ARTICLE AD BOX
ରାଉରକେଲା (ଦେବବ୍ରତ ଗଡ଼ତିଆ): ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୌର ନିର୍ବାଚନ ପାଇଁ ୱାର୍ଡ୍ ପୁନର୍ଗଠନ ଓ ଆସନ ସଂରକ୍ଷଣର ଚୂଡ଼ାନ୍ତ ପ୍ରକ୍ରିୟା ଶେଷ କରିବାକୁ ଆସନ୍ତା ଅକ୍ଟୋବର ୩୧ ତାରିଖ ସମୟସୀମା ଧାର୍ଯ୍ୟ କରାଯାଇଛି। ସରକାରଙ୍କ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସାରା ରାଜ୍ୟ ସମେତ ଇସ୍ପାତ ସହର ରାଉରକେଲାରେ ରାଜନୈତିକ ହଲଚଲ ତେଜିବାରେ ଲାଗିଛି। ବିଶେଷକରି ରାଉରକେଲା ମହାନଗର ନିର୍ବାଚନକୁ ନେଇ ସ୍ଥାନୀୟ ନେତା ଓ ଜନସାଧାରଣଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ପ୍ରକାଶ ପାଇଛି।
ନୂତନ ସୂଚି ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୨୪ ସୁଦ୍ଧା ରାଉରକେଲା ମହାନଗର ନିଗମ ସମେତ ଅନ୍ୟ ପ୍ରମୁଖ ପୌରସଂସ୍ଥାଗୁଡ଼ିକୁ ୱାର୍ଡ ସୀମା ନିର୍ଦ୍ଧାରଣ ଓ ମାନଚିତ୍ର ସହ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ଅକ୍ଟୋବର ୫ରେ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଜନସାଧାରଣଙ୍କ ଅଭିଯୋଗ ଓ ପରାମର୍ଶ ଗ୍ରହଣ କରାଯାଇ ଅକ୍ଟୋବର ୩୧ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।
ଏହି ସରକାରୀ ପ୍ରକ୍ରିୟା ଆରମ୍ଭ ହେବାମାତ୍ରେ ରାଉରକେଲା ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି। ରାଉରକେଲାରେ ଶେଷ ଥର ପାଇଁ ୨୦୦୮ ମସିହାରେ ପୌର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଯଦିଓ ନିର୍ବାଚିତ ପରିଷଦର କାର୍ଯ୍ୟକାଳ ୨୦୧୩ ମସିହାରେ ଶେଷ ହୋଇଥିଲା, ତଥାପି ସହରକୁ ପୌରପାଳିକାରୁ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)କୁ ଉନ୍ନୀତ କରିବା ସମ୍ପର୍କିତ ଆଇନଗତ ବିବାଦ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଚାଲିଥିବାରୁ ପରବର୍ତ୍ତୀ ନିର୍ବାଚନ ବହୁ ବର୍ଷ ଧରି ବିଳମ୍ବ ହୋଇଥିଲା।
ତେବେ ଗତ ଏପ୍ରିଲ ୨୩ ତାରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏହି ସମ୍ପର୍କିତ ଅନ୍ତରୀଣ ରହିତାଦେଶକୁ ପ୍ରତ୍ୟାହାର କରିଥିଲେ। ୨୦୧୫ ମସିହାରୁ ଆର୍ଏମ୍ସି ଗଠନ ଓ ନିର୍ବାଚନ ପ୍ରକ୍ରିୟାକୁ ଅଟକାଇ ରଖିଥିବା ତିନୋଟି ପ୍ରମୁଖ ଆବେଦନ ଖାରଜ ହେବାପରେ, ଦୀର୍ଘ ପ୍ରାୟ ୧୯ ବର୍ଷ ପରେ ରାଉରକେଲାବାସୀ ନିଜ ପସନ୍ଦର ବ୍ୟକ୍ତିଙ୍କୁ ନିର୍ବାଚିତ କରିବାର ସୁଯୋଗ ପାଇବେ। ଯଦିଓ ନିର୍ବାଚନ ତାରିଖ ଘୋଷଣା ହୋଇନି, କିନ୍ତୁ ବିଭିନ୍ନ ରାଜନୈତିକ ଦଳର ଅଙ୍କକଷା ଆରମ୍ଭ ହୋଇଯାଇଛି।
Dead Body: ରାଉରକେଲାରେ ଚାଞ୍ଚଲ୍ୟ: ଡ୍ରେନ୍ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
ସଂପ୍ରତି ସହରର ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ସରକାରୀ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଏବେ ଜନତାଙ୍କ ସ୍ୱର ନିର୍ବାଚିତ ପ୍ରତିନିଧିଙ୍କ ପାଖରେ ପହଞ୍ଚିବା ପାଇଁ ମାର୍ଗ ପ୍ରଶସ୍ତ ହୋଇଛି। ଗୋଟିଏପଟେ ରାଜନୈତିକ ଦଳ ପ୍ରସ୍ତୁତି ପର୍ବକୁ ବ୍ୟାପକ କରିଥିବାବେଳେ ଜନସାଧାରଣଙ୍କ ମଧ୍ୟରେ ମଧ୍ୟ ନିଜ ଅଞ୍ଚଳର ବିକାଶ ଓ ସମସ୍ୟାର ସମାଧାନ ପାଇଁ ଯୋଗ୍ୟ ପ୍ରତିନିଧି ଚୟନକୁ ନେଇ ଚର୍ଚ୍ଚା ଆଲୋଚନା ଜୋର୍ଧରିଲାଣି। ଆଗାମୀ ବର୍ଷ ଆରମ୍ଭରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ରାଉରକେଲାରେ ରାଜନୈତିକ ମହାସମର ବିଗୁଲ ବାଜି ସାରିଥିବା ରାଜନୈତିକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।

1 week ago
5


