ARTICLE AD BOX
ରାଇରଙ୍ଗପୁର/ଶୁକୃଳି: କାରଖାନାର କଳା ଗୁଣ୍ଡ ଓ ବର୍ଜବସ୍ତୁ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜଜିଲ୍ଲା ଶୁକୃଳି ବ୍ଳକ ପାଣ୍ଡରଶୀଳ ଗ୍ରାମରେ ଥିବା ମା' ତାରିଣୀ ଷ୍ଟିଲପ୍ଲାଣ୍ଟ ଦିନକୁ ଦିନ ପ୍ରାକୃତିକ ପରିବେଶକୁ ବିପର୍ଯ୍ୟସ୍ତ କରୁଛି ନିୟମ ଉଲ୍ଲଂଘନ କରାଯାଇ ଜନବସତି ଅଞ୍ଚଳରେ ପ୍ଲାଣ୍ଟ ନିର୍ମାଣ କରାଯାଇଥିବା ବେଳେ ପ୍ଲାଣ୍ଟରୁ ନିର୍ଗତ କଳାଧୂଆଁରେ ସାଧାରଣ ଲୋକେ ଅତିଷ୍ଠ ହେବାସହ କଳାଡଷ୍ଟ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଚିନ୍ତାର କାରଣ ପାଲଟିଛି।
ପ୍ଲାଣ୍ଟରୁ ବାହାରୁଥିବା କଳାଗୁଣ୍ଡ ଏବେ ପାହାଡରେ ପରିଣତ ହେଲାଣି। ଏକ ଶିକ୍ଷା ଅନୁଷ୍ଠାନ ନିକଟରୁ ମାତ୍ର ୧୦୦ମିଟର ଦୂରରେ ପ୍ଲାଣ୍ଟରୁ ନିର୍ଗତ ବର୍ଜ୍ୟବସ୍ତୁ କଳାଗୁଣ୍ଡ ଗଦା କରାଯାଇଛି। ଯାହାର ସିଧାସଳଖ ପ୍ରଭାବ କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ ପଡୁଥିବା ଜଣାଯାଇଛି ସାମାନ୍ୟ ପବନରେ ଏହି ଗଦାରୁ କଳାଗୁଣ୍ଡ ଉଡି ଜନବସତି ଓ ଚାଷଜମି ଉପରେ ପଡୁଥିବା ବେଳେ ବର୍ଷାରେ କେମିକାଲ ମିଶ୍ରିତ କଳାପାଣି ଲୋକଙ୍କ ଚାଷଜମିରେ କ୍ଷତି ପହଞ୍ଚାଉଛି। ଏହାର ପ୍ରଭାବରେ ସ୍ଥାନୀୟ ଲୋକେ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହେଉଥିବା ଜଣାଯାଉଛି ଯଦିକେହି ଅଭିଯୋଗ କରିବାର ନଜିର ଆସେ ପ୍ଲାଣ୍ଟ କର୍ତ୍ତୃପକ୍ଷ ପକ୍ଷରୁ କୋର୍ଟ କଚେରି ଧମକ ଦିଆଯାଇ ଚୁପ ହେବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହେଉଛି।
ପ୍ଲାଣ୍ଟକୁ ଆସୁଥିବା ଶତାଧିକ ଭାରିଯାନ ରାସ୍ତାକୁ ଖାଲଖମାରେ ପରିଣତ କଲାଣି ଶୁକୃଳିଠାରୁ ପ୍ଲାଣ୍ଟ ପର୍ଯ୍ୟନ୍ତ ରାସ୍ତା ଖାଲଖମା ହୋଇ ସାଧାରଣ ଲୋକଙ୍କ ଯିବା ଆସିବାରେ ବାଧକ ଦେଖା ଦେଉଛି। ସ୍କୁଲ କଲେଜ ଛାତ୍ରଛାତ୍ରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବା ସହିତ ଅନେକ ସମୟରେ ଖାଲରେ ପଡି ଦୁର୍ଘଟଣାମାନ ଘଟୁଥିବା ଜଣାଯାଉଛି ରାସ୍ତାଘାଟ ପାରିପାର୍ଶ୍ବକ ଉନ୍ନତି ହେବା ବଦଳରେ ଅବନ୍ନତି ଘଟିଚାଲିଛି।
ଅନ୍ୟ ଜିଲ୍ଲା ଓ ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦିଆଯାଇ ଅଞ୍ଚଳବାସୀଙ୍କ ଅର୍ଥିକ ବିକାଶ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତ କରାଯିବାର ଆଶା ମଉଳିଯାଇଛି ପ୍ଲାଣ୍ଟରେ ୨୦୦୦ରୁ ଅଧିକ କର୍ମଚାରୀ ଅନ୍ୟ ଜିଲ୍ଲା ଓ ରାଜ୍ୟର ଥିବା ବେଳେ ହାତ ଗଣତି କିଛି ସଫେଇ କର୍ମଚାରୀଙ୍କୁ ସ୍ଥାନୀୟ ଅଞ୍ଚଳରୁ ରଖାଯାଇଛି। ଫଳରେ ସ୍ଥାନୀୟ ବାସିନ୍ଦା ବାହାର ରାଜ୍ୟକୁ ଦାଦନ ଖଟିବା ଯିବାକୁ ବାଧ୍ୟ ହେଉଛନ୍ତି। ଗୋଟିଏ ପଟେ ସ୍ଥାନୀୟ ଲୋକଙ୍କୁ ପ୍ଲାଣ୍ଟରେ ନିଯୁକ୍ତି ଦେବାର ସୁଯୋଗ ପ୍ଲାଣ୍ଟ ପକ୍ଷରୁ କୁହାଯାଇଥିବା ବେଳେ ଅନ୍ୟ ଜିଲ୍ଲାର ଲୋକଙ୍କୁ ନିଯୁକ୍ତି ଦିଆଯାଇଛି।ଏପରିକି ସରକାରୀ ନିୟମ ଅନୁଯାଇ ଧାର୍ଯ୍ୟ କରାଯାଇଥିବା ଶ୍ରମର ଉଚିତ୍ ମୂଲ୍ ଠାରୁ ଯଥେଷ୍ଟ କମ ମୂଲ୍ୟ ଦିଆ ଯାଉଥିବା ଜଣାଯାଇଛି।
ପ୍ଲାଣ୍ଟ ପକ୍ଷରୁ ଖଣି ବିକାଶ ପାଣ୍ଠି ବ୍ୟବହାର କରି କୌଣସି ବିକାଶମୂଳକ କାର୍ଯ୍ୟ ହେଉନଥିବା ଦେଖାଯାଉଛି। ନିର୍ବାଚନ ଆସିଲେ, ସରକାର ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଯୋଗାଇବାକୁ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ନିର୍ବାଚନ ପରେ କୌଣସି ନିଯୁକ୍ତି ଫଳାଫଳ ଦେଖାଯାଉନାହିଁ। ଏହା ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରୁଛି। ତେଣୁ, ପ୍ଲାଣ୍ଟ କର୍ତ୍ତୃପକ୍ଷ ଏବଂ ସରକାର ମିଳିତ ଭାବରେ କାମ କରିବା ଉଚିତ ଏବଂ ଆବଶ୍ୟକ ଲୋକଙ୍କୁ ନିଯୁକ୍ତି ଯୋଗାଇବା ଉଚିତ। ଅଞ୍ଚଳର ବାସିନ୍ଦା ପରିବେଶଗତ ଉନ୍ନତି ଏବଂ ରାସ୍ତାର ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଦାବି କରିଛି।
ତେବେ ଏ ସମ୍ବନ୍ଧରେ ବ୍ଲକ ପ୍ରହସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରସାଶନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସବୁ ଜାଣି ନିଦାବିଷ୍ଣୁ ପାଲଟିଛି। ତେବେ ପ୍ରଶାସନ ତାଙ୍କ ବିରୁଦ୍ଧରେ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା। ତେବେ ଏ ସମ୍ବନ୍ଧରେ ପ୍ଲାଣ୍ଟର ଜଣେ ମୁଖ୍ୟ ରୌପ୍ୟ ରଞ୍ଜନ ସାହୁଙ୍କ ସହିତ ଯୋଗାଯୋଗ କରିବାରୁ ସେ ସମ୍ବନ୍ଧରେ କୌଣସି ମନ୍ତବ୍ୟ ଦେଇନଥିଲେ , ଏନେଇ ଆମ ଏଚଆର ମତ ଦେବେ ବୋଲି କହିଥିଲେ।
/filters:format(webp)/sambad/media/media_files/2026/11/12/new-project-2-2026-11-12-22-03-03.jpg)
ଉକ୍ତ ପ୍ଲାଣ୍ଟ ପାଇଁ ଶୁ,ତେରନ୍ତି ଓ ଚତୁରାଞ୍ଜଳି ପଂଚାୟତର ବହୁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି । ଶିଳ୍ପ ପ୍ରଭାବିତ ଅଞ୍ଚଳରେ ଜଳ, ଲାଇଟ୍, ରାସ୍ତା ଘାଟ କିମ୍ବା ଅନ୍ୟ କୌଣସି ସୁବିଧା ଯୋଗାଉନାହିଁ। ଦିନ ବଦଳରେ ରାତିରେ ପ୍ଲାଣ୍ଟ କାର୍ଯ୍ୟ ଚାଲିଛି। ଏଥିପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ଲାଣ୍ଟ କର୍ତ୍ତୃପକ୍ଷ କୌଣସି ବ୍ୟବସ୍ଥା କରିନାହାନ୍ତି।
-ଦମୟନ୍ତୀ ନାଏକ୍, ସରପଞ୍ଚ, ଶୁକ୍ରୁଳି ଗ୍ରା.ପ
ମା ତାରିଣୀ ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଅଞ୍ଚଳ ପାଇଁ କୌଣସି ବିକାଶ କରୁନାହାନ୍ତି। ନିଜର ଲାଭ ଉପାର୍ଜନ କରି ନିଜେ ପ୍ରତିଷ୍ଠିତ ହେବାର ପ୍ରଚେଷ୍ଟା ଚଲାଇଛନ୍ତି। ପ୍ରଭାବିତ ଅଞ୍ଚଳରୁ ମାତ୍ର ୭୦ରୁ ୮୦ ଜଣ କର୍ମଚାରୀ ଓ ଶ୍ରମିକ ନିଯୁକ୍ତ ଥିବା ବେଳେ ବାହାର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ବ୍ୟତୀତ ପ୍ଲାଣ୍ଟ ଠାରୁ ଶୁକ୍ରୁଳି ବ୍ଲକ ଛକ ପର୍ଯ୍ୟନ୍ତ ଜଳ ସିଞ୍ଚନ କରାଯାଉ। ବିକାଶ ପରିବର୍ତ୍ତେ ମାତ୍ର ଦୁଇ ତିନି ଖଣ୍ଡ ଦୋକାନ ବ୍ୟତୀତ କିଛି ହୋଇନାହିଁ।
-ଚନ୍ଦ୍ରମଣି ହେମ୍ବ୍ରମ୍, ତେରଣ୍ଟୀ ଗ୍ରାପ ସରପଞ୍ଚ
ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେବା ପରେ ଆଖି ଦୃଶିଆ ସେମିତି କୌଣସି ଉନ୍ନତି ହୋଇନାହିଁ। ପ୍ଲାଣ୍ଟ ପ୍ରତିଷ୍ଠା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଯେ ଏହି ଅଞ୍ଚଳର ବିକାଶ ହେବ କିନ୍ତୁ କିଛି ହେଉନାହିଁ। ପ୍ଲାଣ୍ଟ ପକ୍ଷରୁ କୌଣସି ପାଣ୍ଠି ଦିଆଯାଉନାହିଁ। ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀଙ୍କ ମନ୍ଦିର ପାଇଁ କିଛି ଉନ୍ନତି କରାଯାଉ। ପାଣି ,ବିଦ୍ୟୁତ୍ ସମେତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉ।
-ଅଙ୍କିତା ବେହେରା, ଖିଚିଂ ଗ୍ରାପର ସରପଂଚ
ପ୍ଲାଣ୍ଟ ପକ୍ଷରୁ କଲେଜ୍ କିମ୍ବା ଅଞ୍ଚଳର ଉନ୍ନତି କରୁନାହିଁ। ବିକାଶ ବଦଳରେ ବିନାଶ କରୁଛି। ରାସ୍ତାରେ ପାଣି ସିଞ୍ଚନ କରାଯାଉନଥିବାରୁ ଧୂଳି ଉଡ଼ି ପ୍ରଦୂଷଣ ହେଉଛି। ୨୪ ଘଣ୍ଟା ଶିଳ୍ପର ଯାନ ବାହାନ ଚଳାଚଳ ଯୋଗୁଁ ଛାତ୍ର ଛାତ୍ରୀ ମାନେ ଯାତାୟତ କରୁଥିବାରୁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। କଲେଜ୍ ଆରମ୍ଭ ହେବ ପୂର୍ବରୁ ଓ ବନ୍ଦ ହେବା ସମୟରେ ଗାଡ଼ି ଚଳାଚଳ ବନ୍ଦ କରାଯାଉ। ଏଣୁ ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ଜଳ ସିଞ୍ଚନ କରାଯାଉ। ଯଥା ଶୀଘ୍ର ଏହି ସମସ୍ୟା ଗୁଡ଼ିକର ସମାଧାନ ନକଲେ ଛାତ୍ର ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନା କରିବୁ।
-ଭୁବନାନନ୍ଦ ବେଙ୍ଗରା, ଛାତ୍ର ସଂସଦର ସଭାପତି, ଖିଚିଂ ମହାବିଦ୍ୟାଳୟ

1 hour ago
3


