Suranjan's Diary: ସୁରଞ୍ଜନଙ୍କ ଡାଏରି: ଅତିବଡ଼ୀଙ୍କ ପଦ ଚିହ୍ନ

5 days ago 6
ARTICLE AD BOX

ଧନଞ୍ଜୟ ସ୍ୱାଇଁ

ବର୍ଷା ପାଗ ଯୋଗୁଁ ଆକାଶରେ ଭୋଦେଇ ମେଘର ପଟୁଆର ଲାଗିଥିଲା। ପୁରୀ-ବ୍ରହ୍ମଗିରି ରାସ୍ତାରେ କପିଳେଶ୍ୱରପୁର ଗଲାବେଳେ ଚାରିପାଖର ସବୁଜ ଧାନ କିଆରିକୁ ଛୁଇଁ ଯାଉଥିଲା ମଦମନ୍ଦ ପବନର ଲହର। କପିଳେଶ୍ୱରପୁର ହେଉଛି ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜନ୍ମ ସ୍ଥଳୀ। ଗାଁ ମୁଣ୍ଡ ସ୍ୱାଗତ ତୋରଣ ଠାରୁ ପାଞ୍ଚ କିଲୋମିଟର ଭିତରକୁ ଲମ୍ବି ଯାଇଛି ପିଚୁ ସଡ଼କଟିଏ, ଅଜଗରର ପିଠି ପରି। ସେହି ରାସ୍ତାର ଦୁଇ ପାର୍ଶ୍ବରେ ସୁନ୍ଦର ପଦ୍ମ ପୋଖରୀ। ଗାଁର ମଝି ଦାଣ୍ଡ ନାରିକେଳ ବୃକ୍ଷ ଶୋଭିତ, ଉଚ୍ଚ ପିଣ୍ଡା ଓ ଘରଗୁଡ଼ିକ କାନ୍ଥରେ ଭାଗବତର ଅମୃତ ବାଣୀଗୁଡ଼ିକ ଲିପିବଦ୍ଧ। ସୁରଞ୍ଜନ ଗାଁ ଦାଣ୍ଡରେ ବୁଲିଲା ବେଳେ ପଢୁଥିଲେ:
“ମୁଁ ଯାକୁ ହୁଅଇ ସଦୟ
ଜ୍ଞାନ ତା’ ହୃଦରୁ ଉଦୟ
ମୋହର ନହେଲେ କରୁଣା
ବ୍ରହ୍ମା ଶଙ୍କର ବାଟବଣା।”
୧୪୩୫ ଖ୍ରୀଷ୍ଟାବ୍ଦରେ ଗଜପତି ରାଜା କପିଳେନ୍ଦ୍ର ଦେବ କାନ୍ୟକୁବ୍‌ଜରୁ ଚାରି ଶହ ବ୍ରାହ୍ମଣ ଆଣି ପୁରୁଷୋତ୍ତମ କ୍ଷେତ୍ରର ଅନତି ଚାରିଟି ପଡ଼ାରେ ବସାଇଥିଲେ। ତାହା ସେବେଠାରୁ କପିଳେଶ୍ବର ପୁର ନାମରେ ଆଜି ଯାଏଁ ରହିଛି। 

Horoscope 2026 September 23: ଜାଣନ୍ତୁ ଆଜିର ରାଶିଫଳ...

ଏହା ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ଏକ ବୃହତ୍‌ ଗ୍ରାମ ପଞ୍ଚାୟତ ମଧ୍ୟ। ଗାଁର ମଧ୍ୟ ସ୍ଥଳରେ ଅବସ୍ଥିତ ଜଗନ୍ନାଥ ଦାସଙ୍କ ସ୍ମୃତି ପୀଠ, ଯେଉଁଠାରେ ପ୍ରତ୍ୟହ ଭାଗବତ ପାଠ କରାଯାଏ। କିଂବଦନ୍ତି ଅନୁସାରେ ମୋଗଲ ଆକ୍ରମଣରୁ ରକ୍ଷା କରିବା ପାଇଁ ଭାର୍ଗବୀ କୂଳରେ ଅବସ୍ଥିତ ଏହି ଗାଁକୁ ଦୋବନ୍ଧା ଘାଟ ଦେଇ ଜଗନ୍ନାଥଙ୍କୁ ଅଣାଯାଇ ପଞ୍ଚମୁଖୀ ମନ୍ଦିରରେ ଗୋପନରେ ରଖାଯାଇଥିଲା। 
ସେ ଦିନ ଅତିବଡ଼ୀଙ୍କ ପଦଚିହ୍ନର ଅନୁସରଣରେ ସୁରଞ୍ଜନ ପହଞ୍ଚିଥିଲେ ପୁରୀ ବାସେଳି ସାହିସ୍ଥିତ ବଡ଼ ଓଡ଼ିଆ ମଠରେ! ଜୀର୍ଣ୍ଣ ଓଡ଼ିଆ ମଠର ୧୪ତମ ମଠାଧୀଶ ବଂଶୀଧର ଦାସ ଗୋସ୍ୱାମୀ ତାଙ୍କୁ ଦେଖାଇଥିଲେ ଏକ ମାଟି ଘରେ କାନ୍ଥରେ ଅଙ୍କା ଜଗନ୍ନାଥଙ୍କ ଛବି ଓ କହିଥିଲେ ଅତିବଡ଼ୀଙ୍କୁ ନେଇ କିଛି କିଂବଦନ୍ତି। ଜଣେ ବ୍ୟବସାୟୀ ଏକ ଚନ୍ଦନ କାଠ ଗଜପତିଙ୍କୁ ଉପହାର ସ୍ୱରୂପ ଦିଅନ୍ତେ, ତାକୁ ଘୋରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରିବାର କାର୍ଯ୍ୟ ଗଜପତି ମହାରାଜ ଜଗନ୍ନାଥ ଦାସଙ୍କୁ ଦେଇଥିଲେ। ସେଦିନ ଚନ୍ଦନ କାଠଟିକୁ ଘୋରିବା ପରେ ଘୋରା ଚନ୍ଦନକୁ ଜଗନ୍ନାଥ ଦାସ ମଠର କାନ୍ଥରେ ବୋଳି ଦେଇଥିଲେ। ଏହା ଶୁଣି ଗଜପତି ତାଙ୍କୁ ଡକାଇ ଏପରି କରିବାର କାରଣ ପଚାରନ୍ତେ, ଜଗନ୍ନାଥ ଦାସ କହିଥିଲେ ଯେ ସେ ରାତ୍ରିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ତାହା ଲାଗି କରାଇଛନ୍ତି। ତାହା ଥିଲା ରଥଯାତ୍ରା ସମୟ। ରାଜା ଖବର ନେଇ ଜାଣିବାକୁ ପାଇଲେ ଯେ ଗୁଣ୍ଡିଚା ମନ୍ଦିରରେ ଥିବା ମହାପ୍ରଭୁ ଚନ୍ଦନର ସୁରଭିରେ ମହକି ଯାଉଛନ୍ତି।

Raid: ଏମଭି-୨୪ରେ ବନ ବିଭାଗର ଚଢ଼ଉ; ବିପୁଳ କାଠପଟା ଜବତ, ଜଣେ ଗିରଫ

ଗଜପତି ଏହା ଶୁଣି ଅତିବଡ଼ୀଙ୍କ ଚରଣ ବନ୍ଦନା କରିଥିଲେ। ପ୍ରତି ବର୍ଷ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ସେବା ଏହି ବଡ଼ ଓଡ଼ିଆ ମଠ ଦ୍ୱାରା ସଂପାଦିତ ହେଉଛି। ପୂର୍ବରୁ ଏହି ମଠର ନାମ ଥିଲା ‘ରାଣୀ ମଠ’। ତେବେ, ଏଠାରେ ଜଗନ୍ନାଥ ଦାସ ଭାଗବତର କେତେକ ସ୍କନ୍ଦ ରଚନା କରିଥିବାରୁ ଏହାକୁ ଓଡ଼ିଆ ମଠ କୁହାଗଲା।
ତା’ ପରେ ସୁରଞ୍ଜନ ପହଞ୍ଚିଥିଲେ ସାତଲହଡ଼ି ମଠ ନିକଟରେ। ସେତେ ବେଳକୁ ସନ୍ଧ୍ୟା ଆଗତପ୍ରାୟ। କିଂବଦନ୍ତି ଅଛି ଯେ ବଡ଼ ଓଡ଼ିଆ ମଠର କୋଳାହଳମୟ ପରିବେଶ ଛାଡ଼ି ନିକାଞ୍ଚନରେ ସାଧନା କରିବାକୁ ଜଗନ୍ନାଥ ଦାସ ଏହି ସ୍ଥାନକୁ ବାଛିଥିଲେ। ତାଙ୍କ ସାଧନା ବଳରେ ସମୁଦ୍ର କୁଆଡ଼େ ସାତ ଲହଡ଼ି ପଛକୁ ଘୁଞ୍ଚ ଯାଇଥିଲା। ଏହି ନିକାଞ୍ଚନ ପରିବେଶରେ ସେ ରଚନା କରିଥିଲେ ଶ୍ରୀମଦ ଭାଗବତ। ଏହି ମଠ ସଂଲଗ୍ନ ଏକ କାଚ ଘର ଭିତରେ ସୁରକ୍ଷିତ ଅତିବଡ଼ୀଙ୍କ ସମାଧି ସ୍ଥଳ। ନିରକ୍ଷରା ବିଧବା ଜନନୀଙ୍କ ଅନ୍ତିମ ଅଭିଳାଷ ପୂରଣ ନିମନ୍ତେ ସଂସ୍କୃତ ଭାଗବତକୁ ଓଡ଼ିଆରେ ଅନୁବାଦ କରି ତାଙ୍କୁ ଶୁଣାଇଥିଲେ ଅତିବଡ଼ୀ। କେତେ କାହାଣୀ ଓ କିଂବଦନ୍ତି ଘେରି ରହିଛି ଏହି ମହାକବିଙ୍କୁ। ପରବର୍ତ୍ତୀ କାଳରେ ଓଡ଼ିଆ ଭାଷାର ସ୍ବାତନ୍ତ୍ରୢ ବିଷୟ ସାବ୍ୟସ୍ତ କଲାବେଳେ ଏହି ମହାନ କୃତି ହୋଇଥିଲା ମୁଖ୍ୟ ଆଧାର। ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ଓଡ଼ିଶା ଗଠନ କାଳରେ ଯେଉଁ ଗ୍ରାମରେ ଭାଗବତ ଟୁଙ୍ଗିଟିଏ ଥିଲା, ସେ ଅଞ୍ଚଳକୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଭାବରେ ଗ୍ରହଣ କରାଯାଉଥିଲା।
ସେ ଦିନ ଅତିବଡ଼ୀଙ୍କ ପଦଚିହ୍ନର ଅନୁସରଣ କରି ସୁରଞ୍ଜନ ଖୁବ୍‌ ତୃପ୍ତ ମନେ କରୁଥିଲେ। ଲେଉଟାଣି ବାଟରେ ସେ ଗୁଣୁଗୁଣାଉଥିଲେ:
“କାଳ ଶରୀରୁ ଆତ୍ମା ଜାତ
ସେ ନୁହେଁ ବିଷ୍ଣୁ ମାୟା ଗ୍ରସ୍ତ
ସୁତ, ତନୟ, ଦାରା, ଦାସ
ଏ ସର୍ବ ବିଜୁଳି ପ୍ରକାଶ।”
କପାଳରେ ହାତ ଯୋଡ଼ି ଅତିବଡ଼ୀଙ୍କୁ ପ୍ରଣାମ କଲେ ସେ।
(ମତାମତ ଲେଖକଙ୍କ ନିଜସ୍ୱ)
ମୋ: ୯୪୩୭୦୦୦୬୩୬

Read Entire Article
LEFT SIDEBAR AD

Hidden in mobile, Best for skyscrapers.