ARTICLE AD BOX
ଭଦ୍ରକ (ହରିହର ନାୟକ): ଭଦ୍ରକ ସହରରେ ଡକାୟତି କରିବାକୁ ଅପରାଧୀଙ୍କ ମସୁଧା! ରାତିର ଅନ୍ଧାରରେ ସହରର ବିଭିନ୍ନ ସ୍ଥାନକୁ ଟାର୍ଗେଟ୍ କରିବା ପାଇଁ ଏକାଠି ହୋଇଥିଲେ ୭ ଜଣ। ନିକଟରେ ଥିଲା ଧାରୁଆ ଛୁରୀ, ଲୁହାରଡ୍ ଓ ଅନ୍ୟାନ୍ୟ ସାମଗ୍ରୀ। ଭଦ୍ରକ ସହରରେ କୌଣସି ବଡ଼ଧରଣର ଅପରାଧ ଘଟାଇବା ପୂର୍ବରୁ ଟାଉନ୍ ଥାନା ପୁଲିସର ଅଚାନକ ଚଢ଼ଉ ସେମାନଙ୍କ ଯୋଜନାରେ ପାଣି ପକାଇଛି। ଡ଼ଗରା ସାହି କେନାଲ ରାସ୍ତା ନିକଟରୁ ୭ ଜଣଙ୍କୁ ଗିରଫ କରିଛି ପୋଲିସ। ଏହି ଘଟଣା ସହରରେ ଅପରାଧିକ ଗତିବିଧି ନେଇ ପୁଣି ଥରେ ଚିନ୍ତା ବଢ଼ାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୧ ତାରିଖ ରାତିରେ ଟାଉନ୍ ଥାନା ପୁଲିସ ପାଟ୍ରୋଲିଂ କରୁଥିବାବେଳେ ଡ଼ଗରା ସାହି କେନାଲ ରାସ୍ତା ନିକଟରେ କିଛି ବ୍ୟକ୍ତି ଏକ ଗଛମୂଳେ ଅନ୍ଧାରରେ ଏକତ୍ରିତ ହୋଇଥିବା ଖବର ପାଇଥିଲା। ସେମାନେ ସହରର ବିଭିନ୍ନ ସ୍ଥାନରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ଗୁପ୍ତ ସୂଚନା ମିଳିବା ପରେ ପୁଲିସ ଟିମ୍ ତୁରନ୍ତ ସେଠାରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ସେମାନେ ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ସମସ୍ତ ୭ ଜଣଙ୍କୁ କାବୁ କରାଯାଇଥିଲା।
ଗିରଫ ବ୍ୟକ୍ତିମାନେ ହେଲେ ବାଲେଶ୍ୱର ଜିଲ୍ଲା ଖଇରା ଥାନା କୁପାରୀର ସୁଶାନ୍ତ ଦେଉରୀ (୪୫), କଟକ ସଦର ଫୁଲନଖରାର ରାଜୁ ଦାସ (୨୦), ମାହାଙ୍ଗା କୁହୁଣ୍ଡାର ବିଜୁ ଦାସ (୨୪), ଭଦ୍ରକ ପୁରୁଣାବଜାର ବଙ୍କାବଜାରର ଜବାଜ ଖାନ୍ (୨୫), ଚୌଦ୍ୱାର ଗୋପାଳନଗରର କୁଶ ଦାସ (୪୫) ଓ ଅନିଲ ଦାସ (୨୪) ଏବଂ କଟକ ରେଳଷ୍ଟେସନ ନିକଟ ଅଞ୍ଚଳର ସଞ୍ଜିତ ଦାସ (୪୦)। ସେମାନଙ୍କ ନିକଟରୁ ବିଭିନ୍ନ ପ୍ରକାରର ଧାରୁଆ ଛୁରୀ, ଲୁହାରଡ୍, ଧାରୁଆ ଲୁହାରଡ୍, ସ୍କ୍ରୁ ଡ୍ରାଇଭର୍, ବାକାର୍ଡି ଓ ବିୟର ବୋତଲ, ସିଗାରେଟ୍ ପ୍ୟାକେଟ୍, ମିକ୍ସଚର୍ ପ୍ୟାକେଟ୍ ଓ ପାଣି ବୋତଲ ଜବତ କରାଯାଇଛି।
Three Arrested: ସୁନ୍ଦରଗଡ଼ ବ୍ୟାଙ୍କ ଡକାୟତି ଉଦ୍ୟମ ମାମଲା: ୩ ଗିରଫ, ଜଣେ ନାବାଳକ ଅଟକ
ଏହି ଘଟଣାକୁ ନେଇ ଭଦ୍ରକ ଟାଉନ୍ ଥାନାରେ କେସ୍ ନଂ ୬୮୬/୨୦୨୬, ତାରିଖ ୧୨.୧୧.୨୦୨୬ରେ ବିଏନ୍ଏସ୍ର ଧାରା ୩୧୦(୪)/୩୧୦(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ଏସ୍ଆଇ ଏ.ପି. ମହାପାତ୍ର ମାମଲାର ତଦନ୍ତ କରୁଛନ୍ତି। ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳଠାରୁ ନିର୍ଜନ ରାସ୍ତା ପର୍ଯ୍ୟନ୍ତ ଲୋକଙ୍କ ସୁରକ୍ଷା ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏଭଳି ଅପରାଧିକ ଯୋଜନାକୁ ଆରମ୍ଭରୁ ରୋକିବା ପାଇଁ ପୋଲିସର ରାତ୍ରିକାଳୀନ ପାଟ୍ରୋଲିଂ ଓ ନିୟମିତ ଯାଞ୍ଚକୁ ଆହୁରି ଜୋରଦାର କରିବା ଆବଶ୍ୟକ। ସେହିପରି ଗିରଫ ବ୍ୟକ୍ତିମାନଙ୍କର ଅନ୍ୟ କୌଣସି ଅପରାଧରେ ସମ୍ପୃକ୍ତି ରହିଛି କି ନାହିଁ, ତାହା ତଦନ୍ତରୁ ସ୍ପଷ୍ଟ ହେବ।

57 minutes ago
2


