Three Detained: ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ତିନିଜଣଙ୍କୁ ଉଠାଇନେଲା ପୁଲିସ

47 minutes ago 1
ARTICLE AD BOX

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ବର୍ତ୍ତନା ଗାଁ ନିକଟରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ମାମଲାରେ ପୁଲିସ ତିନିଜଣଙ୍କୁ ଉଠାଇନେଇଛି। ଏଣେ ବିଜେଡି ୨୭ ତାରିଖରେ ଜଳେଶ୍ବର ବନ୍ଦ ଡାକରା ଦେଇଛି। ତେଣେ ସିପିଏମ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହାଛଡ଼ା ଆଜି ସକାଳ ୯ଟାରୁ ୧୧ଟା ଯାଏ ଦେବସେନା ପକ୍ଷରୁ ଗଣଧାରଣା ଦିଆଯାଇଥିଲା। ଖାଲି ସେତିକି ନୁହେଁ, ତିନି ଦିନ ଧରି ରାସ୍ତାରୋକ ଜାରି ରହିଛି।

ଏହି ଘଟଣାରେ ଗିରଫ ହୋଇଥିବା ସୁଲତାନପୁର ଗ୍ରାମର ଚନ୍ଦ୍ରକାନ୍ତ ଜେନା ଓରଫ୍‌ କାହ୍ନାକୁ ଜେରା କରିବା ପରେ ପୁଲିସକୁ ଅନେକ ତଥ୍ୟ ମିଳିଛି। ପୁଲିସର ସୂଚନା ଅନୁଯାୟୀ, କାହ୍ନାର ନାବାଳିକାଙ୍କ ସହ ପରିଚୟ ଥିଲା। ପଶ୍ଚିମବାଡ଼ ବଜାର ବୁଲାଇ ନେବାକୁ କହି ସେ ଗତ ୧୬ ତାରିଖ ଦିନ ତାଙ୍କୁ ସାଙ୍ଗରେ ନେଇଥିଲା। କାହ୍ନାକୁ ବିଶ୍ୱାସ କରି ନାବାଳିକା ତାଙ୍କ ସହ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ସେ ବାଇକ୍‌ରେ ନାବାଳିକାଙ୍କୁ ବିଭିନ୍ନ ସ୍ଥାନରେ ବୁଲାଇଥିଲା। ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ବର୍ତ୍ତନା ଗାଁର ନିର୍ଜନ ସ୍ଥାନ ଢେରାପଦାକୁ ନେଇଥିଲା। ସେଠାରେ ନାବାଳିକାଙ୍କୁ ଶାରୀରିକ ସମ୍ପର୍କ ପାଇଁ କହିବାରୁ ସେ ମନା କରିଦେଇଥିଲେ। ଏହାପରେ କାହ୍ନା ତାଙ୍କୁ ହତ୍ୟା କରିଥିବା ବାଲେଶ୍ବର ଏସ୍‌ପି ପ୍ରତ୍ୟୁଷ ଦିବାକର ଜଳେଶ୍ବରରେ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି। ଘଟଣା ସମୟରେ କିମ୍ବା ହତ୍ୟା ପରେ ସେଠାରେ ଅନ୍ୟ କେହି ଉପସ୍ଥିତ ଥିଲେ କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି।

 ଶବ ଉଦ୍ଧାର ହୋଇଥିବା ସ୍ଥାନର ପରିସ୍ଥିତି ଓ ମୃତଦେହର ଅବସ୍ଥାକୁ ଦେଖି ସେଥିରେ ନାଇଟ୍ରିକ୍‌ ଏସିଡ୍‌ ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି। ଏହି ଏସିଡ୍‌ ଅଳଙ୍କାର ତିଆରି କାମରେ ବ୍ୟବହୃତ ହୋଇଥାଏ। ଏସିଡ୍‌ ବ୍ୟବହାର ହୋଇଥିଲେ, କାହ୍ନା ଏହାକୁ ପୂର୍ବ ଯୋଜନା ଅନୁଯାୟୀ ସାଙ୍ଗରେ ଆଣିଥିଲା ନା ଘଟଣାର କିଛି ଘଣ୍ଟା ପରେ ଶବରେ ପକାଇଥିଲା, ତା’ର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଅନ୍ୟପକ୍ଷରେ, ନାବାଳିକାଙ୍କ ପରିବାରକୁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ପୂର୍ବାହ୍ନ ୯ଟାରୁ ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାରଠାରେ ରାସ୍ତା ଅବରୋଧ କରାଯାଇଛି। ଆନ୍ଦୋଳନକାରୀମାନେ ଟାୟାର୍‌ ଜାଳି ପ୍ରତିବାଦ କରିଥିବା ବେଳେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଥିଲା।

ଏସ୍‌ପି ନାମ୍ପୋ ଫାଣ୍ଡି ଅଧିକାରୀ କରନ ମାରାଣ୍ଡିଙ୍କୁ ନିଲମ୍ବନ କରିଛନ୍ତି

ତେବେ ଏହି ସମ୍ବେଦନଶୀଳ ମାମଲାରେ ଉପଯୁକ୍ତ ପଦକ୍ଷେପ ନେବାରେ ବିଫଳତା ଓ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବାଲେଶ୍ବର ଏସ୍‌ପି ନାମ୍ପୋ ଫାଣ୍ଡି ଅଧିକାରୀ କରନ ମାରାଣ୍ଡିଙ୍କୁ ନିଲମ୍ବନ କରିଛନ୍ତି। ସେହିପରି ପ୍ରଶାସନିକ କାରଣ ଦର୍ଶାଇ ଜଳେଶ୍ବର ଥାନା ଆଇଆଇସି ଅଶୋକ କୁମାର ବାରିକଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ନାମ୍ପୋ ଫାଣ୍ଡିରେ ଏଏସ୍‌ଆଇ ଧୀରେନ୍ଦ୍ର ସାମଲଙ୍କୁ ନିୟୋଜିତ କରାଯାଇଥିବା ବେଳେ ମୁକୁନ୍ଦ ମୁରାରି ପାତ୍ର ଜଳେଶ୍ବର ଥାନାର ନୂଆ ଆଇଆଇସି ଭାବେ ଦାୟିତ୍ୱ ନେଇଛନ୍ତି। ଏସ୍‌ପିଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତଭାର ପୁଲିସ ମୁଖ୍ୟାଳୟରେ ଡିଏସ୍‌ପି ଭାବେ କାର୍ଯ୍ୟରତ ଚାନ୍ଦମଣି ସିଂଙ୍କୁ ଦିଆଯାଇଛି।

ନାବାଳିକାଙ୍କ ଘରକୁ ଯାଇ ତଥ୍ୟ ସଂଗ୍ରହ କରିଛି କଂଗ୍ରେସ

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ପାଇଁ ପ୍ରଦେଶ କଂଗ୍ରେସ କମିଟିର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଥମେ ଜଳେଶ୍ବର ଥାନା ଏବଂ ପରେ ଦେବକୁମାରସ୍ଥିତ ନାବାଳିକାଙ୍କ ଘରକୁ ଯାଇ ତଥ୍ୟ ସଂଗ୍ରହ କରିଛି। ଏହି ଦଳରେ ବିଧାନସଭାରେ କଂଗ୍ରେସର ଉପମୁଖ୍ୟ ସଚେତକ ତଥା ବାଲେଶ୍ବର ଜିଲ୍ଲା ପ୍ରଭାରୀ ଅଶୋକ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ତଥା ଜିଲ୍ଲା ସହପ୍ରଭାରୀ ବାଙ୍କ ବିହାରୀ ବେହେରା, ନିର୍ବାଚନମଣ୍ଡଳୀ ନେତା ସୁଦର୍ଶନ ଦାସ, ଡିସିସି ସଭାପତି ସତ୍ୟଶିବ ଦାସ, ରାଜ୍ୟ ପ୍ରବକ୍ତା ଡ. ମନୀଷା ଦାଶ ପଟ୍ଟନାୟକ ଓ ଉର୍ମିଳା ମାଝୀ ପ୍ରମୁଖ ସାମିଲ ଥିଲେ।

ସେହିପରି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡିର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ମଧ୍ୟ ଦେବକୁମାର ଯାଇ ନାବାଳିକାଙ୍କ ପରିବାରକୁ ଭେଟି ଶାନ୍ତ୍ୱନା ଦେଇଛି। ଏହି ଦଳରେ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ଜଳେଶ୍ବର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପ୍ରାକ୍ତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରାକ୍ତନ ବିଧାୟକ ସ୍ବରୂପ ଦାସ, ସୁଧାଂଶୁ ଶେଖର ଜେନା ଓ ଜୀବନ ପ୍ରଦୀପ ଦାସ, ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା ପରିଷଦ ଉପସଭାପତି ଅନସୂୟା ପ୍ରଧାନ, ପୌରାଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ, ଉମିଲତା ଦାସ ଓ ଗଣପତି ଗିରି ପ୍ରମୁଖ ସାମିଲ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.