Subhendu adhikari: ହାଓଡ଼ାରୁ ଯୋଜନାର ନୂଆ ନାମ ଓ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

52 minutes ago 1
ARTICLE AD BOX

କୋଲକାତା : ପଶ୍ଚିମବଙ୍ଗ ସରକାର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସାଇକେଲ ଦେବା ପାଇଁ ପୂର୍ବରୁ ଚାଲିଥିବା ‘ସବୁଜ ସାଥୀ’ ଯୋଜନାର ନାଁ ବଦଳାଇ ‘ସାରଥି’ କରିଛନ୍ତି। ମଙ୍ଗଳବାର ହାଓଡ଼ାର ଭାଟ୍ରାସ୍ଥିତ ମଧୁସୂଦନ ପାଲ ଚୌଧୁରୀ ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନୂଆ ନାମ ଓ ଲୋଗୋ ସହ ଯୋଜନାର ଔପଚାରିକ ଶୁଭାରମ୍ଭ କରିଛନ୍ତି। ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ଯୋଜନାରେ ୧୨.୫୯ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସାଇକେଲ ଦିଆଯିବ।

ନୂଆ ଯୋଜନାରେ ସାଇକେଲ ବଣ୍ଟନରେ ମଧ୍ୟ କେତେକ ପରିବର୍ତ୍ତନ କରାଯାଇଛି। ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କ ଘୋଷଣା ଅନୁଯାୟୀ, ଏଣିକି ନବମ ଶ୍ରେଣୀ ବଦଳରେ ଅଷ୍ଟମ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କୁ ସାଇକେଲ ଦେବା ବ୍ୟବସ୍ଥା କରାଯାଇଛି। ଏହା ଫଳରେ ଛାତ୍ରଛାତ୍ରୀ ଆଗୁଆ ସାଇକେଲ ପାଇ ବିଦ୍ୟାଳୟ ଯିବା-ଆସିବାରେ ସୁବିଧା ପାଇବେ ବୋଲି ସରକାର କହିଛନ୍ତି। ସାଇକେଲର ଗୁଣବତ୍ତା ଓ ସୁରକ୍ଷା ଉପରେ ମଧ୍ୟ ଏଥର ବିଶେଷ ଗୁରୁତ୍ୱ ଦିଆଯାଇଥିବା ସରକାର କହିଛି। ନୂଆ ସାଇକେଲଗୁଡ଼ିକ କମଳା ରଙ୍ଗର ହୋଇଥିବା ବେଳେ ଟାୟାର, ଲାଇଟ୍‌ ଓ ରାସ୍ତା ସୁରକ୍ଷାକୁ ଧ୍ୟାନରେ ରଖି ତିନିସ୍ତରୀୟ ଗୁଣବତ୍ତା ଯାଞ୍ଚ କରାଯାଇଛି। ପ୍ରତ୍ୟେକ ମଡେଲର ପରୀକ୍ଷା ଓ ଦୃଶ୍ୟମାନ ତ୍ରୁଟି ଯାଞ୍ଚ ପରେ ବଣ୍ଟନ ପାଇଁ ଅନୁମତି ଦିଆଯାଇଥିବା ଖବର ପ୍ରକାଶ ପାଇଛି।


ପୂର୍ବତନ ସରକାରଙ୍କ ସମୟରେ ‘ସବୁଜ ସାଥୀ’ ନାମରେ ଏହି ସାଇକେଲ ବଣ୍ଟନ ଯୋଜନା ଚାଲୁଥିଲା। ସରକାରୀ ତଥ୍ୟ ଅନୁସାରେ, ୨୦୧୫ରେ ଏହି ଯୋଜନା ଆରମ୍ଭ ହୋଇଥିଲା ଏବଂ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ବିଦ୍ୟାଳୟ ଓ ମଦ୍ରାସାର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସାଇକେଲ ଦେବା ଏହାର ଲକ୍ଷ୍ୟ ଥିଲା। ମଙ୍ଗଳବାରର କାର୍ଯ୍ୟକ୍ରମରେ ହାଓଡ଼ାର ବିଦ୍ୟାଳୟରେ ପ୍ରତୀକାତ୍ମକ ଭାବେ ଛାତ୍ରଛାତ୍ରୀଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା। ସରକାରଙ୍କ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଇକେଲ ବଣ୍ଟନ ଆରମ୍ଭ ହେବ। ତେବେ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ମୁର୍ଶିଦାବାଦ ଓ ପୂର୍ବ ମେଦିନୀପୁର ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟର ବଣ୍ଟନରୁ ବାଦ୍ ଦିଆଯାଇଥିବା ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.