ARTICLE AD BOX
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ବେଆଇନବାଲି ଉତ୍ତୋଳନ ଓ ଚୋରା ଚାଲାଣ ସୀମ ଟପିଲାଣି। ବ୍ରାହ୍ମଣୀ ଓ ଇବ୍ ନଦୀ କୂଳରେ ଅବସ୍ଥିତ ରାଉରକେଲା, ଲାଠିକଟା, ବଣାଇ, ବୀରମିତ୍ରପୁର, କୁଆରମୁଣ୍ଡା, ବାଲିଶଙ୍କରା, ସବଡେଗା, ସୁନ୍ଦରଗଡ଼ ସଦର, ଟାଙ୍ଗରପାଲି ଆଦି ବ୍ଲକ ଅନ୍ତର୍ଗତ ପ୍ରାୟ ସବୁ ଘାଟରୁ ଦିନରାତି ବେଆଇନ ଭାବେ ବାଲି ଲୁଟ୍ କରୁଛନ୍ତି। ନିୟମିତ ଭାବେ ଟ୍ରାକ୍ଟର, ହାଇୱା ଆଦି ଭାରୀଯାନରେ ବେଆଇନ ପରିବହନ କରୁଛନ୍ତି। ପୁଲିସ ଓ ଖଣି ବିଭାଗ ପକ୍ଷରୁ ମିଳିତଭାବେ ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣର ବାଲି ସାଙ୍ଗକୁ ଗାଡ଼ି ଜବତ କରାଯାଇଥିଲେ ହେଁ, ଏହି ଚୋରା କାରବାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବାର ନାଁ ନେଉନାହିଁ। ଗତ ଦୁଇ ବର୍ଷରେ, ଜିଲ୍ଲାରେ ମୋଟ୍ ୩୩୮ଟି ଭାରୀଯାନ ଜବତ ହୋଇଥିବାବେଳେ ୪ କୋଟି ୪୩ ଲକ୍ଷ ୮୩ ହଜାର ୧୫୭ ଟଙ୍କା ଜରିମାନା ଆଦାୟ କରାଯାଇଛି। ଗତ ଦୁଇ ବର୍ଷ, ଅର୍ଥାତ୍, ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷର ଫେବ୍ରୁଆରି ମାସ ଯାଏ ଜବତ ହୋଇଥିବା ଭାରୀଯାନର ସଂଖ୍ୟା ଦେଖିଲେ, ଜିଲ୍ଲାରେ ବାଲି ଚୋରା କାରବାର ଯେ ବେଲଗାମ ହେଲାଣି, ତାହା ସ୍ପଷ୍ଟ ବାରି ହୁଏ।
ଗତ ୨୦୨୪-୨୫ରେ ବାଲି ଚୋରାଚାଲାଣ କରୁଥିବାବେଳେ ମୋଟ୍ ୧୪୧ଟି ଭାରୀଯାନ ଜବତ ହୋଇଥିଲା। ଏ ବାବଦକୁ ୧ କୋଟି ୬୨ ଲକ୍ଷ ୬୩ ହଜାର ୯୭୮ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସେହିଭଳି ୨୦୨୫-୨୬ରେ ୧୯୭ଟି ଗାଡ଼ି ଧରାପଡ଼ିଥିବାବେଳେ ୨ କୋଟି ୮୧ ଲକ୍ଷ ୧୯ ହଜାର ୧୭୯ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। କେବଳ ଜରିମାନା ଆଦାୟକରି ଛାଡ଼ି ଦିଆଯାଉଥିବାରୁ ବାଲି ମାଫିଆଙ୍କ ଉପରେ ଅଙ୍କୁଶ ଲାଗିପାରୁନି। ଫଳରେ ସେମାନେ ପୂର୍ବବତ୍ ଚୋରାଚାଲାଣକୁ ଜାରି ରଖୁଛନ୍ତି। ଗତ ୨୦୨୪-୨୫ରେ କେବଳ ଜଣେ ବାଲି ମାଫିଆଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ୨୦୨୫-୨୬ରେ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।
ସୁନ୍ଦରଗଡ଼ ଜିଲ୍ଲାରେ ୧୮୮ଟି ବାଲିଘାଟ
ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ୧୮୮ଟି ବାଲିଘାଟ ରହିଥିବାବେଳେ ବର୍ତ୍ତମାନ ଏଥିମଧ୍ୟରୁ ୯୦ଟି କାର୍ଯ୍ୟକ୍ଷମ। ବେଧଡ଼କ ବାଲି ଚୋରାଚାଲାଣ ଯୋଗୁ ବିପୁଳ ପରିମାଣର ରାଜସ୍ବହାନୀ ଘଟୁଛି। ପ୍ରକାଶଯୋଗ୍ୟ, ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ଜିଲ୍ଲାରୁ ମୋଟ୍ ୩ କୋଟି ୫୮ ଲକ୍ଷ ୬୬ ହଜାର ୭୩୬ ଟଙ୍କା ରାଜସ୍ବ ଆଦାୟ ହୋଇଥିବାବେଳେ ୨୦୨୫-୨୬ରେ ୪ କୋଟି ୪୮ ଲକ୍ଷ ୬୦ ହଜାର ୬୩୪ ଟଙ୍କାର ରାଜସ୍ବ ଆଦାୟ ହୋଇଥିଲା। ଜିଲ୍ଲାରେ ବେଆଇନ ବାଲି କାରବାରକୁ ସମ୍ପୂର୍ଣ୍ଣ ଭାବେ ରୋକିବା ପାଇଁ ପୁଲିସ ଓ ଖଣି ବିଭାଗ ମଧ୍ୟରେ ଅଧିକ ସମନ୍ୱୟ ଓ ବ୍ୟାପକ ଚଢ଼ଉର ଆବଶ୍ୟକତା ରହିଛି। କେବଳ ଯାନବାହାନ ଜବତରେ ପ୍ରଶାସନ ସୀମିତ ନରହି, ବାଲି ମାଫିଆଙ୍କ ମୁଖ୍ୟ ନେଟୱର୍କ୍କୁ ଚିହ୍ନଟ କରିବା ନିତାନ୍ତ ଆବଶ୍ୟକ ହେଲାଣି।

1 hour ago
1


