ARTICLE AD BOX
ରାଉରକେଲା (ଦେବବ୍ରତ ଗଡ଼ତିଆ): ବର୍ତ୍ତମାନ ସ୍ମାର୍ଟସିଟି ରାଉରକେଲା ସଙ୍କୁଚିତ ହେବାରେ ଲାଗିଛି। ଆବଶ୍ୟକ ସ୍ଥାନାଭାବ ଯୋଗୁ ବାସଗୃହ ପ୍ରକଳ୍ପ ତଥା ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ ସମ୍ଭବ ହୋଇପାରୁନି। ସମ୍ଭବତଃ ଦ୍ରୁତ ସହରୀକରଣ ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଉରକେଲା ବାହାରେ ଆଉଟର୍ ରିଂ ରୋଡ୍ ପରିକଳ୍ପନା କରାଯାଇଥିଲା। ଗତ ୨୦୨୫ ମାର୍ଚ୍ଚ ମାସରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏନେଇ ଘୋଷଣା କରିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ, ସହର ସଂପ୍ରସାରଣ ହେବାସହ ତଥା ଅର୍ଥନୈତିକ ବିକାଶ ଘଟିବ। କିନ୍ତୁ ଏଯାଏ ପ୍ରକଳ୍ପ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ, ଏହାର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ୍।
ସହରରେ ଗୃହ ନିର୍ମାଣ ପାଇଁ ଜମିର ଅଭାବ ଓ ବ୍ୟବସାୟିକ ଅଭିବୃଦ୍ଧି କାରଣରୁ ଏହି ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକର ବିକାଶ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଏହି ପ୍ରସ୍ତାବିତ ଆଉଟର୍ ରିଂ ରୋଡ୍ ପ୍ରକଳ୍ପର ଦୈର୍ଘ୍ୟ ସର୍ବନିମ୍ନ ୧୧୭ କିଲୋମିଟରରୁ ସର୍ବାଧିକ ୧୭୦.୫ କିଲୋମିଟର ପର୍ଯ୍ୟନ୍ତ ରହିଛି, ଯାହା ଝାଡ଼ଖଣ୍ଡ ସୀମା ପର୍ଯ୍ୟନ୍ତ ସଂଯୋଗ ହେବ। ଏହି ବିକଳ୍ପଗୁଡ଼ିକ ମଧ୍ୟରେ ପ୍ରଥମ ଆଲାଇନମେଣ୍ଟ୍ର ଦୈର୍ଘ୍ୟ ୧୫୫ କିଲୋମିଟର ରହିଛି, ଯାହା ଲାଠିକଟା, ରାଜଗାଙ୍ଗପୁର, ରାଏବଗା, ବୀରମିତ୍ରପୁର, ନୂଆଗାଁ ଓ ବିଶ୍ରା ବ୍ଲକକୁ ସଂଯୋଗ କରୁଛି। ଦ୍ୱିତୀୟ ଆଲାଇନମେଣ୍ଟ୍ଟି ସବୁଠାରୁ ଛୋଟ (୧୧୭ କିଲୋମିଟର) ଯାହା କାଂଶବାହାଲ, କୁଆରମୁଣ୍ଡା, ହାତୀବାରି ଓ ବିଶ୍ରା ଦେଇ ଗତି କରୁଛି।
ଆହୁରି ପଢନ୍ତୁ: Sundargarh: ଇବନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ସେହିଭଳି ତୃତୀୟ ଆଲାଇନମେଣ୍ଟ୍ଟି ସବୁଠାରୁ ଦୀର୍ଘ (୧୭୦.୫ କିଲୋମିଟର), ଯାହା କୁତ୍ରା ବ୍ଲକ୍ ଦେଇ ସୁଦୂର ଝାଡ଼ଖଣ୍ଡ ସୀମା ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇ ପୁଣି ଗ୍ରେଟର୍ ରାଉରକେଲାକୁ ଫେରିବ। ତେବେ ପ୍ରଥମ ବିକଳ୍ପ, ଅର୍ଥାତ୍ ୧୫୫ କିଲୋମିଟର ବିଶିଷ୍ଟ ଆଉଟର୍ ରିଂ ରୋଡ୍ ପାଇଁ ସାଧାରଣରେ ଦାବି ହେଉଛି। ପୂର୍ତ୍ତ ବିଭାଗର ରୋଡ୍ ଆଣ୍ଡ୍ ବିଲଡିଂ ଡିଭିଜନ ଏସ୍.ଏମ୍ କନସଲଟାଣ୍ଟ୍ସ ଜରିଆରେ ୩ଟି ବିକଳ୍ପ ରୁଟ୍ ବା ଆଲାଇନ୍ମେଣ୍ଟ ପ୍ରସ୍ତୁତ କରି ସୁନ୍ଦରଗଡ଼ଜିଲ୍ଲା ପ୍ରଶାସନ ସହ ସମୀକ୍ଷା କରୁଥିବା କହାଯାଉଛି। ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଚୂଡ଼ାନ୍ତ ନକ୍ସାକୁ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ଏବଂ ଏହାପରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହେବ। ଏହି ଆଉଟର ରିଂ ରୋଡ୍ ନିର୍ମାଣ ଦ୍ୱାରା କେବଳ ସହରର ଭାରୀ ଯାନବାହନ ଜନିତ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ହେବନି; ବରଂ ବୃହତ୍ ରାଉରକେଲା ଅଧୀନରେ ଆସୁଥିବା ନୂଆ ଅଞ୍ଚଳଗୁଡ଼ିକରେ ବାସଗୃହ ନିର୍ମାଣ ଓ ଜମିର ଉପଲବ୍ଧତା ବୃଦ୍ଧିପାଇବ।
ଆହୁରି ପଢନ୍ତୁ: Debrigad: ଡେବ୍ରିଗଡ଼ ଅଭୟାରଣ୍ୟରେ କଲରାପତରିଆ ବାଘ ଶିକାର ଯୋଜନା ପଣ୍ଡ, ୨ ଶିକାରୀ ଗିରଫ
ରାଉରକେଲା ସହରର ସଂପ୍ରସାରଣ ନିତାନ୍ତ ଆବଶ୍ୟକ ହେଲାଣି। ବୃହତ୍ ରାଉରକେଲା ସ୍ବପ୍ନ ପୂରଣ କରିବାକୁ ହେଲେ ଆଉଟର୍ ରିଂ ରୋଡ୍ ପ୍ରକଳ୍ପକୁ ବାସ୍ତବ ରୂପ ଦେବାକୁ ହେବ। ଏହି ପ୍ରକଳ୍ପ ଦ୍ବାରା ସହରର ସର୍ବାଙ୍ଗୀନ ଉନ୍ନତି ହେବ। ପରିବହନ ବ୍ୟାପକ ହେବା ସହ ଟ୍ରାଫିକ୍ ସମସ୍ୟା ଦୂର, ବିଶେଷକରି ଅର୍ଥନୀତି ଶିଖର ଛୁଇଁବ। ପ୍ରାଥମିକତା ଭିତ୍ତିରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଉ।
ନୀହାର ରାୟ, ପୂର୍ବତନ ନଗରପାଳ
ବୃହତ ରାଉରକେଲା ହେଉଛି ବର୍ତ୍ତମାନର ଆବଶ୍ୟକତା। କୌଣସି ଢିଲା ନୀତି ନ ଆପଣେଇ ଏହି ପ୍ରକଳ୍ପ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉ। ତେବେ, ଯେଉଁ ବୃହତ୍ ଲକ୍ଷ୍ୟ ରଖି ରାଉରକେଲା ମହାନଗର ନିଗମ, ସ୍ମାଟସିଟି ଗଠନ କରାଗଲା, ତାହା ଏଯାଏ ପୂରଣ ହୋଇପାରିଲାନି। ଏହି ମହତ୍ ଲକ୍ଷ୍ୟ ପୂର୍ଣ୍ଣମାତ୍ରାରେ ବ୍ୟବସ୍ଥିତ କରାଯିବା ଉଚିତ। ଏଥିପାଇଁ ତତ୍ପରତା ଦେଖାନ୍ତୁ।
ଶୈଳେନ୍ଦ୍ର ମହାନ୍ତି, ବୁଦ୍ଧିଜୀବୀ
ବର୍ତ୍ତମାନ ସହରର ସଂପ୍ରସାରଣ ପାଇଁ ଜାଗା ନାହିଁ। ଯଦ୍ବାରା ଆବଶ୍ୟକ ବିକାଶ ବି ହୋଇପାରୁନି। ଯଦି ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୁଏ, ତା’ହେଲେ ସହର ବିକଶିତ ହେବ। ବଡ଼ ବଡ଼ ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ବାସଗୃହ ପ୍ରକଳ୍ପ ଆଦି ଉପଲବ୍ଧ ହେବ। ବହୁ ଭିତ୍ତିଭୂମି ନିର୍ମାଣ ହେବ, ବିଶେଷକରି ସହର ଉପକଣ୍ଠ ଅଞ୍ଚଳ ମଧ୍ୟ ଅନୁରୂପ ଭାବେ ବିକାଶର ଧାରାରେ ସାମିଲ ହେବେ।
ଭଗବାନ ପତି, ଅବସରପ୍ରାପ୍ତ ବନଖଣ୍ଡ ଅଧିକାରୀ

12 hours ago
4


