ARTICLE AD BOX
ନୂଆଦିଲ୍ଲୀ: କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ (ଏସ୍ଏମ୍ଇ) ଗୁଡ଼ିକର ପାଣ୍ଠି ଅଭାବ ଦୂର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଜି ୧୦ ହଜାର କୋଟି ଟଙ୍କାର ଏସ୍ଏମ୍ଇ ଗ୍ରୋଥ୍ ଫଣ୍ଡ (ଏସ୍ଜିଏଫ୍)କୁ ମଞ୍ଜୁରି ଦିଆଯାଇଛି। ଉକ୍ତ ଯୋଜନା ଅଧୀନରେ ଗଠିତ ବିକଳ୍ପ ନିବେଶ ପାଣ୍ଠି (ଏଆଇଏଫ୍)କୁ ସରକାର ଉକ୍ତ ଅର୍ଥ ପ୍ରଦାନ କରିବେ।
ମୁଖ୍ୟତଃ ବିନିର୍ମାଣ କ୍ଷେତ୍ରର ଏସ୍ଏମ୍ଇଗୁଡ଼ିକୁ ଦୀର୍ଘମିଆଦୀ ଇକ୍ବିଟି ପୁଞ୍ଜି ଏହି ଫଣ୍ଡ ଯୋଗାଇ ଦେବ। ଟିୟର-୨ ଓ ଟିୟର-୩ ସହରରେ ଥିବା ଏସ୍ଏମ୍ଇଗୁଡ଼ିକରେ ମଧ୍ୟ ନିବେଶ ନେଇ ଏହା ବିଚାର କରିବ। ପାଣ୍ଠି ପାଇବା ଦ୍ବାରା ଏସ୍ଏମ୍ଇଗୁଡ଼ିକ ସେମାନଙ୍କ କ୍ଷମତା ସମ୍ପ୍ରସାରଣ କରିପାରିବେ।
ନୂଆ ଅତ୍ୟାଧୁନିକ ପ୍ରଯୁକ୍ତିକୁ ଆପଣାଇ ପାରିବେ ଏବଂ ବ୍ୟବସାୟକୁ ଆଗକୁ ବଢ଼ାଇ ପାରିବେ। ଏହାଦ୍ବାରା ସେମାନଙ୍କ ଉତ୍ପାଦକତା ବଢ଼ିବ ଏବଂ ସ୍ଥାନୀୟ ଅଞ୍ଚଳର ଯୋଗାଣ ଶୃଙ୍ଖଳ ମଜଭୁତ ହେବ। କେବଳ ସେତିକି ନୁହେଁ, ଲୋକଙ୍କ ପାଇଁ ଉନ୍ନତମାନର ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଉଲ୍ଲେଖଯୋଗ୍ୟ ଉଦ୍ୟୋଗଗୁଡ଼ିକ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷ ଫେବ୍ରୁଆରି ମାସରେ ଆଗତ କରିଥିବା ବଜେଟ୍ରେ ଘୋଷଣା କରିଥିଲେ। ଏଥିସହିତ ୨୦୨୧ ମସିହାରେ ସ୍ଥାପନ ହୋଇଥିବା ଆତ୍ମନିର୍ଭରଶୀଳ ଭାରତ ପାଣ୍ଠି ପାଇଁ ମଧ୍ୟ ୨୦୦୦ କୋଟି ଟଙ୍କାର ଅର୍ଥରାଶି ଘୋଷଣା କରିଥିଲେ।
ଉଲ୍ଲେଖଯୋଗ୍ୟ, ଏସ୍ଏମ୍ଇଗୁଡ଼ିକ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ। ନିଯୁକ୍ତି ସୃଷ୍ଟିଠାରୁ ଆରମ୍ଭ କରି ରପ୍ତାନି, ଉତ୍ପାଦନ ଓ ନବସୃଜନ ଆଦିରେ ଏମାନଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ଯଦିଓ ସେମାନଙ୍କୁ ବିଭିନ୍ନ ପ୍ରକାର ଋଣ ଯୋଗାଇ ଦିଆଯାଉଛି ତଥାପି ଆଗକୁ ବଢ଼ିବା ଲାଗି ଆବଶ୍ୟକ ଦୀର୍ଘମିଆଦୀ ପାଣ୍ଠି ପାଇବାରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏସ୍ଏମ୍ଇ ଗ୍ରୋଥ୍ ଫଣ୍ଡ ସେହି ଅସୁବିଧାକୁ ଦୂର କରିବ ବୋଲି ଆଶା ରଖାଯାଇଛି।

53 minutes ago
1


