Tapu murder case: ତପୁ ହତ୍ୟା ମାମଲା: ବନ୍ଧାହେଲା ଗଜେନ୍ଦ୍ର ବଡ଼ଭାଇ ସୋମା

20 hours ago 3
ARTICLE AD BOX

ଧଉଳି: ତପୁ ନାଏକ ହତ୍ୟା ମାମଲାରେ ଧଉଳି ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ଚିତ୍ରସେନ ଗଜେନ୍ଦ୍ରର ବଡ଼ଭାଇ ସୋମନାଥ ଗଜେନ୍ଦ୍ରକୁ ଗିରଫ କରିଛି। ତେଣୁ ଏହି ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୯ରେ ପହଞ୍ଚିଛି। ଚୋରା ବନ୍ଧୁକ କାରବାର ବାବଦରେ ଖୋଳତାଡ଼ କରିବା ସହ ତପୁକୁ ଗୁଳିକରିବା ସମୟର ସିନ୍‌ ରିକ୍ରିଏସନ୍‌ କରିବା ଉଦ୍ଦେଶ୍ୟରେ ୨ ମୁଖ୍ୟ ଅଭିଯୁକ୍ତ ଚିତ୍ରସେନ ଓ ଉମେଶକୁ ପୁଲିସ ଦୁଇଦିନିଆ ରିମାଣ୍ଡରେ ଆଣିଥିଲା। ରିମାଣ୍ଡ ଅବଧି ଭିତରେ ପୁଲିସ ଖୋଳତାଡ଼ କରୁକରୁ ଚିତ୍ରସେନର ବଡ଼ଭାଇ ସୋମାର ଏହି ମାମଲାରେ ସମ୍ପୃକ୍ତି ଥିବା ନେଇ ପୁଲିସକୁ ତଥ୍ୟ ମିଳିଥିଲା। ତେଣୁ ଆଜି ରିମାଣ୍ଡ ଅବଧି ଶେଷହେବା ପରେ ଉମେଶ, ଚିତ୍ରସେନ ଓ ବଡ଼ଭାଇ ସୋମାକୁ ପୁଲିସ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛି। ଅପରପକ୍ଷେ ଚୋରା ବନ୍ଧୁକ କାରବାର ବାବଦରେ ପୁଲିସ ସୋମାଠାରୁ ବହୁତ କିଛି ସୂଚନା ହାତେଇଥିବା ମଧ୍ୟ ଜଣାପଡ଼ିଛି।  

   ରିମାଣ୍ଡ ସରିଲା, ଜେଲ୍‌ ଫେରିଲେ ୨ ଅଭିଯୁକ୍ତ

ଶିଶୁପାଳଗଡ଼ର ଦୁଇ ଭାଇ ସୋମା ଓ ଚିତ୍ରସେନ ଦକ୍ଷିଣକାଳୀ ଟ୍ରାନ୍ସପୋର୍ଟ ନାମରେ ଏକ ଠିକାଦାରୀ ସଂସ୍ଥା କରି ବିଏମ୍‌ସିରେ ଡ୍ରେନ୍‌, ସ୍ବରେଜ୍‌, ରାସ୍ତା ଆଦି ନିର୍ମାଣ କାମ କରାଉଥିଲେ। ଏଥିସହିତ ସଂସ୍ଥା ନଁରେ ଚାଲିଥିବା ହାଇୱା, ଟ୍ରାକ୍ଟର, ଜେସିବି ଆଦି ନଦୀରୁ ଚୋରା ବାଲି ଚାଲାଣ ଭଳି କାରବାରେ ଲାଗିଥିଲା। ସେହିଭଳି ସ୍ଥାନୀୟ ଅଞ୍ଚଳରେ ଆପାର୍ଟମେଣ୍ଟ ଓ ଫ୍ଲାଟ ନିର୍ମାଣ ପାଇଁ ଇଟା, ବାଲି, ଚିପ୍‌ସ ଭଳି ସାମଗ୍ରୀ ମଧ୍ୟ ଯୋଗାଉଥିଲେ। ଉମେଶ ପଟ୍ଟନାୟକ ଥିଲା ଏହି ସଂସ୍ଥାର ମ୍ୟାନେଜର୍‌। ବିଶେଷକରି ସେ ସଂସ୍ଥାର ସବୁତକ ଗାଡ଼ି ପରିଚାଳନା କରୁଥିଲା। ଦକ୍ଷିଣକାଳୀ ଟ୍ରାନ୍‌ସପୋର୍ଟ ସଂସ୍ଥା ଦିନକୁ ଦିନ ବଢ଼ୁଥିବା ବେଳେ ସୋମା ଓ ଚିତ୍ରସେନର ବ୍ୟବସାୟିକ ଶତ୍ରୁ ସଂଖ୍ୟା ମଧ୍ୟ ବଢ଼ୁଥିଲା। ଏକଦା ବିଏମ୍‌ସିରେ ଏକ ଠିକା କାମ ଚାଲିଥିବା ବେଳେ କିଛି ଦୁର୍ବୃତ୍ତ ବଟିମାଗି ଚିତ୍ରସେନର ଜେସିବି ପୋଡ଼ି ଦେଇଥିଲେ। ଏମିତିରେ ଶତ୍ରୁ ସଂଖ୍ୟା ବଢ଼ୁଥିବାରୁ ଦୁଇ ଭାଇ ପିସ୍ତଲଟିଏ କିଣିଥିବା ଜଣାପଡ଼ିଛି। ବନ୍ଧୁକ ରଖିବା ପରଠୁ ସେମାନେ ବିପକ୍ଷ ଗୋଷ୍ଠୀଙ୍କୁ ଭୟଭୀତ କରାଇ ବହୁ କାମ ହାତେଇଥିବା ଜଣାପଡ଼ିଛି। ପୁଲିସ ସୂଚନାନୁସାରେ ତପୁ ନାଏକ ଗୁଳିକାଣ୍ଡ ବେଳେ ଭୋଜି ଆସରରେ ସୋମା ବି ସାମିଲ ଥିଲା। ଏମିତିକି ପୁଲିସକୁ ଭୁଆଁ ବୁଲାଇବାକୁ ସେଦିନ ଯେଉଁ ନାଟକ ରଚନା କରାଯାଇଥିଲା, ସେଥିରେ ସୋମାର ବଡ଼ ଭୂମିକା ଥିଲା।

ସୂଚନାଯୋଗ୍ୟ ଯେ ଘଟଣାଦିନ ରାତିରେ ବନ୍ଧୁକ କିଣା ଖୁସିରେ ସୋମା ଓ ଚିତ୍ରସେନ ଏକ ପାର୍ଟିର ଆୟୋଜନ କରିଥିଲେ। ଉମେଶଠାରୁ ଫୋନ୍‌ ପାଇ ତପୁ ନାଏକ ଉକ୍ତ ଭୋଜିରେ ସାମିଲ ହୋଇଥିଲେ। କିନ୍ତୁ ଭୋଜିରେ ନୂଆ ବନ୍ଧୁକ ଧରି ମସ୍ତି କରୁକରୁ ତପୁଙ୍କ ଛାତିରେ ଗୁଳି ବାଜିଥିଲା ବୋଲି ଅଭିଯୁକ୍ତମାନେ କହିଛନ୍ତି। କିନ୍ତୁ ସ୍ତ୍ରୀ ମାନସୀଙ୍କ ଅଭିଯୋଗ ଅନୁସାରେ ସେଦିନ ବକେୟା ଟଙ୍କା ଦେବାକୁ ତପୁ ଘରୁ ୮୦ ହଜାର ଟଙ୍କା ନେଇଯାଇଥିଲେ। ତେଣୁ ଟଙ୍କା ଦେଣନେଣକୁ ନେଇ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.