ARTICLE AD BOX
ୱାସିଂଟନ:ଆମେରିକାର ସିଆଟେଲରେ ଏକ ଭୟଙ୍କର ଘଟଣା ଘଟିଛି। ସହରର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ, ସ୍ପେସ୍ ନିଡଲ୍ ନିକଟରେ ଆୟୋଜିତ ଏକ ଖାଦ୍ୟ ମହୋତ୍ସବରେ ଅଚାନକ ଗୁଳିକାଣ୍ଡ ଘଟିଛି। ଏହି ଆକ୍ରମଣରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଦୁଇ ବର୍ଷର ଶିଶୁ ସମେତ ତିନି ଜଣ ମହିଳା ଏବଂ ଜଣେ ୨୩ ବର୍ଷୀୟ ପୁରୁଷ ଆହତ ହୋଇଛନ୍ତି। ଡାକ୍ତର କହିଛନ୍ତି ଯେ ଆହତ ମହିଳାଙ୍କ ମଧ୍ୟରୁ ଜଣେ ୫୬ ବର୍ଷୀୟ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ରିପୋର୍ଟ ଅନୁସାରେ, ଘଟଣା ରବିବାର ସନ୍ଧ୍ୟା ପ୍ରାୟ ୬ଟାରେ ସିଆଟେଲ ସେଣ୍ଟରରେ ଘଟିଥିଲା। ବାର୍ଷିକ ବାଇଟ୍ ଅଫ୍ ସିଆଟେଲ ଖାଦ୍ୟ ମହୋତ୍ସବ ଚାଲିଥିଲା। ହଜାର ହଜାର ଲୋକ ଏହି ଲୋକପ୍ରିୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ହଠାତ୍ ଗୁଳିଚାଳନା ହୋଇଥିଲା। ସେଠାରେ ଉପସ୍ଥିତ ଲୋକଙ୍କ କହିବା ଅନୁଯାୟୀ, ଗୁଳିଚାଳନା ଆରମ୍ଭ ହେବା ମାତ୍ରେ ଉତ୍ସବର ପରିବେଶ ଆତଙ୍କରେ ପରିଣତ ହୋଇଯାଇଥିଲା। ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ିବାକୁ ଲାଗିଥିଲେ।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ସିଆଟେଲ ପୁଲିସ ତୁରନ୍ତ ସମଗ୍ର ସିଆଟେଲ ସେଣ୍ଟର ଏବଂ ଆଖପାଖ ଅଞ୍ଚଳକୁ ଖାଲି କରିଦେଇଛି। ସୁରକ୍ଷା ବାହିନୀ ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ କଡ଼ା ଘେରାବନ୍ଦୀ କରିଛନ୍ତି। ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ) ଅଧିକାରୀମାନେ ସ୍ଥାନୀୟ ପୁଲିସ ସହିତ ତଦନ୍ତରେ ଯୋଗ ଦେଇଛନ୍ତି । ତଦନ୍ତ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ପୁଲିସ ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକଙ୍କୁ ଅଞ୍ଚଳରୁ ଦୂରେଇ ରହିବାକୁ ଅନୁରୋଧ କରିଛି।
ଆକ୍ରମଣକାରୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ
ପ୍ରଶାସନ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍ ହେଉଛି ଯେ ଆକ୍ରମଣକାରୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ, କିମ୍ବା କୌଣସି ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇନାହିଁ। ଏହି ଆକ୍ରମଣ କୌଣସି ଶତ୍ରୁତା କିମ୍ବା ଆତଙ୍କବାଦୀ ଷଡ଼ଯନ୍ତ୍ରର ଫଳାଫଳ କି ନାହିଁ ତାହା ପୁଲିସ ତଦନ୍ତ କରୁଛି ।
ସିଆଟେଲ ପୁଲିସର ମୁଖପାତ୍ର କହିଛନ୍ତି, ସେମାନେ ନିକଟସ୍ଥ ଅଞ୍ଚଳର ସିସିଟିଭି ଫୁଟେଜ ସମୀକ୍ଷା କରୁଛନ୍ତି ଏବଂ ଗୁଳିଚାଳକଙ୍କ ବିଷୟରେ ସୁରାକ ପାଇବା ପାଇଁ ପ୍ରତ୍ୟକ୍ଷଦଶୀର୍ମାନଙ୍କୁ ପଚରାଉଚରା କରୁଛନ୍ତି। ଏହି ଘଟଣା ପୁଣି ଥରେ ଆମେରିକାରେ ବନ୍ଧୁକ ସଂସ୍କୃତି ଏବଂ ସାର୍ବଜନୀନ ସ୍ଥାନର ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

1 hour ago
1


