ARTICLE AD BOX
ସମ୍ବଲପୁର/କେନ୍ଦୁଝର/ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁ ସାରା ରାଜ୍ୟ କଲବଲ ହେଉଛି। ବର୍ଷା ନୟାନ୍ତ କରୁଥିଲା ବେଳେ ବନ୍ୟା ଲୋକଙ୍କ ଜୀବନକୁ ଦୁର୍ବିସହ କଲାଣି। ମହାନଦୀ ଓ ବୈତରଣୀ ଏକାଠି ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛନ୍ତି। ଉପର ମୁଣ୍ଡରୁ ଜଳପ୍ରବାହ ବୃଦ୍ଧି ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ରାତି ସୁଦ୍ଧା ୧୬ଟି ଗେଟ୍ ଖୋଲାଯାଇଛି। ସେହିପରି ବୈତରଣୀ ଉଛୁଳି ଜନବସତିରେ ପୁଣି ବନ୍ୟା ପାଣି ମାଡ଼ିଗଲାଣି। ଫଳରେ ଲୋକଙ୍କ ଜୀବନଜୀବିକା ବିପଦକୁ ଠେଲି ହୋଇଯାଇଛି।
ଆଜି ସକାଳ ୯ଟା ଯାଏ ହୀରାକୁଦ ଜଳଭଣ୍ଡାରରୁ ୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା। ତେବେ ପରବର୍ତ୍ତୀ ସମୟରେ ୩ଟି ଏବଂ ଅପରାହ୍ନରେ ଆଉ ୪ଟି ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ଜଳପ୍ରବାହ ଅଧିକ ରହୁଥିବାରୁ ରାତିରେ ପୁଣି ୪ଟି ଗେଟ୍ ଖୋଲାଯାଇଥିଲା। ରାତିରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୩.୦୪ ଫୁଟ ଥିଲା ବେଳେ ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ ଲକ୍ଷ ୦୬ ହଜାର ୨୬୨ ଘନଫୁଟ ପାଣି ପ୍ରବେଶ କରୁଥିଲା। ସେହିପରି ବିଭିନ୍ନ ମାର୍ଗଦେଇ ହାରାହାରି ୨ ଲକ୍ଷ ୩୯ ହଜାର ୭୯୪ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା। ସ୍ପିଲ୍ୱେ ଦେଇ ୨ ଲକ୍ଷ ୦୫ ହଜାର ୫୦୬ କ୍ୟୁସେକ୍, ପାୱାର ଚାନେଲ ଦେଇ ୩୧ ହଜାର ୩୪୭ କ୍ୟୁସେକ୍, ଶିଳ୍ପସଂସ୍ଥା ପାଇଁ ୨୨୯ କ୍ୟୁସେକ୍, ବିଭିନ୍ନ କେନାଲକୁ ୨୭୧୨ କ୍ୟୁସେକ୍ ପାଣି ଛଡ଼ାଯାଉଥିଲା। ସେହି ସମୟରେ ମହାନଦୀ ତଳମୁଣ୍ଡ ଗେଜ୍ ଷ୍ଟେସନଗୁଡ଼ିକ ମଧ୍ୟରୁ ବେଲଗାଁରେ ୮୮ ହଜାର କ୍ୟୁସେକ୍, ପଥର୍ଲାରେ ୧ ଲକ୍ଷ ୧୧ ହଜାର ୨୮୫ କ୍ୟୁସେକ୍, ଖଇରମାଳରେ ୨ ଲକ୍ଷ ୭୭ ହଜାର ୫୦୦ କ୍ୟୁସେକ୍, ବରମୂଳରେ ୧ ଲକ୍ଷ ୫୫ ହଜାର କ୍ୟୁସେକ୍ ଓ ମୁଣ୍ଡଳିରେ ୨ ଲକ୍ଷ ୨୮ ହଜାର ୫୭୬ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ହାରାହାରି ୩୨.୪୧ ମିଲିମିଟର ଓ ତଳମୁଣ୍ଡରେ ୧୯.୩୩ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ଅପରପକ୍ଷରେ କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ କାନପୁର ଜଳଭଣ୍ଡାରରୁ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ଆନନ୍ଦପୁରଠାରେ ଆଜି ସନ୍ଧ୍ୟା ୭ଟା ସୁନ୍ଧା ନଦୀର ଜଳସ୍ତର ୩୭.୭୦୦ ମିଟରରେ ପହଞ୍ଚିଛି। ଏଠାରେ ସତର୍କ ସଂକେତ ସ୍ତର ୩୭.୪୪୫ମିଟର ଏବଂ ବିପଦସଙ୍କେତ ସ୍ତର ୩୮.୩୬୦ ମିଟର ରହିଛି। ପାଣିକୋଇଲି ନିକଟ ଆଖୁଆପଦାଠାରେ ବିପଦ ସଙ୍କେତ (୧୮.୩୩ ମିଟର) ଟପି ୧୮.୪୭ ମିଟରରେ ପାଣି ପ୍ରବାହିତ ହେଉଛି। ଫଳରେ ଯାଜପୁର ଜିଲ୍ଲାର ଦଶରଥପୁର ଅଞ୍ଚଳର ମୁକୁଳା ଘାଇରେ ପାଣି ପଶି ଗାଁଗୁଡ଼ିକ ପୁଣି ଜଳମଗ୍ନ ହୋଇଛି। ଉପରମୁଣ୍ଡରେ ଅଧିକ ବର୍ଷା ଏବଂ କାନପୁର ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଥିବାରୁ ନଦୀର ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ରହିଛି।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି, ରାଜ୍ୟରେ ଲଘୁଚାପଜନିତ ବର୍ଷା ଓ ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାର ନିରନ୍ତର ନଜର ରଖିଛନ୍ତି। ଆଖୁଆପଦାଠାରେ ବୈତରଣୀ ଏବଂ ମଥାନି ଠାରେ ଜଳକା ନଦୀର ଜଳପତ୍ତନ ସ୍ତର ଆଜି ସକାଳ ୯ଟା ସୁଦ୍ଧା ସତର୍କ ସ୍ତରଠାରୁ ସାମାନ୍ୟ ଅଧିକ ରହିଛି। ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାର ୨ଟି, ଭଦ୍ରକର ୩ଟି, ଯାଜପୁରର ୫ଟି, କେନ୍ଦ୍ରାପଡ଼ାର ୫ଟି, କଳାହାଣ୍ଡିର ୫ଟି ଏବଂ କୋରାପୁଟର ଗୋଟିଏ ବ୍ଲକ୍ ପ୍ରଭାବିତ ହୋଇଛି। ବିଭିନ୍ନ ଜିଲ୍ଲାରେ ରିଲିଫ୍ କ୍ୟାମ୍ପ ମାଧ୍ୟମରେ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ରିଲିଫ୍ କ୍ୟାମ୍ପ ପରିଚାଳନା ଓ ଅନ୍ୟାନ୍ୟ ଜରୁରୀ ପ୍ରତିକ୍ରିୟାମୂଳକ କାର୍ଯ୍ୟ ପାଇଁ ଏସ୍ଡିଆର୍ଏଫ୍ରୁ ପର୍ଯ୍ୟାୟକ୍ରମେ ମୋଟ ୧୭୦.୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ସହ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ମୋଟ ୧୫୬୨.୮୧ ମେଟ୍ରିକ୍ ଟନ୍ ଗୋ-ଖାଦ୍ୟ ଯୋଗାଣ ହୋଇଛି।

1 hour ago
1


