ARTICLE AD BOX
କୋଲକାତା: ବିଳାସପୂର୍ଣ୍ଣ ଜୀବନଶୈଳୀ ଶେଷରେ ଖୋଲିଦେଲା ଚୋରିର ରହସ୍ୟ। ଘରେ ଚାକରାଣୀ ଭାବେ କାମ କରୁଥିବା ଜଣେ ମହିଳାଙ୍କ ଆଡ଼ମ୍ବରପୂର୍ଣ୍ଣ ଜୀବନଯାପନ ଦେଖି ପୁଲିସର ସନ୍ଦେହ ବଢ଼ିଥିଲା। ଏହାପରେ ତଦନ୍ତ କରିବାରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ମାମଲାରେ ପୁଲିସ ଚାକରାଣୀ ରୂପା ସାନ୍ତ୍ରା ଏବଂ ତାଙ୍କ ଲିଭ୍-ଇନ୍ ପାର୍ଟନର ଉତ୍ତମ ମଣ୍ଡଳଙ୍କୁ ଗିରଫ କରିଛି।
ଦକ୍ଷିଣ କୋଲକାତାର ହରିଦେବପୁର ଅଞ୍ଚଳରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଘରୁ ଏହି ଚୋରି ହୋଇଥିଲା। ବେହାଲାର ଶାଖେର ବଜାର ନିକଟରେ ରହୁଥିବା ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଦୁଇ ଜଣ ମହିଳା ଘରୋଇ ସହାୟିକା ଭାବେ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ରୂପା ଗତ ପାଞ୍ଚ ବର୍ଷ ଧରି ସେଠାରେ କାମ କରୁଥିଲେ। ଅକ୍ଟୋବର ପ୍ରଥମ ସପ୍ତାହରେ ପରିବାର ଲୋକେ ଆଲମାରି ଖୋଲିବା ପରେ ଲକର୍ରେ ଥିବା ସମସ୍ତ ସୁନା ଗହଣା ଗାଏବ ଥିବା ଦେଖିଥିଲେ। ଏନେଇ ହରିଦେବପୁର ଥାନାରେ ଅଭିଯୋଗ ହୋଇଥିଲା।
ଉଭୟଙ୍କ ଗତିବିଧି ଉପରେ ନଜର
ଅଭିଯୋଗ ପରେ ପୁଲିସ ଉଭୟ ଚାକରାଣୀଙ୍କୁ ପଚରାଉଚରା କରିଥିଲା। ହେଲେ ସେମାନେ ଚୋରିରେ ସମ୍ପୃକ୍ତି ଥିବା ଅସ୍ୱୀକାର କରିଥିଲେ। ଏହାପରେ ପୁଲିସ ଉଭୟଙ୍କ ଗତିବିଧି ଉପରେ ନଜର ରଖିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ଅନ୍ୟ ଚାକରାଣୀ ଜଣକ ବସ୍ରେ ଯାତାୟାତ କରୁଥିବା ବେଳେ ରୂପା ପ୍ରତିଦିନ କ୍ୟାବ୍ ବୁକ୍ କରି ଯିବାଆସିବା କରୁଥିଲେ। ସେ ନିଜ ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ଉତ୍ତମଙ୍କ ସହ ଏକ ଭଡ଼ା ଘରେ ରହୁଥିବା ମଧ୍ୟ ଜଣାପଡ଼ିଥିଲା।
ରୂପା ନିଜ ଘରେ ଦୁଇ ଜଣ ଚାକରାଣୀ ରଖିଥିଲେ
ତଦନ୍ତରେ ଆହୁରି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା। ରୂପା ଓ ଉତ୍ତମ ଗତ କିଛି ମାସ ମଧ୍ୟରେ ଭଡ଼ା ଗାଡ଼ିରେ ମନ୍ଦାରମଣି ବୁଲିବାକୁ ଯାଇଥିବା ବେଳେ ତାରାପୀଠ ଓ ପୁରୀ ମଧ୍ୟ ଯାତ୍ରା କରିଥିଲେ। ସବୁଠାରୁ ବଡ଼ କଥା ହେଉଛି, ରୂପା ନିଜ ଘରେ ମଧ୍ୟ ଦୁଇ ଜଣ ଚାକରାଣୀ ରଖିଥିଲେ ଏବଂ ସେମାନଙ୍କୁ ମୋଟା ଅଙ୍କର ଦରମା ଦେଉଥିଲେ। ଅନ୍ୟପକ୍ଷରେ ଉତ୍ତମଙ୍କର କୌଣସି ନିୟମିତ ରୋଜଗାର ନଥିଲା।
Little girl in Georgia: ଜର୍ଜିଆର କୁନି ଝିଅର ଠୁମକା, ଶାହରୁଖଙ୍କ ଗୀତରେ ମଚାଇଲେ ଧମାଲ୍!
ଏହି ସମୟରେ ଉତ୍ତମ ଏକ ଦୋକାନରେ ପୁରୁଣା ସୁନା ଗହଣା ତରଳାଇ ନୂଆ ଅଳଙ୍କାର ତିଆରି କରିଥିବା ପୁଲିସ ସୂଚନା ପାଇଥିଲା। ଏହି ସୁରାକ୍ ଆଧାରରେ ପୁଲିସ ଉଭୟଙ୍କ ଘରେ ଚଢ଼ଉ କରି ବିପୁଳ ପରିମାଣର ସୁନା ଗହଣା ଓ ନଗଦ ଟଙ୍କା ଜବତ କରିଥିଲା। ପୁଲିସର କହିବା ଅନୁସାରେ, ରୂପା ନିଜ ନିଯୁକ୍ତିଦାତାଙ୍କ ଘରୁ ଧୀରେ ଧୀରେ ଗହଣା ଚୋରି କରି ଉତ୍ତମଙ୍କୁ ଦେଉଥିଲେ। ଉତ୍ତମ କିଛି ଗହଣା ବିକ୍ରି କରୁଥିବା ବେଳେ ଅନ୍ୟଗୁଡ଼ିକୁ ତରଳାଇ ନୂଆ ଗହଣା ତିଆରି କରାଉଥିଲେ। ଉଭୟଙ୍କୁ ଗିରଫ କରି ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

16 minutes ago
1


