Strait of Hormuz: ହର୍ମୁଜ୍‌ ପ୍ରଣାଳୀ ଦେଇ ଯିବାକୁ ୧୬ ଭାରତୀୟ ନାବିକ ମନା କଲେ

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିପଜ୍ଜନକ ହୋଇପଡ଼ିଥିବା ହର୍ମୁଜ୍‌ ପ୍ରଣାଳୀ ଦେଇ ଜାହାଜ ଚଳାଇବାକୁ ୧୬ ଜଣ ଭାରତୀୟ ନାବିକ ମନା କରିଦେଇଛନ୍ତି। କମ୍ପାନି ପକ୍ଷରୁ ସେମାନଙ୍କୁ ଅଧିକ ବିପଦପୂର୍ଣ୍ଣ ଜଳପଥ ଦେଇ ଜାହାଜ ନେବାକୁ ଚାପ ଦିଆଯାଉଥିବା ଅଭିଯୋଗ କରି ସେମାନେ ଭାରତ ସରକାରଙ୍କୁ ଏସ୍‌ଓଏସ୍‌ ପଠାଇଛନ୍ତି। ନିଜ ଜୀବନକୁ ବିପଦରେ ପକାଇ ଯାତ୍ରା କରିବାକୁ ସେମାନେ ଚାହୁନଥିବା ଜଣାଇଛନ୍ତି।

ହର୍ମୁଜ୍‌ ପ୍ରଣାଳୀ ଏବେ ଆମେରିକା-ଇରାନ ଯୁଦ୍ଧର ପ୍ରମୁଖ ବିପଦପୂର୍ଣ୍ଣ ଅଞ୍ଚଳ ହୋଇଛି। ଏହି ଜଳପଥ ଦେଇ ବିଶ୍ବର ବିପୁଳ ପରିମାଣର ତୈଳ ଓ ଗ୍ୟାସ୍‌ ପରିବହନ ହୋଇଥାଏ। ଯୁଦ୍ଧ ଆରମ୍ଭ ପରଠାରୁ ଏଠାରେ ବାଣିଜ୍ୟିକ ଜାହାଜଗୁଡ଼ିକର ଯାତାୟାତ ବାଧାପ୍ରାପ୍ତ ହେବା ସହ ନାବିକଙ୍କ ସୁରକ୍ଷା ନେଇ ଗମ୍ଭୀର ଚିନ୍ତା ସୃଷ୍ଟି ହୋଇଛି। ଆକ୍ରମଣର ଆଶଙ୍କା ସହ ଜିପିଏସ୍‌ ସଙ୍କେତରେ ବାଧା ଓ ଜାହାଜର ଅବସ୍ଥାନ ଚିହ୍ନଟ କରିବାରେ ସମସ୍ୟା ମଧ୍ୟ ଦେଖାଦେଉଛି।

ନାବିକମାନଙ୍କ ଅଭିଯୋଗ ଅନୁସାରେ, ସୁରକ୍ଷିତ ବିକଳ୍ପ ପଥ ଅପେକ୍ଷା ଶୀଘ୍ର ଗନ୍ତବ୍ୟରେ ପହଞ୍ଚିବା ପାଇଁ କମ୍ପାନି ହର୍ମୁଜ୍‌ ଦେଇ ଯିବାକୁ ଚାପ ପକାଉଛି। ଏଭଳି ପରିସ୍ଥିତିରେ ଯାତ୍ରା କରିବା ନିଜ ଜୀବନକୁ ବିପଦରେ ପକାଇବା ସହ ସମାନ ବୋଲି ସେମାନେ କହିଛନ୍ତି। ନାବିକମାନେ ନିଜ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରି ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡ଼ିଛନ୍ତି।

Hormuz: ହର୍ମୁଜ୍‌ ପ୍ରଣାଳୀରେ ୩ ଜାହାଜ ଉପରେ ଆକ୍ରମଣ, ୩ କ୍ରୁ ସଦସ୍ୟ ନିଖୋଜ

ଆନ୍ତର୍ଜାତିକ ନିୟମ ଅନୁସାରେ ଅତ୍ୟଧିକ ବିପଦପୂର୍ଣ୍ଣ ଅଞ୍ଚଳରେ ଜାହାଜ ଚଳାଇବାକୁ ନାବିକଙ୍କୁ ବାଧ୍ୟ କରାଯାଇପାରିବ ନାହିଁ। ତେବେ ଚାକିରି ହରାଇବା କିମ୍ବା ଭବିଷ୍ୟତରେ କାମ ନ ମିଳିବାର ଭୟରେ ଅନେକ ନାବିକ ଏଭଳି ଅଧିକାର ପ୍ରୟୋଗ କରିପାରୁନାହାନ୍ତି। ବର୍ତ୍ତମାନ ୧୬ ଭାରତୀୟ ନାବିକଙ୍କ ଏହି ଏସ୍‌ଓଏସ୍‌ ସେମାନଙ୍କ ସୁରକ୍ଷା ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ସେମାନଙ୍କ ଦାବି ଉପରେ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ନଜର ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.