ARTICLE AD BOX
ନୟାଗଡ଼: ରାଖୀ ପୂର୍ଣ୍ଣିମା ଅବସରରେ ଭାଇଟିଏ ନିଜ ଭଉଣୀକୁ କିଛି ଉପହାର ଦେଇଥାଏ। ଓଡ଼ିଶାର ଶାସନ ମୁଖ୍ୟ ଭାବେ ରକ୍ଷାବନ୍ଧନରେ ‘ସୁଭଦ୍ରା’ ସହାୟତା ପ୍ରଦାନ କରି ଜଣେ ଭାଇର କର୍ତ୍ତବ୍ୟ ସମ୍ପାଦନ କରିବା ଭଳି ଅନୁଭବ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୟାଗଡ଼ଠାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ କହିଛନ୍ତି। ସ୍ଥାନୀୟ ଲାଠିପଡ଼ାଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ଗହଣରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି। ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀଙ୍କୁ ୫,୧୬୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ହିତାଧିକାରୀ ଅନ୍ତର୍ଭୁକ୍ତ।
Raksha Bandhan 2026: ଶ୍ରୀ ଜଗନ୍ନାଥଙ୍କୁ ରାଖୀ ବାନ୍ଧିଲେ ୨୦୦୦ରୁ ଅଧିକ ମହିଳା
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ‘ସୁଭଦ୍ରା’ ଯୋଜନା କେବଳ ଟଙ୍କା ଆବଣ୍ଟନର ଅବସର ନୁହେଁ, ଏହା ହେଉଛି ନାରୀ ସଶକ୍ତୀକରଣର ପ୍ରତୀକ ଏବଂ ରାଜ୍ୟର ଅଧା ଜନସଂଖ୍ୟା ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା। ଆଇଆଇଏମ୍ ସମ୍ବଲପୁର ଓ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସର୍ଭେ ରିପୋର୍ଟକୁ ଉଦ୍ଧୃତ କରି ସେ କହିଥିଲେ ଯେ ପ୍ରାୟ ୮୦ ପ୍ରତିଶତ ମହିଳା ‘ସୁଭଦ୍ରା’ ସହାୟତାକୁ କେବଳ ଦୈନନ୍ଦିନ ଆବଶ୍ୟକତା ପାଇଁ ଖର୍ଚ୍ଚ ନକରି ଦୀର୍ଘ ମିଆଦୀ ଆର୍ଥିକ ସୁରକ୍ଷା, ବ୍ୟବସାୟ ଓ ବିକାଶ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ୮୭.୧୯ ପ୍ରତିଶତ ହିତାଧିକାରୀ ‘ସୁଭଦ୍ରା’କୁ ଅତ୍ୟନ୍ତ ଉପଯୋଗୀ ବୋଲି ମତ ଦେଇଛନ୍ତି। ମହିଳାଙ୍କ ଆକାଉଣ୍ଟ ବାଲାନ୍ସ ଓ ମାସିକ ଖର୍ଚ୍ଚରେ ବୃଦ୍ଧି ଘଟିଛି। ନୟାଗଡ଼ର ରଞ୍ଜୁବାଳା ଓ ସୌଦାମିନୀ ନନ୍ଦ, ଗଞ୍ଜାମର ଗୌରୀ ସାହୁ, ସୁବର୍ଣ୍ଣପୁରର ଭାରତୀ ଜଗଦଳ, ଏବଂ କୋରାପୁଟର ଆରତୀ ଖୋସଲାଙ୍କ ଭଳି ଉଦ୍ୟମୀ ଭଉଣୀମାନଙ୍କ ସଫଳତାର କାହାଣୀ ରାଜ୍ୟର ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି।
Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍ ସହାୟତା ଗ୍ରହଣ କରିବ
ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ ୨୭ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରି ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ଏହାସହ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଏବଂ ରାଜ୍ୟ ବଜେଟରେ ମହିଳାଙ୍କ ପାଇଁ ୧ ଲକ୍ଷ ୨୨ ହଜାର ୭୬୪ କୋଟି ଟଙ୍କାର ଐତିହାସିକ ବ୍ୟୟବରାଦ ବିଷୟରେ ସେ ଆଲୋକପାତ କରିଥିଲେ। ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଚମ କିସ୍ତିରେ ୧୧୬ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାବାସୀଙ୍କୁ ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ସହଯୋଗରେ ଖୁବ୍ଶୀଘ୍ର ନୟାଗଡ଼ ଚିନିକଳ ପ୍ରତିଷ୍ଠା ସହିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ।
ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ‘ସୁଭଦ୍ରା’ ଯୋଜନା ରାଜ୍ୟର ଏକ କୋଟିରୁ ଅଧିକ ମା’ଭଉଣୀଙ୍କ ସାମାଜିକ ଓ ଆର୍ଥିକ ଜୀବନରେ ପରିବର୍ତ୍ତନ ଆଣିଛି। ମହିଳା ଓ ଶିଶୁବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ‘ସୁଭଦ୍ରା’ ହେଉଛି ମା’ଭଉଣୀମାନଙ୍କ ସ୍ୱପ୍ନ, ସମ୍ମାନ ଓ ସ୍ୱାବଲମ୍ବନର ପ୍ରତୀକ। ରାଖୀ ପୂର୍ଣ୍ଣିମା ଅବସରରେ ‘ଆମ ବସ୍’ରେ ମା’ ଓ ଭଉଣୀମାନଙ୍କ ପାଇଁ ମାଗଣା ଯାତ୍ରା ସୁବିଧା କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ପୁରୀ ସାଂସଦ ଡା. ସମ୍ବିତ ପାତ୍ର ଓ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଧାର୍ଯ୍ୟ ସମୟ ପୂର୍ବରୁ ଉଭୟ ଓ ରାଜ୍ୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲାର ‘ସୁଭଦ୍ରା’ ହିତାଧିକାରୀ ଓ ପ୍ରଶିକ୍ଷିତ ହିତାଧିକାରୀଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ଏହାସହ ‘ସୁଭଦ୍ରା’ ବାର୍ଷିକ ରିପୋର୍ଟ ୨୦୨୫–୨୬, ଏସ୍ବିଆଇ ସର୍ଭେ ରିପୋର୍ଟ ଓ ‘ସୁଭଦ୍ରା’ ସମୀକ୍ଷା ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁବିକାଶ ବିଭାଗ କମିସନର ତଥା ଶାସନ ସଚିବ ଡ. ମୃଣାଳିନୀ ଦରସ୍ବାଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ଶିଶୁବିକାଶ ବିଭାଗ ନିର୍ଦ୍ଦେଶିକା ମନୀଷା ବାନାର୍ଜୀ, ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

1 hour ago
2


