ARTICLE AD BOX
ନୂଆଦିଲ୍ଲୀ: ପାକିସ୍ତାନ ଭାରତୀୟ ବିମାନ ପାଇଁ ନିଜ ଆକାଶପଥ ବନ୍ଦ ରଖିଥିବାରୁ ବିକଳ୍ପ ଆକାଶପଥ ଖୋଜୁଛି ଭାରତ। ଏଥିପାଇଁ ଚୀନ୍ର ଜିନଜିଆଙ୍ଗ ଅଞ୍ଚଳ ଉପର ଦେଇ ଭାରତୀୟ ବିମାନ ଚଳାଚଳ କରିବାର ସମ୍ଭାବନା ନେଇ ଚୀନ୍ ସହ ଆଲୋଚନା ଚାଲିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ବିଶେଷକରି ଜିନଜିଆଙ୍ଗର ହୋତାନ୍ ଅଞ୍ଚଳ ଦେଇ ବିକଳ୍ପ ରୁଟ୍ ନେଇ ଏକ ବର୍ଷରୁ ଅଧିକ ସମୟ ଧରି ଆଲୋଚନା ହୋଇଆସୁଥିବା କୁହାଯାଇଛି।
ବିଦେଶ ମନ୍ତ୍ରଣାଳୟ ଏହି ବିକଳ୍ପ ରୁଟ୍ ସମ୍ପର୍କରେ ଚୀନ୍ର ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି। ତେବେ ଚୀନ୍ର ଆକାଶପଥ ଭାରତୀୟ ବିମାନ ପାଇଁ କେବେଠାରୁ ଉପଲବ୍ଧ ହେବ, ସେନେଇ ଏପର୍ଯ୍ୟନ୍ତ କୌଣସି ଅନ୍ତିମ ନିଷ୍ପତ୍ତି ହୋଇନାହିଁ। ପାକିସ୍ତାନ ପକ୍ଷରୁ ଭାରତୀୟ ପଞ୍ଜୀକୃତ ବିମାନ ଏବଂ ଭାରତୀୟ ବିମାନ କମ୍ପାନି ଦ୍ୱାରା ପରିଚାଳିତ, ମାଲିକାନାରେ ଥିବା କିମ୍ବା ଲିଜ୍ରେ ନିଆଯାଇଥିବା ବିମାନ ପାଇଁ ଆକାଶପଥ ବ୍ୟବହାର ଉପରେ କଟକଣା ଜାରି ରହିଛି। ଏହି କଟକଣା ସାମରିକ ବିମାନ ପାଇଁ ମଧ୍ୟ ଲାଗୁ ହେଉଛି। ସେପ୍ଟେମ୍ବର ୧୬ରେ ପାକିସ୍ତାନ ନୂଆ ନୋଟାମ୍ ଜାରି କରି ଏହି କଟକଣାକୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ ବଢ଼ାଇଛି।
ମେ ୩୦ ଯାଏଁ ଭାରତୀୟ ବିମାନ ପାଇଁ ପାକିସ୍ତାନର ଆକାଶପଥ ବନ୍ଦ ରହିବ
ପାକିସ୍ତାନର ଏହି କଟକଣା ଯୋଗୁଁ ଭାରତୀୟ ବିମାନ କମ୍ପାନିଗୁଡ଼ିକୁ ୟୁରୋପ, ଆମେରିକା ଓ ଅନ୍ୟ ପଶ୍ଚିମ ଦେଶକୁ ଯିବାବେଳେ ଦୀର୍ଘ ବିକଳ୍ପ ରୁଟ୍ ବ୍ୟବହାର କରିବାକୁ ପଡୁଛି। ଏଥିରେ ଉଡ଼ାଣ ସମୟ ବଢ଼ିବା ସହ ଅତିରିକ୍ତ ଇନ୍ଧନ ଓ ପରିଚାଳନା ଖର୍ଚ୍ଚ ବଢ଼ୁଛି। ଏହାର ପ୍ରଭାବ ବିଶେଷକରି ଏୟାର୍ ଇଣ୍ଡିଆର ଦୀର୍ଘଦୂର ଅନ୍ତର୍ଜାତୀୟ ଉଡ଼ାଣ ଉପରେ ପଡ଼ିଛି। ଭାରତ-ଚୀନ୍ ସମ୍ପର୍କରେ ନୂଆ କୂଟନୈତିକ ଯୋଗାଯୋଗ ମଧ୍ୟରେ ଏହି ଆଲୋଚନା ଗୁରୁତ୍ୱ ପାଇଛି। ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ନୂଆଦିଲ୍ଲୀରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେଇ ଫେରିବାର କିଛି ଦିନ ପରେ ବିକଳ୍ପ ଆକାଶପଥ ସମ୍ପର୍କିତ ଏହି ତଥ୍ୟ ସାମ୍ନାକୁ ଆସିଛି। ଯଦି ଚୀନ୍ର ଅନୁମତି ମିଳେ, ତେବେ ପାକିସ୍ତାନ ଆକାଶପଥ ଉପରେ ଭାରତୀୟ ବିମାନଗୁଡ଼ିକର ନିର୍ଭରଶୀଳତା କମିପାରିବ।

40 minutes ago
1


