ARTICLE AD BOX
ସୁଭାଷ ପଟ୍ଟନାୟକ
ଚିତ୍ ହେଉଛି ଚେତନା ଓ ତା’ର ସ୍ବଭାବ ହେଉଛି ଆନନ୍ଦ। ଉଭୟ ଏକାଠି ହୋଇ ଚେତନାନନ୍ଦ। ସତ୍-ଚିତ୍-ଆନନ୍ଦର ଅନ୍ୟତମ ଦୁଇ ଉପାଦାନ। ନିକଟରେ ଜଣେ ଜ୍ଞାନଗୁରୁ ଏକ ପ୍ରବଚନ ସଭାରେ ଏହାର ଆଧ୍ୟାତ୍ମିକ ବ୍ୟାଖ୍ୟା କରୁଥାନ୍ତି। ଜଣେ ଶ୍ରୋତା ପ୍ରଶ୍ନ କଲେ, ଚିତ୍ କିଏ? ଆନନ୍ଦ କ’ଣ ଓ ଚିତ୍ କିପରି ଆନନ୍ଦ ସହିତ ସଂପର୍କିତ? ଜ୍ଞାନଗୁରୁ ଆତ୍ମା, ପରମାତ୍ମା, ଗୀତା, ଭାଗବତ ମଧ୍ୟରେ ପ୍ରଶ୍ନଟିକୁ ଏମିତି ଛନ୍ଦି ଦେଲେ ଯେ, ସେଥିରୁ କିଛି ବୁଝି ହେଲାନି। ସେଥିପାଇଁ ଏ ଆଲେଖ୍ୟଟି ଜିଜ୍ଞାସୁମାନଙ୍କ ଉଦ୍ଦେଶ୍ୟରେ।
Mountain Bike Cycling: ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଜାତୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍
ଆଖି ସାମନାରେ ଯାହା ସବୁ ଦୃଷ୍ଟିଗୋଚର ହୁଏ, ତାହାକୁ ଆମେ ସତ୍ୟ ଭାବିଥାଉ। ମାତ୍ର ପ୍ରକୃତରେ ତାହା ସତ୍ୟ କି? ଦୃଷ୍ଟି ପଥାରୂଢ଼ ସକଳ ପଦାର୍ଥର ଦୁଇଟି ଉପାଦାନ ରହିଛି। ଦୃଶ୍ୟ ଓ ଦ୍ରଷ୍ଟା। ମୁଁ ଏବେ କାଗଜରେ ଲେଖୁଛି। କାଗଜଟି ଦୃଶ୍ୟ ଓ ମୋର ଚକ୍ଷୁ ଦ୍ବୟ ଦ୍ରଷ୍ଟା। ମାତ୍ର ଦୃଶ୍ୟଟି ଚକ୍ଷୁରେ ସୀମିତ ରହି ନଥାଏ। ଚକ୍ଷୁ କ’ଣ ଦେଖିଲା ତାକୁ ମଧ୍ୟ ଜଣେ ଦେଖୁଥାଏ। ତାହା ଆମର ମନ। ଚକ୍ଷୁ ବିନା ମନ ମଧ୍ୟ ଅନେକ କିଛି ନିଜେ ଦେଖିପାରେ। ସେଗୁଡ଼ିକ ଆମର ଚିନ୍ତା, ଚିନ୍ତାଧାରା ଓ ମନୋଭାବ। ମନକୁ ପୁଣି ଦେଖୁଛି ଯିଏ, ସେ ପରମ ଦ୍ରଷ୍ଟା ହେଉଛି ‘ଚିତ୍’ ବା ଆମର ଚେତନା। ଚେତନା ନିଜେ ଅପରିବର୍ତ୍ତିତ ରହି ସକଳ ପରିବର୍ତ୍ତନକୁ ପର୍ଯ୍ୟବେକ୍ଷଣ କରୁଥାଏ। ତା’ହେଲେ ବାସ୍ତବତା କୁହାଯିବ କାହାକୁ? ଯିଏ ନିଜ ଅସ୍ତିତ୍ବର ପ୍ରକାଶ ପାଇଁ ଅନ୍ୟ ଉପରେ ନିର୍ଭର କରେ ସିଏ ନା ଚେତନା ଦ୍ବାରା ଯାହାର ଯାଞ୍ଚ ପ୍ରତାଳ ହୋଇଥାଏ ସିଏ? ଯାହା ପରିବର୍ତ୍ତନଶୀଳ ଓ ନିଜର ପ୍ରକାଶ ପାଇଁ ଅନ୍ୟ କିଛି ଉପରେ ନିର୍ଭର କରେ ତାହା କେବଳ ତୁଳନାତ୍ମକ ଭାବରେ ବାସ୍ତବ। ଏହାର ସ୍ବାଧୀନ ଅସ୍ତିତ୍ବ କିଛି ନଥାଏ। ଅନ୍ଧାରରେ ଦଉଡ଼ିଟିଏ ସାପ ପରି ଦେଖାଯାଏ ମାତ୍ର ଧ୍ୟାନର ସହିତ ନିରୀକ୍ଷଣ କଲେ ତା’ର ବାସ୍ତବ ସ୍ବରୂପ ସାପ ବଦଳରେ ଦଉଡ଼ି ବୋଲି ଜାଣି ହୁଏ। ଠିକ୍ ସେମିତି ଜଗତ ଆମକୁ ବାସ୍ତବ ମନେହେଲେ ମଧ୍ୟ ଏହାର ଅସ୍ତିତ୍ବ ନିର୍ଭର କରେ ଚକ୍ଷୁ ବଦଳରେ ଚେତନା ଉପରେ। ଦର୍ପଣ ସାମନାରେ ମନୁଷ୍ୟର ପ୍ରତିଫଳନ ହସେ, କାନ୍ଦେ, କଥା କହେ, ଗତି କରେ ଓ ପ୍ରତିକ୍ରିୟା ଦେଖାଏ। ସେ ପ୍ରତିଫଳନ ଆମକୁ ବାସ୍ତବ ମନେହୁଏ। କିନ୍ତୁ ସେ ପ୍ରତିବିମ୍ବର ସ୍ବାଧୀନ ଅସ୍ତିତ୍ବ କିଛି ନାହିଁ। ସାମନାରେ ଥିବା ବ୍ୟକ୍ତି ଓ ଦର୍ପଣ, ଏ ଉଭୟଙ୍କ ଉପରେ ନିର୍ଭର କରେ ଏହାର ଅସ୍ତିତ୍ବ। ଠିକ୍ ସେମିତି ଜଗତ ଏକ ପ୍ରତିବିମ୍ବ ପରି, ଯାହା ଚେତନା ମାଧ୍ୟମରେ ଆମକୁ ବାସ୍ତବ ମନେ ହେଉଛି। ଚେତନା ଜଗତ ଉପରେ ନିର୍ଭର କରେନି, ବରଂ ଜଗତ ଚେତନା ଉପରେ ନିର୍ଭର କରେ। ତା’ହେଲେ କ’ଣ ଏ ଜଗତ ମିଥ୍ୟା? ଜଗତ ଅର୍ଥହୀନ କି ମିଥ୍ୟା ନୁହେଁ, ଚୂଡ଼ାନ୍ତ ବାସ୍ତବତାର ଏକ ପ୍ରତିବିମ୍ବ ମାତ୍ର। ଠିକ୍ ଯେମିତି ଦର୍ପଣର ପ୍ରତିବିମ୍ବ ମିଛ ନୁହେଁ। ବାସ୍ତବତା ନଥିଲେ ତା’ର ପ୍ରତିବିମ୍ବ ଆସନ୍ତା କେଉଁଠୁ? ପରଦା ଉପରେ ଚଳଚ୍ଚିତ୍ର ଦୃଶ୍ୟ ହେବାପରି ଏ ଜଗତ ଚେତନାର ପରଦା ଉପରେ ପ୍ରତିବିମ୍ବିତ ହେଉଛି। ଚରିତ୍ର, ଅଭିନୟ ଓ ଭାବାବେଗ ସବୁ କିଛି ଜୀବନ୍ତ ମନେ ହେଉଛି, କିନ୍ତୁ ପରଦା ରହି ଯାଉଛି ଅଦୃଶ୍ୟ ଓ ଅପରିବର୍ତ୍ତିତ। ଥରେ ଆମେ ନିଜକୁ ଚେତନାର ସେଇ ପରଦା ଭାବରେ ଚିହ୍ନି ନେଇ ପାରିଲେ ଆଉ ସେ ଚଳଚ୍ଚିତ୍ରର ମାୟାରେ ହଜିଯିବା ନାହିଁ।
Weather: ‘ବର୍ଷା ଅଭାବରୁ କର୍ଣ୍ଣାଟକରେ ୪୬ ହଜାରରୁ ଅଧିକ କୋଟି ଟଙ୍କା କ୍ଷତି ହୋଇଛି’
ଏବେ ଜାଣିବା ଆନନ୍ଦ କ’ଣ ଓ ଚେତନା ସହିତ ତାହା କିପରି ସଂପର୍କ ରଖେ। ଚେତନାର ମୂଳ ସ୍ବରୂପ ଦୁଃଖରହିତ ନିର୍ମଳ ଆନନ୍ଦ। ସେ ହେଉଛି ଅସ୍ତିତ୍ବର ସୁଗନ୍ଧ ଓ ଚେତନାର ନିରୋଳା ଅନୁଭବ। ଯେତେବେଳେ ମନ ଭାସମାନ ଚିନ୍ତା ଓ ଅପର୍ଯ୍ୟାପ୍ତ ଇଚ୍ଛାମାନଙ୍କ ସହିତ ନିଜକୁ ସଂଯୋଗ କରିବା ବନ୍ଦ କରିଦିଏ, ସେତେବେଳେ ଅସ୍ତିତ୍ବର ଅନ୍ତର୍ନିହିତ ବାସ୍ତବତା ନିଜକୁ ଶୂନ୍ୟତା ଓ ଯନ୍ତ୍ରଣାର ଅନୁଭବ ବଦଳରେ ସଂପୂର୍ଣ୍ଣ ପରିପୂର୍ଣ୍ଣତା, ସନ୍ତୁଷ୍ଟି ଓ ଶାନ୍ତି ରୂପରେ ଚେତନାକୁ ପ୍ରକାଶ କରେ। ଏହା ହିଁ ଚେତନାର ଚିରନ୍ତନ ଆନନ୍ଦ ଓ ନିଜସ୍ୱ ପ୍ରକୃତି। ଯେତେବେଳେ ଆମେ ଅନୁଭବ କରୁ ଯେ, ସମସ୍ତ ଅସ୍ତିତ୍ବ ହିଁ ଚେତନା ଓ ଆମେ ମଧ୍ୟ ତା’ର ଏକ ଅଂଶ, ଏ ଆତ୍ମ-ଚେତନାର ସ୍ବରୂପକୁ ଅନୁଭବ କଲାବେଳେ ସମଗ୍ର ଜଗତ ଏକ ଭ୍ରମ ବୋଲି ଅନୁଭବ ହୁଏ, ଅର୍ଥାତ୍ ଆମର ତମାମ ଦୁଃଖ ମଧ୍ୟ ସେ ଭ୍ରମର ଅଂଶ ବୋଲି ଜ୍ଞାତ ହୋଇଥାଏ। ଏ ଭ୍ରମ ଚେତନା ମାଧ୍ୟମରେ ଜ୍ଞାତ ହୋଇଯିବା ହେତୁ ଦୁଃଖ ଆଉ କିଛି ରହେନାହିଁ। ଦୁଃଖର ଅନ୍ତ ହେଲେ ବାକି ଯାହା ରହେ ତାହା ହିଁ ଆନନ୍ଦ। ଚେତନା ସହିତ ଆନନ୍ଦର ସଂପର୍କ ଏହିଠାରେ। କିନ୍ତୁ ନିର୍ବୋଧ ମନୁଷ୍ୟ ଆନନ୍ଦର ଅନ୍ବେଷଣ କରୁଛି ନିଜସ୍ୱ ଚେତନାକୁ ଛାଡ଼ି ବାକି ସବୁ ସ୍ଥାନରେ। ସନ୍ଥ କବୀର ଲେଖିଛନ୍ତି, “କସ୍ତୁରୀ କୁଁଡ଼ଲି ବସୈ, ମୃଗ ଢୁଁଢ଼େ ବନ୍ ମାହି / ଏସେ ଘଟୀ ଘଟୀ ରାମ୍ ହୈଁ, ଦୁନିୟା ଦେଖୈ ନାହି”। ଯେମିତି ହରିଣ ତା’ ନାଭିରେ କସ୍ତୁରି ଥିଲେ ମଧ୍ୟ ସାରା ଜଙ୍ଗଲରେ ତା’ର ସୁଗନ୍ଧକୁ ଖୋଜି ବୁଲୁଥାଏ, ସେମିତି ପରମାତ୍ମା ସଚ୍ଚିଦାନନ୍ଦ ରୂପରେ ଏ ଶରୀରରେ ଥିଲେ ମଧ୍ୟ ମନୁଷ୍ୟ ତାକୁ ଚିହ୍ନି ନପାରି ଶରୀର ବାହାରେ ଖୋଜି ବୁଲୁଥାଏ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୩୩୭୬୪୮୬୩୮

41 minutes ago
1


