ARTICLE AD BOX
ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ଜାରି ରହିଥିବା ତୀବ୍ର ବିବାଦ ମଧ୍ୟରେ ସୁପ୍ରିମ୍କୋର୍ଟ ସୋମବାର ଏକ ବଡ଼ ସ୍ପଷ୍ଟୋକ୍ତି ପ୍ରକାଶ କରିଛନ୍ତି। ନୂତନ ଭୋଟର ପଞ୍ଜୀକରଣ ପାଇଁ ବ୍ୟବହୃତ ହେଉଥିବା ‘ଫର୍ମ-୬’ରେ କରାଯାଇଥିବା କୌଣସି ସଂଶୋଧନକୁ ଅଦାଲତ ଅନୁମୋଦନ କରିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ସଂଶୋଧିତ ଫର୍ମ-୬ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଅନୁମୋଦିତ ହୋଇନାହିଁ ଏବଂ ଏହା କୋର୍ଟ ସ୍ପଷ୍ଟ କରିଦେବାକୁ ଚାହାନ୍ତି। ଏହି ଫର୍ମରେ କିଏ ଏବଂ କେଉଁ ଆଧାରରେ ପରିବର୍ତ୍ତନ କରିଛି, ତାହା ଜାଣିବା ପାଇଁ କୋର୍ଟ ସମସ୍ତ ମୂଳ ରେକର୍ଡ ଯାଞ୍ଚ କରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଗତ ସେପ୍ଟେମ୍ବର ୨୮ ତାରିଖରେ ନିର୍ବାଚନ କମିସନ ଏକ ପ୍ରେସ ବିବୃତି ଜାରି କରି କହିଥିଲେ ଯେ ଫର୍ମ-୬ ସହ ଯୋଡ଼ାଯାଇଥିବା ନୂତନ ଘୋଷଣାପତ୍ରକୁ ସୁପ୍ରିମ୍କୋର୍ଟ କାଏମ ରଖିଛନ୍ତି, ଯାହାକୁ ଆଜି ପ୍ରଧାନ ବିଚାରପତି ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରକୃତ ବିବାଦଟି ହେଉଛି, ୨୦୨୫ ମସିହାରେ ଏସ୍ଆଇଆର୍ ପ୍ରକ୍ରିୟା ସମୟରେ ଅନ୍ଲାଇନ୍ ଫର୍ମ-୬ରେ ‘ଆନେକ୍ସର ଡି’ ନାମକ ଏକ ଅତିରିକ୍ତ ଘୋଷଣାପତ୍ର ଯୋଡ଼ାଯାଇଥିଲା, ଯେଉଁଥିରେ ନୂତନ ଭୋଟରମାନଙ୍କୁ ସେମାନଙ୍କର କିମ୍ବା ସେମାନଙ୍କ ପିତାମାତା କିମ୍ବା ଜେଜେବାପାଙ୍କ ପୂର୍ବ ମତଦାତା ତାଲିକାର ତଥ୍ୟ ଲିଙ୍କ୍ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଗତ ଜୁଲାଇରେ ଏହି ବ୍ୟବସ୍ଥା ଅନ୍ଲାଇନ୍ ପ୍ରକ୍ରିୟାରେ ସାମିଲ ହେବା ପରେ ବିବାଦ ତୀବ୍ର ହୋଇଥିଲା।
Flydubai: ଭାରତୀୟ କ୍ୟାପ୍ଟେନ ସ୍ମିତ୍ ମାଚ୍ଛରଙ୍କୁ ଜଘନ୍ୟ ଆକ୍ରମଣ
ଅପରପକ୍ଷରେ, ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନିଲମ୍ବନ ଦାବି ଏବଂ ଏସ୍ଆଇଆର୍ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି କୌଣସି ଏକପାଖିଆ ଅନ୍ତରୀଣ ଆଦେଶ ଦେବାକୁ ମନା କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍ଚି ଓ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗମ୍ଭୀର ଅଭିଯୋଗ ଉପରେ ପ୍ରଥମେ ନିର୍ବାଚନ କମିସନ ଏବଂ ଅନ୍ୟ ପ୍ରତିପକ୍ଷଙ୍କ ଜବାବ ଲୋଡ଼ିଛନ୍ତି। ଅଦାଲତ ଏହି ମାମଲାରେ କେନ୍ଦ୍ର ସରକାର, ଭାରତୀୟ ନିର୍ବାଚନ କମିସନ (ଇସିଆଇ), ସିଇସି ଜ୍ଞାନେଶ କୁମାର, ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ, ବିବେକ ଯୋଶୀ, ଉପ ନିର୍ବାଚନ କମିସନର ମନୀଷ ଗର୍ଗ ଏବଂ ଆଇଟି ମହାପ୍ରବନ୍ଧକ ସୀମା ଖାନ୍ନାଙ୍କୁ ନୋଟିସ୍ ଜାରି କରିଛନ୍ତି। ଆବେଦନକାରୀ ରାକେଶ କୁମାର ସିଂହଙ୍କ ପକ୍ଷରୁ ହାଜର ହୋଇ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ଯୁକ୍ତି ବାଢ଼ିଥିଲେ ଯେ, ସିଇସି ନିଯୁକ୍ତି ପ୍ରକ୍ରିୟା ଆଇନ ଏବେ ବୃହତ୍ତର ଖଣ୍ଡପୀଠରେ ବିଚାରାଧୀନ ଥିଲେ ହେଁ, ବର୍ତ୍ତମାନ ପ୍ରତ୍ୟେକ ନାଗରିକ ନିଜର ମତାଧିକାରକୁ ନେଇ ଅସୁରକ୍ଷିତ ମନେ କରୁଥିବାରୁ ତୁରନ୍ତ କିଛି ଅନ୍ତରୀଣ ପଦକ୍ଷେପ ଆବଶ୍ୟକ।
Liver Transplantation: ଯକୃତ ପ୍ରତିରୋପଣରେ ଷ୍ଟାର୍ ହସ୍ପିଟାଲ୍ର ସଫଳତା
ବରିଷ୍ଠ ଆଇନଜୀବୀ ସିଂହ କେନ୍ଦ୍ରୀୟ ନିର୍ବାଚନ କମିସନର ଅଧିନିୟମର ଧାରା ୧୮ର ଉଲ୍ଲେଖ କରି କହିଥିଲେ ଯେ, ଆୟୋଗଙ୍କ ନିଷ୍ପତ୍ତି ଯଥାସମ୍ଭବ ସର୍ବସମ୍ମତ କିମ୍ବା ବହୁମତ ଆଧାରରେ ହେବା ଉଚିତ। ଏଥିସହ ଧାରା ୧୬ ମାଧ୍ୟମରେ ସିଇସିଙ୍କୁ ମିଳିଥିବା ଆଇନଗତ ସୁରକ୍ଷା ସୁପ୍ରିମକୋର୍ଟର ବିଚାରପତିଙ୍କ ପାଖରେ ମଧ୍ୟ ନାହିଁ ବୋଲି ସେ ଦର୍ଶାଇଥିଲେ। ଯେତେବେଳେ ଖଣ୍ଡପୀଠ କହିଥିଲେ ଯେ ସିଇସିଙ୍କୁ ନିଲମ୍ବନ କଲେ ଆୟୋଗର କାର୍ଯ୍ୟ ସ୍ଥଗିତ ହୋଇଯିବ ଏବଂ ନିର୍ବାଚନ କିଏ କରାଇବ, ସେତେବେଳେ ବିକାଶ ସିଂହ କହିଥିଲେ ଯେ, ଏଥିପାଇଁ କୋର୍ଟଙ୍କୁ ତୁରନ୍ତ ଆଦେଶ ଦେବାକୁ ହେବ, ନଚେତ୍ ଦେଶ ଜଳିଯିବ। ତେବେ ଏହି ଉଗ୍ର ଯୁକ୍ତିକୁ ଖଣ୍ଡପୀଠ ଅଗ୍ରାହ୍ୟ କରିବା ସହ କୌଣସି ଅନ୍ତରୀଣ ଆଦେଶ ଦେବାକୁ ମନା କରିଦେଇଥିଲେ। ବିଚାରପତି ବାଗ୍ଚି ପ୍ରଶ୍ନ କରିଥିଲେ ଯେ, ଅନ୍ୟ ପକ୍ଷର ଶୁଣାଣି ନକରି କୋର୍ଟ କେମିତି ଏକପାଖିଆ ଭାବେ ନିଷ୍ପତ୍ତି ନେବେ ଯେ ସିଇସିଙ୍କ ସମସ୍ତ ନିଷ୍ପତ୍ତି ମନମୁଖୀ ଥିଲା। ଯଦି ପ୍ରାଥମିକ ରେକର୍ଡରୁ ପ୍ରମାଣିତ ହୁଏ ଯେ ନିଷ୍ପତ୍ତି ସର୍ବସମ୍ମତ ନଥିଲା, ତେବେ କୋର୍ଟ ସେଗୁଡ଼ିକକୁ ବେଆଇନ ବା ସାମ୍ବିଧାନିକ ବ୍ୟବସ୍ଥା ବାହାରେ ବୋଲି ଘୋଷଣା କରି ରଦ୍ଦ କରିପାରିବେ। ସିଜେଆଇ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କୋର୍ଟ କେବଳ ଖବରକାଗଜ ରିପୋର୍ଟ ଉପରେ ନିର୍ଭର କରି ଆଦେଶ ଦେଇପାରିବେ ନାହିଁ।
Dead: ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ; ଦିନକ ପରେ ମୃତଦେହ ଉଦ୍ଧାର
ଉଲ୍ଲେଖଯୋଗ୍ୟ, ସିଇସି ଜ୍ଞାନେଶ କୁମାର ଅନ୍ୟ ଦୁଇଜଣ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କ ଦ୍ୱାରା ଉଠାଯାଇଥିବା ଅତିକମରେ ୧୪ଟି ଆପତ୍ତିକୁ ଏଡ଼ାଇ ଏକକୀ ନିଷ୍ପତ୍ତି ନେଇଥିବା ଅଭିଯୋଗରେ ଏହି ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଦ୍ୱିତୀୟ ଆବେଦନକାରୀ ଶୈଳେନ୍ଦ୍ର ମଣି ତ୍ରିପାଠୀ ଏହି ୧୪ଟି ଯାକ ଏକପାଖିଆ ନିଷ୍ପତ୍ତିକୁ ରଦ୍ଦ କରିବା ସହ ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଏବଂ ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍(ଏସ୍ଆଇଟି) ଗଠନ କରି ‘ଇସିଆଇନେଟ୍’ ଏବଂ ‘ଇଆର୍ଓନେଟ୍’ ଡାଟାବେସର ଫୋରେନସିକ୍ ଅଡିଟ୍ କରିବାକୁ ଦାବି କରିଛନ୍ତି। ଏସ୍ଆଇଆର୍ ପ୍ରକ୍ରିୟା ସମୟରେ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୧୩ କୋଟି ଭୋଟରଙ୍କ ନାମ ବାଦ ଦିଆଯାଇଥିବା ଘଟଣାର ତଦନ୍ତ ପାଇଁ ଏହି ଆବେଦନ କରାଯାଇଛି। ଏହି ସମସ୍ତ ଅଭିଯୋଗରେ ସରକାରୀ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ଜ୍ଞାନେଶ କୁମାର, ବରିଷ୍ଠ ଉପ ନିର୍ବାଚନ କମିସନର ମନୀଷ ଗର୍ଗ ଏବଂ ଆଇଟି ମହାପ୍ରବନ୍ଧକ ସୀମା ଖାନ୍ନାଙ୍କ ବିରୋଧରେ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଦାବି ହୋଇଛି।

1 hour ago
1


