ARTICLE AD BOX
ପ୍ରକାଶିତ ସୂଚନାରୁ ଜଣାପଡୁଛି ଯେ ଏଇ ସୂତ୍ରରୁ ସଂଗୃହୀତ ଡଲାର ଉପଯୋଗ କରି ରିଜର୍ଭ ବ୍ୟାଙ୍କ୍ ବଜାରରେ ଟଙ୍କାର ବିନିମୟ ମୂଲ୍ୟରେ ଉତ୍ଥାନ ପତନକୁ ସହନୀୟ ସୀମା ମଧ୍ୟରେ ସଂଯତ କରି ରଖିବାରେ ସଫଳ ହୋଇଛି। ଏଇ ସ୍କିମ୍ର ଅନ୍ୟ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସୁଫଳ ସ୍ବରୂପ ସମଗ୍ର ୨୦୨୬-୨୭ ବିତ୍ତ ବର୍ଷ ପାଇଁ ଦେଶର ବୈଦେଶିକ ଆୟ-ଦେୟ ହିସାବ (‘ବାଲାନ୍ସ ଅଫ୍ ପେମେଣ୍ଟ୍ସ’) ୪୦ରୁ ୧୦୦ ବିଲିଅନ୍ ଡଲାର ପର୍ଯ୍ୟନ୍ତ ବଳକା ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଛି, ଯାହା ପ୍ରଥମ ଚଉଠରେ ୮ ବିଲିଅନ୍ ଡଲାରରୁ ଅଧିକ ନିଅଣ୍ଟ ଥିଲା।
ଡଲାର ସହିତ ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟରେ ନିକଟ ଅତୀତରେ ଘଟିଚାଲିଥିବା ତୀକ୍ଷ୍ଣ ସ୍ଖଳନ ଚିନ୍ତାଜନକ ହୋଇଥିଲେ ହେଁ ଏହାକୁ ଅଟକାଇବା ପାଇଁ ରିଜର୍ଭ ବ୍ୟାଙ୍କ୍ ସିଧାସଳଖ ଭାବରେ ମୁଦ୍ରା ବଜାରରେ ହସ୍ତକ୍ଷେପ କରିବାକୁ ଉଚିତ ମନେ କରିନାହିଁ। ମୁଦ୍ରା ବଜାରରେ ଡଲାରର ଯୋଗାଣ ତୁଳନାରେ ଚାହିଦା ଅଧିକ ହେବା ଯୋଗୁଁ ଡଲାର ମହଙ୍ଗା ହେବା କାରଣରୁ ତାହାର ବିନିମୟ ମୂଲ୍ୟରେ ବୃଦ୍ଧି ଘଟୁଛି, ଏବଂ ଅନ୍ୟ ପକ୍ଷରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଘଟୁଛି। ଚିରାଚରିତ ବଜାର ନିୟମ ଅନୁସାରେ ଯଦି ଡଲାର ଯୋଗାଣରେ ବୃଦ୍ଧି ଘଟନ୍ତା, ତେବେ ତାହାର ବିନିମୟ ମୂଲ୍ୟରେ ହ୍ରାସ ଘଟନ୍ତା, ଏବଂ ଟଙ୍କାର ବିନିମୟ ମୂଲ୍ୟରେ ବୃଦ୍ଧି ଘଟନ୍ତା।
ଅନ୍ୟତ୍ର ଅଧିକ ଆୟ ସନ୍ଧାନରେ ଭାରତରୁ ବୈଦେଶିକ ପୁଞ୍ଜି ନିବେଶକମାନଙ୍କର ପଳାୟନ ଯୋଗୁଁ ଏଠାରେ ଡଲାର ଯୋଗାଣରେ ସଂକୋଚନ ଓ ଚାହିଦାରେ ପ୍ରସାରଣ ଦେଖା ଦେଉଛି। ଏହାକୁ ପ୍ରତିହତ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ପାଖରେ ଯେଉଁ ଏକ ଉପାୟ ଉପଲବ୍ଧ ଅଛି, ତାହା ହେଲା ନିଜର ବୈଦେଶିକ ମୁଦ୍ରା ଭଣ୍ଡାରରେ ଗଚ୍ଛିତ ଥିବା ଡଲାର ବିକ୍ରୟ କରି ବଜାରରେ ଡଲାର ଯୋଗାଣରେ ବୃଦ୍ଧି ଘଟାଇବା। ରିଜର୍ଭ ବ୍ୟାଙ୍କ୍ କିନ୍ତୁ ଏ ପର୍ଯ୍ୟନ୍ତ ଏଭଳି ଏକ କୃତ୍ରିମ ପନ୍ଥା ଅବଲମ୍ବନ କରିବା ଉଚିତ ମନେ କରିନାହିଁ, ଯାହା ଦ୍ବାରା ଦେଶର ବୈଦେଶିକ ମୁଦ୍ରା ପାଣ୍ଠି ନିଃଶେଷ ହେବାରେ ଲାଗିବ।
ଏଇ କାରଣରୁ ପ୍ରାୟ ଦୁଇ ମାସ ତଳେ ସରକାର ଓ ରିଜର୍ଭ ବ୍ୟାଙ୍କ୍ ଏକ ଭିନ୍ନ କୌଶଳ ପ୍ରୟୋଗ ମାଧ୍ୟମରେ ଦେଶରେ ଡଲାର ଯୋଗାଣରେ ବୃଦ୍ଧି ଘଟାଇବା ନିମିତ୍ତ ଯେଉଁ ପଦକ୍ଷେପ ନେଇଥିଲେ, ତାହା ହେଲା ଏକ ବିଶେଷ ‘ଫରେନ୍ କରେନ୍ସି ନନ୍ରେସିଡେଣ୍ଟ (ବ୍ୟାଙ୍କ୍)’ ବା ‘ଏଫ୍ସିଏନ୍ଆର୍ (ବି)’ ଡିପୋଜିଟ ସ୍କିମ୍ ପ୍ରବର୍ତ୍ତନ, ଯାହାର ଆକର୍ଷଣୀୟ ସର୍ତ୍ତାବଳୀ ପ୍ରବାସୀ ଭାରତୀୟମାନଙ୍କୁ ଭାରତୀୟ ବ୍ୟାଙ୍କ୍ମାନଙ୍କରେ ବୈଦେଶିକ ମୁଦ୍ରା ଜମା ରଖିବାକୁ ଉତ୍ସାହିତ କରିବ। ଅତୀତରେ ୨୦୧୩ରେ ଏକ ଅନୁରୂପ ସଂକଟର ମୁକାବିଲା କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ଗ୍ରହଣ କରିଥିବା ଅନୁରୂପ ପଦକ୍ଷେପ ଟଙ୍କାର ବିନିମୟ ମୂଲ୍ୟରେ ସ୍ଥିରତା ରକ୍ଷା କରିବାରେ ଫଳପ୍ରଦ ହୋଇଥିଲା।
ଏଥର ମଧ୍ୟ ଏଇ ପଦକ୍ଷେପ ବାଞ୍ଛିତ ଫଳ ପ୍ରଦାନ କରିଛି ବୋଲି କହିଲେ ଭୁଲ୍ ହେବ ନାହିଁ। ଏହା ଦ୍ବାରା ଆକର୍ଷିତ ହୋଇ ପ୍ରବାସୀ ଭାରତୀୟମାନେ ବର୍ତ୍ତମାନ ସୁଦ୍ଧା (ଅଗଷ୍ଟ ୨୧) ଭାରତୀୟ ବ୍ୟାଙ୍କ୍ମାନଙ୍କରେ ୭୨ ବିଲିଅନ୍ ଡଲାରରୁ ଅଧିକ ଜମା କରିସାରିଲେଣି ଏବଂ ଚଳିତ ମାସ ଶେଷ ସୁଦ୍ଧା ଆହୁରି ଅଧିକ ବୈଦେଶିକ ମୁଦ୍ରା ଏଥିରେ ଯୋଗ ହେବା ନିଶ୍ଚିତ। ଏହା ଫଳରେ ଡଲାର ଯୋଗାଣରେ ଘଟିଥିବା ବୃଦ୍ଧିର ପ୍ରଭାବରେ ଟଙ୍କାର ବିନିମୟ ମୂଲ୍ୟରେ ପ୍ରାୟ ୨ ଶତାଂଶ ବୃଦ୍ଧି ଘଟିବା ପରେ ତାହା ପୁନରାୟ ୯୫-୯୬ ସ୍ତରକୁ ଫେରି ଆସିଛି।
ପୂର୍ବ ସୂଚନା ଅନୁସାରେ ଏହି ସ୍କିମ୍ର ଅବଧି ୩୦ ସେପ୍ଟେମ୍ବରରେ ସମାପ୍ତ ହେବ ବୋଲି ବିଶ୍ବାସ କରାଯାଉଥିଲା। ଅଳ୍ପ ଦିନ ତଳେ ରିଜର୍ଭ ବ୍ୟାଙ୍କ୍ର ମୁଦ୍ରା ନୀତି ନିର୍ଦ୍ଧାରଣକାରୀ କମିଟି (‘ଏମ୍ପିସି’)ର ଦ୍ବିମାସିକ ବୈଠକ ଶେଷରେ ଅଗଷ୍ଟ ୫ରେ ସାମ୍ବାଦିକ ସମ୍ମିଳନୀରେ ଅଂଶଗ୍ରହଣ କରିବା ଅବସରରେ ରିଜର୍ଭ ବ୍ୟାଙ୍କ୍ର ଗଭର୍ନର ସଞ୍ଜୟ ମଲହୋତ୍ରା ପ୍ରକାଶ କରିଥିଲେ ଯେ ନିଧାର୍ଯ୍ୟ ସମୟ ପୂର୍ବରୁ ‘ଏଫ୍ସିଏନ୍ଆର୍ (ବି)’ ସ୍କିମ୍କୁ ବନ୍ଦ କରିବା ପାଇଁ କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରି ରିଜର୍ଭ ବ୍ୟାଙ୍କ୍ ଏବେ ଘୋଷଣା କରିଛି ଯେ ଧାର୍ଯ୍ୟ ତାରିଖର ଏକ ମାସ ପୂର୍ବରୁ ଅଗଷ୍ଟ ୩୧ରେ ଏଇ ସ୍କିମ୍ର ଅନ୍ତ ଘଟିବାକୁ ଯାଉଛି। ଏଥିରେ ସନ୍ଦେହ ନାହିଁ ଯେ ଏହି ନିଷ୍ପତ୍ତି ନେବା ପାଇଁ ରିଜର୍ଭ ବ୍ୟାଙ୍କ୍କୁ ଯାହା ବହୁ ମାତ୍ରାରେ ପ୍ରଭାବିତ କରିଥିବ, ତାହା ହେଉଛି ଉପରେ ଉଲ୍ଲେଖ କରାଯାଇଥିବା ସଫଳ ପରିସଂଖ୍ୟାନ।
କିନ୍ତୁ ଆଉ ଯାହା ମଧ୍ୟ ଏଥିପାଇଁ ରିଜର୍ଭ ବ୍ୟାଙ୍କ୍କୁ ପ୍ରଭାବିତ କରିପାରିଥାଏ, ତାହା ହେଉଛି ଏଭଳି କୌଶଳ ମାଧ୍ୟମରେ ବିପୁଳ ପରିମାଣର ଡଲାର ସଂଗ୍ରହର ସମ୍ଭାବ୍ୟ ଦୀର୍ଘକାଳୀନ ପରିଣାମ: ତିନିରୁ ପାଞ୍ଚ ବର୍ଷ ପରେ ବହନ କରିବାକୁ ପଡ଼ିବାକୁ ଯାଉଥିବା ପରିଶୋଧ ବୋଝ। ସେ ସମୟରେ ଡଲାରର ବିନିମୟ ମୂଲ୍ୟ କ’ଣ ହୋଇଥିବ, ବର୍ତ୍ତମାନ ତାହାର ଠିକ୍ ପୂର୍ବାନୁମାନ କରିବା କଷ୍ଟ। ଭବିଷ୍ୟତରେ ଇରାନ ଯୁଦ୍ଧ କେଉଁ ଦିଗରେ ଗତି କରିବ, ହର୍ମୁଜ୍ ପ୍ରଣାଳୀର ସ୍ଥିତି କ’ଣ ହେବ, କିମ୍ବା ଆନ୍ତର୍ଜାତିକ ତୈଳ ଦରରେ କିଭଳି ହ୍ରାସ ବୃଦ୍ଧି ଘଟିବ, ତାହା ବର୍ତ୍ତମାନ କହି ହେବ ନାହିଁ; କିନ୍ତୁ ଡଲାରର ବିନିମୟ ମୂଲ୍ୟ ଏସବୁ ଦ୍ବାରା ଗୁରୁତର ଭାବରେ ପ୍ରଭାବିତ ହେବ। ଟ୍ରମ୍ପଙ୍କର ଟାରିଫ୍ ନୀତିରୁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍ ‘ଫେଡେରାଲ୍ ରିଜର୍ଭ’ର ଆଚରଣ ପର୍ଯ୍ୟନ୍ତ ମଧ୍ୟ ଏହାକୁ ପ୍ରଭାବିତ କରିବ। ଏଥିଯୋଗୁଁ ଭବିଷ୍ୟତରେ ସୃଷ୍ଟି ହେବାର ସମ୍ଭାବନା ଥିବା ଅପ୍ରତ୍ୟାଶିତ କ୍ଷତିରୁ ରକ୍ଷା ପାଇବା ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ୍ ‘ହେଜିଙ୍ଗ୍’ର ଆଶ୍ରୟ ନେବାକୁ ବାଧ୍ୟ ହୋଇଥାଏ, ଯାହା ତା’ ପାଇଁ ଏକ ଆର୍ଥିକ ବୋଝ ସୃଷ୍ଟି କରିଥାଏ।
ତେଣୁ ମନେ ହୁଏ ଏଇ ସମସ୍ତ ଉପସ୍ଥିତ ଓ ସମ୍ଭାବ୍ୟ ଲାଭ ଓ କ୍ଷତିକୁ ସୂକ୍ଷ୍ମ ଭାବରେ ତଉଲିବା ପରେ ରିଜର୍ଭ ବ୍ୟାଙ୍କ୍ ବର୍ତ୍ତମାନ ପାଇଁ ‘ଏଫ୍ସିଏନ୍ଆର୍ (ବି)’ ସ୍କିମ୍କୁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ମନେ ରଖିବା କଥା ଏଇ ସ୍କିମ୍କୁ କାର୍ଯ୍ୟକାରୀ କରୁଥିବା ବ୍ୟାଙ୍କ୍ମାନେ ମୂଳରୁ ନିର୍ଦ୍ଧାରଣ କରାଯାଇଥିବା ସମୟ ସୀମାକୁ ଦୃଷ୍ଟିରେ ରଖି ନିଜର ବୈଦେଶିକ ମୁଦ୍ରା ସଂଗ୍ରହ ଅଭିଯାନକୁ ରୂପାୟନ କରିଥିବେ। ଏଣୁ ବିନା ପୂର୍ବସୂଚନାରେ ହଠାତ୍ ସେଇ ସ୍କିମ୍କୁ ବନ୍ଦ କରିଦିଆଯିବା ଦ୍ବାରା ସେମାନେ ବିଭିନ୍ନ ପରିଚାଳନାଗତ ଅସୁବିଧାର ସମ୍ମୁଖୀନ ହେବେ। ତେବେ ଯେଉଁ ମୂଳ ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ୍ ଏଇ ସ୍କିମ୍ କାର୍ଯ୍ୟକାରୀ କରିଥିଲା, ସେ ଦୃଷ୍ଟିରୁ ବିଚାର କଲେ କୁହାଯିବ ଯେ ଦେଶ ଭିତରକୁ ତତ୍କ୍ଷଣାତ୍ ଡଲାର ଆକର୍ଷିତ କରିବାକୁ ହେଲେ ‘ଏଫ୍ସିଏନ୍ଆର୍ (ବି)’ ଭଳି ସ୍କିମ୍ ହେଉଛି ଯେ ଏକ ଅବ୍ୟର୍ଥ ଉପାୟ, ରିଜର୍ଭ ବ୍ୟାଙ୍କ୍ ତାହା ଏବେ ଆବିଷ୍କାର କରିଛି। ତେଣୁ ଯଦି ଆବଶ୍ୟକ ହୁଏ, ରିଜର୍ଭ ବ୍ୟାଙ୍କ୍ ତତ୍କ୍ଷଣାତ୍ ପୁଣି ଏହାକୁ ସକ୍ରିୟ କରିପାରିବ ବୋଲି ବିଶ୍ବାସ କରି ବର୍ତ୍ତମାନ ଆଉ ଅଧିକ କାଳ ଅନାବଶ୍ୟକ ଦେୟ ବୋଝ ବହନ ନ କରିବାକୁ ସ୍ଥିର କରି ସ୍କିମ୍ଟିକୁ ନିଷ୍କ୍ରିୟ କରିଦେବା ବୁଦ୍ଧିମାନର କାର୍ଯ୍ୟ ହେବ ବୋଲି ବିଶ୍ବାସ କରିଛି।
ପ୍ରକାଶିତ ସୂଚନାରୁ ଜଣାପଡୁଛି ଯେ ଏଇ ସୂତ୍ରରୁ ସଂଗୃହୀତ ଡଲାର ଉପଯୋଗ କରି ରିଜର୍ଭ ବ୍ୟାଙ୍କ୍ ବଜାରରେ ଟଙ୍କାର ବିନିମୟ ମୂଲ୍ୟରେ ଉତ୍ଥାନ ପତନକୁ ସହନୀୟ ସୀମା ମଧ୍ୟରେ ସଂଯତ କରି ରଖିବାରେ ସଫଳ ହୋଇଛି। ଏଇ ସ୍କିମ୍ର ଅନ୍ୟ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସୁଫଳ ସ୍ବରୂପ ସମଗ୍ର ୨୦୨୬-୨୭ ବିତ୍ତ ବର୍ଷ ପାଇଁ ଦେଶର ବୈଦେଶିକ ଆୟ-ଦେୟ ହିସାବ (‘ବାଲାନ୍ସ ଅଫ୍ ପେମେଣ୍ଟ୍ସ’) ୪୦ରୁ ୧୦୦ ବିଲିଅନ୍ ଡଲାର ପର୍ଯ୍ୟନ୍ତ ବଳକା ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଛି, ଯାହା ପ୍ରଥମ ଚଉଠରେ ୮ ବିଲିଅନ୍ ଡଲାରରୁ ଅଧିକ ନିଅଣ୍ଟ ଥିଲା। ମନେ ହୁଏ ରିଜର୍ଭ ବ୍ୟାଙ୍କ୍ ତା’ର ଏଇ ‘ଏଫ୍ସିଏନ୍ଆର୍ (ବି)’ ରୂପକ ସୁନା ଅଣ୍ଡା ଦାନକାରିଣୀ କୁକୁଡ଼ାଟିକୁ ଅଧିକ ଚାପଗ୍ରସ୍ତ ନ କରି କିଛି ସମୟ ପାଇଁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇ ଉଚିତ କାର୍ଯ୍ୟ କରିଛି।

1 hour ago
1


