ARTICLE AD BOX
ମୁମ୍ବାଇ:ଆଇଆଇଟି ବମ୍ବେ କ୍ୟାମ୍ପସରେ ପୁଣି ଏକ ଅଭାବନୀୟ ଘଟଣା ଘଟିଯାଇଛି। ପରୀକ୍ଷା ଚାଲିଥିବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରି ଧରାପଡ଼ିବା ପରେ ଜଣେ ଦ୍ୱିତୀୟ ବର୍ଷର ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରଜଣକ ଏନର୍ଜି ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ସାହିଲ ୱାକୋଡେ ବୋଲି ଜଣାପଡ଼ିଛି। ପରୀକ୍ଷା ସମୟରେ ପ୍ରଶ୍ନପତ୍ରକୁ ଚାଟଜିପିଟିରେ ଅପଲୋଡ୍ କରି ଉତ୍ତର ଖୋଜୁଥିବା ବେଳେ ତାଙ୍କୁ ଧରାଯାଇଥିଲା। ଏହି ଘଟଣା ପରେ ବିଭାଗୀୟ ମୁଖ୍ୟ ଓ ଶିକ୍ଷକ ତାଙ୍କ ସହ ଆଲୋଚନା କରି କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ଏବଂ ଏହା ତାଙ୍କ ଶିକ୍ଷାଗତ ଭବିଷ୍ୟତ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବୁଝାଇଥିଲେ। ମାତ୍ର ଏହି ଆଲୋଚନା ପରେ ହଷ୍ଟେଲ ଫେରି ସେ ନିଜ ରୁମରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
କ୍ୟାମ୍ପସରେ ତୀବ୍ର ଉତ୍ତେଜନା
ଏହି ସଂକ୍ରାନ୍ତରେ ଆଇଆଇଟି ବମ୍ବେ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହ ସଂପୃକ୍ତ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଥିବା କୁହାଯାଇଛି। ମାତ୍ର ଏହି ଖବର ପ୍ରଚାରିତ ହେବା ପରେ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୋୱାଇ କ୍ୟାମ୍ପସରେ ଶତାଧିକ ଛାତ୍ରଛାତ୍ରୀ ଏକତ୍ରିତ ହୋଇ କର୍ତ୍ତୃପକ୍ଷଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆସନ୍ତା ଗୋଟିଏ ବର୍ଷ ପାଇଁ ନିଲମ୍ବିତ ହେବା ଏବଂ ହଷ୍ଟେଲ ଛାଡ଼ିବା ଭୟରେ ଛାତ୍ରଜଣକ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଆନ୍ଦୋଳନରତ ଛାତ୍ରମାନେ ଅଭିଯୋଗ କରିଛନ୍ତି। କଲେଜ ପ୍ରଶାସନ ଠାରୁ ସ୍ୱଚ୍ଛତା ଓ ଜବାବଦିହିତା ଦାବି କରି ଛାତ୍ରମାନେ ନାରାବାଜି କରିଛନ୍ତି।
Russia Election: ରୁଷ ସଂସଦୀୟ ନିର୍ବାଚନ: ଅଧିକୃତ ୟୁକ୍ରେନୀୟ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ
ସୂଚନାଯୋଗ୍ୟ ଯେ, ଗତ କେଇ ମାସ ମଧ୍ୟରେ ଆଇଆଇଟି ବମ୍ବେ କ୍ୟାମ୍ପସରେ ଏହା ତୃତୀୟ ଆତ୍ମହତ୍ୟା ମାମଲା। ଚଳିତ ବର୍ଷ ଫେବୃଆରୀ ଓ ଜୁଲାଇ ମାସରେ ମଧ୍ୟ ଦ୍ୱିତୀୟ ବର୍ଷର ଦୁଇଜଣ ଛାତ୍ର ନିଜର ଜୀବନ ହାରିଥିଲେ। କ୍ରମାଗତ ଭାବେ ଘଟୁଥିବା ଏହି ଅପ୍ରତ୍ୟାଶିତ ଘଟଣାକୁ ନେଇ କ୍ୟାମ୍ପସ ପରିବେଶ ଅଶାନ୍ତ ହୋଇପଡ଼ିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ କ୍ୟାମ୍ପସରେ ବ୍ୟାପକ ସୁରକ୍ଷା ବଳ ମୁତୟନ କରାଯାଇଛି। ଡିସିପି ଦତ୍ତାତ୍ରୟ ନାଲୱାଡେଙ୍କ ସୂଚନା ଅନୁଯାୟୀ, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ସହ ସମାଧାନ ପାଇଁ ଆଲୋଚନା ଜାରି ରହିଛି।

1 week ago
5


