ARTICLE AD BOX
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମ୍ସି) ଛାଡ଼ି ନ୍ୟାସନାଲ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (ଏନ୍ସିପିଆଇ)ରେ ଯୋଗ ଦେଇଥିବା ବରିଷ୍ଠ ସାଂସଦ ସୁଦୀପ ବନ୍ଦ୍ୟୋପାଧ୍ୟାୟ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଦ୍ରୋହୀ ଟିଏମ୍ସି ସାଂସଦମାନଙ୍କ ପୃଥକ୍ ସଂସଦୀୟ ଗୋଷ୍ଠୀ ସମ୍ପର୍କିତ ଆବେଦନକୁ ଅନୁମୋଦନ କରିବା ପରେ ଏହି ସାକ୍ଷାତ୍ ହୋଇଛି।
ସୂଚନା ଅନୁସାରେ, ସୁଦୀପ ବନ୍ଦ୍ୟୋପାଧ୍ୟାୟଙ୍କ ସହ ନୂତନ ଗୋଷ୍ଠୀର ଅନ୍ୟ କେତେକ ସାଂସଦ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ସୌଜନ୍ୟମୂଳକ ଏହି ସାକ୍ଷାତ୍ ସମୟରେ ସଂସଦର ଆସନ୍ତା ମୌସୁମୀ ଅଧିବେଶନ, ସଂସଦୀୟ କାର୍ଯ୍ୟକଳାପ ଓ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ତେବେ ବୈଠକ ପରେ କୌଣସି ପକ୍ଷରୁ ବିସ୍ତୃତ ବିବୃତି ଜାରି କରାଯାଇନାହିଁ।
ଲୋକସଭା ବାଚସ୍ପତି ସମ୍ପ୍ରତି ବିଦ୍ରୋହୀ ଟିଏମ୍ସି ସାଂସଦମାନଙ୍କ ପାଇଁ ପୃଥକ୍ ବସିବା ବ୍ୟବସ୍ଥାକୁ ମଞ୍ଜୁର କରିଛନ୍ତି। ଏହାପରେ କେନ୍ଦ୍ର ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ସୁଦୀପ ବନ୍ଦ୍ୟୋପାଧ୍ୟାୟଙ୍କୁ ନୂତନ ଗୋଷ୍ଠୀର ନେତା ଭାବେ ସର୍ବଦଳୀୟ ବୈଠକକୁ ଆମନ୍ତ୍ରଣ କରିଥିଲେ। ଏହାକୁ ନୂଆ ସଂସଦୀୟ ଗୋଷ୍ଠୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱୀକୃତି ଭାବେ ଦେଖାଯାଉଛି।
TMC: ଋତବ୍ରତ ଗୋଷ୍ଠୀରେ ଯୋଗଦେଲେ ଟିଏମ୍ସିର ବରିଷ୍ଠ ନେତା ରବୀନ୍ଦ୍ରନାଥ ଘୋଷ
ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଟିଏମ୍ସିର ୨୦ ଜଣ ଲୋକସଭା ସାଂସଦ ଦଳ ଛାଡ଼ି ଏନ୍ସିପିଆଇରେ ଯୋଗ ଦେଇଥିଲେ। ଏହାକୁ ନେଇ ତୃଣମୂଳ କଂଗ୍ରେସ ଦଳତ୍ୟାଗ ବିରୋଧୀ ଆଇନ ଅନୁଯାୟୀ ପଦକ୍ଷେପ ଦାବି କରିଥିବାବେଳେ ବିଦ୍ରୋହୀ ସାଂସଦମାନେ ନିଜକୁ ସ୍ୱତନ୍ତ୍ର ସଂସଦୀୟ ଗୋଷ୍ଠୀ ଭାବେ ସ୍ୱୀକୃତି ଦେବାକୁ ଦାବି କରିଥିଲେ। ବାଚସ୍ପତିଙ୍କ ନିଷ୍ପତ୍ତି ପରେ ଏହି ରାଜନୈତିକ ଘଟଣାକ୍ରମ ନୂଆ ମୋଡ଼ ନେଇଛି।

2 months ago
23


