ARTICLE AD BOX
ନୂଆଦିଲ୍ଲୀ: ସୂର୍ଯ୍ୟଙ୍କଠାରୁ ନିର୍ଗତ ଦୁଇଟି ଶକ୍ତିଶାଳୀ ଚାର୍ଜିତ କଣିକାର ବାଦଲ ରବିବାର ପୃଥିବୀ ନିକଟରେ ପହଞ୍ଚିବା ଆଶଙ୍କା ରହିଛି। ଏହା ଫଳରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ବିଭ୍ରାଟ ସୃଷ୍ଟି ହୋଇପାରେ। ଏଥିପାଇଁ ଆମେରିକାର ଜାତୀୟ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପ୍ରଶାସନ (ଏନ୍ଓଏଏ)ର ମହାକାଶ ପାଣିପାଗ ପୂର୍ବାନୁମାନ କେନ୍ଦ୍ର ମଧ୍ୟମ ଧରଣର ଭୂଚୁମ୍ବକୀୟ ଝଡ଼ ପାଇଁ ଜି୨ ସତର୍କତା ଜାରି କରିଛି। ତେବେ ଏହାର ପ୍ରକୃତ ପ୍ରଭାବ ସୂର୍ଯ୍ୟଠାରୁ ଆସୁଥିବା କଣିକା ପଦାର୍ଥର ଗତି ଓ ଚୁମ୍ବକୀୟ ଗୁଣ ଉପରେ ନିର୍ଭର କରିବ।
ସୌର ଝଡ଼ କ’ଣ?
ସୂର୍ଯ୍ୟଠାରୁ ଶକ୍ତି ଓ ଚାର୍ଜିତ କଣିକା ପଦାର୍ଥ ମହାକାଶକୁ ନିର୍ଗତ ହେବା ଫଳରେ ସୌର ଝଡ଼ ସୃଷ୍ଟି ହୁଏ। ଏହାର ଏକ ପ୍ରମୁଖ କାରଣ ହେଉଛି କୋରୋନାଲ୍ ମାସ୍ ଇଜେକ୍ସନ୍ (ସିଏମ୍ଇ)। ଏହି ପ୍ରକ୍ରିୟାରେ ସୂର୍ଯ୍ୟଠାରୁ ବିପୁଳ ପରିମାଣର ବିଦ୍ୟୁତ୍ ଚାର୍ଜଯୁକ୍ତ କଣିକା ଓ ଚୁମ୍ବକୀୟ ପଦାର୍ଥ ମହାକାଶକୁ ନିର୍ଗତ ହୁଏ। ଏହା ପୃଥିବୀରେ ପହଞ୍ଚିଲେ ଗ୍ରହର ଚୁମ୍ବକୀୟ କ୍ଷେତ୍ର ସହ ପାରସ୍ପରିକ କ୍ରିୟା କରି ଭୂଚୁମ୍ବକୀୟ ଝଡ଼ ସୃଷ୍ଟି କରିପାରେ।
ଏନ୍ଓଏଏର ମହାକାଶ ପାଣିପାଗ ପୂର୍ବାନୁମାନ କେନ୍ଦ୍ର ଅନୁସାରେ, ଅକ୍ଟୋବର ୭ ଓ ୮ ତାରିଖରେ ସୂର୍ଯ୍ୟଠାରୁ ଦୁଇଟି ସିଏମ୍ଇ ନିର୍ଗତ ହୋଇଥିଲା। ଦ୍ୱିତୀୟଟି ପ୍ରଥମ ତୁଳନାରେ ଅଧିକ ବେଗରେ ଗତି କରୁଥିବାରୁ ପୃଥିବୀ ନିକଟରେ ପହଞ୍ଚିବା ପୂର୍ବରୁ ଦୁଇଟି ମିଶିଯିବାର ସମ୍ଭାବନା ରହିଛି। ଫଳରେ ଅକ୍ଟୋବର ୧୧ ରବିବାର ଜି୨ ସ୍ତରର ଭୂଚୁମ୍ବକୀୟ ଝଡ଼ ସୃଷ୍ଟି ହୋଇପାରେ।
ଉପଗ୍ରହ ଓ ଯୋଗାଯୋଗରେ ପ୍ରଭାବ ଆଶଙ୍କା
ଭୂଚୁମ୍ବକୀୟ ଝଡ଼କୁ ଜି୧ରୁ ଜି୫ ପର୍ଯ୍ୟନ୍ତ ପାଞ୍ଚଟି ସ୍ତରରେ ବିଭକ୍ତ କରାଯାଇଛି। ଜି୨ ହେଉଛି ମଧ୍ୟମ ଧରଣର ଝଡ଼। ଏହାର ପ୍ରଭାବରେ ଉଚ୍ଚ ଅକ୍ଷାଂଶ ଅଞ୍ଚଳରେ ବିଦ୍ୟୁତ୍ ବ୍ୟବସ୍ଥାର ଭୋଲ୍ଟେଜ୍ରେ ପରିବର୍ତ୍ତନ ଘଟିପାରେ। ଉପଗ୍ରହ ପରିଚାଳନାରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିପାରେ। ଏହା ସହିତ କେତେକ ଅଞ୍ଚଳରେ ରେଡିଓ ସଙ୍କେତ ଦୁର୍ବଳ ହେବା ଓ ଉପଗ୍ରହ ଆଧାରିତ ନେଭିଗେସନ୍ ବ୍ୟବସ୍ଥାର ସଠିକତା ପ୍ରଭାବିତ ହେବାର ଆଶଙ୍କା ରହିଛି। ସୌର ଝଡ଼ ଯୋଗୁଁ ଆକାଶରେ ସବୁଜ, ନାଲି ଓ ବାଇଗଣୀ ରଙ୍ଗର ଆଲୋକ ଦେଖାଯାଇପାରେ। ଏହାକୁ ଅରୋରା କୁହାଯାଏ।
ଆହୁରି ପଢନ୍ତୁ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ‘ଜେଡ୍ ପ୍ଲସ୍’ (Z+) ସୁରକ୍ଷା
ସୂର୍ଯ୍ୟଠାରୁ ଆସୁଥିବା ଚାର୍ଜିତ କଣିକା ପୃଥିବୀର ଉପର ବାୟୁମଣ୍ଡଳର ଗ୍ୟାସ୍ ସହ ପ୍ରତିକ୍ରିୟା କଲେ ଏହି ଆଲୋକ ସୃଷ୍ଟି ହୁଏ। ଝଡ଼ର ପ୍ରଭାବ ଅଧିକ ହେଲେ ମେରୁ ଅଞ୍ଚଳ ବାହାରେ ମଧ୍ୟ ଏହା ଦେଖାଯାଇପାରେ। ତେବେ ବର୍ତ୍ତମାନର ପୂର୍ବାନୁମାନ ଅନୁସାରେ, ଭାରତରେ ବ୍ୟାପକ ବିଦ୍ୟୁତ୍ ବିଭ୍ରାଟ କିମ୍ବା ଯୋଗାଯୋଗ ବ୍ୟବସ୍ଥା ଅଚଳ ହେବାର କୌଣସି ଆଶଙ୍କା ଥିବା ଜଣାପଡ଼ିନାହିଁ। ଦେଶରେ ଅରୋରା ଦେଖାଯିବାର ମଧ୍ୟ ସମ୍ଭାବନା ନାହିଁ। ରବିବାର ସୌର ଝଡ଼ ପୃଥିବୀ ନିକଟରେ ପହଞ୍ଚିବା ପରେ ଏହାର ପ୍ରକୃତ ତୀବ୍ରତା ସ୍ପଷ୍ଟ ହେବ।

58 minutes ago
1


