ARTICLE AD BOX
ନୂଆଦିଲ୍ଲୀ: ଅକ୍ଟୋବର ୧୫ରୁ ୟୁପିଆଇରେ ଚାର୍ଜ ଲାଗୁ ହେବାକୁ ଥିବା ବେଳେ, ଏହା ପୂର୍ବରୁ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ୨୦୨୬ ଅକ୍ଟୋବର ୧ରୁ କିଛି ଗ୍ରାହକଙ୍କ ପାଇଁ ନଗଦ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ କରିଛି। ନୂଆ ନିୟମ ଅନୁସାରେ, ଧାର୍ଯ୍ୟ ମାଗଣା ସୀମାଠାରୁ ଅଧିକ ଥର ନଗଦ ଟଙ୍କା ଉଠାଇଲେ ଗ୍ରାହକଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ।
ଯଦି ଆପଣଙ୍କ ବ୍ୟାଙ୍କ ଖାତା ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ରହିଛି ଏବଂ ଆପଣ ଏଟିଏମ୍ କିମ୍ବା ଅନ୍ୟ ମାଧ୍ୟମରେ ବାରମ୍ବାର ନଗଦ ଟଙ୍କା ଉଠାନ୍ତି, ତେବେ ଟଙ୍କା ଉଠାଇବା ପୂର୍ବରୁ ନୂଆ ନିୟମ ବିଷୟରେ ଜାଣିବା ଜରୁରୀ। ତେବେ ଏହି ପରିବର୍ତ୍ତନ ଏସ୍ବିଆଇର ସମସ୍ତ ଖାତାଧାରୀଙ୍କ ପାଇଁ ଲାଗୁ ହେବ ନାହିଁ। ଏହି ନିୟମ ବିଶେଷ ଭାବେ ବ୍ରାଞ୍ଚ୍ ମାଧ୍ୟମରେ ଖୋଲାଯାଇଥିବା ବେସିକ୍ ସେଭିଂସ୍ ବ୍ୟାଙ୍କ ଡିପୋଜିଟ୍ (ବିଏସ୍ବିଡି) ଖାତା ସହ ଜଡ଼ିତ ଗ୍ରାହକଙ୍କ ପାଇଁ ଲାଗୁ ହେବ।
ଆସନ୍ତୁ ଜାଣିବା, ଅକ୍ଟୋବର ୧ରୁ କ’ଣ ବଦଳିବ ଏବଂ ନଗଦ ଟଙ୍କା ଉଠାଇଲେ କେତେ ଚାର୍ଜ ଦେବାକୁ ପଡ଼ିପାରେ।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିଜର ଅଫିସିଆଲ୍ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ କହିଛି ଯେ, ଏସ୍ବିଆଇର ବିଏସ୍ବିଡି ଖାତା ଗ୍ରାହକଙ୍କୁ ପ୍ରତି ମାସରେ ନିର୍ଦ୍ଧାରିତ ସଂଖ୍ୟକ ଥର ମାଗଣାରେ ନଗଦ ଟଙ୍କା ଉଠାଇବାର ସୁବିଧା ମିଳିଥାଏ। ଅକ୍ଟୋବର ୧ ପରେ ମଧ୍ୟ ମାସକୁ ୪ ଥର ନଗଦ ଟଙ୍କା ଉଠାଇବା ମାଗଣା ରହିବ। ଅର୍ଥାତ୍ ୪ ଥର ଟଙ୍କା ଉଠାଇଲେ କୌଣସି ଅତିରିକ୍ତ ଚାର୍ଜ ଲାଗିବ ନାହିଁ। କିନ୍ତୁ ଧାର୍ଯ୍ୟ ସୀମାଠାରୁ ଅଧିକ ଥର ଟଙ୍କା ଉଠାଇଲେ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିପାରେ।
• ମାସକୁ ୪ ଥର ପର୍ଯ୍ୟନ୍ତ ନଗଦ ଉଠାଣ ମାଗଣା।
• ୪ଟି ନେଣଦେଣ ପରେ ପ୍ରତ୍ୟେକ ଅତିରିକ୍ତ ନଗଦ ଉଠାଣ ପାଇଁ ୧୫ ଟଙ୍କା ଚାର୍ଜ ଲାଗିବ।
• ଏହା ସହିତ ଲାଗୁ ହେଉଥିବା ଜିଏସଟି ମଧ୍ୟ ଦେବାକୁ ପଡ଼ିବ।
ସରଳ ଭାଷାରେ କହିଲେ, ଆପଣ ନିଜ ଖାତାରୁ ମାସକୁ ୪ ଥର ମାଗଣାରେ ନଗଦ ଟଙ୍କା ଉଠାଇପାରିବେ। କିନ୍ତୁ ଏହି ସୀମାଠାରୁ ଅଧିକ ଥର ଟଙ୍କା ଉଠାଇଲେ ଆପଣଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ।
ଡିଜିଟାଲ୍ ନେଣଦେଣ ଚାର୍ଜ ଲାଗିବ କି?
ଏସ୍ବିଆଇ ବ୍ୟାଙ୍କ ଅନୁସାରେ, ଡିଜିଟାଲ୍ ନେଣଦେଣ ଉପରେ ଏହି ପରିବର୍ତ୍ତନର କୌଣସି ପ୍ରଭାବ ପଡ଼ିବ ନାହିଁ। ଅର୍ଥାତ୍, ଗ୍ରାହକ ପୂର୍ବଭଳି ଡିଜିଟାଲ୍ ପେମେଣ୍ଟ ମାଧ୍ୟମରେ ମାଗଣାରେ ନେଣଦେଶ କରିପାରିବେ ଏବଂ ଏଭଳି ନେଣଦେଶର ସଂଖ୍ୟା ଉପରେ କୌଣସି ସୀମା ଲାଗୁ ହେବ ନାହିଁ।

4 days ago
4


