Ravenshaw University ପ୍ରଫେସରଙ୍କୁ ଦୁର୍ବ୍ୟବହାରକୁ ନେଇ ରେଭେନ୍ସାରେ ଅଧ୍ୟାପକ ଓ ଛାତ୍ରଙ୍କ ବିକ୍ଷୋଭ

1 hour ago 1
ARTICLE AD BOX

ବାଚସ୍ପତିଙ୍କୁ ଚିଠି ଲେଖି ପାଲଟା ଅଭିଯୋଗ କଲେ ବିଧାୟକ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟର ଚିଫ୍‌ ୱାର୍ଡେନ ପ୍ରଫେସର ସୁଦର୍ଶନ ମିଶ୍ରଙ୍କୁ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ବିଶ୍ବବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୁର୍ବ୍ୟବହାର ନେଇ ବିଧାୟକ କ୍ଷମା ମାଗନ୍ତୁ ବୋଲି ଛାତ୍ରମାନେ ଦାବି କରିଛନ୍ତି। 
ଏହି ଘଟଣାକୁ ନେଇ ବିଶ୍ବବିଦ୍ୟାଳୟର ୧୩ଟି ହଷ୍ଟେଲର ୱାର୍ଡେନ ଓ ଡେପୁଟି ୱାର୍ଡେନମାନେ ସମୂହ ଇସ୍ତଫା ଦେଇଛନ୍ତି। ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ ପ୍ରତିବାଦ ଶୋଭାଯାତ୍ରାରେ ଆସି ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏଭଳି ଘଟଣାକୁ ବିରୋଧ କରି ବିଧାୟକ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି। ଅନ୍ୟପଟେ ଚିଫ ୱାର୍ଡେନ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି ବୋଲି ଦର୍ଶାଇ ବିଧାୟକ ପ୍ରକାଶ ସେଠୀ ବିଧାନସଭାର ବାଚସ୍ପତିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।


ସୂଚନା ଅନୁଯାୟୀ, ବିଶ୍ବବିଦ୍ୟାଳୟର ଇଷ୍ଟ ହଷ୍ଟେଲ ଛାତ୍ର ଡେପୁଟି ୱାର୍ଡେନଙ୍କୁ ବଦଳାଇବା ଦାବିରେ ଅଗଷ୍ଟ ୨ ତାରିଖରେ ଅନଶନ ଆରମ୍ଭ କରିଥିଲେ। କୁଳପତି, ଚିଫ୍‌ ୱାର୍ଡେନ ଓ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଏକ ବୈଠକ ୩ ତାରିଖ ରାତିରେ ଇଷ୍ଟ ହ‌ଷ୍ଟେଲ ପରିସରରେ ବସିଥିଲା। ‌‌ଏଥିରେ ଛାତ୍ରଙ୍କ ସହ ଆଲୋଚନା କରି ସେମାନଙ୍କୁ ଅନଶନରୁ ଉଠାଇବା ଦିଗରେ କର୍ତ୍ତୃପକ୍ଷ ସଫଳ ହୋଇଥିଲେ। ମାତ୍ର ବୈଠକର ଶେଷ ଆଡକୁ ବିଧାୟକ ପ୍ରକାଶ ସେଠୀ ସେଠାରେ ପହଞ୍ଚି ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ। ଛାତ୍ରମାନେ ଡେପୁଟି ୱାର୍ଡେନଙ୍କୁ ହଟାଇବାକୁ ଦାବି ରଖିଥିବା ଜାଣି ଡେପୁଟି ୱାର୍ଡେନଙ୍କୁ ବୈଠକକୁ ଡାକିବାକୁ ବିଧାୟକ କହିଥିଲେ। ମାତ୍ର ଡେପୁଟି ୱାର୍ଡେନଙ୍କୁ ହଷ୍ଟେଲକୁ ନଡାକି କୁଳପତିଙ୍କ କାର୍ଯ୍ୟାଳୟକୁ ଡାକି ଆଲୋଚନା କରିବାକୁ ଚିଫ୍‌ ୱାର୍ଡେନ ଶ୍ରୀ ମିଶ୍ର କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଧାୟକ ଚିଫ୍‌ ୱାର୍ଡେନଙ୍କୁ ଦୁର୍ବ୍ୟବହାର କରିଥିବା ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ(ରୁଟା) ପକ୍ଷରୁ କୁହାଯାଇଛି।

Ravenshaw University ୭ ଦିନ ମଧ୍ୟରେ ସରକାରୀ କ୍ବାର୍ଟର ଦଖଲ ଓ ବକୟା ଆଦାୟ ତଥ୍ୟ ଦେବାକୁ ରେଭେନ୍‌ସା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ
ବିଶ୍ବବିଦ୍ୟାଳୟ ପରିସରରେ ବିଧାୟକଙ୍କ ଏଭଳି ହସ୍ତକ୍ଷେପକୁ ରୁଟା କାର୍ଯ୍ୟକାରୀ ପରିଷଦ ପକ୍ଷରୁ ନିନ୍ଦା କରାଯାଇଛି। ସଂଘ ତରଫରୁ ଏକ ସ୍ମାରକପତ୍ର ରେଭେନ୍ସା କୁଳପତିଙ୍କୁ ପ୍ରଦାନ କରାଯାଇଛି। ସଦର ବିଧାୟକଙ୍କ ଦୁର୍ବ୍ୟବହାର ଘଟଣାକୁ ଗୁରୁତର ସହ ବିଚାର କରିବାକୁ ଦାବି କରାଯିବା ସହିତ ଏହାର ଉପଯୁକ୍ତ ବିଚାର ପାଇଁ ବିଶ୍ବବିଦ୍ୟାଳୟର କୁଳାଧିପତିଙ୍କ ନିକଟକୁ ପଠାଇବା, ବିଧାୟକ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବା, ବିଶ୍ବବିଦ୍ୟାଳୟର ସ୍ବାୟତ୍ତତା ଅକ୍ଷୁର୍ଣ୍ଣ ରଖିବା, ବିଶ୍ବବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ବଜାୟ ରଖିବା, ରାଜନୈତିକ କିମ୍ବା ବାହାର ବ୍ୟକ୍ତି ବିଶେଷଙ୍କୁ ରେଭେନ୍ସା ମଧ୍ୟକୁ ଅଯଥା ପ୍ରବେଶ ବନ୍ଦ କରିବା, ରେଭେନ୍ସାର ଶିକ୍ଷକଙ୍କ ସମ୍ମାନ ବଜାୟ ରଖିବା ପାଇଁ ପଦକ୍ଷେପ ନେବାକୁ ସଂଘର ସଦସ୍ୟମାନେ କୁଳପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। 

revenshaw issue1


ଆଜି ସଂଘ ତରଫରୁ ରେଭେନ୍ସା ସେଭେନ୍‌ ପିଲାର୍ସରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି କୁଳପତିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ସଂଘ ପକ୍ଷରୁ ବିଶ୍ବବିଦ୍ୟାଳୟର ପିଜି କାଉନସିଲ୍‌ ଅଧ୍ୟକ୍ଷଙ୍କ ଜରିଆରେ କୁଳପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ରେଭେନ୍ସାର ପ୍ରଫେସରଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାରକୁ ନେଇ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ବିଶ୍ବବିଦ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଧାୟକ କ୍ଷମାପ୍ରାର୍ଥନା ନ କଲେ ଆଗକୁ ଜୋରଦାର ବିକ୍ଷୋଭ ହେବ ବୋଲି ଚେତାବନୀ ଦେଇଥିଲେ।

Ravenshaw University: ରେଭେନ୍ସା ବିଶ୍ବବିଦ୍ୟାଳୟ ନାମରେ ଜମି ନାହିଁ: ପୂର୍ତ୍ତ ବିଭାଗ ନାଁରେ ୮୧ ଏକର ଜମି, ବଦଳି ପାରୁନି ମାଲିକାନା
ଅନ୍ୟପଟେ, ପ୍ରଫେସର ଶ୍ରୀ ମିଶ୍ର ତାଙ୍କୁ ଦୁର୍ବ୍ୟବହାର କରିଥିବା ଦର୍ଶାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଧାନସଭା ବାଚସ୍ପତିଙ୍କୁ ବିଧାୟକ ଶ୍ରୀ ସେଠୀ ଏକ ପତ୍ର ଲେଖିବା ସହ ଆସନ୍ତାକାଲି ବିଶ୍ବବିଦ୍ୟାଳୟର କୁଳାଧିପତିଙ୍କୁ ସାକ୍ଷାତ କରି ସମସ୍ତ ବିଷୟ କହିବେ ବୋଲି କହିଛନ୍ତି। ଏ ସଂପର୍କରେ ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ଅର୍କ କୁମାର ଦାସମହାପାତ୍ର କହିଛନ୍ତି ଯେ ରୁଟାର ଦାବିପତ୍ର ଉପରେ ଆଲୋଚନା କରାଯିବା ସହିତ ଦୁଇ ପକ୍ଷଙ୍କୁ ନେଇ ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.