ARTICLE AD BOX
କୁମ୍ଭୀର ଚମଡ଼ା ବ୍ୟବସାୟ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଅଷ୍ଟ୍ରେଲିଆରୁ ସରୀସୃପ ବିଶେଷଜ୍ଞ ଡ. ହାରୋଲ୍ଡ ରବର୍ଟ ବଷ୍ଟାର୍ଡଙ୍କୁ ଭାରତ ଡକାଇଥିଲେ। ସେ ଭାରତ ଆସି ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାକୁ ଘଡ଼ିଆଳ, ମଗର (ଗୋମୁହାଁ) ଏବଂ ଲୁଣା (ବଉଳା) କୁମ୍ଭୀରଙ୍କ ବାସସ୍ଥଳୀ ବୋଲି ସରକାରଙ୍କୁ ତଥ୍ୟ ପ୍ରଦାନ କରିଥିଲେ। ତାଙ୍କ ସର୍ବେକ୍ଷଣ ଅନୁସାରେ ଭାରତରେ କୁମ୍ଭୀରଙ୍କ ସଂଖ୍ୟା କମିଯାଇଥିବା ଜଣାପଡ଼ିବା ପରେ ମହାନଦୀର ସାତକୋଶିଆ ଗଣ୍ଡରେ ଘଡ଼ିଆଳ କୁମ୍ଭୀର ଓ ଭିତରକନିକାରେ ବଉଳା କୁମ୍ଭୀରର ସଂରକ୍ଷଣ ୧୯୭୫ ମସିହା ଏପ୍ରିଲ ମାସରେ ଆରମ୍ଭ ହୋଇଥିଲା। ଡ. ବଷ୍ଟାର୍ଡଙ୍କ ପ୍ରାରମ୍ଭିକ ସର୍ବେକ୍ଷଣ ଅନୁସାରେ ଟିକରପଡ଼ାଠାରେ ଘଡ଼ିଆଳ କୁମ୍ଭୀର ସଂରକ୍ଷଣ ପରିଯୋଜନା ଆରମ୍ଭ ହେବା ବେଳକୁ ସାତକୋଶିଆ ଗଣ୍ଡରେ ୭ଟି ଘଡ଼ିଆଳ ଥିଲେ ଏବଂ ବ୍ରାହ୍ମଣୀ ଓ ବୈତରଣୀ ନଦୀରୁ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିଲେ।
କୁମ୍ଭୀର ଶିକାରୀଙ୍କ ପାଇଁ ହ୍ରାସ ଘଟୁଥିବା ଘଡ଼ିଆଳ କୁମ୍ଭୀରଙ୍କ ସଂଖ୍ୟାକୁ ନଜରରେ ରଖି ସେମାନଙ୍କ ସୁରକ୍ଷା ସହ ପରିବେଶ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ରାଜ୍ୟ ସରକାର ୧୯୭୬ ମସିହାରେ ୭୯୫.୫୨ ବର୍ଗ କି.ମି. ଅଞ୍ଚଳକୁ ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ। ୧୯୭୪-୧୯୭୬ ମସିହା ସର୍ବେକ୍ଷଣ ଅନୁସାରେ ବୌଦ୍ଧରୁ ସାତକୋଶିଆ ଗଣ୍ଡ ମଧ୍ୟରେ ୭ଟି, ସାତକୋଶିଆ ଗଣ୍ଡରେ ୪ଟି ଘଡ଼ିଆଳ କୁମ୍ଭୀର ଥିଲେ। ୧୯୭୫ ମସିହାରେ ଗଣ୍ଡକ ନଦୀ ଓ କତରନିଆ ଘାଟରୁ ସଂଗୃହୀତ ଅଣ୍ଡାରୁ ୩୮ଟି, ୧୯୭୬ ଓ ୧୯୭୭ ମସିହାରେ ଗଣ୍ଡକରୁ ସଂଗୃହୀତ ଅଣ୍ଡାରୁ ୩୮ ଓ ୭୬ଟି ଘଡ଼ିଆଳ ଶାବକ ଗଣ୍ଡ ଅଞ୍ଚଳରେ ଛଡ଼ାଯାଇଥିଲା। ୧୯୭୯, ୧୯୮୦ ଓ ୧୯୮୧ ମସିହାରେ ଚମ୍ବଲରୁ ସଂଗୃହୀତ ଅଣ୍ଡାରୁ ଯଥାକ୍ରମେ ୧୫ଟି, ୧୦୧ଟି ଓ ୭୭ଟି ଘଡ଼ିଆଳ ଶାବକ ଗଣ୍ଡରେ ଛଡ଼ାଯାଇଥିଲା। ଏଥିମଧ୍ୟରେ ୧୯୭୬ ମସିହା ଜୁନ୍ରେ ନନ୍ଦନକାନନର ଆବଦ୍ଧ କ୍ଷେତ୍ରରେ ସୃଷ୍ଟି କରାଯାଇଥିବା କୃତ୍ରିମ ପ୍ରଜନନ କେନ୍ଦ୍ରରେ ୧୯୮୦ ମସିହା ମେ ମାସରେ ପ୍ରଜନନ ସଫଳତା ଲାଭ କରିଥିଲା, ଯାହା ସାରା ବିଶ୍ବରେ ପ୍ରଥମ ଥିଲା। ଏହି କ୍ରମରେ ୧୯୭୭ ମସିହାଠାରୁ ୧୯୮୯ ମସିହା ମଧ୍ୟରେ ପର୍ଯ୍ୟାୟକ୍ରମେ ଟିକରପଡ଼ା ଘଡ଼ିଆଳ ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଏବଂ ନନ୍ଦନକାନନ ଚିଡ଼ିଆଖାନାରୁ ସମୁଦାୟ ୬୦୯ରୁ ଊର୍ଦ୍ଧ୍ବ ୧ ମିଟରରୁ ଅଧିକ ଲମ୍ବର ଘଡ଼ିଆଳ ଶାବକ ଗଣ୍ଡର ବସା ଓ ଅଣ୍ଡାଦାନ ଉପଯୋଗୀ ସ୍ଥାନରେ ଛଡ଼ାଯାଇଥିଲା। ସେଥିମଧ୍ୟରୁ ଟିକରପଡ଼ାରେ ୬୯ଟି ଏବଂ ମଝିପଡ଼ା ଓ ସୁନାଖଣିଆରେ ସର୍ବାଧିକ ୪୫୨ଟି ଛଡ଼ାଯାଇଥିଲା। ପରବର୍ତ୍ତୀ ସମୟରେ ୧୯୯୩ରେ ୭୨ଟି, ୧୯୯୫ରେ ୧୦୦ଟି, ୧୯୯୮ରେ ୬୫ଟି, ୨୦୦୧ରେ ୧୦ଟି, ୨୦୧୪ରେ ୧୨ଟି ଶାବକ ଗଣ୍ଡରେ ଛଡ଼ା ଯାଇଥିଲା। ଏହିପରି ଭାବେ ୧୯୭୭ରୁ ୨୦୧୪ ମସିହା ମଧ୍ୟରେ ୮୬୮ଟି ଘଡ଼ିଆଳ ସାତକୋଶିଆ ଗଣ୍ଡରେ ଛଡ଼ାଯାଇଥିଲା।
୧୯୭୭-୨୦୧୭ ମସିହା ମଧ୍ୟରେ ୮୦୦ରୁ ଊର୍ଦ୍ଧ୍ୱ ଘଡ଼ିଆଳଙ୍କୁ ମହାନଦୀରେ ଛଡ଼ାଯିବା ସତ୍ତ୍ୱେ ବିଭିନ୍ନ କାରଣ ଘଡ଼ିଆଳ ବଂଶ ବୃଦ୍ଧିରେ ବାଧକ ସାଜିଥିଲା। ଘଡ଼ିଆଳ ବଂଶର ପୁନରୁଦ୍ଧାର କରିବା ପାଇଁ ନନ୍ଦନକାନନ ଚିଡ଼ିଆଖାନା କର୍ତ୍ତୃପକ୍ଷ ୨୦୧୯ରେ ଘଡ଼ିଆଳ ପୁନରୁଦ୍ଧାର ପରିଯୋଜନା ଆରମ୍ଭ କରିଥିଲେ।
୧୯୭୭-୨୦୧୭ ମସିହା ମଧ୍ୟରେ ୮୦୦ ରୁ ଊର୍ଦ୍ଧ୍ୱ ସଂଖ୍ୟକ ଘଡ଼ିଆଳ ମହାନଦୀରେ ଛଡ଼ାଯିବା ସତ୍ତ୍ୱେ ବିଭିନ୍ନ କାରଣ ଘଡ଼ିଆଳ ବଂଶ ବୃଦ୍ଧିରେ ବାଧକ ସାଜିଥିଲା। ଘଡ଼ିଆଳ ବଂଶର ପୁନରୁଦ୍ଧାର କରିବା ପାଇଁ ନନ୍ଦନକାନନ ଚିଡ଼ିଆଖାନା କର୍ତ୍ତୃପକ୍ଷ ୨୦୧୯ରେ ଘଡ଼ିଆଳ ପୁନରୁଦ୍ଧାର ପରିଯୋଜନା ଆରମ୍ଭ କରିଥିଲେ।
ପରିଯୋଜନା ଅନୁସାରେ ୨୦୧୯ରେ ୫ଟି, ୨୦୨୦ରେ ୨ଟି, ୨୦୨୧ ଜାନୁଆରିରେ ୬ଟି ଓ ଡିସେମ୍ବରରେ ୪ଟି, ୨୦୨୨ରେ ୨ଟି ଘଡ଼ିଆଳ ସାତକୋଶିଆର ସୁନାଖଣିଆଠାରେ ଛଡ଼ାଯାଇଥିଲା। ୨୦୧୯-୨୦୨୧ ଜାନୁଆରି ପର୍ଯ୍ୟନ୍ତ ଭି.ଏଚ୍.ଏଫ୍. ଟ୍ରାନ୍ସମିଟର ଲଗାଯାଇଥିବା ଏବଂ ୨୦୨୧ ଡିସେମ୍ବରରୁ ୨୦୨୨ ଫେବ୍ରୁଆରି ମଧ୍ୟରେ ଜିପିଏସ୍ ଟ୍ରାନ୍ସମିଟର ଲଗାଯାଇଥିବା ଘଡ଼ିଆଳ ଛଡ଼ାଯାଇଥିଲା। ୨୦୨୫ରେ ୭ଟି ଉଭୟ ଭି.ଏଚ୍.ଏଫ୍ ଓ ଜିପିଏସ୍ ଟ୍ରାନ୍ସମିଟର ଲଗାଯାଇଥିବା ଘଡ଼ିଆଳ ଛଡ଼ାଯାଇଛି। ସମୁଦାୟ ୨୬ଟି ଘଡ଼ିଆଳ ମଧ୍ୟରୁ ୯ଟିର ଗତିବିଧି ଜାଣିହେଉଥିଲା ବେଳେ, ୯ଟିଙ୍କର ମୃତ୍ୟୁ ଘଟିଛି ଏବଂ ୭ଟି ନିଖୋଜ ଅଛନ୍ତି। ୨୯ ମାର୍ଚ୍ଚ ୨୦୨୬ରେ ଆଉ ୧୨ଟି ଉଭୟ ଭି.ଏଚ୍.ଏଫ୍ ଓ ଜିପିଏସ୍ ଟ୍ରାନ୍ସମିଟର ଲଗାଯାଇଥିବା ଘଡ଼ିଆଳ ସୁନାଖଣିଆଠାରେ ଛଡ଼ାଯାଇଛି।
Rain in Odisha: ବର୍ଷା କମିଲା, ଦୁର୍ଦ୍ଦଶା ବଢ଼ିଲା
ବଳଦମରାଠାରୁ ରାମଗାଁବାଲି ପର୍ଯ୍ୟନ୍ତ ଗଣ୍ଡର ୧୦ କି.ମି ଅଞ୍ଚଳକୁ ମାଛମରା ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି, ନଦୀସଂଲଗ୍ନ ୫ ଜିଲ୍ଲାର ପାଖାପାଖି ୩୦୦ ଗ୍ରାମରେ ଜନ ସଚେତନତା ସୃଷ୍ଟି କରାଯାଇଛି। ଏହାର ଫଳ ସ୍ୱରୂପ ୧୦ଟି ଘଡ଼ିଆଳ ଶାବକ ମତ୍ସ୍ୟଜୀବୀଙ୍କଠାରୁ ଉଦ୍ଧାର ହେବା ସହ ଦୀର୍ଘ ୪୦ ବର୍ଷର ବ୍ୟବଧାନ ପରେ ଗଣ୍ଡ ଅଞ୍ଚଳରେ ଘଡ଼ିଆଳ ପ୍ରଜନନ ସମ୍ଭବପର ହୋଇପାରିଛି। ଗଣ୍ଡରେ ଥିବା ମାଈ ଓ ଅଣ୍ଡିରା କୁମ୍ଭୀରଙ୍କ ମଧ୍ୟରେ ସଫଳ ମିଳନ ଓ ପ୍ରଜନନ ଫଳରେ ୨୦୨୧ରେ ୨୮ଟି, ୨୦୨୨ରେ ୩୨ଟି, ୨୦୨୩ରେ ୩୫ଟି, ୨୦୨୪ରେ ୩୫ଟି, ୨୦୨୫ରେ ୩୦ଟି ଏବଂ ୨୦୨୬ରେ ୧୧ଟି ଶାବକ ଜନ୍ମ ନେଇଛନ୍ତି। ଏହା ଘଡ଼ିଆଳ ବଂଶବୃଦ୍ଧି, ସଂରକ୍ଷଣ ଏବଂ ପ୍ରାକୃତିକ ସନ୍ତୁଳନର ଆଶାକୁ ଉଜ୍ଜୀବିତ କରିଛି।
ଲେଖା ଓ ଫଟୋ: ଦୀପକ କୁମାର ପଣ୍ଡା
[email protected]

1 hour ago
1


