ARTICLE AD BOX
ନୂଆଦିଲ୍ଲୀ: ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ଏକ ବୟାନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ରାବଣଙ୍କୁ ସମ୍ପୂର୍ଣ୍ଣ ଦୁଷ୍ଟ ବୋଲି ବିବେଚନା ନକରି ନିଜ ଭିତରେ ଥିବା ଖରାପ ଗୁଣକୁ ଚିହ୍ନିବା ଓ ସୁଧାରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ତାଙ୍କର ଏହି ମନ୍ତବ୍ୟକୁ ନେଇ କେତେକ ସୋସିଆଲ ମିଡିଆ ବ୍ୟବହାରକାରୀ ଆପତ୍ତି ଉଠାଇଥିବା ବେଳେ ଅନ୍ୟ କେତେକ ତାଙ୍କ ସମର୍ଥନରେ ମତ ରଖିଛନ୍ତି।
ଅକ୍ଟୋବର ୨୭ ତାରିଖରେ ଆମେରିକାରେ ‘ରାମାୟଣ’ର ଏକ ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସାଇ ପଲ୍ଲବୀ ଚଳଚ୍ଚିତ୍ର ସମ୍ପର୍କରେ ନିଜର ମତ ରଖିବା ସହ ରାବଣଙ୍କ ଚରିତ୍ରକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ। ତାଙ୍କର ଏହି ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି।
ନିଜ ଭିତରେ ଥିବା ରାବଣକୁ ଚିହ୍ନିବା ଜରୁରୀ: ସାଇ
ସାଇ ପଲ୍ଲବୀ କହିଥିଲେ ଯେ ଧାର୍ମିକ ଗ୍ରନ୍ଥରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ନିଜକୁ ଆତ୍ମନିରୀକ୍ଷଣ କରିବା ଉଚିତ। ନିଜ ଭିତରେ ଥିବା ଭଲ ଓ ଖରାପ ଗୁଣକୁ ଚିହ୍ନିବା ସହ ଖରାପ ଗୁଣରେ ସୁଧାର ଆଣିବା ଆବଶ୍ୟକ। ରାବଣ ସମ୍ପୂର୍ଣ୍ଣ ଦୁଷ୍ଟ ନଥିଲେ ବୋଲି ମତ ରଖି ସେ ନିଜ ଭିତରେ ଥିବା ରାବଣକୁ ଚିହ୍ନିବା ଏବଂ ସମୟ ସହ ନିଜକୁ ପରିବର୍ତ୍ତନ କରିବାର ଗୁରୁତ୍ୱ ବୁଝାଇଥିଲେ।
ସାଇଙ୍କ ବୟାନକୁ ନେଇ ମତଭେଦ
ସାଇଙ୍କ ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଜଣେ ବ୍ୟବହାରକାରୀ ମନ୍ତବ୍ୟ ଦେଇଛନ୍ତି ଯେ ଜଣେ ମହିଳା ନିଜ ଅପହରଣକାରୀଙ୍କୁ ପ୍ରଶଂସା କରୁଛନ୍ତି। ଅନ୍ୟ ଜଣେ ଏଭଳି ବୟାନ ବିବାଦ ସୃଷ୍ଟି କରିପାରେ ବୋଲି କହିଛନ୍ତି। ତେବେ ଆଉ କେତେକ ବ୍ୟବହାରକାରୀ ସାଇଙ୍କ ସମର୍ଥନରେ ମତ ରଖି ତାଙ୍କୁ ଅଯଥାରେ ଟ୍ରୋଲ୍ ନକରିବାକୁ କହିଛନ୍ତି। ସାଇଙ୍କ ମନ୍ତବ୍ୟର ଉଦ୍ଦେଶ୍ୟ ନିଜ ଭିତରେ ଥିବା ଖରାପ ଗୁଣକୁ ଚିହ୍ନି ସେଥିରେ ସୁଧାର ଆଣିବା ବୋଲି କେତେକ ମତ ଦେଇଛନ୍ତି।
Nabika's engagement: ନବିକାଙ୍କ ନିର୍ବନ୍ଧ ଭାଙ୍ଗିଲା!
ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଦୁଇଟି ଭାଗରେ ମୁକ୍ତିଲାଭ କରିବ। ନମିତ ମଲହୋତ୍ରା ଏହାର ପ୍ରଯୋଜନା କରୁଛନ୍ତି। ଚଳଚ୍ଚିତ୍ରରେ ରଣବୀର କପୁର ପ୍ରଭୁ ଶ୍ରୀରାମ ଏବଂ ସାଇ ପଲ୍ଲବୀ ମାତା ସୀତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ସେହିପରି ୟଶ ରାବଣ ଓ ସନି ଦେଓଲ ହନୁମାନଙ୍କ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ଚଳଚ୍ଚିତ୍ରରେ ରବି ଦୁବେ, ରାକୁଲ ପ୍ରୀତ ସିଂହ, ଅରୁଣ ଗୋଭିଲ, ବିବେକ ଓବେରୟ ଓ ଲାରା ଦତ୍ତାଙ୍କ ଭଳି କଳାକାର ଅଭିନୟ କରୁଛନ୍ତି। ‘ରାମାୟଣ’କୁ ନେଇ ଦର୍ଶକଙ୍କ ଉତ୍ସୁକତା ମଧ୍ୟରେ ସାଇ ପଲ୍ଲବୀଙ୍କ ଏହି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

1 hour ago
2


