ARTICLE AD BOX
ଭୁବନେଶ୍ବର: ୮ ବର୍ଷ ପରେ ରାଜ୍ୟରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ। ଅକ୍ଟୋବର ୧୫ରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟ, ଡିଗ୍ରି କଲେଜ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ କଲେଜରେ ନିର୍ବାଚନ ଅନୁଷ୍ଠିତ ହେବ। ଗୋଟିଏ ଦିନରେ ହିଁ ନିର୍ବାଚନ ହେବ। ଆଜି ପୂର୍ବାହ୍ଣରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଛାତ୍ରସଂସଦ ନିର୍ବାଚନ କରାଇବାକୁ ବିଭିନ୍ନ ମହଲରେ ଲଗାତାର ଦାବି ହେଉଥିଲା ବେଳେ ଉଚ୍ଚଶିକ୍ଷା ବିଭାଗର ଏହି ବଡ଼ ପଦକ୍ଷେପକୁ ସବୁ ମହଲରେ ସ୍ବାଗତ କରାଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ବେଶ୍ ଉତ୍ସାହ ଦେଖାଦେଇଛି। ବର୍ତ୍ତମାନ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ କରିବା ସରକାରଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ ହେବ।
ମନ୍ତ୍ରୀଙ୍କ ଘୋଷଣା ପରେ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଓ ନିର୍ଦ୍ଦେଶାବଳୀ ପ୍ରକାଶ କରାଯାଇଛି। ଅକ୍ଟୋବର ୭ରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ୯ ତାରିଖରେ ନାମାଙ୍କନପତ୍ର ଦାଖଲ ହେବାକୁ ଥିବା ବେଳେ ୧୦ରେ ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ୧୪ ତାରିଖରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ସହ ୧୫ ତାରିଖରେ ଭୋଟଗ୍ରହଣ କରାଯିବ। ବିଜୟୀ ଛାତ୍ର ପ୍ରତିନିଧିମାନେ ଅକ୍ଟୋବର ୧୬ରେ ଶପଥ ଗ୍ରହଣ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
ନିର୍ଦ୍ଦେଶାବଳୀ ଅନୁଯାୟୀ ନିର୍ବାଚନରେ କୌଣସି ରାଜନୈତିକ ଦଳର ହସ୍ତକ୍ଷେପ ରହିବ ନାହିଁ। ନିର୍ବାଚନ ପ୍ରକ୍ରିୟାରେ ନିୟମିତ ଛାତ୍ରଛାତ୍ରୀ ହିଁ କେବଳ ଅଂଶଗ୍ରହଣ କରିପାରିବେ। ଯେଉଁମାନେ ପ୍ରାର୍ଥୀମାନେ ସେମାନେ ରେଗୁଲାର କିମ୍ବା ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ ସାମ୍ସ ମାଧ୍ୟମରେ ନାମଲେଖାଇଥିବା ଆବଶ୍ୟକ। ପିପିପି ମୋଡ୍ କିମ୍ବା ଡିଷ୍ଟାନ୍ସ ଏଜୁକେସନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ ନାହିଁ। ପ୍ରାର୍ଥୀ ହେବା ପାଇଁ ସ୍ନାତକ(ୟୁଜି) ଛାତ୍ରଛାତ୍ରୀଙ୍କ ପାଇଁ ବୟସ ୧୭ରୁ ୨୨ ବର୍ଷ ଏବଂ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ସର୍ବାଧିକ ୨୫ ବର୍ଷ ବୟସ ହୋଇଥିବା ଆବଶ୍ୟକ। ନିର୍ବାଚନରେ ଅଂଶଗ୍ରହଣ କରିବାକୁ ପ୍ରାର୍ଥୀଙ୍କର ଶ୍ରେଣୀଗୃହରେ ଉପସ୍ଥାନ ୭୫% କିମ୍ବା ତା’ଠାରୁ ଅଧିକ ଥିବ। ଅାପରାଧିକ ରେକର୍ଡ ନ ଥିବ କିମ୍ବା ବିଶ୍ବବିଦ୍ୟାଳୟ/କଲେଜ ପକ୍ଷରୁ ତାଙ୍କ ବିରୋଧରେ କୌଣସି ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବ। ଜଣେ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।
ଅକ୍ଟୋବର ୭ରେ ବିଜ୍ଞପ୍ତି, ୯ରେ ନାମାଙ୍କନପତ୍ର ଦାଖଲ
୧୦ରେ ନାମାଙ୍କନପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ତାଲିକା
୧୪ରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ
ପ୍ରାର୍ଥୀମାନେ ଜାତି, ସମ୍ପ୍ରଦାୟ, ଧର୍ମ, ଭାଷାକୁ ନେଇ କୌଣସି ମନ୍ତବ୍ୟ କିମ୍ବା ଅନ୍ୟ ପ୍ରାର୍ଥୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କୌଣସି ପ୍ରକାର ସମାଲୋଚନା କରିପାରିବେ ନାହିଁ। ନିର୍ବାଚନ ସମୟରେ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ ପ୍ଲାଟଫର୍ମରେ ସଞ୍ଜମତା ଅବଲମ୍ବନ କରିବେ। ଖରାପ ଭାଷା ପ୍ରୟୋଗ, ମିଥ୍ୟା ଖବର ପ୍ରସାରଣ ନ କରିବା, ଭ୍ରମାତ୍ମକ ତଥ୍ୟ ନ ହେବା, ଏଆଇ ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ନକଲି କଣ୍ଟେଣ୍ଟ ପ୍ରସାରଣ ଉପରେ କଟକଣା ଲଗାଯାଇଛି। ନିର୍ବାଚନର ୨୪ ଘଣ୍ଟା ପୂର୍ବରୁ ବୈଠକ ନ କରିବା, ଭୋଟରଙ୍କୁ ଭୋଟ ଗ୍ରହଣ କେନ୍ଦ୍ରକୁ ଆଣିବା ଉପରେ କଟକଣା ଲାଗିଛି। କୌଣସି ପ୍ରାର୍ଥୀ ଛପାଯାଇଥିବା ପୋଷ୍ଟର, ପାମ୍ପଲେଟ୍ସ କିମ୍ବା ଅନ୍ୟ କୌଣସି ଛପାଯାଇଥିବା ସାମଗ୍ରୀ ବ୍ୟବହାର କରିପାରିବେ ନାହିଁ। କେବଳ ହାତ ତିଆରି ପୋଷ୍ଟର କରି ବଣ୍ଟନ କରିପାରିବେ। ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ଶୋଭାଯାତ୍ରା କିମ୍ବା ବୈଠକ ଯେପରି ପିଲାଙ୍କ ପାଠପଢ଼ା ଉପରେ ପ୍ରଭାବ ନ ପକାଇବ ସେଥିପ୍ରତି ଗୁରୁତ୍ବ ଦେବେ। ନିର୍ବାଚନ ସମୟରେ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଛାତ୍ର ସଙ୍ଗଠନ ଓ ପ୍ରାର୍ଥୀମାନେ ସହଯୋଗ କରିବେ।
ଅକ୍ଟୋବର ୧୫ରେ ସକାଳ
୮ଟାରୁ ଭୋଟ ଓ ଅପରାହ୍ଣ ୨ଟା ପରେ ଗଣତି
ଅକ୍ଟୋବର ୧୬ରେ ଶପଥ ଗ୍ରହଣ
ଭୋଟ ଗ୍ରହଣ ଦିନ କେବଳ ବୈଧ ପରିଚୟପତ୍ର ଥିବା ଛାତ୍ରଛାତ୍ରୀ କିମ୍ବା ବ୍ୟକ୍ତିବିଶେଷଙ୍କୁ ହିଁ କ୍ୟାମ୍ପସରେ ପ୍ରବେଶ ପାଇଁ ଅନୁମତି ମିଳିବ। ନିର୍ବାଚନ ସରିବାର ୪୮ ଘଣ୍ଟା ମଧ୍ୟରେ ପୁଲିଂ ଅଞ୍ଚଳ ଯେପରି ସଫା ହୁଏ ପ୍ରାର୍ଥୀମାନେ ତାହାକୁ ସୁନିଶ୍ଚିତ କରିବେ। ଏହାକୁ ଉଲ୍ଲଂଘନ କଲେ ପ୍ରତି ପ୍ରାର୍ଥୀଙ୍କୁ ୧୫୦୦ ଟଙ୍କା ଲେଖାଏଁ ଜାରିମାନା ହେବ। ଶିକ୍ଷାନୁଷ୍ଠାନର ଛାତ୍ର ମଙ୍ଗଳ ଡିନ୍/ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ଅଭିଯୋଗ ଶୁଣାଣି ସେଲ୍ ରହିବ। ଯେଉଁଥିରେ ଜଣେ ବରିଷ୍ଠ ଅଧ୍ୟାପକ, ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଦୁଇ ଜଣ(ଜଣେ ଲେଖାଏଁ ଛାତ୍ର ଓ ଛାତ୍ରୀ) ଶେଷ ବର୍ଷ ବିଦ୍ୟାର୍ଥୀ ରହିବେ। ଏହି ସେଲ୍ ନିର୍ବାଚନ ସମ୍ପର୍କିତ ସମସ୍ତ ଅଭିଯୋଗର ଶୁଣିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ନୋଡାଲ ଅଫିସର ନିଯୁକ୍ତ ହେବେ, ଯିଏ କି ଛାତ୍ର ସଂସଦ ନିର୍ବାଚନର ପରିଚାଳନା କରିବେ।

1 hour ago
1


