ARTICLE AD BOX
ଲଇକେରା: ଦକ୍ଷତା ବିକାଶକୁ ଆଧାର କରି ସଫଳତାର ଶିଖର ଛୁଇଁଥିବା ଝାରସୁଗୁଡ଼ାଜିଲ୍ଲା ଲଇକେରା ବ୍ଲକ ତିଲେଇମାଲ ଗ୍ରାମର ଭେଷମତୀ ନାଏକଙ୍କ ସଫଳତା ଏବେ ସମଗ୍ର ଜିଲ୍ଲା ପାଇଁ ଗର୍ବର ବିଷୟ ପାଲଟିଛି। ଡିଡିୟୁ-ଜିକେୱାଇ ଅଧୀନରେ ପ୍ରଶିକ୍ଷଣ ନେଇ ସଫଳ କର୍ମଜୀବନ ଗଢ଼ିଥିବା ଭେଷମତୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ କଲ୍ଚରାଲ୍ ସେଣ୍ଟରରେ ଆୟୋଜିତ ପ୍ରତିଷ୍ଠିତ ‘ଆଟ୍-ହୋମ୍’ ରିସେପସନ୍ରେ ଯୋଗଦେବା ପାଇଁ ଆମନ୍ତ୍ରଣ ମିଳିଛି।
ବାରସୁଆଁ ଲୌହ ଖଣିରେ ଅଘଟଣ, କାର୍ଯ୍ୟରତ ଶ୍ରମିକଙ୍କ ଚାଲିଗଲା ଜୀବନ
ଭେଷମତୀ ୨୦୧୬ ମସିହାରେ ଓରମାସ ମାଧ୍ୟମରେ ଡିଡିୟୁ-ଜିକେୱାଇ ଯୋଜନା ଅଧୀନରେ ହସ୍ପିଟାଲିଟି କ୍ଷେତ୍ରରେ ପ୍ରଶିକ୍ଷଣ ନେଇଥିଲେ। ଭୁବନେଶ୍ୱରସ୍ଥିତ ପିଆଇଏ ମଲ୍ଟି କେୟାର ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ମାଧ୍ୟମରେ ତାଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ପାରିବାରିକ ଓ ଆର୍ଥିକ ପରିସ୍ଥିତି ଯୋଗୁଁ ଉଚ୍ଚଶିକ୍ଷା ଜାରି ରଖିପାରିନଥିବା ଭେଷମତୀ ଦକ୍ଷତା ବିକାଶକୁ ନିଜ ଜୀବନର ନୂଆ ଦିଗ ଭାବେ ବାଛି ନେଇଥିଲେ । ପ୍ରଶିକ୍ଷଣ ପରେ ସେ ତାମିଲନାଡୁର ଊଟିରେ ମାସିକ ୬ ହଜାର ଟଙ୍କା ଦରମାରେ ନିଜର କର୍ମଜୀବନ ଆରମ୍ଭ କରିଥିଲେ। ନିଷ୍ଠା, ପରିଶ୍ରମ ଓ ଅଭିଜ୍ଞତା ବଳରେ ପ୍ରାୟ ଏକ ଦଶନ୍ଧି ଧରି ଆଗକୁ ବଢ଼ିବା ପରେ ବର୍ତ୍ତମାନ ସେ ସମ୍ବଲପୁରସ୍ଥିତ ଆଇଆଇଏମ୍ରେ କାର୍ଯ୍ୟରତ ଅଛନ୍ତି। ଏବେ ତାଙ୍କର ମାସିକ ଆୟ ପ୍ରାୟ ୩୫ ହଜାର ଟଙ୍କା। ନିଜ ଆୟରେ ପରିବାରକୁ ସହଯୋଗ କରିବା ସହ ଆର୍ଥିକ ସ୍ୱାବଲମ୍ବନ ହାସଲ କରିଛନ୍ତି ସେ।
ଦକ୍ଷତା ବିକାଶରୁ ସଫଳ କର୍ମଜୀବନ
ଏହି ସଫଳତା କେବଳ ଭେଷମତୀଙ୍କ ବ୍ୟକ୍ତିଗତ ଉପଲବ୍ଧି ନୁହେଁ, ବରଂ ଗ୍ରାମୀଣ ଯୁବକ-ଯୁବତୀଙ୍କ ପାଇଁ ଦକ୍ଷତା ବିକାଶ କିପରି ନିଯୁକ୍ତି ଓ ସ୍ୱାବଲମ୍ବନର ଦ୍ୱାର ଖୋଲିପାରେ, ତାହାର ଏକ ଉଜ୍ଜ୍ୱଳ ଉଦାହରଣ। ଓଡ଼ିଶା ସରକାରଙ୍କ ସହଯୋଗରେ ଓରମାସ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଡିଡିୟୁ-ଜିକେୱାଇ ଯୋଜନାର ସଫଳତାର ଏକ ପ୍ରେରଣାଦାୟୀ ଚିତ୍ର ଭାବେ ଭେଷମତୀଙ୍କ ଯାତ୍ରାକୁ ଦେଖାଯାଉଛି।
ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ
ରାଷ୍ଟ୍ରପତି ଭବନର ‘ଆଟ୍-ହୋମ୍’ ରିସେପସନ୍କୁ ନିମନ୍ତ୍ରଣ ପାଇବା ପରେ ଅଗଷ୍ଟ ୧୪ ତାରିଖରେ ଭେଷମତୀ ନାଏକ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ୱାଣଙ୍କୁ ଭେଟିଥିଲେ। ଜିଲ୍ଲାପାଳ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ଓରମାସର ଡେପୁଟୀ ସିଇଓ ଶ୍ରୀ ଯୁବରାଜ ସାହୁ ମଧ୍ୟ ଉପସ୍ଥିତ ଥିଲେ।
ଗ୍ରାମର ଜଣେ ସାଧାରଣ ଯୁବତୀ ଭାବେ ଆରମ୍ଭ କରି ଦକ୍ଷତା ବିକାଶ, ନିଯୁକ୍ତି ଓ ନିରନ୍ତର ପରିଶ୍ରମ ମାଧ୍ୟମରେ ଆଜି ରାଷ୍ଟ୍ରପତି ଭବନର ଆମନ୍ତ୍ରିତ ଅତିଥି ହେବା ଭେଷମତୀଙ୍କ ସଫଳତାର ଏକ ଅନନ୍ୟ ଅଧ୍ୟାୟ। ତାଙ୍କର ଏହି ସଫଳତା ଝାରସୁଗୁଡ଼ା ସମେତ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି।

1 hour ago
1


