ARTICLE AD BOX
ନୂଆଦିଲ୍ଲୀ: ୨୦୨୪ ମସିହାରେ ''ଇଣ୍ଡିଆ'' ମେଣ୍ଟରୁ ବିହାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଓହରିବା ପ୍ରସଙ୍ଗକୁ ନେଇ କଂଗ୍ରେସର ଦୁଇ ବରିଷ୍ଠ ନେତା ସୋନିଆ ଗାନ୍ଧୀ ଓ ଦିଗବିଜୟ ସିଂହଙ୍କ ମଧ୍ୟରେ ଭିନ୍ନ ମତପ୍ରକାଶ ପାଇଛି। କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲୁସି) ବୈଠକରେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହୋଇଥିଲା। ବୈଠକରେ ଦିଗବିଜୟ ସିଂହ ମତ ରଖିଥିଲେ ଯେ ନୀତୀଶ କୁମାରଙ୍କୁ ''ଇଣ୍ଡିଆ'' ମେଣ୍ଟ ଛାଡ଼ିବାକୁ ଦିଆଯିବା ଉଚିତ ନଥିଲା, ସେ ସାଙ୍ଗରେ ଥିଲେ ଆଜିର ରାଜନୈତିକ ପରିସ୍ଥିତି ଭିନ୍ନ ହୋଇଥାନ୍ତା। ତେବେ ଏହାର ଉତ୍ତରରେ ସୋନିଆ ଗାନ୍ଧୀ କହିଥିଲେ ଯେ ନୀତୀଶ ସଠିକ୍ ସମୟରେ ମେଣ୍ଟ ଛାଡ଼ି ଭଲ କଲେ, କାରଣ ସେ ସଦାସର୍ବଦା ମେଣ୍ଟରୁ ବାହାରିବା ପାଇଁ ବାଟ ଖୋଜୁଥିଲେ ଏବଂ ବିଜେପି ଦ୍ୱାରା ନିୟନ୍ତ୍ରିତ ହେଉଥିଲେ। ସୂଚନାଯୋଗ୍ୟ ଯେ, ୨୦୨୪ ଜାନୁଆରୀରେ ନୀତୀଶ କୁମାର ବିହାରରେ ମହାଗଣ୍ଠବନ୍ଧନରୁ ଓହରି ବିଜେପି ସହ ମିଶି ନୂଆ ସରକାର ଗଢ଼ିବା ସହ ରେକର୍ଡ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।
କେନ୍ଦ୍ର ସରକାରଙ୍କ ଉପରେ କଡ଼ା ପ୍ରହାର
ଏହି ସମୟରେ କଂଗ୍ରେସ ଦଳ ପକ୍ଷରୁ ଭୋଟର ତାଲିକାର ''ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ୍'' (ଏସଆଇଆର୍) ଏବଂ ନିର୍ବାଚନ ଆୟୋଗଙ୍କ ଭୂମିକାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ପ୍ରହାର କରାଯାଇଛି। ସିଡବ୍ଲ୍ୟୁସି ବୈଠକରେ ଏକ ସଂକଳ୍ପ ପାରିତ ହୋଇ ଏସଆଇଆର ପ୍ରକ୍ରିୟାକୁ ତୁରନ୍ତ ସ୍ଥଗିତ ରଖିବା, ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଦାବି କରାଯାଉଥିବା ୧୩.୩ କୋଟି ନାମକୁ ପୁନଃସ୍ଥାପିତ କରିବା ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଛି। ଏହାସହ ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ତଫା ଦାବି କରିବା ସହ ସଂସଦ ଓ ରାଜରାସ୍ତାରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଚେତାବନୀ ଦେଇଛି।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭାଦ୍ରାଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବୁଧବାର ବସିବାକୁ ଥିବା ''ଇଣ୍ଡିଆ'' ମେଣ୍ଟ ବୈଠକରେ ବିରୋଧୀ ଦଳଗୁଡ଼ିକ ଆଗାମୀ ମିଳିତ ରଣନୀତି ପ୍ରସ୍ତୁତ କରିବେ।

2 days ago
2


