ARTICLE AD BOX
ବେଙ୍ଗାଲୁରୁ: ବିହାର ଓ ହରିୟାଣାରୁ ୪୪,୨୫୦ଟି ଜୀବନ୍ତ ଗୁଳି ଜବତ ଘଟଣାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)କୁ ଯୋଡ଼ି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା କର୍ଣ୍ଣାଟକର ଗୃହମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ମନ୍ତ୍ରୀଙ୍କ ବିରୋଧରେ ମିଥ୍ୟା ଖବର ପ୍ରଚାର ଏବଂ ସାମାଜିକ ସଦ୍ଭାବନା ନଷ୍ଟ କରିବାକୁ ଉଦ୍ୟମ ଅଭିଯୋଗରେ ବେଙ୍ଗାଲୁରୁର ବନଶଙ୍କରୀ ଥାନାରେ ଅଭିଯୋଗ ଦାଖଲ ହୋଇଛି। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ଏତଲା ରୁଜୁ ହୋଇନାହିଁ ବୋଲି ପୁଲିସ ସ୍ପଷ୍ଟ କରିଛି।
ଆହୁରି ପଢନ୍ତୁ :Rally: ଗୋଟିଏ ରାଲି ପାଇଁ ଭାଙ୍ଗିଥିଲା ଗାନ୍ଧୀ ପରିବାରର ସମ୍ପର୍କ
ତେଜସ୍ ଏ ଗୌଡ଼ା ନାମକ ଜଣେ ବ୍ୟକ୍ତି ବନଶଙ୍କରୀ ଥାନାରେ ଏହି ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ପ୍ରିୟଙ୍କ ଖଡ଼ଗେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି ବିହାର ଓ ହରିୟାଣାରୁ ଜବତ ହୋଇଥିବା ପ୍ରାୟ ୪୪,୨୫୦ଟି ଜୀବନ୍ତ ଗୁଳି ସହ ଆର୍ଏସ୍ଏସ୍ର ସମ୍ପୃକ୍ତି ଥିବା ଭଳି ଧାରଣା ସୃଷ୍ଟି କରିଛନ୍ତି। ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦ୍ୱାରା ଆର୍ଏସ୍ଏସ୍କୁ ଆପରାଧିକ କାର୍ଯ୍ୟକଳାପ ସହ ଯୋଡ଼ିବାକୁ ଉଦ୍ୟମ କରାଯାଇଛି ବୋଲି ସେ କହିଛନ୍ତି। ଏହାଦ୍ୱାରା ସମାଜରେ ଭୁଲ୍ ସୂଚନା ପ୍ରସାରିତ ହେବା ସହ ସାମାଜିକ ସଦ୍ଭାବନା ଓ ଶାନ୍ତି ଭଙ୍ଗ ହେବାର ଆଶଙ୍କା ରହିଛି। ଜଣେ ଗୃହମନ୍ତ୍ରୀଙ୍କ ଦାୟିତ୍ୱ ହେଉଛି ରାଜ୍ୟରେ ଆଇନଶୃଙ୍ଖଳା ଓ ସାଧାରଣ ଶାନ୍ତି ବଜାୟ ରଖିବା। ଏଭଳି ସାମ୍ବିଧାନିକ ପଦବିରେ ଥିବା ବ୍ୟକ୍ତି କୌଣସି ସଂଗଠନ ବିରୋଧରେ ଭୁଲ୍ ସୂଚନା ପ୍ରଚାର କଲେ ତାହା ଗମ୍ଭୀର ଚିନ୍ତାର ବିଷୟ ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି। ପ୍ରିୟଙ୍କ ଖଡ଼ଗେଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ତିନୋଟି ଧାରା ଅନୁଯାୟୀ ଏତଲା ରୁଜୁ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସେ ଦାବି କରିଛନ୍ତି। ଏଥିପାଇଁ ମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟ ସମ୍ପର୍କିତ ଇଲେକ୍ଟ୍ରୋନିକ୍ ରେକର୍ଡ ସଂଗ୍ରହ କରିବା ସହ ବିହାର ଓ ହରିୟାଣା ପୁଲିସ ସହ ସମନ୍ୱୟ ରଖି ଗୁଳି ଜବତ ଘଟଣାର ପ୍ରକୃତ ତଥ୍ୟ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି।
ଆହୁରି ପଢନ୍ତୁ :Supreme Court : ସୁପ୍ରିମ୍କୋର୍ଟ ପରିସରରେ ନିଷେଧାଦେଶ ହଟିନାହିଁ, ସୂଚନା ଫଳକ ଲଗାଇପାରିବେ କର୍ତ୍ତୃପକ୍ଷ
ଏହି ପ୍ରସଙ୍ଗକୁ ନେଇ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ମଧ୍ୟ ପ୍ରିୟଙ୍କ ଖଡ଼ଗେଙ୍କୁ ଟାର୍ଗେଟ୍ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ କରି ସେ ମନ୍ତ୍ରୀଙ୍କୁ ମିଥ୍ୟା ଖବର ପ୍ରଚାରକ ବୋଲି ସମାଲୋଚନା କରିଛନ୍ତି। ଏହି ବିବାଦରେ ବେଙ୍ଗାଲୁରୁର ପୂର୍ବତନ ପୁଲିସ କମିସନର ଭାସ୍କର ରାଓ ମଧ୍ୟ ହସ୍ତକ୍ଷେପ କରିଛନ୍ତି। ସେ ପ୍ରିୟଙ୍କ ଖଡ଼ଗେଙ୍କୁ ଚିଠି ଲେଖି ଗୃହ ବିଭାଗ ଓ କର୍ଣ୍ଣାଟକ ପୁଲିସର ସାଂସ୍ଥାଗତ ମର୍ଯ୍ୟାଦା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ମନ୍ତ୍ରୀଙ୍କ ପୋଷ୍ଟରେ ବ୍ୟବହୃତ ଫଟୋକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଉକ୍ତ ଫଟୋଟି ଏଆଇ ଦ୍ୱାରା ପରିବର୍ତ୍ତିତ ହୋଇଥିବା ଏବଂ ମୂଳ ଫଟୋ ସହ ଏହାର କିଛି ଅସଙ୍ଗତି ଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିବା କଥା ସେ ଚିଠିରେ ଉଲ୍ଲେଖ କରିଛନ୍ତି।

1 day ago
3


