ARTICLE AD BOX
ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ରାଜ୍ୟର ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବା ପ୍ରସଙ୍ଗରେ ଓଡ଼ିଶା ସରକାର ନିରବ। ଏହି ଆଇନ କାର୍ଯ୍ୟକାରୀ ପାଇଁ ତୃଣମୂଳସ୍ତରରେ କାମ କରୁଥିବା ସୁନ୍ଦରଗଡ଼ର ୧୮ଟି ପ୍ରକୋଷ୍ଠ (ସେଲ୍) ସମେତ ରାଜ୍ୟର ୨୪୭ଟି ପ୍ରକୋଷ୍ଠକୁ ୨୦୨୫ ସେପ୍ଟେମ୍ବରରୁ ବନ୍ଦ କରି ଦିଆଯାଇଛି। ଯାହାଫଳରେ ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର ସମ୍ପର୍କିତ କାର୍ଯ୍ୟ ଅଟକି ଯାଇଛି। ଏଭଳି ସ୍ଥିତିରେ ପ୍ରକୋଷ୍ଠକୁ ପୁଣି କାର୍ଯ୍ୟକ୍ଷମ କରି ଜଙ୍ଗଲ ଜମି କାର୍ଯ୍ୟ ଆଗେଇ ନେବାକୁ ୨୦୨୬ ଫେବ୍ରୁଆରି ୨୪ରେ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ‘ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା ବିଭାଗ’ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ୬ ମାସ ହେଲା ଏହାକୁ ପକାଇ ରଖିଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ କେନ୍ଦ୍ରର ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିଥିବାବେଳେ ଓଡ଼ିଶା ସରକାର କାହିଁକି ହାତବାନ୍ଧି ବସିଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି। ଏଥିରୁ ଆଦିବାସୀଙ୍କ ପାଇଁ ସରକାରଙ୍କ ମିଛ କାନ୍ଦଣା ପଦାରେ ପଡ଼ି ଯାଇଥିବା କହିଛନ୍ତି ଆଦିବାସୀ ନେତା ରାଜେନ୍ଦ୍ର ନାଏକ, ଆଲବର୍ଟ କିଣ୍ଡୋ ଓ ବିବୋଲ ଟପ୍ପୋ। ଜଙ୍ଗଲ ଅଧିକାର ଆଇନରେ ଆଦିବାସୀଙ୍କୁ ଅଧିକାର ଦେବାକୁ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଅନ୍ୟ ଜିଲ୍ଲାରେ ଜିଲ୍ଲା ମଙ୍ଗଳ ବିଭାଗ ଏହାକୁ ସମ୍ପାଦିତ କରି ଆସୁଥିଲେ।
Nabarangpur flood: ୨୦ଦିନରେ ସ୍ବତନ୍ତ୍ର ପ୍ୟାକେଜରେ ବନ୍ୟା କ୍ଷତିପୂରଣ ଦିଅ, ନଚେତ ନବରଂଗପୁର ଜିଲ୍ଲାବନ୍ଦ
ପୁନଃ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ୬ ମାସ ବିତିଲା
ଏହି ପ୍ରକ୍ରିୟାରେ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଶିରୋନାମା ପାଇଁ ସୁନ୍ଦରଗଡ଼ ଜିଲ୍ଲାରୁ ୯୫,୪୯୧ଟି ଆବେଦନ ପହଞ୍ଚିଥିବାବେଳେ ୨୨,୯୧୯ ଜଣଙ୍କୁ ପଟ୍ଟା ଦିଆଯାଇଛି। ୧୬,୩୨୦ଟି ଆବେଦନ ରଦ୍ଦ ହୋଇଥିବା ବେଳେ ଏବେ ବି ୫୬,୨୫୨ ଆଦିବାସୀ, ବନବାସୀ ପଟ୍ଟା ଅପେକ୍ଷାରେ ଅଛନ୍ତି। ରାଜ୍ୟରେ ୭ ଲକ୍ଷ ୬୯ ହଜାର ୬୬୪ଟି ବ୍ୟକ୍ତିଗତ ଆବେଦନ ମଧ୍ୟରୁ ୪ ଲକ୍ଷ ୬୧ ହଜାର ୭୬୪ଙ୍କୁ ପଟ୍ଟା ମିଳିଥିବା ବେଳେ ୧ ଲକ୍ଷ ୪୪ ହଜାର ୮୫୨ଟି ଆବେଦନକୁ ରଦ୍ଦ କରି ଦିଆଯାଇଛି। ଏବେ ବି ୧ ଲକ୍ଷ ୬୩ ହଜାର ୪୮ ଜଣ ଜଙ୍ଗଲ ଅଧିକାରରୁ ବଞ୍ଚିତ ହୋଇ ରହିଛନ୍ତି। ସେହିପରି ସୁନ୍ଦରଗଡ଼ର ୧୩୧୮ ଗାଁ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଶିରୋନାମା ପାଇଁ ଆବେଦନ କରିଛନ୍ତି। ସେଥିରୁ ଜିଲ୍ଲାସ୍ତରୀୟ କମିଟିରେ ୨୪୩ ଗାଁ ଅନୁମୋଦିତ ହୋଇଛି। କିନ୍ତୁ ଏଯାଏଁ ଗୋଟିଏ ବି ଗାଁକୁ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପଟ୍ଟା ଦିଆଯାଇନାହିଁ। ରାଜ୍ୟର ୧୨,୩୬୩ଟି ଗାଁ ଗୋଷ୍ଠୀଗତ ଶିରୋନାମା ପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ ୬୦୫୩ ଗାଁ ଶିରୋନାମା ପାଇଥିବାବେଳେ ଏବେ ବି ୬୩୧୦ଟି ଗାଁର ଆବେଦନ ଫାଇଲରେ ବନ୍ଦ ପଡ଼ିଛି। ଅନ୍ୟପଟେ ଏସବୁ ପ୍ରକ୍ରିୟାର ରୂପାୟନ ପାଇଁ ୨୦୨୩ ଅକ୍ଟୋବରରୁ ରାଜ୍ୟର ୨୪୭ଟି ଜଙ୍ଗଲ ଅଧିକାର ଆଇନ ପ୍ରକୋଷ୍ଠରେ ନିଯୁକ୍ତ ୪୯୪ କର୍ମଚାରୀଙ୍କୁ ଗତବର୍ଷ ସେପ୍ଟେମ୍ବର ୩୦ରୁ ବାହାର କରି ଦିଆଯାଇଛି। ଯେଉଁଥିପାଇଁ ଆଦିବାସୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଧୀରେନ୍ଦ୍ର ସେଠୀଙ୍କୁ ପଚାରିବାରୁ ଉପରୁ ନିର୍ଦ୍ଦେଶ ଆସିଲେ ପ୍ରକୋଷ୍ଠ ଖୋଲିବ ବୋଲି କହିଛନ୍ତି।

59 minutes ago
1


