Reserve Police: ରିଜର୍ଭ ପୁଲିସ କ୍ୟାମ୍ପସ୍‌ କୁଣ୍ଡରୁ ଛାତ୍ରୀଙ୍କ ମୃତଦେହ ଜବତ: ନିଖୋଜର ସାଢ଼େ ୪ଘଣ୍ଟା ପରେ ଠାବ

1 hour ago 1
ARTICLE AD BOX

ଭୁବନେଶ୍ବର: ସକାଳୁ ହସଖୁସିରେ ଘରୁ ସ୍କୁଲ୍‌ ଆସିଥିଲେ। ଛୁଟି ପରେ ଘରକୁ ଫେରିଥାଆନ୍ତେ। ହେଲେ ଝିଅର ଶବ ଫେରିଥିଲା। ଏଭଳି ଛାତିଥରା ଘଟଣା ଭୁବନେଶ୍ବର ଡିଏମ୍‌ ସ୍କୁଲ୍‌ରେ ଆଲୋଡ଼ନ ସୃଷ୍ଟି କରିଛି। ନିଖୋଜର ସାଢ଼େ ୪ ଘଣ୍ଟା ପରେ ଆଚାର୍ଯ୍ୟବିହାର ପୁଲିସ ରିଜର୍ଭ କ୍ୟାମ୍ପସ୍‌ର ପାଣି କୁଣ୍ଡରୁ ଡିଏମ୍‌ ସ୍କୁଲ ଦ୍ବିତୀୟ ଶ୍ରେଣୀ ଛାତ୍ରୀ ଶ୍ରେୟାଂସିଙ୍କ ମୃତଦେହ ପୁଲିସ ଠାବ କରିଥିଲା। ସହିଦନଗର ଥାନା ପୁଲିସ ମାମଲା ରୁଜୁକରି ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଜାରି ରଖିଛି। ଫୁଟେଜ୍‌ରେ ଶ୍ରେୟାଂସି ଏକୁଟିଆ ଚାଲି ଚାଲି ଯାଉଥିବାର ଦୃଶ୍ୟ ରହିଛି। ହେଲେ ସେ କାହିଁକି ଏଠାକୁ ଏକୁଟିଆ ଅସୁଥିଲେ, କେମିତି ପାଣି କୁଣ୍ଡରେ ପଡ଼ିଲେ, ଏସବୁ ଘଟଣାରୁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ନିଖୋଜର ସାଢ଼େ ୪ଘଣ୍ଟା ପରେ ଠାବ
ସନ୍ଦେହରେ ସିକ୍ୟୁରିଟି ବ୍ୟବସ୍ଥା

ପୁଲିସ ସୂଚନା ମୁତାବକ, ଝିଅ ପାଇଁ ବାପା ସବୁଦିନ ଖାଇବା ଧରି ସ୍କୁଲ୍‌କୁ ଯାଆନ୍ତି। ଖେଳ ଛୁଟି ସମୟରେ ଝିଅକୁ ଖୁଆଇ ଫେରନ୍ତି। ସବୁଦିନ ଭଳି ଆଜି ଅପରାହ୍ଣ ସାଢ଼େ ୧ଟା ସମୟରେ ଶ୍ରେୟାଂସିଙ୍କ ବାପା ଝିଅକୁ ଖୁଆଇବା ପାଇଁ ସ୍କୁଲ୍‌ ଯାଇଥିଲେ। ଅଧଘଣ୍ଟା ଅପେକ୍ଷା ପରେ ଝିଅ ନଆସିବାରୁ କ୍ୟାମ୍ପସରେ ଖୋଜାଖୋଜି କରିବା ସହ ସ୍କୁଲ୍‌ ସୁରକ୍ଷା ଗାର୍ଡ ଠାରୁ ଶିକ୍ଷକ, କର୍ତୃପକ୍ଷଙ୍କୁ ପଚରାଉଚରା କରିଥିଲେ। ଶ୍ରେୟାଂସିକୁ ୩ଘଣ୍ଟା ଖୋଜାଖୋଜି ପରେ ବି ମିଳିନଥିଲା। ଅପରାହ୍ଣ ସାଢ଼େ ୪ଟାରେ ସହିଦନଗର ଥାନା ଅବଗତ କରାଯାଇଥିଲା। ଡିସିପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶରେ ୩ଟି ସ୍ବତନ୍ତ୍ର ଟିମ୍‌ ସ୍କୁଲ୍‌ ଆଖପାଖ ପାର୍କଠୁ ବିଭିନ୍ନ ଅଞ୍ଚଳ ଖୋଜାଖୋଜି କରିଥିଲେ। ସିସିଟିଭି ଫୁଟେଜ୍‌ ଯାଞ୍ଚରୁ ପୁଲିସ ଜାଣିବାକୁ ପାଇଲା ଶ୍ରେୟାଂସି ଏକ ଟିଫିନ୍‌ ବକ୍ସ ବେକରେ ପକାଇ ସାଇନ୍ସ ପାର୍କ ଦେଇ ପୁଲିସ ରିଜର୍ଭ କ୍ୟାମ୍ପସ୍‌ ଆଡ଼କୁ ଚାଲି ଚାଲି ଯାଉଛନ୍ତି। ଏହା ଆଧାରରେ ପରିବାରଲୋକଙ୍କୁ  ପଚରା ଉଚରା କରିଥିଲା। ଜଣାପଡ଼ିଥିଲା, ଶ୍ରେୟାଂସିଙ୍କ ମାମୁ ଜଣେ କନଷ୍ଟେବଳ ଓ ପୁଲିସ ଆର୍‌ଓରେ ଅବସ୍ଥାପିତ। ମଝିରେ ମଝିରେ ବୁଲିବା ପାଇଁ ଶ୍ରେୟାଂସି ମାମୁଙ୍କ ପାଖକୁ ଆସନ୍ତି। ମାମୁଙ୍କୁ ପଚରାଉଚରା ପରେ ସେ ଆସିନଥିବା କହିଥିଲେ। ପରେ ପୁଲିସ ଟିମ୍‌ ଆର୍‌ଓରେ ଖୋଜାଖୋଜି ବେଳେ ପାଖାପାଖି ସାଢ଼େ ୫ଟା ସମୟରେ ସେଠରେ ଥିବା ଏକ ପାଣି କୁଣ୍ଡରେ ଶ୍ରେୟାଂସି ଭାସୁଥିବା ଦେଖି ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।  

ପ୍ରଶ୍ନ ଉଠୁଛି, କେଉଁ ପରିସ୍ଥିରେ ଶ୍ରେୟାଂସି ସ୍କୁଲ୍‌ କ୍ୟାମ୍ପସ୍‌ରୁ ବାହାରକୁ ଗଲେ, ସିକ୍ୟୁରିଟି ଗାର୍ଡ ତାଙ୍କୁ ଏକୁଟିଆ କିଭଳି ଛାଡ଼ିଥିଲେ? ଖାଲି ସେତିକି ନୁହେଁ ସିସିଟିଭି ଫୁଟେଜ୍‌ରେ କେବଳ ଚାଲି ଚାଲି ଯିବାର ଦୃଶ୍ୟ ରହିଛି, ହେଲେ ସେଠାରୁ ସେ କେମିତି ଆର୍‌ଓ କ୍ୟାମ୍ପସ୍‌କୁ ଗଲେ, ଏହାର କୌଣସି ଫୁଟେଜ୍‌ ମିଳିନାହିଁ। ମାନସିକ ସମସ୍ୟା ଥିପା କୁନି ଝିଅ କିଭଳି କୁଣ୍ଡ ନିକଟରେ ପହଞ୍ଚିଲା, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଥିପାଇଁ ପୁଲିସ ସ୍କୁଲ୍‌ ସିକ୍ୟୁରିଟିଗାର୍ଡ ସମେତ କିଛି କର୍ମଚାରୀଙ୍କୁ ପଚରାଉଚରା କରିଛି। ଏହାଛଡ଼ା ଆଖପାଖ ସିସି କ୍ୟାମେରା ଫୁଟେଜ୍‌କୁ ଯାଞ୍ଚ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.