୍ଳୋକରେ ବର୍ଣ୍ଣିତ ଲକ୍ଷ୍ମୀଙ୍କର ପସନ୍ଦ ଓ ନାପସନ୍ଦକୁ ନିମ୍ନ ଭାଗରୁ ପାଳନ କରିଆସୁଛୁ। ଏହାର ପ୍ରମାଣ ହେଉଛି ଯେ ଭାରତବର୍ଷରେ ପଚାଶ ପ୍ରତିଶତରୁ ଅଧିକ ଭାଗ ଲୋକ ଭିକ୍ଷାବୃତ୍ତି ଅର୍ଥାତ୍ ମାଗଣା ବଣ୍ଟନରେ ଖୁସି ହେଉଥିଲାବେଳେ ମାତ୍ର ପାଞ୍ଚରୁ ଦଶ ପ୍ରତିଶତ ଶିଳ୍ପ ଓ ବାଣିଜ୍ୟରେ ରୁଚି ରଖିଥାନ୍ତି। ଭାରତୀୟମାନେ କୃଷି ଓ ବାଣିଜ୍ୟ ପ୍ରତି ବୀତସ୍ପୃହ ହୋଇଥିଲାବେଳେ ସରକାରୀ କିମ୍ବା ବେସରକାରୀ ଚାକିରି ପ୍ରତି ଅତ୍ୟନ୍ତ ଆଗ୍ରହ ପ୍ରକାଶ କରିଥାନ୍ତି। ଏଇଥିପାଇଁ ଆଜି ଆମର ଏଭଳି ଅବସ୍ଥା ହୋଇଛି ଯେ ଆମେମାନେ ବିଦେଶକୁ ଯାଇ ସେମାନଙ୍କ ଶିଳ୍ପପତିମାନଙ୍କୁ ଆମ ରାଜ୍ୟକୁ ଆସି ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠା କରିବାକୁ ନିମନ୍ତ୍ରଣ କରୁଥିଲାବେଳେ ଆମେ ଏହା ଦ୍ୱାରା ଆମ ରାଜ୍ୟରେ ସହସ୍ରାଧିକ ଚାକିରି ସୃଷ୍ଟି ହେବ ବୋଲି କହି ଖୁସିରେ ଫାଟି ପଡୁଛୁ।
ଆମେ ଟୋକିଓ, ସିଙ୍ଗାପୁର, ଦୁବାଇ କିମ୍ବା ଜର୍ମାନି ଯାଇ ସେଠିକାର ଶିଳ୍ପପତିମାନଙ୍କୁ ଆମ ଓଡ଼ିଶାକୁ ଆସି ଶିଳ୍ପ ଓ ବାଣିଜ୍ୟ କରିବାକୁ ନିମନ୍ତ୍ରଣ କରୁଛୁ। କାହିଁ ବିଦେଶରୁ ତ କୌଣସି ସରକାର କେବେ ଓଡ଼ିଶା ଆସି ଓଡ଼ିଶାର ଶିଳ୍ପପତି କି ବ୍ୟବସାୟୀମାନଙ୍କୁ ସେମାନଙ୍କ ଦେଶକୁ ଯାଇ ଶିଳ୍ପ ଓ ବାଣିଜ୍ୟ କରିବା ପାଇଁ ନିମନ୍ତ୍ରଣ କରୁନାହାନ୍ତି? ଅସୁବିଧା କେଉଁଠି ରହୁଛି? ଅସୁବିଧା ରହୁଛି ଆମର ଶିଳ୍ପ ଓ ବାଣିଜ୍ୟ ପ୍ରତି ନକାରାତ୍ମକ ଚିନ୍ତନରେ। ଆମେ ପିଲାଟି ଦିନୁ ଶିଳ୍ପ ଓ ବାଣିଜ୍ୟକୁ ଘୃଣା କରି ଆସିଛୁ ଏବଂ ଏମାନେ ଲାଭଖୋର ବ୍ୟବସାୟୀ ହୋଇ ଲୋକମାନଙ୍କର ତଣ୍ଟି ଚିପି ରୋଜଗାର କରୁଛନ୍ତି ବୋଲି ଏକ ଧାରଣାର ବଶବର୍ତ୍ତୀ ହୋଇ ବଢ଼ି ଆସିଛୁ। ଏହାର ପ୍ରମାଣ ହେଉଛି ଯେ ଆମେ ଏଠି ବଡ଼ ବଡ଼ ସରକାରୀ ବାବୁମାନଙ୍କୁ ଦେଖିଲେ ଦୂରରୁ ମୁଣ୍ଡିଆ ମାରୁଛୁ ଅଥଚ ବେପାରୀଟିଏ ଯେତେ ବଡ଼ ହୋଇ ଥାଉନା କାହିଁକି ତାକୁ ଦେଖି ଦୂର୍ ଦୂର୍ ମାର୍ ମାର୍ କରୁଛୁ।
ଆମର ସାହିତ୍ୟ ଓ ସଂସ୍କୃତି ମଧ୍ୟ ଲାଭକୁ ଏକ ‘ମଇଳା’ ଶବ୍ଦ ବୋଲି କହିଆସୁଛି ଏବଂ ଆମ ସରକାର ମଧ୍ୟ ଟିକିଏ ଟିକିଏ କଥାରେ ବ୍ୟବସାୟୀମାନଙ୍କୁ କାଠଗଡ଼ାରେ ଛିଡ଼ା କରେଇଦେବାକୁ ଭଲ ପାଉଛନ୍ତି। ରାଜ୍ୟର ଯେତେ ନିୟମ କାନୁନ ସବୁ ଏମାନଙ୍କ ଉପରେ ପ୍ରଥମେ ପ୍ରୟୋଗ କରାଯାଉଛି। ମ୍ୟୁନିସିପାଲଟି ହେଉ କି ବିଡିଏ ହେଉ, ବିଦ୍ୟୁତ୍ ହେଉ କି ଅଗ୍ନି ନିରାପତ୍ତା, ରାଜ୍ୟର ଯେତେ ବିଭାଗ ଅଛନ୍ତି ସମସ୍ତେ ଏଇଠି ପ୍ରଥମେ ଚଢ଼ଉ କରିଥାନ୍ତି। ନିଆଁ ଲାଗିଲେ ଯଦି ଲୋକେ ମରିଯିବେ ତେବେ କ’ଣ ଖାଲି ଦୋକାନ ବଜାରରେ ମରିଯିବେ? ନିଆଁ କ’ଣ ବାଛବିଚାର କରି ଲାଗୁଛି ନା ଦେଖି ଚାହିଁ କରି ମାରୁଛି? ଯଦି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଯୋଗୁଁ ଗୋଟିଏ ଦୋକାନ ବନ୍ଦ ହୋଇଯିବ ତେବେ ଏହି ବ୍ୟବସ୍ଥା ନଥିବା ବଡ଼ ବଡ଼ ସରକାରୀ କାର୍ଯ୍ୟାଳୟ କାହିଁକି ବନ୍ଦ ନ ହେବ? ଏଠିକି ଯାଉଥିବା ଲୋକମାନଙ୍କର କ’ଣ ଜୀବନର କୌଣସି ମୂଲ୍ୟ ନାହିଁ ନା ଏଠି ନିଆଁ ଲାଗିଲେ ଏଠିକି ଯାଉଥିବା ଲୋକେ କ୍ଷତିଗ୍ରସ୍ତ ହେବେ ନାହିଁ?
The MMDR issue: ଜୋର୍ ଧରୁଛି ଏମ୍ଏମ୍ଡିଆର ପ୍ରସଙ୍ଗ: ବିଧାନସଭା ଚାଲିବାର ସମ୍ଭାବନା କମ୍
ଭାରତବର୍ଷ ଡିଜିଟାଲ ହେଲା। ବ୍ୟବସାୟୀମାନଙ୍କୁ ଏଥିରେ ଉତ୍ସାହିତ କରାଗଲା। ବ୍ୟବସାୟୀମାନେ ସହଯୋଗର ହାତ ବଢ଼େଇଲେ। ଧୀରେ ଧୀରେ କାଗଜ ନୋଟ ବନ୍ଦ ହେବାକୁ ଲାଗିଲା। ବିଦେଶୀ ଭିସା ଓ ମାଷ୍ଟରକାର୍ଡର ବ୍ୟବହାର କମି ଆସିଲା କିନ୍ତୁ ଶେଷକୁ ଏହି ବ୍ୟବସାୟୀମାନଙ୍କ ଉପରେ ଚଡ଼କ ପଡ଼ିଲା। ୟୁପିଆଇ ବ୍ୟବହାର ଉପରେ କମିସନ ବସାଗଲା। ସରକାରଙ୍କ ତରଫରୁ କୁହାଗଲା ଯେ ଏହି କମିସନ ଖାଉଟି ନୁହେଁ, କେବଳ ବ୍ୟବସାୟୀମାନେ ଦେବେ। କାହିଁକି? ବ୍ୟବସାୟୀମାନେ କେଉଁଠୁ ଆଣିକି ଦେବେ?
ଶିଳ୍ପ ଓ ବାଣିଜ୍ୟ ଲାଭଜନକ ବୃତ୍ତି ବୋଲି ଏହାର ସଫେଇରେ କୁହାଯାଉଛି କିନ୍ତୁ ଲାଭ ନହେଲେ ସଂସ୍ଥା ଚାଲିବ କେମିତି? ସରକାରଙ୍କର ଜିଡିପି ବଢ଼ିବ କେମିତି? ଦରମା ଆସିବ କେଉଁଠୁ, ଖର୍ଚ୍ଚ ହେବ କେଉଁଠୁ? ବନ୍ଧୁଗଣ, ସାଧାରଣ ବ୍ୟବସାୟୀମାନଙ୍କର ଗୋଟେ ଜମା ଖର୍ଚ୍ଚ ବହିଥାଏ ଯାହାକୁ ‘ରୋକର୍ଡ’ ବହି ବୋଲି କୁହାଯାଇଥାଏ। ଏହି ବହିର ବାମ ପଟେ ବିଭିନ୍ନ ପ୍ରକାର ଆମଦାନିର ବିବରଣୀ ନେଳି ସ୍ୟାହିରେ ଲେଖାଯାଇଥାଏ ଏବଂ ଡାହାଣ ପଟେ ଖର୍ଚ୍ଚର ବିବରଣୀ ନାଲି ସ୍ୟାହିରେ ଲେଖାଯାଇଥାଏ। ଆମଦାନିଠାରୁ ଯଦି ଖର୍ଚ୍ଚ ଅଧିକ ହୋଇଥାଏ ତେବେ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇ ବନ୍ଦ ହୋଇଯାଇଥାଏ।
ବ୍ୟବସାୟ ଭଳି ଆମ ଦେଶର ମଧ୍ୟ ଗୋଟିଏ ଜମା ଖର୍ଚ୍ଚ ବହି ଅଛି ଯେଉଁଥିରେ ଜମା ପଟେ ଶିଳ୍ପ, ବାଣିଜ୍ୟ ଓ କୃଷି ଇତ୍ୟାଦି ରହିଥାଏ ଏବଂ ଖର୍ଚ୍ଚ ପଟେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସହିତ ହାକିମମାନଙ୍କର ବେତନ, ପେନସନ ଓ ଅନ୍ୟାନ୍ୟ ଖର୍ଚ୍ଚ ସବୁ ରହିଥାଏ। ଦୁଃଖର କଥା ଯେ ଆଜି ଆମର ଜମା ଅପେକ୍ଷା ଖର୍ଚ୍ଚକୁ ବେଶୀ ସ୍ୱୀକୃତି ମିଳୁଛି। ରାସ୍ତାକଡ଼ରେ ଡାଲିଚାଉଳ ଦୋକାନଟିଏ କରି ମାସକୁ ପଚାଶ ଷାଠିଏ ହଜାର ଟଙ୍କା ରୋଜଗାର କରୁଥିବା ଦୋକାନୀଟିଏକୁ ମାସକୁ ମାତ୍ର କୋଡ଼ିଏ ତିରିଶ ହଜାର ଟଙ୍କା ପାଉଥିବା ପିଅନଟିଏ ଆଗରେ ମୁଣ୍ଡ ନୁଆଁଇବାକୁ ପଡୁଛି। ଏଥିରେ ଦେଶ ଲକ୍ଷ୍ମୀଛଡ଼ା ହେବନି ତ ଆଉ କ’ଣ ହେବ?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭

42 minutes ago
2


