Telling the truth: ସତ କହୁଛି: ସତରେ, ଯୁଗ ବଦଳି ଯାଇଛି

3 days ago 4
ARTICLE AD BOX

ଶ୍ୟାମସୁନ୍ଦର ଅଗ୍ରୱାଲା

“ପୁଲିସ ଅଙ୍କଲ, ଆଜି ୱାଟର ସ୍ପ୍ରେ ହେବନି କି? କରୁ ନାହାନ୍ତି? ଆମେ ଟିକେ ରେନ୍ ଡ୍ୟାନ୍‌ସ କରିଥାନ୍ତୁ। ଟିୟର ଗ୍ୟାସ ରଖିଛନ୍ତି? ଛାଡୁ ନାହାନ୍ତି।” ଏ ହେଉଛି ଯନ୍ତରମନ୍ତରରେ ‘ଜେନ-ଜି’ମାନଙ୍କର ପୁଲିସମାନଙ୍କୁ ମଜାଳିଆ ପ୍ରଶ୍ନ। ସ୍ଲୋଗାନର ଭାଷା ଶୁଣିଲେ ଆପଣ ହସି ହସି ଗଡ଼ିଯିବେ। “ଏକ କଚୋଡ଼ୀ, ଦୋ ସମୋସା, ଇନ ମର୍ଦୋଂକା କ୍ୟା ଭରୋସା?” ଜଣେ ଝିଅ ଚିରା ଜିନ ପ୍ୟାଣ୍ଟ ଓ ଛୋଟିଆ ଟପ୍‌ଟେ ପିନ୍ଧି କହୁଛି, “ଏକ ବିଡ଼ି ଦୋ ଚାଏ, ମରଦ ଜାତ ହାଏ ହାଏ।” ପୁଅଟିଏ ହାତରେ ଧରିଥିବା ପ୍ଲାକାର୍ଡରେ ଲେଖିଛି, “କୁଚୁ ପୁଚୁ ଶୁନୋ ନା”, ତା’ ପାଖରେ ଝିଅଟିଏ ଲେଖିଛି, “ଜ୍ଞାନୁ, ମାନ ଯାଓନା,” ତୁରୀ, ଗିଟାର, ମାଉଥ ଅରଗାନ ବାଜୁଛି। ଭିଡିଓ ଗେମରେ ଚୋର ପୁଲିସ ଖେଳ ଚାଲିଛି। “ପକଡ଼ୋ, ପକଡ଼ୋ” ଚିତ୍କାର ଶୁଭୁଛି। ଛିଣ୍ଡା ପ୍ୟାଣ୍ଟ ଉପରେ ହାତକଟା ବାନିଅନ। କିଏ ବୋହୂ ବେଶରେ ଆସିଛି ତ କିଏ ବର ବେଶରେ। ହସ, କୌତୁକ, ବ୍ୟଙ୍ଗ, ଉପହାସ, କାର୍ଟୁନ ଓ କଟାକ୍ଷରେ ପୂରା ଯନ୍ତରମନ୍ତର ପଡୁଛି ଉଠୁଛି। 
ବିପ୍ଳବର ଚେହେରା ବଦଳି ଯାଇଛି। ଗୋଟିଏ ଗୋଟିଏ କଟାକ୍ଷରୁ ବିପ୍ଳବ ଆରମ୍ଭ ହୋଇଯାଉଛି। ସାମାଜିକ ଗଣମାଧ୍ୟମରେ ନିଆଁ ଲାଗିଯାଉଛି। ରାତାରାତି ହୁତୁହୁତୁ ହୋଇ ଜଳିବା ଆରମ୍ଭ ହୋଇଯାଉଛି। ଜେନ-ଜି ପୁଅଝିଅମାନେ ଟିଭି ଦେଖନ୍ତି ନାହିଁ କି ଖବରକାଗଜ ପଢ଼ନ୍ତି ନାହିଁ। ତାଙ୍କର ଇଲାକା ହେଲା ମୋବାଇଲ ଫୋନର ହ୍ୱାଟସ୍‌ଆପ, ଇନଷ୍ଟାଗ୍ରାମ, ଟେଲିଗ୍ରାମ, ଫେସବୁକ ଓ ଏକ୍‌ସଠୁ ନେଇ ୟୁଟ୍ୟୁବ ପର୍ଯ୍ୟନ୍ତ। ସବୁଥିରେ ସେମାନେ ଛାଇ ହୋଇଯାଉଛନ୍ତି। ଯନ୍ତରମନ୍ତରରେ ଥାଇ ମା’ବାପାଙ୍କୁ ସେଲ୍‌ଫି ଉଠେଇ କହୁଛନ୍ତି, “ମାମା, ମୁଁ ମିଛ କହି ଏଠିକି ପଳେଇ ଆସିଛି। ଏଇଠି ସାଙ୍ଗମାନଙ୍କ ସାଥିରେ ପିଜା ବର୍ଗର ଖାଇଦେବି। ତୁ ବ୍ୟସ୍ତ ହେବୁ ନାହିଁ।”
ଏହି ଢଙ୍ଗଢାଙ୍ଗ କେବଳ ଆମ ଭାରତବର୍ଷରେ ନୁହେଁ, ପୂରା ବିଶ୍ୱରେ ଦେଖିବାକୁ ମିଳୁଛି। ଫ୍ରାନ୍‌ସ, ସର୍ବିୟା, ଇଟାଲୀ, ସ୍ପେନ, ପର୍ତ୍ତୁଗାଲ, ଆଲବାନିଆ ଓ ଜର୍ମାନୀ ରାଜରାସ୍ତାରେ ହଜାର ହଜାର ଜେନ-ଜି ପୁଅଝିଅମାନେ ଜମା ହୋଇ ସରକାରଙ୍କ ବିରୁଦ୍ଧରେ ଚିତ୍କାର କରୁଛନ୍ତି। ପୂର୍ବରୁ ବିପ୍ଳବର ଭାଷା ହିଂସାତ୍ମକ ଥିଲା ଏବଂ ହାତରୁ ବନ୍ଧୁକ ଓ ବୋମା ଫୁଟୁଥିଲା। ମନେ ପକାନ୍ତୁ ଫରାସୀ ବିପ୍ଳବ, ରୁଷ ବିପ୍ଳବ କିମ୍ବା ଆମେରିକୀୟ ବିପ୍ଳବ। କେତେବେଳେ ରାଜାରାଣୀମାନଙ୍କୁ ହତ୍ୟା କରାଯାଇଥିଲା ତ କେତେବେଳେ ଲକ୍ଷ ଲକ୍ଷ ଲୋକ ଗୃହ ଯୁଦ୍ଧରେ ମୃତ୍ୟୁ ବରଣ କରୁଥିଲେ। କେଉଁଠି କଳାଗୋରାର ସଂଘର୍ଷ ଥିଲା ତ କେଉଁଠି ଦାସ ଓ ମାଲିକ ମଧ୍ୟରେ ଭୟଙ୍କର ରକ୍ତପାତ ହେଉଥିଲା। ବର୍ତ୍ତମାନ ଜେନ-ଜିମାନଙ୍କ ହାତରେ ଗୋଟିଏ ଅସ୍ତ୍ର, ଯାହାର ନାମ ହେଉଛି ମୋବାଇଲ ଫୋନ ଓ ଯାହାର ଗୋଳାବାରୁଦର ଗତି ଏତେ କ୍ଷିପ୍ର ଯେ ଗୋଟିଏ ମୁହୂର୍ତ୍ତରେ ସମଗ୍ର ରାଜ୍ୟରେ ବିସ୍ଫୋରଣ କରେଇ ଦେଇପାରୁଛି। 
ସମଗ୍ର ପୃଥିବୀରେ ଜେନ-ଜିମାନେ ଏହିପରି ଉତ୍‌କ୍ଷିପ୍ତ ହେବାର କାରଣ କ’ଣ? ଆଜି ପୃଥିବୀରେ ଅଧିକାଂଶ ଦେଶରେ ପ୍ରାୟ ବୃଦ୍ଧ ଓ ଅତିଶୟ ବୃଦ୍ଧମାନେ ଶାସନର ଡୋରି ଏମିତି ଭିଡ଼ିକି ରଖିଛନ୍ତି ଯେ ସାମାନ୍ୟତମ ମଧ୍ୟ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ଏମାନେ ପ୍ରାୟ ସମସ୍ତେ ଚିରାଚରିତ ଜାତି, ଧର୍ମ, ଦୁର୍ନୀତି ଓ ମାଗଣା ବଣ୍ଟନରେ ବ୍ୟସ୍ତ ରହୁଛନ୍ତି। ଚତୁର୍ଦିଗରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଅହେତୁକ ଦରବୃଦ୍ଧି, ବିଶୃଙ୍ଖଳିତ ଆଇନ ବ୍ୟବସ୍ଥା ଓ ବେକାରି ସମସ୍ୟା ଉତ୍କଟ ରୂପ ଧାରଣ କରୁଥିଲାବେଳେ ବୃଦ୍ଧ ନେତାମାନେ ସେମାନଙ୍କର ସେହି ପୁରୁଣାକାଳିଆ ରାଜନୀତିର ଖେଳ ଖେଳୁଛନ୍ତି। ଦିନକୁ ଦିନ ଜେନେରେସନ ଗ୍ୟାପ ବଢ଼ି ଚାଲୁଛି ଏବଂ ଶେଷକୁ ଏହା ଏକ ବିସ୍ଫୋରଣର ରୂପ ନେଉଛି। 
ଏବେ ଦେଶରେ ଯାହା ଘଟୁଛି ଘରମାନଙ୍କରେ ମଧ୍ୟ ସେଇୟା ସବୁ ଘଟିବାରେ ଲାଗିଛି। ଭଲ ହେଉ କି ମନ୍ଦ ହେଉ; ଆଗେ ଯେଉଁ ବୁଢ଼ାବୁଢ଼ୀମାନଙ୍କ କଥାରେ ଘର ଚାଲୁଥିଲା, ଆଜିକାଲି ତାହାର ଯବନିକା ପଡ଼ିବାକୁ ଯାଉଛି। ଘରେ ଆଉ ପୁଅବୋହୂମାନଙ୍କର ମଧ୍ୟ ରାଜୁତି ନାହିଁ। ନାତି ନାତୁଣୀମାନେ ମୁଣ୍ଡ ଟେକିଲେଣି। ପାଞ୍ଚ ଛଅ ବର୍ଷରେ ନାତିନାତୁଣୀମାନଙ୍କ ହାତରେ ମୋବାଇଲ ଫୋନ ଆଉ ସେମାନେ ବି ସେମାନଙ୍କର ସ୍ୱାଧୀନତା ଖୋଜିବାକୁ ବସିଲେଣି। କଥାରେ କଥାରେ ବିଦ୍ରୋହର ସ୍ୱର। ସଅଳ ଶୋଇ ସଅଳ ଉଠିବା ପାଇଁ ଉପଦେଶ ଦେଲେ କହୁଛନ୍ତି, “ମୋର ଇଚ୍ଛା, ମୋର ଯେତେବେଳେ ଇଚ୍ଛା ହେବ ଶୋଇବି ଆଉ ଯେତେବେଳେ ଇଚ୍ଛା ହେବ ଉଠିବି, ତୁମେ କହିବାକୁ କିଏ?”
ବନ୍ଧୁଗଣ, ଯୁଗ ବଦଳି ଯାଇଛି। ଆମ ସମୟରେ କାଉଟିଏ ଯେତେବେଳେ ଗଛ ଉପରେ ବସି ରୁଟି ଖାଉଥିଲା ଆଉ ବିଲୁଆ ଯାଇ ତାକୁ ଗୀତ ଗାଇବାକୁ କହୁଥିଲା ସେ ଗୀତ ଗାଇବା ଆରମ୍ଭ କଲା ମାତ୍ରେ ରୁଟି ଖଣ୍ଡକ ତା’ ଥଣ୍ଟରୁ ଖସି ପଡୁଥିଲା ଆଉ ଚତୁର ବିଲୁଆ ତାକୁ ନେଇ ଚମ୍ପଟ ହୋଇଯାଉଥିଲା। ଆଜିକାଲି ଚାରିଆଡ଼େ ଜେନ-ଜି କାଉମାନେ ଉଡୁଛନ୍ତି। ବୁଢ଼ା ବିଲୁଆ ଯଦି ଯାଇ କହୁଛି, “କାଉ ଭାଇ, ତୁମ ସ୍ୱର କେତେ ମଧୁର ଆଉ ଗୋଟିଏ ଗୀତ ଗାଅ” ତେବେ କାଉଟି ଆଗେ ରୁଟି ଖଣ୍ଡକ ଗଛରେ ଗୋଟେ ଖୋପରେ ରଖି ଦେଇ ଗୀତ ଗାଇବାରେ ଲାଗୁଛି। ସତରେ, ଯୁଗ ପୂରା ବଦଳି ଯାଇଛି। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭

Read Entire Article
LEFT SIDEBAR AD

Hidden in mobile, Best for skyscrapers.