Neglect: ଘର ଅଗଣାରେ ସ୍ବାମୀଙ୍କୁ କବରଦେଲେ ଅସହାୟ ମହିଳା

1 hour ago 1
ARTICLE AD BOX

କାଳିଆପାଣି (ରବି ନାରାୟଣ କର): କିଡ୍‌ନି ରୋଗରେ ଆକ୍ରାନ୍ତ ଥିବା କାଳିଆପାଣି ଚିରିଗୁଣିଆ ମାଝିସାହିର ଛଟେଇ ଖଣି ଶ୍ରମିକ ଲେଲସାନ ଟପ୍ନୋ(ଟୁନା)ଙ୍କର ୩୮ ବର୍ଷ ବୟସରେ ଅକାଳ ମୃତ୍ୟୁ ହୋଇଥିଲା। କଟକ ବଡ଼ଡାକ୍ତରଖାନାରୁ ମୃତଶରୀର ଧରି କାଳିଆପାଣି ଚିରିଗୁଣିଆ ମାଝିସାହିସ୍ଥିତ ଘରକୁ ଆସି ପହଞ୍ଚିବା ପରେ ସ୍ବାମୀଙ୍କ ଶେଷକୃତ୍ୟକୁ ନେଇ କପର୍ଦ୍ଦକ ଶୂନ୍ୟ ପତ୍ନୀ ହୀରାମଣିଙ୍କ ଦୁଶ୍ଚିନ୍ତା ବଢ଼ିଗଲା। ଶେଷକୃତ୍ୟ ପାଇଁ ଶ୍ମଶାନ ବ୍ୟବସ୍ଥା ନଥିଲା। 

ଖଣି ଲିଜ୍‌ ଏରିଆରେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର କବରଖାନା ୩ ବର୍ଷ ତଳୁ ଖଣିର ମାଟି ଡମ୍ପ୍ ତଳେ କବର ନେଇସାରିଛି। ପୈତୃକ ଗାଁ ଝାଡ଼ଖଣ୍ଡର ସିମଡେଗା ଜିଲ୍ଲା କୋଲେବିରା ଥାନା କରମଘାଟ୍‌ ପହଞ୍ଚିବାକୁ ଦିନଟିଏ ଲାଗିଯିବ। ହାତରେ ଟଙ୍କାଟିଏ ବି ସମ୍ବଳ ନଥିବା ଅବସ୍ଥାରେ ମରଶରୀର ଧରି ଗାଁକୁ ଗାଡ଼ିଭଡ଼ା ୩୫ ହଜାର ଟଙ୍କା ଶୁଣି ତାଙ୍କ ଉପରେ ବଜ୍ର ପଡ଼ିଗଲା ଭଳି ଲାଗିଲା ବୋଲି କହନ୍ତି ଅସହାୟ ହୀରାମଣି। ତାଙ୍କ ୩ ପୁଅ ମଧ୍ୟରୁ ଦାଦନ ଖଟୁଥିବା ବଡ଼ପୁଅ ଗୁଲସନ ମାନସିକ ନ୍ୟୂନ। ମଝିଆଁ ଫ୍ରାନସିସ୍ ବେକାର ଯୁବକ। ସାନପୁଅ କୁନା ଏବର୍ଷ ମାଟ୍ରିକ ପାସ କରିଛି। 

ଆନ୍ଧ୍ରରେ ଖଟୁଥିଲେ ହୀରାମଣି
ଆନ୍ଧ୍ରପ୍ରଦେଶରେ ଦାଦନ ଖଟୁଥିବା ହୀରାମଣି ସ୍ବାମୀଙ୍କ ଅସୁସ୍ଥତା ଶୁଣି ୨ ସପ୍ତାହ ପୂର୍ବରୁ ଘରକୁ ଆସିଥିଲେ। ତାଙ୍କ ରୋଜଗାର ଓ ସୀମିତ ସମ୍ବଳ ସ୍ବାମୀଙ୍କ ଚିକିତ୍ସା ଓ ଶବ ଆଣିବାକୁ ନିଅଣ୍ଟ ହୋଇଥିଲା। ବିପରୀତ ପରିସ୍ଥିତିରେ ୨ ପୁଅ, ସଂପର୍କୀୟ ଓ ବନ୍ଧୁବାନ୍ଧବଙ୍କୁ ସାଥୀରେ ଧରି ସେ ନିଜ ଘର ଅଗଣାରେ ଗାତ ଖୋଳାଇ ସ୍ବାମୀଙ୍କ ମରଶରୀରକୁ ଯଥାବିଧି କବର ଦେଇଥିଲେ। ପ୍ରସଙ୍ଗକୁ ନେଇ କାଳିଆପାଣି ଖଣିଅଞ୍ଚଳରେ ବସବାସ କରୁଥିବା ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ସାଧାରଣରେ ଆଲୋଡ଼ନର କାରଣ ହୋଇଛି।

କ୍ୟାଥଲିକ୍‌ ସମ୍ପ୍ରଦାୟର ୪୦ ପରିବାର
ସୂଚନାଯୋଗ୍ୟ ଯେ, କାଳିଆପାଣି ଖଣିଅଞ୍ଚଳରେ ଗସନର ଇଭାଞ୍ଜେଲିକାଲ ଲୁଥରାନ ଓ ରୋମାନ କ୍ୟାଥଲିକ୍‌ ସମ୍ପ୍ରଦାୟର ୪୦ରୁ ଅଧିକ ଖ୍ରୀଷ୍ଟିଆନ ପରିବାର ୫୦ ବର୍ଷ ପୂର୍ବରୁ ବସବାସ କରିଆସୁନ୍ତି। କୋଳିପଶି ଚିରିଗୁଡ଼ା ବସ୍ତି ପାଖରେ ଥିବା କବରସ୍ଥାନକୁ ଖ୍ରୀଷ୍ଟିଆନମାନେ ଶ୍ମଶାନ ଭାବେ ବ୍ୟବହାର କରୁଥିଲେ। ସେଠାରେ ୫୦ରୁ ଅଧିକ କବର ରହିଛି। ଶେଷଥର ପାଇଁ ଗତ ୨୦୨୧ ମସିହା ନଭେମ୍ବର ମାସ ୨୧ ତାରିଖରେ ସେଠାରେ ମାଷ୍ଟର କେର୍କେଟାଙ୍କ ମରଶରୀରକୁ କବର ଦିଆଯାଇଥିଲା। ୨୦୨୨ ମସିହା ଏପ୍ରିଲ ୨୨ ତାରିଖ ଇଷ୍ଟର ପର୍ବରେ ବିଧବା ବୃଦ୍ଧା ବାହାଲେନ କେର୍କେଟା ସେଠାକୁ ଆସି ସ୍ବାମୀଙ୍କ କବରକୁ ଚୁନ ଧଉଳାଇ ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି ଜଣାଇଥଲେ। 

Heart Attack: କାଳିଆପାଣିରେ ହୃଦ୍‌ଘାତ ମୃତ୍ୟୁ ଆତଙ୍କ! ଦିନକରେ ଆଖି ବୁଜିଲେ ୪ ଜଣ

କବର ସ୍ଥାନ ପାଇଁ ସଂଘର୍ଷ
ଉକ୍ତ ଶ୍ମଶାନ କ୍ରିୟାଶୀଳ ଖଣି ଲିଜ୍‌ ଏରିଆର ମାଟି ଡମ୍ପ୍‌ରେ ପୋତି‌ହୋଇଯାଇଛି। ୨୦୨୪ ଅକ୍ଟୋବର ୨୪ ତାରିଖରେ ଚିରିଗୁଣିଆ ମାଝିସାହିର ଫ୍ରାନସିସ୍ କୁଲୁ(୬୫)ଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ନିର୍ବିବାଦୀୟ ସ୍ଥାନ ଖୋଜି ତାଙ୍କୁ କବର ଦେବା ସମ୍ଭବ ହୋଇନଥିଲା। ବାଧ୍ୟହୋଇ ସଂପୃକ୍ତ ପରିବାର ପୈତୃକ ଗାଁ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ବୀରମିତ୍ରପୁର ଥାନା ଜଲଙ୍ଗବିରା ହେଟ୍‌ବାହାଲ ଯାଇ ଶେଷକୃତ୍ୟ କରାଇଥିଲେ। ସେଦିନରୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ ସ୍ବତନ୍ତ୍ର କବରସ୍ଥାନ ପାଇଁ ଉଦ୍ୟମ କରାଯାଇଥିଲେ ହେଁ ଏଯାବତ୍ ସେମାନେ ସକ୍ଷମ ହୋଇପାରିନଥିବା କୁହାଯାଇଛି।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.