school auto accident ଛାତ୍ରୀଙ୍କ ଅଟୋ ଦୁର୍ଘଟଣା ମାମଲା, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଗଲା

1 hour ago 1
ARTICLE AD BOX

ରାଇରଙ୍ଗପୁର/ବିଜାତଳା: ବାମନଘାଟି ଉପଖଣ୍ଡ ବିଜାତଳା ବ୍ଲକ୍‌ ବଡ଼ଝରଣ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜୁଡ଼ିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୫ ଜଣ ଅସୁସ୍ଥ ଛାତ୍ରୀଙ୍କୁ ନେଇ ଆସୁଥିବା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛନ୍ତି। 

ମିଳିଥିବା ଖବର ଅନୁସାରେ, ଜୁଲାଇ ୧୮ ତାରିଖରେ ବଡ଼ଝରଣ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜୁଡ଼ିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୫ ଜଣ ଛାତ୍ରୀ ଅସୁସ୍ଥ ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଏକ ଅଟୋରେ ରାଇରଙ୍ଗପୁର ଉପଖଣ୍ଡ କିତ୍ସାଳୟକୁ ନିଆଯାଇଥିଲା। ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷାପରେ ଅଟୋରେ ଛାତ୍ରୀ ଫେରୁଥିବାବେଳେ ହାତିବାରୀ ଜଙ୍ଗଲ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ହଷ୍ଟେଲ ମେଟ୍ରନ ସଞ୍ଜୁବାଳା ଗିରିଙ୍କ ସମେତ ୧୬ ଜଣ ଆହତ ହୋଇଥିଲେ । ତେବେ କେତେକ ଛାତ୍ରୀଙ୍କ ହାତ ଓ ଗୋଡ଼ରେ ଗୁରୁତରର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଛାତ୍ରୀନିବାସକୁ ଫେରାଇ ଦିଆଯାଇଥିଲା।

ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ଯମରେ ଖବର ପ୍ରଚାରିତ ହେବାପରେ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାରକୁ ନେଇ ପଦକ୍ଷେପ ନେଇଛି ପ୍ରଶାସନ। ବିଜାତଳା ବିଇଓ ଦିଲୀପ କୁମାର ନନ୍ଦଙ୍କ ଚିଠି ସଂଖ୍ୟା ୧୦୦୫ ଅନୁସାରେ ଜୁଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ଛାତ୍ରୀନିବାସର ସୁପରିଟେଣ୍ଡେଣ୍ଟ ମୀନାକ୍ଷୀ ଗିରିଙ୍କୁ ନିଲମ୍ବନ କରାଯାଇଛି ବୋଲି ସୂଚନା ମିଳିଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.