ARTICLE AD BOX
କାଠମାଣ୍ଡୁ/ଦୋଲପା:ନେପାଳର ଦୁର୍ଗମ ଦୋଲପା ଜିଲ୍ଲାରେ ପ୍ରବଳ ତୁଷାରପାତ କାରଣରୁ ୬ ଜଣ ଭାରତୀୟ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି। ପ୍ରସିଦ୍ଧ ''ସେ ଫୋକ୍ସୁଣ୍ଡୋ'' ହ୍ରଦ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନେପାଳ ସେନାର ଏକ ସ୍ୱତନ୍ତ୍ର ଟିମକୁ ନିୟୋଜିତ କରାଯାଇଥିବା ବେଳେ, ହେଲିକପ୍ଟର ସହାୟତାରେ ସନ୍ଧାନ ଅଭିଯାନ ଚଳାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରୁପରେ ୪ ଜଣ ପୁରୁଷ ଏବଂ ୨ ଜଣ ମହିଳା ପର୍ଯ୍ୟଟକ ସାମିଲ ଅଛନ୍ତି। ସେମାନେ ‘ଢୋ’ ଅଞ୍ଚଳରୁ ସେ ଫୋକ୍ସୁଣ୍ଡୋ ହ୍ରଦ ଆଡ଼କୁ ଫେରୁଥିବା ସମୟରେ ''ନୁମା ଲା'' ଏବଂ ''ବାଗା ଲା'' ନାମକ ଦୁଇଟି ପାର୍ବତ୍ୟ ପାସ୍ ମଧ୍ୟରେ ଫସିଯାଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ''ଅର୍ଣ୍ଣବ'' ପ୍ରଭାବରେ ସମଗ୍ର ହିମାଳୟ ପାର୍ବତ୍ୟାଞ୍ଚଳରେ ହଠାତ୍ ଭୟଙ୍କର ତୁଷାରପାତ ଆରମ୍ଭ ହୋଇଥିଲା। ସ୍ଥାନୀୟ ଗାଇଡ୍ ଓ ଗ୍ରାମବାସୀମାନେ ପର୍ଯ୍ୟଟକମାନଙ୍କୁ ପ୍ରତିକୂଳ ପାଣିପାଗ ନେଇ ପୂର୍ବରୁ ସାବଧାନ କରାଇଥିଲେ ହେଁ, ସେମାନେ ଯାତ୍ରା ଜାରି ରଖି ଫସିଯାଇଥିବା କୁହାଯାଉଛି।
ମୋବାଇଲ୍ ନେଟୱର୍କ କଭରେଜ୍ ସମ୍ପୂର୍ଣ୍ଣ ଠପ୍
ଦୋଲପା ଜିଲ୍ଲାପାଳ ଜୁନୁ ହମାଲ ଏବଂ ଡିଏସପି ଅନିଲ ରାଜ ଗିରି ସୂଚନା ଦେଇଛନ୍ତି ଯେ, ଉକ୍ତ ପାର୍ବତ୍ୟାଞ୍ଚଳରେ ଘନ ବରଫ ଆସ୍ତରଣ ଜମିବା ସହ ମୋବାଇଲ୍ ନେଟୱର୍କ କଭରେଜ୍ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବାରୁ ନିଖୋଜ ପର୍ଯ୍ୟଟକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁ ନାହିଁ। ପ୍ରଶାସନ ପକ୍ଷରୁ ସେନା ସହାୟତାରେ ଜରୁରୀକାଳୀନ ହେଲିକପ୍ଟର ରେସକ୍ୟୁ ଅପରେସନ୍ ପାଇଁ ସମ୍ପୃକ୍ତ ବିଭାଗକୁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଉପର ଦୋଲପା ଅଞ୍ଚଳରେ ୧୪୯ ନେପାଳୀ, ୪୪ ସାର୍କ ଦେଶର ଏବଂ ୫୧ ଅନ୍ୟ ବିଦେଶୀ ନାଗରିକଙ୍କ ସମେତ ମୋଟ ୨୪୪ ଜଣ ପର୍ଯ୍ୟଟକ ଉପସ୍ଥିତ ଅଛନ୍ତି।

2 hours ago
1


