ARTICLE AD BOX
ଆଶା କରାଯାଏ, ଆଗାମୀ ଦଶହରା ସମୟରେ ମା’ ଦୁର୍ଗା ଦୁଷ୍ଟ ମହିଷାସୁରକୁ ମର୍ଦ୍ଦନ କରିବାରେ ପ୍ରବୃତ୍ତ ଥିବାବେଳେ, କମିସନରେଟ୍ ପୁଲିସ ସତତ ସଜାଗ ରହି ଶବ୍ଦାସୁରକୁ ଦମନ କରିବାରେ ସଫଳ ହେବ ଏବଂ ଏହା କେବଳ ରାଜଧାନୀରେ ସୀମିତ ନ ରହି ସାରା ରାଜ୍ୟରେ ଅନୁସୃତ ହେବ।
ଅଦ୍ବୈତ ବେଦାନ୍ତର ମାୟାବାଦ ଦ୍ବାରା ଗଭୀର ଭାବରେ ପ୍ରଭାବିତ ଊନବିଂଶ ଶତାବ୍ଦୀର ମହାନ ଜର୍ମାନ୍ ଦାର୍ଶନିକ ଆର୍ଥର୍ ସୋପେନ୍ହାଉଅର୍ କିନ୍ତୁ ଗୋଟିଏ ମାୟା ପାଖରେ ଆତ୍ମସମର୍ପଣ କରିଥିଲେ: ସଙ୍ଗୀତ। ଏହା ସୁବିଦିତ ଯେ ନିଉଟନ୍ଙ୍କର ‘ଗତିର ତୃତୀୟ ନିୟମ’ (‘ଥାର୍ଡ ଲ ଅଫ ମୋସନ୍’) ଅନୁସାରେ ପ୍ରତ୍ୟେକ କ୍ରିୟାର ଏକ ସମାନ ଓ ବିପରୀତ ପ୍ରତିକ୍ରିୟା ରହିଥିବା ଭଳି ଜଣେ ବ୍ୟକ୍ତି ପାଇଁ ତା’ର ପ୍ରତ୍ୟେକ ଆକର୍ଷଣ ସହିତ ତୁଳନୀୟ ଏକ ସମାନ ଓ ବିପରୀତ ବିକର୍ଷଣ ରହିଥାଏ। ଉଦାହରଣ ସ୍ବରୂପ ଜଣେ ନିୟମାନୁବର୍ତ୍ତୀ ବ୍ୟକ୍ତିଙ୍କ ପାଇଁ ଶୃଙ୍ଖଳା ଯେତିକି ଆକର୍ଷଣ ସୃଷ୍ଟି କରିଥାଏ, ବିଶୃଙ୍ଖଳା ଠିକ୍ ସେତିକି ବିକର୍ଷଣ ସୃଷ୍ଟି କରିଥାଏ; ଜଣେ ସତ୍ୟବାଦୀଙ୍କୁ ସତ୍ୟ ଯେତିକି ଆକର୍ଷିତ କରିଥାଏ ମିଥ୍ୟା ସେତିକି ବିକର୍ଷିତ କରିଥାଏ। ସଙ୍ଗୀତ ପ୍ରତି ସୋପେନ୍ହାଉଅର୍ଙ୍କର ଗଭୀର ଅନୁରକ୍ତି ସ୍ବାଭାବିକ ଭାବରେ ଏଇ ନିୟମ ଦ୍ବାରା ପ୍ରଭାବିତ ହୋଇଥିଲା।
ସଙ୍ଗୀତ ହେଉଛି ଶୃଙ୍ଖଳିତ, ସଂଯତ ଧ୍ବନି; ଯାହାର ସଂପୂର୍ଣ୍ଣ ବିପରୀତ ହେଉଛି ବିଶୃଙ୍ଖଳିତ, ଅସଂଯତ ଧ୍ବନି ବା କୋଳାହଳ ବା ଇଂରେଜୀରେ- ‘ନଏଜ୍’। ସଙ୍ଗୀତ ସୋପେନ୍ହାଉଅର୍ଙ୍କ ଠାରେ ଯେଉଁଭଳି ଅନିର୍ବଚନୀୟ ଅନୁରାଗ ସୃଷ୍ଟି କରୁଥିଲା, ତାହାର ବିପରୀତ କୋଳାହଳ ବା ‘ନଏଜ୍’ ସେଇଭଳି ତାଙ୍କଠାରେ ଅକଥନୀୟ ବିରାଗ ସୃଷ୍ଟି କରୁଥିଲା। ତାଙ୍କର ‘ଅନ୍ ଡିନ୍ ଆଣ୍ଡ୍ ନଏଜ୍’ ଶୀର୍ଷକ ପ୍ରବନ୍ଧରେ ସୋପେନ୍ହାଉଅର୍ ଲେଖିଥିଲେ ‘ନଏଜ୍’ ‘‘ମସ୍ତିଷ୍କକୁ ପଙ୍ଗୁ କରିଦିଏ, ଚିନ୍ତନର ଖିଅକୁ ଖିନଭିନ କରିଦିଏ, ସମସ୍ତ ଧ୍ୟାନକୁ ହତ୍ୟା କରିଥାଏ।’’ ସୋପେନ୍ହାଉଅର୍ଙ୍କ ପାଇଁ କୋଳାହଳ କେବଳ ଏକ ବିରକ୍ତିର ଉତ୍ସ ନ ଥିଲା; ତାଙ୍କ ପାଇଁ ଏହା ଥିଲା ଚରିତ୍ରର ଅନ୍ୟତମ ପରିମାପକ- ଏକ ବ୍ୟାରୋମିଟର। ସେ ଦୃଢ଼ ଭାବରେ ବିଶ୍ବାସ କରୁଥିଲେ ଯେ ଜଣକର କୋଳାହଳ ସହନ କ୍ଷମତା ଓ ତା’ର ବୁଦ୍ଧିମତ୍ତା ସ୍ତର ମଧ୍ୟରେ ସଂପର୍କ ହେଉଛି ବ୍ୟୁତ୍କ୍ରମାନୁପାତୀ ବା ଓଲଟା-ଆନୁପାତିକ। ଅର୍ଥାତ୍ ନିର୍ବୋଧମାନେ ହିଁ ଶବ୍ଦ ପ୍ରଦୂଷଣରୁ ଆନନ୍ଦ ଲାଭ କରିଥାନ୍ତି, ବୁଦ୍ଧିମାନ ବ୍ୟକ୍ତିମାନେ ଶବ୍ଦ ପ୍ରଦୂଷଣ ସହ୍ୟ କରିପାରି ନଥାନ୍ତି।
ଅନେକ ସମୟରେ ଦାର୍ଶନିକମାନେ ସେମାନଙ୍କ ଅନ୍ତର୍ଦୃଷ୍ଟି ବଳରେ ଯାହା ଆବିଷ୍କାର କରିଥାନ୍ତି, ପରବର୍ତ୍ତୀ ସମୟରେ ବୈଜ୍ଞାନିକମାନଙ୍କ ଦ୍ବାରା ପରୀକ୍ଷାଗାରରେ ତାହା ସତ୍ୟ ସାବ୍ୟସ୍ତ ହୋଇଥାଏ (ଯେମିତି ଊନବିଂଶ ଶତାବ୍ଦୀରେ ପଦାର୍ଥବିଜ୍ଞାନୀ ଜନ୍ ଡାଲ୍ଟନ ତାଙ୍କର ଗବେଷଣାଗାରରେ ପରମାଣୁର ଆବିଷ୍କାର କରିବାର ଦୁଇ ହଜାର ବର୍ଷରୁ ଅଧିକ କାଳ ପୂର୍ବରୁ ବୈଶେଷିକ ଦର୍ଶନର ପ୍ରବର୍ତ୍ତକ ମହର୍ଷି କଣାଦ ନିଜର ଅନ୍ତର୍ଦୃଷ୍ଟି ବଳରେ ଏହାର ଉପସ୍ଥିତି ସମ୍ବନ୍ଧରେ ଅବଗତ ହୋଇ ତାହାକୁ ନିଜର ତତ୍ତ୍ବର ମୂଳାଧାରରେ ପରିଣତ କରିଥିଲେ)। ସେଇ ଧାରାର ଅଂଶସ୍ବରୂପ ସାଂପ୍ରତିକ ସମୟରେ ଶବ୍ଦ ପ୍ରଦୂଷଣ ସମ୍ବନ୍ଧରେ ବୈଜ୍ଞାନିକମାନେ କରିଥିବା ଗବେଷଣାମାନଙ୍କରୁ ଉପଲବ୍ଧ ଫଳାଫଳ ସୋପେନ୍ହାଉଅର୍ଙ୍କର ଅନ୍ତର୍ଦୃଷ୍ଟିପ୍ରସୂତ ଉପରୋକ୍ତ ଆଶଙ୍କା ସବୁକୁ ସତ୍ୟ ସାବ୍ୟସ୍ତ କରିଥାଏ।
ଉଦାହରଣ ସ୍ବରୂପ ମର୍ଯ୍ୟାଦାଜନକ ଚିକିତ୍ସାବିଜ୍ଞାନ ପତ୍ରିକା ‘ସଦର୍ନ ମେଡିକାଲ ଜର୍ନାଲ୍’ରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁସାରେ ଶବ୍ଦ ପ୍ରଦୂଷଣ ଯୋଗୁଁ ‘‘ଉଦ୍ବେଗ, ମାନସିକ ଚାପ, ସ୍ନାୟବିକ ଅସ୍ଥିରତା, ବାନ୍ତି ଭାବ, ମୁଣ୍ଡବିନ୍ଧା, ଆବେଗିକ ଅସ୍ଥିରତା, ତର୍କ ପ୍ରବଣତା, ଯୌନ ଦୌର୍ବଲ୍ୟ, ଚିତ୍ତଚାଞ୍ଚଲ୍ୟ, ସାମାଜିକ ବିବାଦରେ ବୃଦ୍ଧି, ସ୍ନାୟୁ ଦୋଷ, ଉନ୍ମାଦ ଅବସ୍ଥା ଓ ମସ୍ତିଷ୍କ ବିକୃତି’’ ଆଦି ସୃଷ୍ଟି ହୋଇଥାଏ। ଅନ୍ୟ ଏକ ଗବେଷଣା ରିପୋର୍ଟ ଅନୁସାରେ ଗଭୀର ନିଦ୍ରା ମଧ୍ୟ ଉଚ୍ଚ ଶବ୍ଦ ଯୋଗୁଁ ସୃଷ୍ଟି ହେଉଥିବା ଶବ୍ଦ ତରଙ୍ଗ ଆଘାତଜନିତ କ୍ଷତିରୁ ମନୁଷ୍ୟକୁ ସୁରକ୍ଷା ପ୍ରଦାନ କରିପାରି ନ ଥାଏ: ନିଦ୍ରିତ ଅବସ୍ଥାରେ ମଧ୍ୟ ଏଥିଯୋଗୁଁ ରକ୍ତଚାପରେ ବୃଦ୍ଧି ଘଟିଥାଏ, ହୃତ୍ସ୍ପନ୍ଦନ ଦ୍ରୁତତର ହୋଇଥାଏ, ମାନସିକ ଚାପ ସୃଷ୍ଟିକାରୀ ହର୍ମୋନ୍ ସବୁର କ୍ଷରଣ ଘଟିଥାଏ।
କିନ୍ତୁ ଦାର୍ଶନିକ ଓ ବୈଜ୍ଞାନିକମାନଙ୍କର ଏହି ଆବିଷ୍କାର ମନୁଷ୍ୟକୁ ବିଭିନ୍ନ ପ୍ରକାର କ୍ଷତିକାରକ ଶବ୍ଦ ପ୍ରଦୂଷଣ ସୃଷ୍ଟିରୁ ନିବୃତ୍ତ କରିପାରିନାହିଁ, କାରଣ ଈଶ୍ବର ସୃଷ୍ଟ ଜୀବଜଗତରେ ମନୁଷ୍ୟ ହେଉଛି ଏକମାତ୍ର ପ୍ରାଣୀ ଯାହାଠାରେ ଏକ ଶକ୍ତିଶାଳୀ ଆତ୍ମଘାତୀ ପ୍ରବୃତ୍ତି ପରିଲକ୍ଷିତ ହୋଇଥାଏ। ଆଉ ସଂପ୍ରତି ମନୁଷ୍ୟର ଏଇ ପ୍ରବୃତ୍ତିର ଏକ ଭୟାନକ ପରିପ୍ରକାଶ ଘଟିଚାଲିଛି ଯେଉଁ ଏକ ଅପେକ୍ଷାକୃତ ନୂତନ ପ୍ରବିଧି ମାଧ୍ୟମରେ, ତାହା ହେଉଛି- ଡିଜେ କନ୍ସୋଲ୍। ଏଇ ଶବ୍ଦ-ଅସୁରର ଆବିର୍ଭାବ ପରେ ପୂର୍ବ ସମୟର ଖଳନାୟକ ଲାଉଡ୍ ସ୍ପିକର୍ ବର୍ତ୍ତମାନ ଏକ କ୍ଷୀଣ ସ୍ବରବିଶିଷ୍ଟ ଯନ୍ତ୍ର ପରି ପ୍ରତୀୟମାନ ହେଉଛି; ଏଇ ନୂତନ ସାଧନ ଏକ ସାମରିକ କମାଣ ବାହିନୀର ରୂପ ପରିଗ୍ରହଣ କରିଛି।
ଏହି ପ୍ରାବିଧିକ ବିପ୍ଳବ ଆମର ପରିଚିତ ସ୍ବାଭାବିକ ଦୁନିଅାକୁ ଓଲଟାଇ ଦେଇଛି କହିଲେ ଭୁଲ୍ ହେବ ନାହିଁ। ଉତ୍ସବ ପାଳନରେ ଅଂଶଗ୍ରହଣକାରୀମାନଙ୍କ ପାଇଁ ଶବ୍ଦ ଉପଲବ୍ଧ କରିବା ନିମିତ୍ତ ଉଦ୍ଭାବିତ ଏକ ଯନ୍ତ୍ର ଏଇ ବିକଟାଳ ଶବ୍ଦକୁ ଜବରଦସ୍ତ ଅଗଣିତ ଅନ୍ୟମାନଙ୍କ ଉପରେ ଲଦି ଦେଇଥାଏ, ଯେଉଁମାନେ ସେଥିପାଇଁ ଆଦୌ ସମ୍ମତି ପ୍ରଦାନ କରି ନଥାନ୍ତି। ଏଠାରେ ପ୍ରଶ୍ନ ନୁହେଁ: ନାଗରିକମାନଙ୍କର କୌଣସି ଉତ୍ସବ ପାଳନ ପାଇଁ ଅଧିକାର ଅଛି ନା ନାହିଁ? ଏଠାରେ ଯେଉଁ ପ୍ରଶ୍ନ ହେଉଛି ପ୍ରାସଙ୍ଗିକ, ତାହା ହେଲା: କୌଣସି ଉତ୍ସବ ପାଳନ କ’ଣ ପାଳନକାରୀମାନଙ୍କୁ ଅନ୍ୟମାନଙ୍କର କର୍ଣ୍ଣ କୁହରରୁ ଅାରମ୍ଭ କରି ସେମାନଙ୍କର ଶୟନ କକ୍ଷ, ଶ୍ରେଣୀଗୃହ, ଓ ସ୍ନାୟୁଗ୍ରନ୍ଥି ଆଦିକୁ ଜବରଦଖଲ କରିବାକୁ କ୍ଷମତା ପ୍ରଦାନ କରିଥାଏ? ଏବେ ତ ଡିଜେ ଦାନବ ହିମାଳୟ କୋଳରେ ଅବସ୍ଥିତ ନୈସର୍ଗିକ ଶାନ୍ତିର ପୀଠ ବଦ୍ରୀନାଥ ଧାମରେ ଅନୁପ୍ରବେଶ କରି ସେଠାରେ ଅଗଣିତ ଭକ୍ତମାନଙ୍କର ତପସ୍ୟା ଭଙ୍ଗ କରିବା ଦେଖାଗଲାଣି, ଯେମିତି ପୁରାକାଳରେ ରାକ୍ଷସମାନେ ମୁନିଋଷିମାନଙ୍କ ସହିତ କରୁଥିଲେ। ଏହା ସୃଷ୍ଟି କରିଥିବା ତୀବ୍ର ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ଥମି ନାହିଁ। ଉପରୋକ୍ତ ପ୍ରଶ୍ନର ଉତ୍ତର ଯେ ହେଉଛି ଏକ ଜୋରଦାର ‘ନା’, ଏଥିରେ କୌଣସି ସନ୍ଦେହ ନାହିଁ।
କିନ୍ତୁ କୌଣସି ପର୍ବପର୍ବାଣିର ଆଗମନ ସହିତ ଏଭଳି ଜବରଦଖଲର ଏପରି ଅବାଧ ପ୍ରସାର ଘଟିବା ଦେଖାଯାଇଥାଏ, ଯାହାକୁ ଦେଖି ମନେ ହୋଇଥାଏ ସତେ ଯେମିତି ଆମେ ସମସ୍ତେ ଏକ ନିର୍ଦ୍ଦୟ ଶବ୍ଦ-ଅସୁର ଶାସିତ ରାଜ୍ୟରେ ବାସ କରୁଛୁ, େଯଉଁଠି ଏହା ହିଁ ହେଉଛି ସ୍ବାଭାବିକ ଓ ଏହା ବିରୁଦ୍ଧରେ ପ୍ରତିବାଦ କରିବା ହେଉଛି ଅସ୍ବାଭାବିକ। ଏହାର ଏକ ତାଜା ଜାତୀୟ ସ୍ତରରେ ଚହଳ ସୃଷ୍ଟିକାରୀ ଉଦାହରଣ ଦେଖିବାକୁ ମିଳିଥିଲା ସଦ୍ୟସମାପ୍ତ ଘୋର କୋଳାହଳମୟ ଗଣପତି ମହୋତ୍ସବ ପାଳନ ସମୟରେ ମହାରାଷ୍ଟ୍ରର ପୁନା ସହରରେ। ସେଠାରେ ବିଦ୍ୟାନନ୍ଦ ବାପଟ ନାମକ ଜଣେ ସାହସୀ ସଭ୍ୟ ଯୁବକ ଏଇ ଉତ୍ସବ ପାଳନର ଅଂଶସ୍ବରୂପ ଅନୁଷ୍ଠିତ ଏକ ସମାଗମରେ ଭାଷଣ ଦେବା ଅବସରରେ ଘୋଷଣା କରିଥିଲେ ଯେ କୌଣସି ଉତ୍ସବ ପାଳନର ଲକ୍ଷ୍ୟ ହେବା ଉଚିତ ଆନନ୍ଦ ସୃଷ୍ଟି; ଶବ୍ଦ ପ୍ରଦୂଷଣ ଦ୍ବାରା ଯନ୍ତ୍ରଣା ଓ ଦୁଃଖ ସୃଷ୍ଟି ନୁହେଁ। ଏହାର ପ୍ରତିକ୍ରିୟାରେ ସେଇ ଗଣେଶୋତ୍ସବର ଆୟୋଜକମାନେ ବିଦ୍ୟାନନ୍ଦଙ୍କ ଉପରେ ଘାତକ ଆକ୍ରମଣ ଆରମ୍ଭ କରିଦେବା ପରେ ମହାରାଷ୍ଟ୍ର ସରକାର ତାଙ୍କୁ ଚବିଶଘଣ୍ଟିଆ ପୁଲିସ ସୁରକ୍ଷା ପ୍ରଦାନ କରିଥିଲେ।
କହିବା ବାହୁଲ୍ୟ, ଏଇ ଶବ୍ଦାସୁରକୁ ନିୟନ୍ତ୍ରଣ କରିବା ପାଇଁ ଦେଶରେ ଅସୁମାରି ଆଇନ ଓ ଅଦାଲତୀ ନିର୍ଦ୍ଦେଶମାନ ଉପଲବ୍ଧ ଥିଲେ ହେଁ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବରୁ ତାହା ପ୍ରାୟ କେବେହେଲେ କାର୍ଯ୍ୟକାରୀ ହୋଇ ନ ଥାଏ। ଏଇ ପରିପ୍ରେକ୍ଷୀରେ ତେଣୁ ଆସନ୍ତା ଦୁର୍ଗାପୂଜା ସମୟରେ ଡିଜେ ବଜାଇବା ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଲାଗୁ କରିବା ପାଇଁ ଭୁବନେଶ୍ବର କମିସନରେଟ୍ ପୁଲିସ ଘୋଷଣା କରିଥିବା ନିଷ୍ପତ୍ତିକୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା ଯଥେଷ୍ଟ ହେବ ନାହିଁ। ଏହା ଅକୁଣ୍ଠିତ ଭାବରେ ସ୍ବୀକାର କରିବାକୁ ହେବ ଯେ ସୋପେନ୍ହାଉଅର୍ଙ୍କ ମାପକାଠି ଅନୁସାରେ ଏହା ଦ୍ବାରା କମିସନରେଟ୍ ପୁଲିସ ନିଜକୁ ଏକ ଉଚ୍ଚ ବୁଦ୍ଧିମତ୍ତାର ଅଧିକାରୀ ରୂପେ ପ୍ରମାଣିତ କରିଛି। ଆଶା କରାଯାଏ, ଆଗାମୀ ଦଶହରା ସମୟରେ ମା’ ଦୁର୍ଗା ଦୁଷ୍ଟ ମହିଷାସୁରକୁ ମର୍ଦ୍ଦନ କରିବାରେ ପ୍ରବୃତ୍ତ ଥିବାବେଳେ, କମିସନରେଟ୍ ପୁଲିସ ସତତ ସଜାଗ ରହି ଶବ୍ଦାସୁରକୁ ଦମନ କରିବାରେ ସଫଳ ହେବ ଏବଂ ଏହା କେବଳ ରାଜଧାନୀରେ ସୀମିତ ନ ରହି ସାରା ରାଜ୍ୟରେ ଅନୁସୃତ ହେବ।

1 hour ago
1


