Pakistan's air strike: ପାକିସ୍ତାନର ବିମାନ ଆକ୍ରମଣ: ଆଫଗାନିସ୍ତାନରେ ୯ ନାଗରିକଙ୍କ ମୃତ୍ୟୁ

38 minutes ago 1
ARTICLE AD BOX

କାବୁଲ: ଆଫଗାନିସ୍ତାନର ଦୁଇଟି ପ୍ରଦେଶରେ ପାକିସ୍ତାନ ପକ୍ଷରୁ ରାତିସାରା ବିମାନ ଆକ୍ରମଣ କରାଯାଇଛି। ଏହି ବୋମା ବିସ୍ଫୋରଣରେ   ମହିଳା ଓ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୧ ଜଣ ନାଗରିକ ଆହତ ହୋଇଥିବା ଆଫଗାନିସ୍ତାନ ପକ୍ଷରୁ କୁହାଯାଇଛି। ଅନ୍ୟପଟେ, ପାକିସ୍ତାନର ସୂଚନା ମନ୍ତ୍ରଣାଳୟ ପ୍ରକାଶ କରିଛି ଯେ ଦୁଇଟି ସ୍ଥାନରେ ଥିବା ଆତଙ୍କବାଦୀ ଆଡ଼ା ଉପରେ ଏହି ଆକ୍ରମଣ କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଏଥିରେ ୨୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଦୁଇ ଦେଶ ପକ୍ଷରୁ କରାଯାଇଥିବା ମୃତାହତ ଦାବିର ସ୍ୱାଧୀନ ସତ୍ୟାସତ୍ୟ ଯାଞ୍ଚ ହୋଇପାରି ନାହିଁ।

ହେଲମଣ୍ଡ ଓ କୁନାର ପ୍ରଦେଶକୁ ଟାର୍ଗେଟ୍‌
୨୨ ଆତଙ୍କବାଦୀ ନିହତ ହୋଇଥିବା ପାକିସ୍ତାନର ଦାବି

ଚଳିତ ବର୍ଷ ଆରମ୍ଭରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଥିବା ବେଳେ, ବାରମ୍ବାର ସୀମାପାର ସଂଘର୍ଷ ଜାରି ରହିଛି। ଏହି ସମୟ ମଧ୍ୟରେ ପାକିସ୍ତାନ ଆଫଗାନିସ୍ତାନ ଭିତରେ କ୍ରମାଗତ ବିମାନ ଆକ୍ରମଣ କରିଆସୁଛି। ଆଫଗାନିସ୍ତାନରେ ସୀମାପାର ହିଂସା ଯୋଗୁଁ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧,୧୦୦ରୁ ଅଧିକ ନାଗରିକ ମୃତାହତ ହୋଇଥିବା ନେଇ ଆଫଗାନିସ୍ତାନସ୍ଥିତ ଜାତିସଂଘ  ମିସନ୍ ଗତ ସପ୍ତାହରେ ସୂଚନା ଦେଇଥିଲା।  ଅନ୍ୟପକ୍ଷରେ ନାଗରିକଙ୍କ ଉପରେ ଆକ୍ରମଣକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିବା ସହ ନିଜ ଦେଶରେ ଆକ୍ରମଣ କରୁଥିବା ଆତଙ୍କବାଦୀଙ୍କୁ ନିଶାଣ କରାଯାଉଥିବା କହିଛି। ଅନ୍ୟପଟେ ଆଫଗାନିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗକୁ ଅସ୍ୱୀକାର କରିଛି। ଆଫଗାନିସ୍ତାନର ତାଲିବାନ ସରକାରଙ୍କ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଦକ୍ଷିଣ ହେଲମଣ୍ଡ ପ୍ରଦେଶ ଓ ପୂର୍ବ କୁନାର ପ୍ରଦେଶରେ ନାଗରିକଙ୍କ ଘର ଉପରେ ଏହି ବିମାନ ଆକ୍ରମଣ ହୋଇଛି। ଏଥିରେ ତିନୋଟି ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ମୃତକଙ୍କ ମଧ୍ୟରେ ସମସ୍ତେ ମହିଳା ଓ ଶିଶୁ ଥିବା ବେଳେଏବଂ ୧୧ ଜଣ ଆହତ ହୋଇଛନ୍ତି।

ଏହି ପଦକ୍ଷେପକୁ ସେ ଦୃଢ଼ ନିନ୍ଦା କରିବା ସହ ଏହାକୁ ଏକ ଆକ୍ରମଣାତ୍ମକ କାର୍ଯ୍ୟ ଏବଂ ଅନ୍ତର୍ଜାତୀୟ  ନିୟମର ଉଲ୍ଲଂଘନ ବୋଲି  ଦର୍ଶାଇଛନ୍ତି। ଅନ୍ୟପଟେ ପାକିସ୍ତାନର ସୂଚନା ମନ୍ତ୍ରଣାଳୟ କହିଛି ଯେ ଆତଙ୍କବାଦୀ  ଶିବିରଗୁଡ଼ିକ ଉପରେ ସୁଚିନ୍ତିତ ଓ ନିର୍ଭୁଲ ଭାବେ ଏହି ଆକ୍ରମଣ କରାଯାଇଛି। ଆଡ଼ାଗୁଡ଼ିକରେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଥିଲା, ଯାହାକୁ ଧ୍ୱଂସ କରାଯାଇଛି। ଆଫଗାନିସ୍ତାନରୁ ହିଁ ପାକିସ୍ତାନ ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ସୂଚନା ମନ୍ତ୍ରଣାଳୟ କହିଛି। ପାକିସ୍ତାନୀ ତାଲିବାନ (ଟିଟିପି) ଭଳି ଆତଙ୍କବାଦୀ ସଂଗଠନଗୁଡ଼ିକ ଉପରେ ଆକ୍ରମଣ ଆଗକୁ ମଧ୍ୟ ଜାରି ରହିବ ବୋଲି ପାକିସ୍ତାନ ଚେତାବନୀ ଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.