ARTICLE AD BOX
ଭୁବନେଶ୍ୱର: ଚାରିମାସ ତଳେ ମର୍ସିଡେଜ୍ ଧକ୍କା କରି ଜଣେ ଯୁବକଙ୍କ ଜୀବନ ନେଇଥିଲା। ନିଶାରେ ଚୂର ଥିବା ଯୁବକ ନିଜ ବାନ୍ଧବୀ ସହ ମର୍ସିଡେଜ୍ କାରରେ ଦ୍ରୁତ ଗତିରେ ଯାଇ ଯୁବକଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ପୁଲିସ ଅଭିଯୁକ୍ତ କାରଚାଳକଙ୍କୁ ଗିରଫ କରିଥିଲା। ତାଙ୍କ ହ୍ରାଇଭିଂ ଲାଇସେନ୍ସକୁ ୬ ମାସ ପାଇଁ ନିଲମ୍ବନ କରାଯାଇଥିଲା। ହେଲେ ଜାମିନରେ ମୁକୁଳିବା ପରେ ଆଜି ସକାଳୁ ପୁଣି ଅଭିଯୁକ୍ତ ନିଜ ସାଙ୍ଗମାନଙ୍କ ସହ ନିଶାସକ୍ତ ଭାବେ ସିରିଜ ଦୁର୍ଘଟଣା ଘଟାଇଛି। ଗାଡ଼ି ଚଢ଼ାଇ ଜଣେ ଢାବା ମାଲିକ ସହ ଅନ୍ୟମାନଙ୍କୁ ହତ୍ୟା ଉଦ୍ୟମ କରିଛି। ସିସିଟିଭି ଫୁଟେଜ୍ ଆଧାରରେ ବରଗଡ଼ ଥାନା ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ତେବେ ରାଜଧାନୀରେ ଧନଜୀବନକୁ ବିପଦରେ ପକାଉଥିବା ଜଣେ ବିଲ୍ଡରଙ୍କ ଗେହ୍ଲାପୁଅ ଏପରି ଅପରାଧ ଘଟଇବାକୁ କେଉଁଠୁ ସାହସ ପାଉଛି, ତାକୁ ନେଇ ଆଜି ଦିନ ତମାମ ସହରରେ ଚର୍ଚ୍ଚା ଲାଗିରହିଛି।
ଚିନ୍ମୟ ଚେତନା: ନିଖୋଜ ଶ୍ରୋତାର ସନ୍ଧାନରେ
ଆଜି ସକାଳେ କଟକ-ପୁରୀ ବାଇପାସ୍ର କେଶୁରା ଅଞ୍ଚଳରେ ଏକ ସିରିଜ ଦୁର୍ଘଟଣା ଘଟିଥିଲା। ଏଥିରେ ୭ଟି ବାଇକ୍ ଭାଙ୍ଗି ଚୂରମାର ହୋଇଯାଇଥିବା ବେଳେ ୪ ଜଣ ଆତ ହୋଇଥିଲା। ପ୍ରଥମେ ଏହାକୁ ଦୁର୍ଘଟଣା ବୋଲି କୁହାଯାଉଥିବା ବେଳେ ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ସତ ସାମ୍ନାକୁ ଆସିଛି। ଉଦ୍ୟଶ୍ୟମୂଳକ ଭାବେ ଗାଡ଼ି ମଡ଼ାଇ ଜଣେ ଢାବାମାଲିକଙ୍କୁ ହତ୍ୟା ଉଦ୍ୟମ ହୋଇ। କେବଳ ସେତିକି ନୁହେଁ, ନିଶାସକ୍ତ ଯୁବକ ୭ଟି ବାଇକ୍ ଉପରେ ଗାଡ଼ି ଚଢ଼ାଇ ଚୂରମାର କରିଦେଇଥିବା ବେଳେ ଏଥିରେ ୪ ଜଣ ଆହତ ହୋଇଛନ୍ତି।ଏନେଇ ବଡ଼ଗଡ଼ ଥାନା ପୁଲିସ ହତ୍ୟା ଉଦ୍ୟମ, ଅଭ୍ୟାସଗତ ଅପରାଧୀ, ବେପରୁଆ ଗାଡ଼ିଚାଳନା, ନିଶା ସେବନ କରି ଗାଡ଼ି ଚଳାଇବା ଭଳି ସଂଗୀନ ଦଫା ଲଗାଇ ଅଭିଯୁକ୍ତ ନୟାପଲ୍ଲୀ ଥାନା ଅନ୍ତର୍ଗତ ଜୟଦେବ ବିହାରର ସୌମ୍ୟରଞ୍ଜନ ରଥ ଓରଫ ସୌମ୍ୟ (୨୦)କୁ ଗିରଫ କରିଛି। ସେହିପରି ଦୁର୍ଘଟଣା ଘଟାଇଥିବା କାର୍କୁ ପୁଲିସ ଜବତ କରିଛି।
ବରଗଡ଼ ପୁଲିସ ସୂଚନା ମୁତାବକ, ସୋମବାର ସକାଳ ପ୍ରାୟ ସାଢ଼େ ୭ଟା ହେବ। ଏହି ସମୟରେ ନିଶାରେ ଚୁର୍ ଥିବା ସୌମ୍ୟ ଓ ତାର କିଛି ସହଯୋଗୀ ଏକ ଟାଟା ନେକ୍ସନ ଇଭି ଗାଡ଼ିରେ ଆସି ଡାର୍ଲିଂ ଢାବା ନିକଟରେ ପହଞ୍ଚିଥିଲେ। ତେବେ କୌଣସି କାରଣକୁ ନେଇ ଢାବାମାଲିକ ତପନ ଦାସଙ୍କ ସହ ସୌମ୍ୟର ପାଟିତୁଣ୍ଡ ହୋଇଥିଲା। କଥା ବଢ଼ିବାରୁ ତପନଙ୍କ ସାଙ୍ଗ ସେଠାକୁ ଆସି ପାଟିତୁଣ୍ଡ ନକରିବାକୁ ବାରଣ କରିଥିଲେ। ଏତିକିରେ ସୌମ୍ୟ ଓ ତାର ସହଯୋଗୀ ଭିଡ଼ିଯାଇଥିଲେ। ଏହାପରେ ସମସ୍ତେ କାର୍କୁ ପଳାଇଥିଲେ। ସୌମ୍ୟ ରାଗିଯାଇ କାର୍କୁ ଢାବା ମାଲିକ ଓ ତାଙ୍କ ସହଯୋଗୀଙ୍କ ଉପରେ ଚଢ଼ାଇବାକୁ ଉଦ୍ୟମ କରିଥିଲା। ଉଭୟ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଗାଡ଼ି ଚଢ଼ାଇବା ପରେ ସୌମ୍ୟ ସେଠାରୁ ଦ୍ରୁତ ଗତିରେ କାର୍କୁ ଧରି ଭୁବନେଶ୍ବର ମୁହାଁ ହୋଇଥିଲା। ଢାବା ପାଖରେ ଯାଉଥିବା ରତିକାନ୍ତ ସିଂହ ଓ ତାଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ସିଂହ ଦୁର୍ଘଟଣା ଦେଇ ଲୋକମାନାଙ୍କୁ ଡାକିଥିଲେ। ଦମ୍ପତିଙ୍କ ପାଟିଶୁଣି ଅନ୍ୟମାନେ ମଧ୍ୟ ଧାଇଁ ଆସି ଆହତଙ୍କୁ ଉଦ୍ଧାର କରିଥିଲେ। ତେବେ ଏତିକିରେ ଅଟକି ନଥିଲା ସୌମ୍ୟ। ସେ ପୁଣି ଗାଡ଼ିକୁ ଫେରାଇ ଢାବା ଆଡ଼କୁ ଆସିଥିଲା। ସେଠାରେ ଥିବା ଗୋଟିଏ ପରେ ଗୋଟିଏ ବାଇକ୍ ଉପରେ କାର୍କୁ ମଡ଼ାଇଥିଲା ଓ ଆହତଙ୍କୁ ଉଦ୍ଧାର କରୁଥିବା ରତିକାନ୍ତ ଓ ତାଙ୍କ ପତ୍ନୀ ଏବଂ ଅନ୍ୟମାନଙ୍କ ଉପରେ କାର୍ ଚଢ଼ାଉବାକୁ ଉଦ୍ୟମ କରିଥିଲା। ସୌମ୍ୟର ଏଭଳି ଆତଙ୍କ ଦେଖି ଲୋକେ ଜୀବନ ବିକଳରେ ଦୌଡ଼ିଥିଲେ। ତେବେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସୌମ୍ୟର କାର୍ କୌଣସି କାରଣରୁ ଆଗକୁ ଯାଇ ନ ପାରିବାରୁ, ଆଖାପଖରେ ଥିବା ଲୋକେ ତାକୁ ଘେରିଯାଇ ନିସ୍ତୁକ ଛେଚି ପୁଲିସକୁ ଜଣାଇଥିଲେ। ବଡ଼ଗଡ଼ ଥାନା ପୁଲିସ ସେଠାରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଥିଲା। ସେହିପରି ସେଠାରୁ ସୌମ୍ୟକୁ କାବୁ କରି ଥାନାକୁ ନେଇଥିଲା। ଏନେଇ ବଡ଼ଗଡ଼ ଥାନା ପୁଲିସ ତା ବିରୋଧରେ ପୃଥକ ପୃଥକ ୪ଟି ମାମଲା ରୁଜୁକରି କୋର୍ଟଚାଲାଣ କରିଛି। ତେବେ ପୂର୍ବରୁ ସୌମ୍ୟ ନାଁରେ ଖାରବେଳନଗର ଥାନାରେ ଗୋଟିଏ ମାମଲା ଥିବା ଜଣାପଡ଼ିଛି। ଅନ୍ୟପଟେ ସୌମ୍ୟ ସହ ଥିବା ସହଯୋଗୀଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ମର୍ସିଡିଜ୍ ଧକ୍କାରେ ନେଇଥିଲା ଜୀବନ
ସୌମ୍ୟ ଜଣେ ଅଭ୍ୟାସଗତ ଅଭିଯୁକ୍ତ। ଗତ ଜୁଲାଇ ମାସରେ ଖାରବେଳନଗର ଥାନା ଶାସ୍ତ୍ରୀନଗର ଅଞ୍ଚଳରେ ସୌମ୍ୟଙ୍କ ମର୍ସିଡିଜ୍ ଧକ୍କା ଯୋଗୁ ଜଣେ ଯୁବକଙ୍କ ଜୀବନ ଯାଇଥିଲା। ସେତେବେଳେ ମଧ୍ୟ ନିଶାରେ ଚୁର୍ ଥିବା ସୌମ୍ୟ କାର୍ରେ ବାନ୍ଧବୀଙ୍କୁ ନେଇ ଘରକୁ ଫେରୁଥିଲା। ଶାସ୍ତ୍ରୀନଗର ଛକରେ ଟ୍ରାଫିକ୍ ବନ୍ଦ ଥିବା ବେଳେ ଗାଡ଼ିକୁ ଦ୍ରୁତଗତିରେ ନେଇ ବାଇକ୍ଚାଳକ ଦେବୀପ୍ରସାଦ ରାଉତରାୟଙ୍କୁ ପିଟିଥିଲା। ଘଟଣାସ୍ଥଳରେ ଦେବୀପ୍ରସାଦଙ୍କ ମୃତ୍ୟୁ ଘଟିଥିଲା। ବହୁ କଷ୍ଟରେ ପୁଲିସ ସୌମ୍ୟ ଓ ତାଙ୍କ ବାନ୍ଧବୀଙ୍କୁ ସେଠାରୁ ମୁକୁଳାଇଥିଲା। ଏହି ଦୁର୍ଘଟଣାରେ ଏକମାତ୍ର ପୁଅ ଦେବୀପ୍ରସାଦକୁ ହରାଇ ପରିବାର ଏବେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ଗୋଟିଏ ପରିବାରକୁ ଛାରଖାର କରିବା ପରେ ବି ସୌମ୍ୟର ଚେତା ପଶିନାହିଁ। ଜେଲ୍ରୁ ଜାମିନରେ ଆସିବା ପରେ ପୁଣି ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଛି। ସୌମ୍ୟର ଏଭଳି ଦୌରାତ୍ମ୍ୟ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।
Protest: ଦିଲ୍ଲୀରେ କଂଗ୍ରେସ ପ୍ରତିବାଦ: ଚର୍ଚ୍ଚାରେ ବ୍ୟାଟ୍ମ୍ୟାନ୍ ମାସ୍କ
ଲାଇସେନ୍ସ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ
ବାରମ୍ବାର ନିଶାଖାଇ ଦୁର୍ଘଟଣା ଘଟାଇବା ଓ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା ସୌମ୍ୟର ଲାଇସେନ୍ସ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଏମ୍ଭିଆଇ ବଡ଼ଗଡ଼ ଥାନାରେ ପହଞ୍ଚି ଗାଡ଼ିର କାଗଜପତ୍ର, ଫିଟନେସ୍ ଓ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରିଛନ୍ତି। ସୂଚନାଯୋଗ୍ୟ ଯେ ଜୁଲାଇ ମାସରେ ଦ୍ରୁତଗତିରେ ଗାଡ଼ି ଚଳାଇ ଜଣେ ଯୁବକଙ୍କୁ ଧକ୍କା ଦେବାରୁ, ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହିଘଟଣାରେ ପୁଲିସ ଅନୁରୋଧରେ ପରିବପହନ ବିଭାଗ ତାଙ୍କ ଲାିସେନ୍ସକୁ ୬ ମାସ ପାଇଁ ନିଲମ୍ବନ କରିଥିଲା।
ଅତିରିକ୍ତ ଏସ୍ପିଙ୍କ ସମ୍ପର୍କୀୟ କହି ଡରାଉଥିଲା
କଥା କଥା କେ ସୌମ୍ୟ ନିଜକୁ ଜଣେ ଅତିରିକ୍ତ ଏସ୍ପିଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେଇ ଲୋକଙ୍କୁ ଡରାଉଥିଲା। ଏଥିପାଇଁ ନିଜ ପାଖରେ ଅତିରିକ୍ତ ଏସ୍ପିଙ୍କ ପରିଚୟପତ୍ର ରଖି ବୁଲୁଥିଲା। ହେଲେ ପୁଲିସ କହିଛି ଯେ ସୌମ୍ୟ ଜାଲ୍ ପରିଚୟପତ୍ର କରି ଲୋକଙ୍କୁ ଡରାଉଥିଲା। ସେ ଅଭ୍ୟାସଗତ ଅପରାଧୀ ଥିବାରୁ ଏମିତି ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ଡରାଉ ଥିଲା। ଏନେଇ ପୁଲିସ ଅଧିକ ଖୋଳତାଡ଼ କରୁଛି।

59 minutes ago
1


