ARTICLE AD BOX
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଇସିଏଆର-କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ପକ୍ଷରୁ ୫୦ଟି ଏସ୍ଏଚଜି ସଦସ୍ୟଙ୍କୁ ଅଭିନବ ‘ମହିଳା ଅନୁକୂଳ ପେଡାଲ୍ ଚାଳିତ ନଡ଼ିଆ କତା ଛଡ଼ାଇବା ଯନ୍ତ୍ର’ ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲାର ୧୧ଟି ଗ୍ରାମ ପଞ୍ଚାୟତ ଅଧୀନ ୧୯ଟି ଗ୍ରାମକୁ ନେଇ ଏହି ପଦକ୍ଷେପ କାର୍ଯ୍ୟକାରୀ ହୋଇଛି। ଏହାଦ୍ୱାରା ୫୦୦ରୁ ଅଧିକ ମହିଳା କୃଷକ ଉପକୃତ ହେବା ସହ ବିଶେଷ ଭାବେ ଅନୁସୂଚିତ ଜାତି ବର୍ଗର ମହିଳା କୃଷକମାନେ ଲାଭାନ୍ୱିତ ହେବେ।
ଗ୍ରାମୀଣ ମହିଳାମାନଙ୍କ ପାଇଁ ନଡ଼ିଆ ଚୋପା ଛଡ଼ାଇବା ଏକ ଶ୍ରମସାଧ୍ୟ ଓ କଷ୍ଟକର କାର୍ଯ୍ୟ। ମହିଳାମାନଙ୍କର ଶାରୀରିକ ସୁବିଧା ଓ ଆବଶ୍ୟକତାକୁ ଧ୍ୟାନରେ ରଖି ସଂସ୍ଥାନ ଦ୍ୱାରା ଏହି ସ୍ୱତନ୍ତ୍ର ପେଡାଲ୍-ଚାଳିତ ମହିଳା-ଅନୁକୂଳ ନଡ଼ିଆ କତା ଛଡ଼ା ଯନ୍ତ୍ର ପ୍ରସ୍ତୁତ କରାଯାଇଛି। ଏହାର ମୂଳ ଲକ୍ଷ୍ୟ ହେଉଛି କାମର କଷ୍ଟ କମାଇବା, କାର୍ଯ୍ୟ ପରିବେଶରେ ସୁଧାର ଆଣିବା ଏବଂ ହାତ, ପାପୁଲିର ଆଘାତ ଓ ମାଂସପେଶୀ ଜନିତ ଯନ୍ତ୍ରଣାର ବିପଦକୁ କମ୍ କରିବା।
Women Safety: ମହିଳା ସୁରକ୍ଷା ଅଭିଯାନରେ ଲଭ୍ଲୀନା
ସଂସ୍ଥାନଦ୍ୱାରା ବିକଶିତ ମହିଳା-ଅନୁକୂଳ ପ୍ରଯୁକ୍ତିବିଦ୍ୟାଗୁଡ଼ିକ କାମର କଷ୍ଟ କମାଇବା, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଓ ଦକ୍ଷତା ବୃଦ୍ଧି କରିବା ଏବଂ କୃଷି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀ ଓ ଜୀବିକା ନିର୍ବାହର ସୁଯୋଗକୁ ବୃଦ୍ଧି କରିବାରେ ସାହାଯ୍ୟ କରୁଛି। ଏହି ଅବସରରେ ଓଡ଼ିଶାର ପୁରୀ ଜିଲ୍ଲାର ସତ୍ୟବାଦୀ, ବ୍ରହ୍ମଗିରି, କଣାସ ଓ ଡେଲାଙ୍ଗ ବ୍ଲକ୍ ଅଧୀନ ୧୧ଟି ଗ୍ରାମ ପଞ୍ଚାୟତର ୧୯ଟି ଗ୍ରାମର ୫୦ଟି ସ୍ୱୟଂ ସହାୟକ ଗୋଷ୍ଠୀର ହିତାଧିକାରୀମାନଙ୍କୁ ଏହି ପ୍ରଯୁକ୍ତିର ବ୍ୟବହାର ନେଇ ପ୍ରାୟୋଗିକ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଥିଲା।
ସଂସ୍ଥାନର ନିର୍ଦ୍ଦେଶକ ଡ. ମୃଦୁଳା ଦେବୀ ମହିଳାଙ୍କ ଶାରୀରିକ ପରିଶ୍ରମ ହ୍ରାସ ଓ ସଶକ୍ତୀକରଣ ପାଇଁ ମହିଳା ଅନୁକୂଳ ପ୍ରଯୁକ୍ତିର ପ୍ରଚାର ଓ ପ୍ରସାର ଦିଗରେ ପ୍ରତିଷ୍ଠାନର ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ସଂସ୍ଥାନ ପକ୍ଷରୁ ବିକଶିତ ପ୍ରଯୁକ୍ତିଗୁଡ଼ିକ ମହିଳା କୃଷକଙ୍କ କାର୍ଯ୍ୟ ପରିବେଶ, ଦକ୍ଷତା, ଆୟ ଓ ଜୀବିକାରେ ଉନ୍ନତି ଆଣିବାର ବ୍ୟାପକ ସମ୍ଭାବନା ରହିଥିବା ସେ ଉଲ୍ଲେଖ କରିଥିଲେ।

1 hour ago
1


