ARTICLE AD BOX
ହରିଦ୍ବାର: ବହୁ ଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡ ମାମଲାରେ ଦୋଷମୁକ୍ତ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ମୃତ୍ୟୁ ଉପରୁ ପରଦା ହଟିଛି। ଫାଶୀ ଲାଗିବା ଯୋଗୁ ଶ୍ବାସରୁଦ୍ଧ ହୋଇ କୋଲିଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। କୋଲି ନିଠାରୀ ମାମଲାରେ ଦୋଷମୁକ୍ତ ହେବା ପରଠାରୁ ଉତ୍ତରାଖଣ୍ଡର ହରିଦ୍ୱାରରେ ଏକ ଚା’ ଦୋକାନ ଚଳାଉଥିଲେ। ସେପ୍ଟେମ୍ବର ୧୮ ତାରିଖରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କୋଲି ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଥିବାବେଳେ ଘଟଣାର ତଦନ୍ତ କରାଯାଉଛି।
ଅତିକମ୍ରେ ୧୯ ଶିଶୁଙ୍କୁ ହତ୍ୟା କରାଯାଇଥିଲା
ଶବ ବ୍ୟବଚ୍ଛେଦ ପରେ କୋଲିଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶନିବାର ପରିବାର ଲୋକଙ୍କ ଉପସ୍ଥିତିରେ କୋଲିଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଥିଲା। ଖାର୍ଖାରୀ ଶ୍ମଶାନ ଘାଟରେ କୋଲିଙ୍କ ଶେଷକୃତ୍ୟ ସମାପ୍ତ ହୋଇଛି। କୋଲି ୨୦୦୬ ମସିହାରେ ନୋଏଡାରେ ଘଟିଥିବା କୁଖ୍ୟାତ ସିରିଏଲ ହତ୍ୟାକାଣ୍ଡ ମାମଲାରେ ମୃତ୍ୟୁଦଣ୍ଡ ଭୋଗୁଥିବା ବେଳେ ସୁପ୍ରିମକୋର୍ଟ ୨୦୨୫ ନଭେମ୍ବରରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ଓ ଏହି ହତ୍ୟାକାଣ୍ଡ ସହିତ ଜଡିତ ତାଙ୍କ ବିରୋଧରେ ଥିବା ଆଇନଗତ ମାମଲାଗୁଡ଼ିକର ଅନ୍ତ ଘଟିଥିଲା। କୋଲି ଓ ତାଙ୍କ ନିଯୁକ୍ତିଦାତା ମନିନ୍ଦର ସିଂହ ପାନ୍ଧେର୍ ଶିଶୁମାନଙ୍କ ସହିତ ଦୁଷ୍କର୍ମ କରିବା ପରେ ସେମାନଙ୍କୁ ହତ୍ୟା କରୁଥିବା ଅଭିଯୋଗ ହୋଇଥିଲା ଓ ପରେ ଦୁହେଁ ଦୋଷମୁକ୍ତ ହୋଇଥିଲେ। ଅତିକମ୍ରେ ୧୯ ଶିଶୁଙ୍କୁ ହତ୍ୟା କରାଯାଇଥିଲା। କୋଲି ଓ ପାନ୍ଧେରଙ୍କ ବିରୋଧରେ ଥିବା ମାମଲାରେ ସେମାନେ ଦୋଷମୁକ୍ତ ହେବା ପରେ, ୨୦୦୬ ନିଠାରୀ ହତ୍ୟାକାଣ୍ଡ ଭାରତର ସବୁଠାରୁ ବଡ଼ ଅସମାପ୍ତ ହତ୍ୟା ମାମଲା ମଧ୍ୟରୁ ଗୋଟିଏ ହୋଇ ରହିଛି।

5 days ago
6


