ARTICLE AD BOX
ଭୁବନେଶ୍ବର: ଜୁଲାଇ ପହିଲା। ଅପବାଦରୁ ମୁକୁଳିବା ପାଇଁ ଗଣଶିକ୍ଷା ସଚିବ ଏନ୍.ତିରୁମାଲା ନାୟକ ସାମ୍ବାଦିକ ସମ୍ମିଳନୀ କରି କହିଲେ, ଆମେ ଗୁରୁ ଚଣ୍ଡାଳ ଭୁଲ୍ ସୁଧାରିବୁ। ପିଲାଙ୍କୁ ଚଳିତ ଶିକ୍ଷାବର୍ଷରେ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ଖୁବଶୀଘ୍ର ସଂଶୋଧିତ ବହି ବିଭାଗୀୟ ୱେବ୍ସାଇଟ୍/ଓସେପା ୱେବସାଇଟ୍ରେ ଶିକ୍ଷାବିତ୍ ତଥା ଜନସାଧାରଣଙ୍କ ମତାମତ ନିମନ୍ତେ ଦିଆଯିବ। ସଚିବଙ୍କ ଏଭଳି ଆଶ୍ବସ୍ତିକର ବକ୍ତବ୍ୟକୁ ନେଇ ଆଶା ଆଶଙ୍କା ପ୍ରକାଶ ପାଇଥିଲା। ମାତ୍ର ଘୋଷଣାର ଗୋଟିଏ ଦିନ ପରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଉଦ୍ଦିଷ୍ଟ ସଂଶୋଧିତ ପାଠ୍ୟପୁସ୍ତକଗୁଡ଼ିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଏସ୍ସିଇଆର୍ଟି) ଏବଂ ଓସେପା ୱେବ୍ସାଇଟ୍ରେ ଉପଲବ୍ଧ କରାଯାଇ ୭ ଦିନ ମଧ୍ୟରେ ମତାମତ ଲୋଡ଼ାଯାଇଥିଲା। ଜୁଲାଇ ୯ ସୁଦ୍ଧା ମତାମତ ସଂଗ୍ରହ ଶେଷ ହୋଇଥିଲେ ମଧ୍ୟ ଆଉ କିଛି ଆଗେଇପାରୁ ନାହିଁ। ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସଂଶୋଧିତ ପାଠ୍ୟପୁସ୍ତକ କେବେ ଉପଲବ୍ଧ କରାଯିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Aquapreneur Conclave: ‘ମାଛର ଉପାଦେୟତା ଓ ଗୁରୁତ୍ୱ ଦିନକୁ ଦିନ ବୃଦ୍ଧି ପାଉଛି’
ମତାମତ ଲୋଡ଼ି ଅଧିକାରୀମାନେ ଚୁପ୍
ଏପର୍ଯ୍ୟନ୍ତ ବହି ଛାପିବା ପ୍ରକ୍ରିୟା ଆରମ୍ଭ ହୋଇନି
କ୍ରାଇମ୍ବ୍ରାଞ୍ଚ ଚଢ଼ଉ ଦେଖି ସମସ୍ତେ ଛାନିଆ
ପ୍ରଭାବିତ ହେବ ୨୦୨୭ର ମଗଣା ବହି ବଣ୍ଟନ
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଖୁବ୍ଶୀଘ୍ର ବହି ଯୋଗାଇ ଦିଆଯିବ ବୋଲି ସଚିବ ଶ୍ରୀ ନାୟକ କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବହି ଛାପିବା ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। ଜୁଲାଇ ମାସର ୨୦ ଦିନ ବିତିଯାଇଥିଲେ ମଧ୍ୟ ଗୋଟିଏ ଶ୍ରେଣୀର ବହି ପ୍ରସ୍ତୁତ ହୋଇ ନ ଥିବାରୁ ଏବର୍ଷ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ମିଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। କାରଣ ଏପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ(ଟିବିପିଏମ୍) ସଂସ୍ଥାକୁ କୌଣସି ପ୍ରକାର ବହି ଛାପିବାକୁ ପ୍ରସ୍ତାବ ହିଁ ଆସି ନାହିଁ। ପ୍ରସ୍ତାବ ଆସିବା ପରେ ଟେଣ୍ଡର କରି ନୂତନ ବହି ଛାପିବାକୁ ପ୍ରାୟ ତିନି ମାସ ସମୟ ଲାଗିବ। ୩୦ଟି ଜିଲ୍ଲାରେ ବହି ବଣ୍ଟନକୁ ଆଉ ୨ ମାସ ସମୟ ଲାଗିଯିବ। ସେହି ଅନୁଯାୟୀ ୮ଟି ଶ୍ରେଣୀର ବହି ଏବେ ଛାପାଗଲେ ମଧ୍ୟ ପିଲାଙ୍କ ନିକଟରେ ପହଞ୍ଚିବାକୁ ପ୍ରାୟ ୫ ମାସ ସମୟ ଲାଗିଯିବ। ଅର୍ଥାତ୍ ଡିସେମ୍ବର ମାସ ହୋଇଯିବ। ସେତେବେଳେ ପିଲାମାନେ ନୂଆ ବହି କ’ଣ କରିବେ ତାହାକୁ ନେଇ ଶିକ୍ଷକମାନେ ପ୍ରଶ୍ନ କରିଛନ୍ତି।
Horoscope 2026 July 20: ଜାଣନ୍ତୁ ଆଜିର ରାଶିଫଳ
ଅନ୍ୟପଟେ କ୍ରାଇମ୍ବ୍ରାଞ୍ଚ ଚଢ଼ଉ ଜାରି ରହିଥିବାରୁ ପାଠ୍ୟପୁସ୍ତକ ପ୍ରସ୍ତୁତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗଣଶିକ୍ଷା ବିଭାଗର ୩ଟି ଯାକ ସଂସ୍ଥାରେ ଏବେ କାର୍ଯ୍ୟ ଏକପ୍ରକାର ଠପ୍। ଅଧିକାରୀମାନେ ବାରମ୍ବାର ଜେରାର ସମ୍ମୁଖୀନ ହେଉଥିବାରୁ କାମ ଉପରେ ଧ୍ୟାନ ଦେଇପାରୁ ନାହାନ୍ତି। ଏସ୍ସିଇଆର୍ଟି, ଟିବିପିଏମ୍ ଓ ଓସେପାର ବରିଷ୍ଠ ଅଧିକାରୀମାନଙ୍କୁ ଚଳିତ ସପ୍ତାହରେ ମଧ୍ୟ ଜେରା କରାଯିବ ବୋଲି ଜଣାପଡ଼ିଛି। ବହି ତ୍ରୁଟି ପଛରେ ୩ଟି ଯାକ ସଂସ୍ଥା ଜଡ଼ିତ ରହିଥିବା କ୍ରାଇମ୍ବ୍ରାଞ୍ଚ ଟିମ୍ ଜାଣିବାକୁ ପାଇଛି। ତେଣୁ କାହାକୁ କେତେବେଳେ କ୍ରାଇମ୍ବ୍ରାଞ୍ଚ ବାନ୍ଧିବ ତାହାକୁ ନେଇ ତିନି ସଂସ୍ଥାର ଅଧିକାରୀମାନେ ଭୟରେ ଦିନ କାଟୁଛନ୍ତି। ଏମିତିକି କିଛି ଅଧିକାରୀ ଛୁଟିରେ ଯିବାକୁ ପ୍ରସ୍ତାବ ଦେଉଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ଜଣେ ଦୁଇ ବରିଷ୍ଠ ଅଧିକାରୀ ଏବେ ତଳିଆଙ୍କୁ ବଳି ପକାଇ ନିଜେ ଖସିଯିବାକୁ ରୀତିମତ ଷଡ୍ଯନ୍ତ୍ର କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଏବେ ଯଦି ନୂଆ ବହି ଛପାଯିବ, ତାହା ହେଲେ ୨୦୨୭-୨୮ ଶିକ୍ଷାବର୍ଷର ମାଗଣା ବହି ବଣ୍ଟନ ପ୍ରଭାବିତ ହେବ ବୋଲି ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି। କାରଣ ବହି ପ୍ରସ୍ତୁତି, ଛାପାଯିବା ଓ ବଣ୍ଟନ ପାଇଁ ୮ ମାସ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହେବା କଥା, ଯାହାକି ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ।

1 day ago
1


