ARTICLE AD BOX
ନୂଆଦିଲ୍ଲୀ/କୋରାପୁଟ: ଦେଶର ଆପରାଧିକ ନ୍ୟାୟ ବ୍ୟବସ୍ଥାର ବ୍ୟାପକ ବିଫଳତା ଉପରେ ସୁପ୍ରିମକୋର୍ଟ ଏକ ଗମ୍ଭୀର ଟିପ୍ପଣୀ ଦେଇଛନ୍ତି। କେବଳ ସନ୍ଦେହ ଆଧାରରେ ଗିରଫ ହୋଇ ନିର୍ଯାତନାର ସମ୍ମୁଖୀନ ହେବା ଏବଂ ବିନା କୌଣସି ବିଶ୍ୱସନୀୟ ପ୍ରମାଣରେ ଦୀର୍ଘ ୨୨ ବର୍ଷ ଜେଲ୍ରେ କାଟିଥିବା ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଜଷ୍ଟିସ୍ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କ ପୂର୍ବ ରାୟକୁ ରଦ୍ଦ କରିବା ସହ ଅଦାଲତଗୁଡ଼ିକର ଏଭଳି ମିଳିତ ବିଫଳତା ଯୋଗୁଁ ଜଣେ ନିରୀହ ମଣିଷ ଜୀବନରୁ ୨୨ ବର୍ଷ ସମ୍ପୂର୍ଣ୍ଣ ଭାବେ ଲିଭିଗଲା ବୋଲି ଦର୍ଶାଇ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
Supreme Court: ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟସଭାରେ ବିଲ୍ ଗୃହୀତ
୨୦୦୪ ମସିହାରେ ନବରଙ୍ଗପୁରରେ ଘଟିଥିବା ଏକ ଟ୍ରିପଲ୍ ମର୍ଡର ମାମଲାରେ ଗିରଫ ହୋଇ ୨୨ ବର୍ଷ ଧରି ଜେଲ୍ରେ ଥିବା ଅର୍ଜୁନ ଜାନିଙ୍କୁ ଦୋଷମୁକ୍ତ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଏଥିସହିତ ଜିଲ୍ଲା ପ୍ରଶାସନ ପୁନର୍ବାସ ଯୋଜନାରେ ତାଙ୍କୁ ଥଇଥାନ କରିବା ସହ ସମାଜରେ ଶୃଙ୍ଖଳିତ ଜୀବନଯାପନର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଗତ ମେ’ ମାସରେ ଅର୍ଜୁନ ଜାମିନରେ ଘରକୁ ଯାଇଥିବା କୋରାପୁଟ ମଣ୍ଡଳ କାରାଗାର ଅଧୀକ୍ଷକ କୁଆଁର ମାରାଣ୍ଡି କହିଛନ୍ତି।
ତଦନ୍ତକୁ ଭର୍ତ୍ସନା, ଜୀବନର ମୂଲ୍ୟବାନ ସମୟ ଛଡ଼ାଇନେବାକୁ ନିନ୍ଦା
ମାମଲାର ବିବରଣୀ ମୁତାବକ, ନବରଙ୍ଗପୁର ସହର ଉପକଣ୍ଠ ହିର୍ଲିଡଙ୍ଗରୀର ଅର୍ଜୁନ ଜାନି ୩ ଜଣ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ନବରଙ୍ଗପୁର ଜେଲ୍ରେ ସଜା କାଟୁଥିବା ଅର୍ଜୁନଙ୍କୁ ୨୦୦୬ରେ କୋରାପୁଟ ଜିଲ୍ଲା କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ତଳକୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଅର୍ଜୁନ ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। ସେହି ସମୟରେ ଅର୍ଜୁନ ୧୨ ବର୍ଷ ଜେଲ୍ ଦଣ୍ଡ ଭୋଗି ସାରିଥିଲେ ମଧ୍ୟ ତଦନ୍ତକୁ ବହୁ ବିଳମ୍ବ ହୋଇଥିବା ଦର୍ଶାଇ ହାଇକୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ। ଏହା ପରେ ଅର୍ଜୁନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତରେ ମାମଲା ପହଞ୍ଚିବା ବେଳକୁ ଅର୍ଜୁନ ଆହୁରି ୧୦ ବର୍ଷ ଅର୍ଥାତ୍ ସର୍ବମୋଟ ୨୨ ବର୍ଷ ଜେଲ୍ରେ କାଟି ସାରିଥିଲେ। ସେତେବେଳକୁ ଆବେଦନ ୩୭୦୩ ଦିନ ବିଳମ୍ବ ହୋଇ ସାରିଥିଲା।
ମାମଲାର ଶୁଣାଣି ବେଳେ ବିଚାରପତି ପାର୍ଦିୱାଲା ଏବଂ କେ.ବିନୋଦ ଚନ୍ଦ୍ରନ୍ ତଦନ୍ତ ପ୍ରକ୍ରିୟାକୁ ଦୁର୍ବଳ ଏବଂ ଅତ୍ୟନ୍ତ ଅବିଶ୍ବସନୀୟ କହି ଭର୍ତ୍ସନା କରିଛନ୍ତି। ତଦନ୍ତରେ ଅନେକ ତ୍ରୁଟି ଥିବା ମଧ୍ୟ ଉଲ୍ଲେଖ କରିଛନ୍ତି। ପୁଲିସ ମାମଲା ସମ୍ପର୍କରେ ବୁଝାଇବାରେ ବିଫଳ ହୋଇଥିବା ବେଳେ କାହିଁକି ଅର୍ଜୁନଙ୍କ ଉପରେ ସିଧାସଳଖ ସନ୍ଦେହ ହେଲା ଏବଂ ଅନ୍ୟ କେହି ଏହାର ପରିସରକୁ ଆସିଲେନି ବୋଲି ପ୍ରଶ୍ନ କରିଥିଲେ। କେବଳ ସନ୍ଦେହ ଆଧାରରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା, ସ୍ୱୀକାରୋକ୍ତି ପାଇଁ ଥାର୍ଡ ଡିଗ୍ରି ନିର୍ଯାତନା ଦେବା ଏବଂ ପରେ ସେହି ଆଧାରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ନ୍ୟାୟବିରୁଦ୍ଧ। ଯେ କୌଣସି ବିଶ୍ୱସନୀୟ ପ୍ରମାଣ ବିନା ଜଣେ ବ୍ୟକ୍ତିଙ୍କ ଜୀବନର ୨୨ ବର୍ଷ ଛଡ଼ାଇ ନିଆଯିବାକୁ ସର୍ବୋଚ୍ଚ ନ୍ୟାୟାଳୟ କଠୋର ଭାଷାରେ ନିନ୍ଦା କରିଛନ୍ତି।

1 hour ago
1

