ARTICLE AD BOX
ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ପରିସରରେ ଐତିହ୍ୟ କାହାଣୀ ଶୀର୍ଷକ ପାରଂପରିକ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି । ଅତୂଲ୍ୟ କାରିଗରୀର ସଂସ୍ଥାପକ ଗୋବିନ୍ଦ ପଟ୍ଟନାୟକ ଓ ସୁନାମଧନ୍ୟ ଚିତ୍ରଶିଳ୍ପୀ ପଦ୍ମଶ୍ରୀ ବିନୋଦ ମହାରଣା ଅତିଥୀ ଭାବେ ଯୋଗ ଦେଇ ଏହି ଚିତ୍ର ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି ।
ହାପି ଆକ୍ସିସ ଫାଉଣ୍ଡେସନ, ଓଡିଶା ଶିଳ୍ପୀ ମହାସଂଘ ଓ ଉତ୍କଳ କଳା ଫାଉଣ୍ଡେସନର ମିଳିତ ଉଦ୍ୟମରେ ଆୟୋଜିତ ଏହି ତ୍ରିଦିବସୀୟ ଚିତ୍ର ପ୍ରଦର୍ଶନୀ ଆସନ୍ତା ୨୧ ତାରିଖ ଯାଏଁ ଚାଲିବ । ନିଜ ଉଦଘାଟନୀ ବକ୍ତବ୍ୟରେ ଚିତ୍ରଶିଳ୍ପୀ ବିନୋଦ ମହାରଣା କହିଥିଲେ, ଆମ ପାରଂପରିକ ଚିତ୍ରକଳା ଆମ ଓଡିଆ ଜାତିକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି । କିଛି ହସ୍ତକଳା ଧୀରେ ଧୀରେ ହଜି ଯାଉଥିବାରୁ ତାର ସଂରକ୍ଷଣ ଏକ ସମୟର ଆବଶ୍ୟକତା ଅଟେ । ଉଭୟ ସରକାରୀ ଓ ବେସରକାରୀସ୍ତରରୁ ପ୍ରୋତ୍ସାହନ ମିଳିଲେ ଆମ କଳାସଂସ୍କୃତି ଚିରଞ୍ଜୀବୀ ହୋଇପାରନ୍ତା । ଠିକ ସେହିଭଳି ନିଜ ବକ୍ତବ୍ୟରେ ଗୋବିନ୍ଦ ପଟ୍ଟନାୟକ ଆମ ଶିଳ୍ପୀ କାରିଗର ଯୁଗପୋଯଗୀ କଳାକୃତି ସୃଷ୍ଟି କରିବା ସହ ତା ମଧ୍ୟରେ ଉତ୍କଳୀୟ କଳାର ଛାପ ଛାଡିବାକୁ ଅନୁରୋଧ କରିଥିଲେ । ଏହି ପ୍ରଦର୍ଶନୀର ଅନ୍ୟତମ ଅତିଥୀ ଭାବେ ହାପି ଆକ୍ସିସ ଫାଉଣ୍ଡେସନର ପ୍ରତିଷ୍ଠାତା ଦେବାଶୀଷ ଦାସ, ଅନ୍ୟତମ ନିର୍ଦ୍ଦେଶିକା ପୁଷ୍ପା ଶତପଥୀ, ଓଡିଶା ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟରଂଜନ କର, ଧଉଳୀ ଆର୍ଟ କଲେଜର ଅଧ୍ୟକ୍ଷ ପଂଚାନନ ସାମଲ, ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ସଚିବ ରାମକୃଷ୍ଣ ଭେଦଲା ଓ ଏହି ପ୍ରଦର୍ଶନୀର ଡିଜାଇନର ସାଇଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
/filters:format(webp)/sambad/media/media_files/2026/07/19/lalitakala-ekademi2-2026-07-19-23-00-55.jpeg)
ଏହି ପ୍ରଦର୍ଶନୀରେ ୪୩ଟି କଳାକୃତି ପ୍ରଦର୍ଶନ କରାଯାଇଛି । ଝୋଟି ଓ ଗଂଜପା କଳା ଶୈଳୀର ସମିଶ୍ରଣରେ ଅଙ୍କିତ ପ୍ରତିଟି କଳାକୃତି ଆମ ରାଜ୍ୟର ବିଭିନ୍ନ ପୂଜାପାର୍ବଣ ଓ ସଂସ୍କୃତିକୁ ପ୍ରଦର୍ଶିତ କରୁଛି । ବିଶେଷ କରି ଟସର ଶାଢୀ ଉପରେ ଅଙ୍କିତ ପାରଂପରିକ ଚିତ୍ରମାନ ଏହି ପ୍ରଦର୍ଶନୀର ଅଧୀକ ଆକର୍ଷଣ ପାଲଟିଛି । ଖାଲି ସେତିକି ନୂହେଁ, ପ୍ରଦର୍ଶନୀ ପରିସରରେ କିଛି ପାରମ୍ପରିକ ଚିତ୍ରଶିଳ୍ପୀଙ୍କ ଚିତ୍ର ପ୍ରସ୍ତୁତି ପରିଦର୍ଶକ ଙ୍କ ମନ ମୋହି ନେଉଛି l
ଗଂଜପା ଓ ଝୋଟି ଆମ ରାଜ୍ୟର ଦୁଇଟି ବହୁ ପୁରାତନ ହସ୍ତକଳା ଅଟେ । ପ୍ରତ୍ୟେକ ପୂଜା ପାର୍ବଣରେ ଭଳିକି ଭଳି ଝୋଟିଚିତ୍ର କେବଳ ପୂଜାର ଆବଶ୍ୟକତା ନଥାଏ, ବରଂ ସମଗ୍ର ପରିବେଶକୁ ମହିମାମଣ୍ଡିତ କରିଥାଏ । ପବିତ୍ରତାର ଅନନ୍ୟ ପରିଚୟ ଝୋଟିର ଗାଁ ଠୁ ଆରମ୍ଭକରି ସହର ଯାଏଁ ସବୁଠି ଆଦର ରହିଛି । ଠିକ ସେହିଭଳି ପଟ୍ଟଚିତ୍ର ଶୈଳୀରେ ଅଙ୍କିତ ଗଂଜପା କାର୍ଡ ଧୀରେ ଧୀରେ ବିଲୁପ୍ତିର ଦ୍ୱାରଦେଶରେ ପହଁଚିଲାଣି । ଏକଦା ଅବସର ବିନୋଦନ ପାଇଁ ତାସ ଭଳି ଗଂଜପାର ଗାଁଗହଳିରେ ବହୁ ଆଦୃତି ରହିଥିଲା । ପୁରୀ ରଘୁରାଜପୁରର ୩ଜଣ ଓ ସୋନପୁରରେ ମାତ୍ର ଜଣେ କାରିଗର ଏହି ଗଂଜପା କାର୍ଡ ଅଙ୍କନ ଓ ପ୍ରସ୍ତୁତି କରୁଛନ୍ତି । ଘରେ ଘରେ ପରିଚିତ ଝୋଟି ଓ ଧୀରେ ଧୀରେ ଲୋକଲୋଚନରୁ ଦୂରେଇ ଯାଉଥିବା ଗଂଜପା ଚିତ୍ରକଳାର ଲୋକପ୍ରିୟତା ପାଇଁ ଆଗେଇ ଆସିଛି ଭୁବନେଶ୍ୱରର ହାପି ଆକ୍ସିସ ଫାଉଣ୍ଡେସନ । ଗତ ଜୁନ ମାସ ୨୬ ରୁ ୨୯ ତାରିଖ ଚାରି ଦିନ ଧରି ଭୁବନେଶ୍ୱରର ସାଫ୍ରୁନ ହୋଟେଲରେ ଫାଉଣ୍ଡେସନ ପକ୍ଷରୁ ଏକ ଚିତ୍ର କର୍ମଶାଳାର ଆୟୋଜନ କରାଯାଇଥିଲା ।
/filters:format(webp)/sambad/media/media_files/2026/07/19/lalitakala-ekademi1-2026-07-19-23-01-08.jpeg)
ଘରେ ଘରେ ପରିଚିତ ଝୋଟି ଓ ବିଲୁପ୍ତ ପ୍ରାୟ ଗଂଜପା କଳାଶୈଳୀର ସମିଶ୍ରଣରେ କିଛି ନୂତନ କଳାକୃତି ପ୍ରସ୍ତୁତ କରିବା ନିମନ୍ତେ ପ୍ରଚେଷ୍ଟା କରାଯାଇଥିଲା । ଏଥିରେ ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ନିଜସ୍ୱ ସଂଗଠନ ଓଡିଶା ଶିଳ୍ପୀ ମହାସଂଘ ଓ ଉତ୍କଳ କଳା ଫାଉଣ୍ଡେସନ ସହଯୋଗର ହାତ ବଢାଇଥିଲେ । ରାଜ୍ୟର ସୁନାମଧନ୍ୟ ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କର୍ମଶାଳାରେ ରାଜ୍ୟର ୩୨ଜଣ ପ୍ରତିଷ୍ଠିତ ପଟ୍ଟଚିତ୍ର ଶିଳ୍ପୀ ଅଂଶଗ୍ରହଣ କରିଥିଲେ । ରଘୁରାଜପୁରର ଜାତୀୟ ପୁରସ୍କାର ପ୍ରାପ୍ତ ଗଂଜପା ଶିଳ୍ପୀ ଲିଂଗରାଜ ମହାରଣା ଏହି କର୍ମଶାଳାର ଆକର୍ଷଣ ସାଜିଥିଲେ । ଯୁବ ଡିଜାଇନର ସାଇଶ୍ରୀ ସାହୁଙ୍କ ପ୍ରସ୍ତୁତ ଡିଜାଇନ ଓ ଉଭୟ ଗୁରୁଙ୍କ ମାର୍ଗଦର୍ଶନରେ ୧୩ଟି ଚିତ୍ରିତ ଶାଢୀ ଓ ୨୦ ଟି ପଟ୍ଟଚିତ୍ର, ୩ଟି ତାଳପତ୍ର ଖୋଦଇ ଚିତ୍ର ଓ ପାରଂପରିକ କାଗଜ ମୁଖାମାନ ପ୍ରସ୍ତୁତ ହୋଇଥିଲା । ଚାରିଦିନ ବ୍ୟାପୀ ଆୟୋଜିତ କର୍ମଶାଳାରେ ପ୍ରସ୍ତୁତ କଳାକୃତି ଗୁଡିକ ଏହି ପ୍ରଦର୍ଶନୀରେ ସ୍ଥାନିତ କରାଯାଇଛି । ଏହି ସବୁ କଳାକୃତି ଝୋଟି ଓ ଗଂଜପା ଭଳି ଆମ ରାଜ୍ୟର ଦୁଇ ପୁରାତନ କଳାକୁ ଲୋକପ୍ରିୟ କରିବ ଓ ଉଭୟ କଳାର ସମିଶ୍ରଣରେ ପ୍ରସ୍ତୁତ ଚିତ୍ର ସବୁ ଗ୍ରାହାକ ମାନଙ୍କୁ ଏକ ସ୍ୱତନ୍ତ୍ର ରୁଚି ସହ ପରିଚିତ କରାଇବ ବୋଲି ହାପି ଆକ୍ସିସ ଫାଉଣ୍ଡେସନର ପ୍ରତିଷ୍ଠାତା ଦେବାଶୀଷ ଦାସ ସୂଚନା ଦେଇଛନ୍ତି ।

20 hours ago
1


