Rubbish novel! ବକୱାସ ନୋବେଲ!

49 minutes ago 3
ARTICLE AD BOX

ଆଜି ଯଦି ଫ୍ରାଙ୍କଫର୍ଟ ଜୀବିତ ଥାନ୍ତେ, ସେ ନିଶ୍ଚିତ ରୂପେ ଏକମତ ହୁଅନ୍ତେ ଯେ ଯଦି ବକୱାସ ପାଇଁ ଏକ ନୋବେଲ ପ୍ରାଇଜ ପ୍ରଦାନ କରାଯାଉଥାନ୍ତା, ଏବଂ ଏଥିପାଇଁ ଯୋଗ୍ୟତମ ପ୍ରାର୍ଥୀ ଚୟନ କରିବା ଦାୟିତ୍ବ ତାଙ୍କୁ ଅର୍ପଣ କରାଯାଆନ୍ତା, ତେବେ ସେ ନିଶ୍ଚିତ ରୂପେ ତତ୍‌କ୍ଷଣାତ ଏଇ ତ୍ରିବିଧ ମାନଦଣ୍ଡ ସହିତ ଶତପ୍ରତିଶତ ଖାପ ଖାଉଥିବା ଯାହାଙ୍କ ନାମ ସେ ପ୍ରାଇଜ ପାଇଁ ସୁପାରିସ କରନ୍ତେ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ତାଙ୍କ ନିଜ ଦେଶ ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି- ଡୋନାଲ୍‌ଡ ଟ୍ରମ୍ପ।

‘ସତ୍ୟମେବ ଜୟତେ।’ ମୁଣ୍ଡକ ଉପନିଷଦରେ ସତ୍ୟର ଶେଷରେ ସର୍ବଦା ବିଜୟ ଘଟିଥାଏ ବୋଲି କରାଯାଇଥିବା ଏଇ ଘୋଷଣାରେ ପ୍ରାଚୀନ କାଳରୁ ଭାରତରେ ସତ୍ୟକୁ ସଭ୍ୟତାର ମୂଳଭିତ୍ତି ରୂପେ ଯେଉଁ ମର୍ଯ୍ୟାଦା ପ୍ରଦାନ କରାହୋଇ ଆସିଛି, ବିଂଶ-ଏକବିଂଶ ଶତାବ୍ଦୀର ପ୍ରଖ୍ୟାତ ଆମେରିକୀୟ ଦାର୍ଶନିକ ସ୍ବର୍ଗୀୟ ହ୍ୟାରୀ ଫ୍ରାଙ୍କଫର୍ଟ ତାହାକୁ ଆଗେଇ ନେବା ଭଳି ସତ୍ୟ ପ୍ରତି ସମ୍ମାନର ଯେଉଁ ମୌଳିକ ବିଶ୍ଳେଷଣ କରିଥିଲେ, ତାହା ଦର୍ଶନଶାସ୍ତ୍ରକୁ ତାଙ୍କର ସର୍ବାଧିକ ତାତ୍ପର୍ଯ୍ୟପୂର୍ଣ୍ଣ ଅବଦାନ ରୂପେ ବିବେଚିତ ହୋଇଥାଏ। ତାଙ୍କର ଯେଉଁ ରଚନା ଫ୍ରାଙ୍କଫର୍ଟଙ୍କୁ ଆନ୍ତର୍ଜାତିକ ପ୍ରସିଦ୍ଧି ଆଣିଦେଇଥିବା ତାଙ୍କର ଏଇ ବିଶ୍ଳେଷଣ ବହନ କରିଥାଏ, ତାହା ହେଉଛି ୧୯୮୬ରେ ପ୍ରକାଶିତ ତାଙ୍କର ଏକ ନିବନ୍ଧ, ଯାହାର କୌତୂହଳ ସୃଷ୍ଟିକାରୀ ଶୀର୍ଷକ ଥିଲା: ‘ଅନ୍‌ ବୁଲ୍‌ସିଟ୍‌’ (‘ବକୱାସ ସମ୍ବନ୍ଧରେ’)। ଏଇ ରଚନା ମାଧ୍ୟମରେ ଫ୍ରାଙ୍କଫର୍ଟ ଯେଉଁ ବୈପ୍ଳବିକ ଚିନ୍ତାଧାରା ଉପସ୍ଥାପନ କରି ସମସ୍ତଙ୍କୁ ହତଭମ୍ଭ କରିଦେଇଥିଲେ, ତାହା ହେଲା: ମିଥ୍ୟାବାଦୀମାନେ ସତ୍ୟକୁ ସମ୍ମାନ କରିଥାନ୍ତି; ଯେଉଁମାନେ ପ୍ରକୃତରେ ସତ୍ୟକୁ ଅସମ୍ମାନ କରିଥାନ୍ତି, ସେମାନେ ହେଉଛନ୍ତି- ବକୱାସକାରୀ ବା ‘ବୁଲ୍‌ସିଟର୍‌ସ’।
ତାଙ୍କର ଏଇ ଉଦ୍ଭଟ ମନେ ହେଉଥିବା ମନ୍ତବ୍ୟକୁ ପ୍ରମାଣିତ କରିବାକୁ ଯାଇ ଫ୍ରାଙ୍କଫର୍ଟ ବୁଝାଇଛନ୍ତି ଯେ ଉଭୟ ସତ୍ୟବାଦୀ ଓ ମିଥ୍ୟାବାଦୀ ସତ୍ୟକୁ ସମ୍ମାନ ପ୍ରଦର୍ଶନ କରିଥାନ୍ତି, କିନ୍ତୁ ସେମାନଙ୍କର ପ୍ରଦର୍ଶନ ଶୈଳୀ ପରସ୍ପରର ବିପରୀତ ହୋଇଥାଏ। ସତ୍ୟବାଦୀ ସତ୍ୟକୁ ପ୍ରକାଶ କରିବା ଦ୍ବାରା ତା’ର ସମ୍ମାନ ପ୍ରଦର୍ଶନ କରିଥିବାବେଳେ ମିଥ୍ୟାବାଦୀ ସତ୍ୟ ପ୍ରତି ତା’ର ସମ୍ମାନ ପ୍ରଦର୍ଶନ କରିଥାଏ ତାକୁ ଗୋପନ ରଖି। ଉଭୟ ସତ୍ୟବାଦୀ ଓ ମିଥ୍ୟାବାଦୀ ସତ୍ୟକୁ ସମାନ ଗୁରୁତ୍ବ ପ୍ରଦାନ କରିଥାନ୍ତି। ମିଥ୍ୟାବାଦୀ ଜଣକ ଯଦି ସତ୍ୟକୁ ଗୁରୁତ୍ବ ଦେଉ ନଥାନ୍ତା, ସେ ତାକୁ ଲୁଚାଇବା ପାଇଁ କଷ୍ଟ କରନ୍ତା ନାହିଁ। ଏମାନଙ୍କଠାରୁ କିନ୍ତୁ ସଂପୂର୍ଣ୍ଣ ଭିନ୍ନ ହେଉଛି- ବକୱାସକାରୀ ବା ‘ବୁଲ୍‌ସିଟର୍‌’, ଯିଏ ସତ୍ୟକୁ ଆଦୌ ଖାତିର କରି ନ ଥାଏ, ସତ୍ୟ ପ୍ରତି ସଂପୂର୍ଣ୍ଣ ରୂପେ ଉଦାସୀନ ହୋଇଥାଏ। ଏକ ମିଥ୍ୟାବାଦୀ ତଥ୍ୟକୁ ନିଜର ଇଚ୍ଛା ଅନୁସାରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାଏ; ତା’ର ଉଦ୍ଦେଶ୍ୟ- ଆମେ ଏକ ମିଛ କଥାକୁ ବିଶ୍ବାସ କରୁ। ସେ ତେଣୁ ସତ କଥାକୁ ଘୋଡ଼ାଇ ରଖିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥାଏ। ଏକ ବକୱାସକାରୀ କିନ୍ତୁ ଆମର ଧ୍ୟାନ, ଧାରଣା ଓ ପ୍ରତ୍ୟାଶାକୁ ନିୟନ୍ତ୍ରଣ କରି ନିଜର ଉଦ୍ଦେଶ୍ୟ ସାଧନ କରିବାକୁ ମନଗଢ଼ା କଥା କହିଥାଏ; ସତ୍ୟ ସହିତ ଏହାର କୌଣସି ସଂପର୍କ ଥାଉ କି ନ ଥାଉ, ସେ ନେଇ ତା’ର କିଛି ଯାଏ ଆସେ ନ ଥାଏ। ବକୱାସକାରୀର ଦୁନିଆରେ ସତ ମିଛ ମଧ୍ୟରେ କୌଣସି ଫରକ ନ ଥାଏ; ସେ ମିଥ୍ୟାବାଦୀ ଠାରେ ରହିଥିବା ଗୋପନ ଅପରାଧବୋଧରୁ ସଂପୂର୍ଣ୍ଣ ମୁକ୍ତ ଥାଏ।
ମୁଣ୍ଡକ ଉପନିଷଦକୁ ଅନୁସରଣ କଲାଭଳି ସତ୍ୟକୁ ସଭ୍ୟତାର ମୂଳଭିତ୍ତି ରୂପେ ବିଚାର କରୁଥିବା ହ୍ୟାରୀ ଫ୍ରାଙ୍କଫର୍ଟ ତେଣୁ ଏଇ ସତ୍ୟ-ଉଦାସୀନ ବକୱାସକାରୀମାନଙ୍କୁ ସଭ୍ୟତାର ଅସଲ ଶତ୍ରୁ ରୂପେ ବିଚାର କରୁଥିଲେ। ତାଙ୍କ ବିଚାରରେ ଏକ ମିଥ୍ୟାବାଦୀ ମିଛ କହୁଥିଲେ ହେଁ ସତ୍ୟର ଅସ୍ତିତ୍ବକୁ ନିଭୃତରେ ସ୍ବୀକାର କରିଥାଏ, ନିଜର ସୁବିଧା ପାଇଁ ଯାହାକୁ ସେ ଲୁଚାଇଥାଏ; ସେ ଚାହେଁନା ସେ ଜାଣିଥିବା ସତ୍ୟକୁ ଅନ୍ୟମାନେ ମଧ୍ୟ ଜାଣନ୍ତୁ। ବକୱାସକାରୀ କିନ୍ତୁ ସତ୍ୟର ଅସ୍ତିତ୍ବକୁ ହିଁ ଆଦୌ ସ୍ବୀକାର କରି ନ ଥାଏ।
ଯେଉଁ ରାଜନେତାମାନେ ବକୱାସ କରିଥାନ୍ତି, ସେମାନେ ଏପରି କଥା କହିଥାନ୍ତି, ଯାହାର ବାସ୍ତବତା ସହିତ ସଂପର୍କ ଥାଉ କି ନ ଥାଉ, ଯାହା କିନ୍ତୁ ପ୍ରଭାବଶାଳୀ, ଉପଯୋଗୀ ଓ ରା‌ଜନୈତିକ ଦୃଷ୍ଟିରୁ ସୁବିଧାଜନକ ହୋଇଥାଏ। ଏମାନେ କରୁଥିବା ଗୋଟିଏ ଦାବି ଯଦି ମିଥ୍ୟା ସାବ୍ୟସ୍ତ ହୁଏ, ତୁରନ୍ତ ଆଉ ଏକ ଦାବି ତା’ର ସ୍ଥାନ ଦଖଲ କରିଥାଏ; ଯଦି ଦିଆଯାଇଥିବା ଗୋଟିଏ ପ୍ରତିଶ୍ରୁତି ପୂରଣ ନ ହୁଏ, ଅବିଳମ୍ବେ ବିଷୟବସ୍ତୁକୁ ବଦଳାଇ ଦିଆଯାଏ; ଯଦି ପରିସଂଖ୍ୟାନରେ ପ୍ରଶ୍ନଚିହ୍ନ ଲଗାଯାଏ, ତାହାକୁ ଲିଭାଇ ଦେବା ପାଇଁ ଆଉ ଏକ ଅଧିକ ଚମକପ୍ରଦ କାହାଣୀର ଆବିର୍ଭାବ ଘଟେ।
ଫ୍ରାଙ୍କଫର୍ଟଙ୍କ ମାନଦଣ୍ଡ ଅନୁସାରେ କୌଣସି ଏକ ବକ୍ତବ୍ୟ ବକୱାସ ରୂପେ ପରିଗଣିତ ହେବା ପାଇଁ ନିମ୍ନୋକ୍ତ ତ୍ରିବିଧ ଚରିତ୍ରର ଅଧିକାରୀ ହୋଇଥିବା ଆବଶ୍ୟକ। ପ୍ରଥମ- ଦମ୍ଭୋକ୍ତି। ବକ୍ତା ଜଣକ ତାଙ୍କର ବକ୍ତବ୍ୟକୁ ଏପରି ଜୋର ଦେଇ ଉପସ୍ଥାପନ କରିଥାନ୍ତି, ଯାହା ସଂପୂର୍ଣ୍ଣ ସତ୍ୟ ଉପରେ ଆଧାରିତ ହୋଇଥିବା ଭଳି ମନେ ହୋଇଥାଏ ଏବଂ ଶ୍ରୋତାମାନଙ୍କ ଠାରେ ସଂପୂର୍ଣ୍ଣ ବିଶ୍ବାସ ଜନ୍ମାଇଥାଏ। ଦ୍ବିତୀୟ- ସତ୍ୟ ପ୍ରତି ସଂପୂର୍ଣ୍ଣ ଉଦାସୀନତା। ବକ୍ତା ନିଜର ଦାବିର ସତ୍ୟତା ନେଇ ଆଦୌ ଚିନ୍ତିତ ନଥାନ୍ତି; ତାଙ୍କର ଅସଲ ଉଦ୍ଦେଶ୍ୟ ହେଉଛି- ପ୍ରଭାବିତ କରିବା, ଉଚ୍ଚାଟିତ କରିବା, ନିଜର ଅଭୀଷ୍ଟ ହାସଲ କରିବା। ତୃତୀୟ- ନିଜର ଏଇ ସତ୍ୟ-ଉଦାସୀନତାକୁ ଯତ୍ନର ସହିତ ଲୋକଚକ୍ଷୁରୁ ଲୁଚାଇ ରଖିବା। ସେ ନିଜର ବକ୍ତବ୍ୟକୁ ଏପରି ଉପସ୍ଥାପିତ କରିଥାନ୍ତି ଯାହା ଶ୍ରୋତାମାନଙ୍କୁ ତାହାକୁ ସଂପୂର୍ଣ୍ଣ ସତ୍ୟବାଦନ ଭଳି ବିଶ୍ବାସ କରିବାକୁ ପ୍ରଚୋଦିତ କରିଥାଏ।
ଆଜି ଯଦି ଫ୍ରାଙ୍କଫର୍ଟ ଜୀବିତ ଥାନ୍ତେ, ସେ ନିଶ୍ଚିତ ରୂପେ ଏକମତ ହୁଅନ୍ତେ ଯେ ଯଦି ବକୱାସ ପାଇଁ ଏକ ନୋବେଲ ପ୍ରାଇଜ ପ୍ରଦାନ କରାଯାଉଥାନ୍ତା, ଏବଂ ଏଥିପାଇଁ ଯୋଗ୍ୟତମ ପ୍ରାର୍ଥୀ ଚୟନ କରିବା ଦାୟିତ୍ବ ତାଙ୍କୁ ଅର୍ପଣ କରାଯାଆନ୍ତା, ତେବେ ସେ ନିଶ୍ଚିତ ରୂପେ ତତ୍‌କ୍ଷଣାତ ଏଇ ତ୍ରିବିଧ ମାନଦଣ୍ଡ ସହିତ ଶତପ୍ରତିଶତ ଖାପ ଖାଉଥିବା ଯାହାଙ୍କ ନାମ ସେ ପ୍ରାଇଜ ପାଇଁ ସୁପାରିସ କରନ୍ତେ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ତାଙ୍କ ନିଜ ଦେଶ ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି- ଡୋନାଲ୍‌ଡ ଟ୍ରମ୍ପ। ଏଥିପାଇଁ ଟ୍ରମ୍ପଙ୍କ ଯୋଗ୍ୟତାର ପୂର୍ଣ୍ଣ ବିବରଣୀ ଲିପିବଦ୍ଧ କରିବା ପାଇଁ ଏଇ ସମ୍ବାଦପତ୍ରର ସବୁତକ ପୃଷ୍ଠା ମଧ୍ୟ ନିଅଣ୍ଟ ହେବ।
ତେବେ ଏଠାରେ ଏତିକି କହିଲେ ଯଥେଷ୍ଟ ହେବ ଯେ ରବିବାର ଦିନ ଟ୍ରମ୍ପ ମିସିଗାନ ରାଜ୍ୟର ପୋର୍ଟ ହ୍ୟୁରନଠାରେ ଏକ ନିର୍ବାଚନୀ ସମାବେଶରେ ଉଦ୍‌ବୋଧନ ଦେବା ଅବସରରେ ପୁଣି ଥରେ ସେ ଭାରତ-ପାକିସ୍ତାନ ଯୁଦ୍ଧ ସମେତ ଆଠଟି ଯୁଦ୍ଧ ବନ୍ଦ କରିଥିବା ଯୋଗୁଁ ୨୦୨୬‌ର ନୋବେଲ ଶାନ୍ତି ପୁରସ୍କାର ପାଇବା ପାଇଁ ହକ୍‌ଦାର ବୋଲି ନିଜର ପୁରୁଣା ବକୱାସ ଦୋହରାଇବା ସହିତ ଏହା ତାଙ୍କ ପ୍ରଦାନ କରା ନ ଯାଇ ଦକ୍ଷିଣ ଆଫ୍ରିକାର ନ୍ୟାୟାଧୀଶ ନାଭି ପିଲେଙ୍କୁ ପ୍ରଦାନ କରାଯିବାରୁ ଏଇ ପୁରସ୍କାର ପରିଚାଳନାକାରୀ ଦେଶ ନରୱେ ବିରୁଦ୍ଧରେ ବିଷୋଦ୍‌ଗାର କରି ସଭ୍ୟତାର ଶତ୍ରୁ-ସୁଲଭ ଅତ୍ୟନ୍ତ ଅସଭ୍ୟ ଭାଷା ବ୍ୟବହାର କରି ସେ ଦେଶକୁ ଏକ ‘ପାଇଖାନା ଘର’ ରୂପେ ବର୍ଣ୍ଣନା କରିଥିଲେ। ଏଇ କାରଣରୁ ସେ ନରୱେର କୌଣସି ନାଗରିକଙ୍କୁ ଆଉ ଆମେରିକାରେ ପ୍ରବେଶ କରିବାକୁ ଦେବେ ନାହିଁ ବୋଲି ମଧ୍ୟ ଟ୍ରମ୍ପ ଧମକ ଦେଇଛନ୍ତି।
ସେତିକି ନୁହେଁ, ନିଜର ଏଇ ହାସ୍ୟାସ୍ପଦ ହତାଶା ପାଇଁ ସେଠାରେ ସମବେତ ‘ମାଗା’ ସମର୍ଥକମାନଙ୍କର ସମବେଦନା ଓ ଭୋଟ ହାସଲ କରିବା ଉଦ୍ଦେଶ୍ୟରେ ସମସ୍ତ ଲଜ୍ଜା ତ୍ୟାଗ କରି ଟ୍ରମ୍ପ ସେମାନଙ୍କର ଅବଗତି ନିମିତ୍ତ ପ୍ରକାଶ କରିଥିଲେ ଯେ ସେ ଏଥର ନୋବେଲ ଶାନ୍ତି ପୁରସ୍କାର ଦ୍ବାରା ସମ୍ମାନିତ ହେବାକୁ ଯାଉଛନ୍ତି ବୋଲି ପତ୍ନୀ ମେଲାନିଆଙ୍କୁ କହିସାରିଥିଲେ। ହ୍ୟାରୀ ଫ୍ରାଙ୍କଫର୍ଟ ଅବଶ୍ୟ ଏହା ଦ୍ବାରା ତିଳେ ମାତ୍ର ପ୍ରଭାବିତ ନ ହୋଇ ସଭ୍ୟତାର ଶତ୍ରୁ ଟ୍ରମ୍ପଙ୍କୁ କହନ୍ତେ: ଶାନ୍ତି ପୁରସ୍କାର ନୁହେଁ, ବକୱାସ ପୁରସ୍କାର ଗ୍ରହଣ କରି ଚୁପ୍ ରୁହ!

Read Entire Article
LEFT SIDEBAR AD

Hidden in mobile, Best for skyscrapers.