ARTICLE AD BOX
ନୂଆଦିଲ୍ଲୀ: ବିଶ୍ୱ ବ୍ୟାଡ୍ମିଣ୍ଟନ୍ର ଅନ୍ୟତମ ମର୍ଯ୍ୟାଦାଜନକ ଦଳଗତ ପ୍ରତିଯୋଗିତା ଥୋମାସ୍ ଓ ଉବେର କପ୍ର ୨୦୨୮ ସଂସ୍କରଣ ଆୟୋଜନ କରିବ ଭାରତ। ନୂଆଦିଲ୍ଲୀରେ ଏହି ପ୍ରତିଯୋଗିତା ଆୟୋଜିତ ହେବ ବୋଲି ବୁଧବାର ବିଶ୍ୱ ବ୍ୟାଡ୍ମିଣ୍ଟନ୍ ମହାସଂଘ (ବିଡବ୍ଲ୍ୟୁଏଫ୍) ଘୋଷଣା କରିଛି। ପୁରୁଷଙ୍କ ଥୋମାସ୍ କପ୍ ଓ ମହିଳାଙ୍କ ଉବେର କପ୍କୁ ନେଇ ଏହି ବିଶ୍ୱ ଦଳଗତ ଚାମ୍ପିୟନ୍ସିପ୍ ଶେଷ ଥର ପାଇଁ ଭାରତରେ ୨୦୧୪ରେ ଆୟୋଜିତ ହୋଇଥିଲା।
୨୦୨୨ରେ ଭାରତୀୟ ପୁରୁଷ ଦଳ ପ୍ରଥମ ଥର ପାଇଁ ଥୋମାସ୍ କପ୍ ଜିତି ଐତିହାସିକ ସଫଳତା ହାସଲ କରିଥିଲା। ଚଳିତ ବର୍ଷ ମଧ୍ୟ ନୂଆଦିଲ୍ଲୀରେ ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନ୍ସିପ୍ ଆୟୋଜିତ ହୋଇଥିଲା। ବୁଧବାର ବିଡବ୍ଲ୍ୟୁଏଫ୍ ୨୦୨୭ରୁ ୨୦୩୦ ପର୍ଯ୍ୟନ୍ତ ଅନ୍ୟ କେତେକ ପ୍ରମୁଖ ପ୍ରତିଯୋଗିତାର ଆୟୋଜକ ଦେଶ ଓ ସହରର ନାମ ମଧ୍ୟ ଘୋଷଣା କରିଛି।
Badminton: ଯୁବ ଅଲିମ୍ପିକ୍ସ ବ୍ୟାଡ୍ମିଣ୍ଟନ୍: ଫାଇନାଲ୍ରେ ପହଞ୍ଚି ଇତିହାସ ରଚିଲେ ତନ୍ବୀ
୨୦୨୭ ବିଶ୍ୱ ଚାମ୍ପିୟନ୍ସିପ୍ କାନାଡାର ମିସିସାଗାରେ, ୨୦୨୯ ସୁଦିରମନ୍ କପ୍ ଦକ୍ଷିଣ କୋରିଆରେ ଏବଂ ୨୦୩୦ ଥୋମାସ୍-ଉବେର କପ୍ ଫାଇନାଲ୍ସ ଫ୍ରାନ୍ସର ପ୍ୟାରିସ୍ରେ ଅନୁଷ୍ଠିତ ହେବ। ବିଡବ୍ଲ୍ୟୁଏଫ୍ ସଭାପତି ଖୁନିଂ ପାଟାମା ଲିସ୍ୱାଦ୍ତ୍ରାକୁଲ୍ ଏଥିନେଇ କହିଛନ୍ତି ଯେ ଚୟନ ହୋଇଥିବା ଆୟୋଜକ ଦେଶ ଓ ସହର ହେଉଛନ୍ତି ବ୍ୟାଡ୍ମିଣ୍ଟନ୍ର ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଏହାର ବିଶ୍ୱବ୍ୟାପୀ ଲୋକପ୍ରିୟତା ବୃଦ୍ଧି ଦିଗରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଏଭଳି ଆୟୋଜନ ଖେଳାଳିଙ୍କୁ ଉତ୍କୃଷ୍ଟ ମଞ୍ଚ ଯୋଗାଇବା ସହ ପ୍ରଶଂସକଙ୍କୁ ଏଥିଲାଗି ଆକର୍ଷିତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

17 minutes ago
1


